Unknown

 

 

 

 

 

 

 

 

 

 

ପ୍ରତିଜ୍ଞା

ପଣ୍ଡିତ ଭୁବନେଶ୍ୱର ମିଶ୍ର

 

ସୂଚୀପତ୍ର

 

ବିଷୟ

.

ପୁନର୍ମୁଦ୍ରଣ ସମ୍ବନ୍ଧରେ ଦୁଇପଦ

.

ପ୍ରଥମ ପ୍ରକାଶନର ଅବତରଣିକା

.

ପ୍ରଥମ ପ୍ରକାଶନ ପରେ ପ୍ରାପ୍ତ ଲବଧପ୍ରତିଷ୍ଠା

.

ପ୍ରଥମ ସର୍ଗ

.

ଦ୍ୱିତୀୟ ସର୍ଗ

୬.

ତୃତୀୟ ସର୍ଗ

୭.

ଚତୁର୍ଥ ସର୍ଗ

୮.

ପଞ୍ଚମ ସର୍ଗ

୯.

ଷଷ୍ଠ ସର୍ଗ

୧୦.

ସପ୍ତମ ସର୍ଗ

୧୧.

ଅଷ୍ଟମ ସର୍ଗ

୧୨.

ନବମ ସର୍ଗ

୧୩.

ଦଶମ ସର୍ଗ

୧୪.

ଏକାଦଶ ସର୍ଗ

୧୫.

ଦ୍ୱାଦଶ ସର୍ଗ

୧୬.

ତ୍ରୟୋଦଶ ସର୍ଗ

୧୭.

ଚତୁର୍ଦ୍ଦଶ ସର୍ଗ

୧୮.

ପଞ୍ଚଦଶ ସର୍ଗ

୧୯.

ଷୋଡ଼ଶ ସର୍ଗ

୨୦.

ସପ୍ତଦଶ ସର୍ଗ

୨୧.

ଅଷ୍ଟାଦଶ ସର୍ଗ

୨୨.

ଊନବିଂଶ ସର୍ଗ

୨୩.

ବିଂଶ ସର୍ଗ

୨୪.

ଏକବିଂଶ ସର୍ଗ

୨୫.

ଦ୍ୱାବିଂଶ ସର୍ଗ

୨୬.

ତ୍ରିୟୋବିଂଶ ସର୍ଗ

୨୭.

ଚତୁର୍ବିଂଶ ସର୍ଗ

୨୮.

ପଞ୍ଚବିଂଶ ସର୍ଗ

 

ପୁନର୍ମୁଦ୍ରଣ ସମ୍ବନ୍ଧରେ ଦୁଇପଦ

 

ବିଂଶ ଶତାବ୍ଦୀର ଦ୍ୱିତୀୟ ପାଦ ଆରମ୍ଭରେ ଯଥାକ୍ରମେ ଶୃଙ୍ଗାର ବୀର, କରୁଣ ଓ ଅଦ୍ଭୁତ ରସପ୍ରଧାନ ଚାରିଗୋଟି କାବ୍ୟ ରଚନା କରିଥିଲେ । ପ୍ରଥମେ ୧୯୨୮ଖ୍ରୀଷ୍ଟାବ୍ଦରେ ‘ଉତ୍କଳ ସାହିତ୍ୟ ସମାଜ’ର ତତ୍କାଳୀନ ବିଶିଷ୍ଟ ଲବ୍‍ଧପ୍ରତିଷ୍ଠ ସାହିତ୍ୟିକ ସଭ୍ୟମାନଙ୍କଦ୍ୱାରା ଅନୁରୁଦ୍ଧ ତାଳଚେର ରାଜାସାହେବଙ୍କ ଆର୍ଥିକ ସାହାର୍ଯ୍ୟ ଲାଭକରି ଅଦ୍ଭୁତ ରସପ୍ରଧାନ ଏହି ପକାରାଦ୍ୟ ‘ପ୍ରତିଜ୍ଞା’ କାବ୍ୟଟି ପ୍ରକାଶ କରିଥିଲି ଏବଂ ତାହା ଓଡ଼ିଶାରେ ଯେଉଁସବୁ ମତ ମନ୍ତବ୍ୟ ଲାଭ କରିଥିଲା, ସେଗୁଡ଼ିକ ଆଧୂନିକ ଓଡ଼ିଆ ପାଠକବୃନ୍ଦ ତଥା ସମାଲୋଚକମାନଙ୍କ ପକ୍ଷରେ ଏକ ପ୍ରକାର ଦୁର୍ଲ୍ଲଭ ହୋଇଥିବାରୁ ମୁଁ ମୁଦ୍ରାଣରେ ସେସବୁର କେତେକାଂଶ ପ୍ରକାଶ କରିବାକୁ ବାଧ୍ୟ ହେଉଅଛି ।

 

ଓଡ଼ିଶାର ଆଧୁନିକ ସାହିତ୍ୟର ପଟ୍ଟଭୂମି ସ୍ରଷ୍ଟା ସ୍ୱର୍ଗୀୟ କବିବର ରାଧାନାଥ ରାୟ ତାଙ୍କ ‘ପାର୍ବତୀ’ କାବ୍ୟରେ ଉତ୍କଳ ଗଜପତି ରାଜା ଗଙ୍ଗେଶ୍ୱର ଦେବଙ୍କର ଯେଉଁ କଳଙ୍କ ଚିରକାଳପାଇଁ ରଖିଦେଇ ଯାଇଛନ୍ତି, ତାହା ନାନାକ୍ଷେତ୍ରରେ ସେତେବେଳେ ନିନ୍ଦିତ ହେଉଥିବାର ଦେଖି ମୋତେ ଦୁଃଖ ଲାଗିଲା । ମୁଁ ତାହା ଏକାବେଳକେ ଅସମ୍ଭବ ବୋଲି ପ୍ରମାଣ କରାଇବାପାଇଁ ଏହି ‘ପ୍ରତିଜ୍ଞା’ କାବ୍ୟରେ ଗଙ୍ଗେଶ୍ୱର ଦେବଙ୍କ ପିତା ଚୁଡ଼ଙ୍ଗଦେବଙ୍କ ଦ୍ୱାରା ‘ପୁରୀ ରୀଜାଙ୍କ ଝିଅ ଜନ୍ମିଲେ ତଣ୍ଟି ଚିପି ମାରିଦିଅନ୍ତି’ ପ୍ରବାଦଟିକୁ କାର୍ଯ୍ୟକାରୀ କରାଇଥିବା ଘଟନା ସହିତ ଲୋକପ୍ରଚଳିତ ଉକ୍ତି ଓ କଳ୍ପନା ଯୋଗକରି ବର୍ଣ୍ଣନା କରିଅଛି ଏବଂ ଉକ୍ତ କବିବରଙ୍କ ପୁତ୍ର ତତ୍କାଳୀନ ‘ଉତ୍କଳ ସାହିତ୍ୟ ସମାଜ’ର ସୁଯୋଗ୍ୟ ସମ୍ପାଦକ ଶ୍ରୀଯୁକ୍ତ ଶଶିଭୂଷଣ ରାୟଙ୍କଦ୍ୱାରା ତା’ର ଅବତରଣିକା ଲେଖାଇ କଥାବସ୍ତୁର ସମର୍ଥନ କରାଇବା ଚାତୁରୀ ତହିଁରେ ସଂଯୋଗ କରିପାରିଛି । ପାଠକବୃନ୍ଦ ତାହା ଜାଣିପାରିବାପାଇଁ ଏ ମୃଦ୍ରଣରେ ମଧ୍ୟ ସେ ଅତରଣିକାଟିକୁ ସ୍ଥାନ ଦିଆଯାଇଛି । ଏହାଦ୍ୱାରା ଗଙ୍ଗେଶ୍ୱର ଦେବଙ୍କର ଏପରି ଝିଅ ଜନ୍ମି ତାଙ୍କ ସଙ୍ଗେ କୈଶୋର ଅବସ୍ଥାରେ ଯୁଦ୍ଧକ୍ଷେତ୍ରକୁ ଯିବା ଏବଂ ଗଙ୍ଗେଶ୍ୱର ଦେବ ତାହାର ବିବାହ ବିଷୟରେ ସେଠାରେ ପ୍ରସ୍ତାବ ଆଣିବା ଏକା– ବେଳକେ ଅସମ୍ଭବ ବୋଲି ପ୍ରମାଣ କରାଇ ଦିଆଯାଇଛି ।      

 

‘ପ୍ରତିଜ୍ଞା’ ପ୍ରକାଶନ ପରେ ସାହିତ୍ୟିକ ସମାଲୋଚନା ପ୍ରବନ୍ଧ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରି ‘ଉତ୍କଳ ସାହିତ୍ୟ ସମାଜ’ ପ୍ରଦତ୍ତ ତାଳଚେର ପୁରସ୍କାର ପାଇବା ନିଶା ମୋତେ ଘୋଟିଗଲା ଓ ମୁଁ ସେଥିରେ ନିଜକୁ ଭସାଇଦେଇ ଉତ୍ତରୋତ୍ତର ଉନ୍ନତି ଲାଭକଲି ଓ କାବ୍ୟପ୍ରକାଶନ ଲାଳସା ଏକପ୍ରକାର ଭୁଲିଗଲି । ମାତ୍ର ‘ଉତ୍କଳ ସାହିତ୍ୟ ସମାଜ’ ର ପୂର୍ବୋକ୍ତ ବିଶିଷ୍ଟ ସାହିତ୍ୟିକ ସଭ୍ୟବୃନ୍ଦ ମୋତେ ଅନ୍ୟ କାବ୍ୟ ପ୍ରକାଶନପାଇଁ ତତ୍କାଳୀନ ଆଠମଲ୍ଲିକ ରାଜାସାହେବଙ୍କଦ୍ୱାରା ଆର୍ଥିକ ସାହାଯ୍ୟ ଯୋଗାଡ଼ କରାଇଦେଇ ଉତ୍ସାହ ପ୍ରଦାନ କରିବାକୁ ମୁଁ ପୁଣି ସେ ଦିଗରେ ଅଗ୍ରସର ହେଲା । ପରିମାଣରେ ୧୯୩୬ଖ୍ରୀଷ୍ଟାବ୍ଦରେ ବୀରରସପ୍ରଧାନ ‘ଭବାନୀ’ କାବ୍ୟ ପ୍ରକାଶ ପାଇଲା । ପରେ ପରେ ’ଭବାନୀ’ କ୍ରୟ କରିବା ସମୟରେ ବହୁବ୍ୟକ୍ତି ‘ପ୍ରତିଜ୍ଞା’ ଖୋଜିଥିଲେ । ମାତ୍ର ତା’ର ପ୍ରଥମ ମୁଦ୍ରାଣର ସମସ୍ତସଂଖ୍ୟା ସରିଯାଇଥିବାରୁ ମୁଁ ଯୋଗାଇ ପାରିନଥିଲି କି ତା’ର ଦ୍ୱିତୀୟ ମୁଦ୍ରାଣ ପ୍ରକାଶ କରିବାପାଇଁ ପ୍ରୟାସୀ ହୋଇନଥିଲି କାରଣ ସେ ସମୟକୁ ସବୁଜ ସାହିତ୍ୟର ପ୍ରଚାର ତଥା ପ୍ରସାର ଏବଂ ଶ୍ରୀଯୁକ୍ତ ସଚ୍ଚି ରାଉତରାୟ ଓ ଶ୍ରୀଯୁକ୍ତ ପ୍ରାଣବନ୍ଧୁ କର ପ୍ରଭାତିଙ୍କର ‘ନବଭାରତ’ରେ ‘ଗଦ୍ୟକବିତା’ ଓ ‘ପଦ୍ୟକବିତା’ ପ୍ରଭୃତିର ବାଦାନୁବାଦ ପ୍ରକାଶ ପାଇବାକୁ ଅରମ୍ଭ କରିଥିଲା ଏବଂ ଉତ୍କଳ ସାହିତ୍ୟରେ ନବଯୁଗର ଆରମ୍ଭ ଚାଲିଥିଲା । ସେତେବେଳେ ସେସବୁ ଆଧୁନିକ ସାହିତ୍ୟ ସ୍ରୋତରେ ‘ପ୍ରତିଜ୍ଞା’କୁ ଲୁଚାଇ ଦେବାପାଇଁ ମୋ’ର ଆତ୍ମା ଡାକି ନଥିଲା ।

 

ବର୍ତ୍ତମାନ,ବିଂଶ ଶତାବ୍ଦୀ ତୃତୀୟ ପାଦର ପ୍ରାୟ ଅର୍ଦ୍ଧସମୟରେ ନିଜେ କରୁଣରସ ପ୍ରଧାନ ‘ପ୍ରକ୍ଷାଳନ’ କାବ୍ୟଟିକୁ ପ୍ରକାଶ କଲି । ଏବଂ ତାହା ଓଡ଼ିଶା ବିଶ୍ୱବିଦ୍ୟାଳୟ କର୍ତ୍ତୁପକ୍ଷମାନଙ୍କଦ୍ୱାରା ଏମ୍.ଏ.କ୍ଲାସରେ ଓଡ଼ିଆ ପାଠ୍ୟପୁସ୍ତକ ଭାବରେ ମନୋନୀତ ହେଲା । ଯେଉଁମାନେ ‘ପ୍ରକ୍ଷାଳନ’ ପାଠକଲେ ସେମାନଙ୍କ ମଧ୍ୟରୁ କେହି କେହି ‘ପ୍ରତିଜ୍ଞା’ କାବ୍ୟ ପାଇବାକୁ କେଜାଣି କାହିଁକି ଆଗ୍ରହୀ ହୋବାର ଦେଖି ମୁଁ କର୍ତ୍ତବ୍ୟ ଅନୁରୋଧରୁ ‘ପ୍ରତିଜ୍ଞା’ ର ପୁନର୍ମୁଦ୍ରାଣ ପ୍ରକାଶ କରିବାକୁ ବାଧ୍ୟହେଲି । ଶୃଙ୍ଗାର–ରସପ୍ରଧାନ ଅନ୍ୟ ଏକ କାବ୍ୟ ପାଣ୍ଡୁଲିପି ଆକାରରେ ରହିଥିବା ବେଳେ ଗୋଟିକର ପୁନର୍ମୁଦ୍ରାଣ କରିବା ମୋ’ପକ୍ଷରେ ଉଚିତ ହେଉନଥିଲେ ହେଁ ପାଣ୍ଡୁଲିପିଟିକୁ ବର୍ତ୍ତମାନ ପ୍ରକାଶ କରିବାପାଇଁ ଆଦୌ ଇଚ୍ଛା ହେଉନାହିଁ; କାରଣ ତାହା ଛନ୍ଦୋବଦ୍ଧ ଅଳଙ୍କାର–ଭାରାକ୍ରାନ୍ତ ହୋଇଥିବାରୁ ଆଧୁନିକ ସହଜବୋଧ୍ୟ ସାହିତ୍ୟ ପ୍ରସାର ଯୁଗରେ ଆଦୃତ ହେବ କି ନାହିଁ ଏ ଆଶଙ୍କା ଉପଜୁଛି । ସେଥିପାଇଁ ସେ ବିଷୟରେ ସମାଧାନ ବିଚାରସାପେକ୍ଷ ରଖି ‘ପ୍ରତିଜ୍ଞା’ ର ପୁନର୍ମୁଦ୍ରାଣ କରୁଅଛି । ଭରସା ରଖିଛି–ସମାଲୋଚନା ସାହିତ୍ୟ ପ୍ରତି ଆମ ଓଡ଼ିଶାର ଯେଉଁ ବିଶିଷ୍ଟ ଲେଖକବୃନ୍ଦ ଆଜିକାଲି ମନ ବଳାଇଛନ୍ତି, ସେମାନେ ‘ପ୍ରତିଜ୍ଞା’ କାବ୍ୟର ସମାଲୋଚନା ପ୍ରକାଶ କରି ଓଡ଼ିଆ କାବ୍ୟ–ଜଗତରେ ତାହାର ମାନ ନାର୍ଦ୍ଧାରଣ କରିବେ ।

ପ୍ରଣେତା

ଦୋଳପୂର୍ଣ୍ଣିମା

୧୯୬୫

 

ପ୍ରଥମ ପ୍ରକାଶନର ଅବତରଣିକା

 

ଏହି କାବ୍ୟ ଖଣ୍ଡକ ସମ୍ପୂର୍ଣ୍ଣ ନୂତନ ଧରଣରେ ରଚିତ । ଏଥିରେ ପ୍ରାଚୀନ ଓ ନବୀନ ସାହିତ୍ୟର ଏକତ୍ର ମଧୁର ସମାବେଶ ଲକ୍ଷିତ ହୁଏ । କେହି କେହି ଏହାର ଆମୂଳଚୂଳ ଆଦ୍ୟାନୁପ୍ରାସ ସନ୍ଦର୍ଶନରେ ଲେଖକଙ୍କୁ ପ୍ରାଚୀନ ଭଞ୍ଜ କବି ପ୍ରଭୃତିଙ୍କର ପ୍ରଧାନ ଭକ୍ତ ଓ କାବ୍ୟଟିକୁ ଶବ୍ଦାନୁପ୍ରାସରେ ପୂର୍ଣ୍ଣ ବୋଲି ଭାବିପାରନ୍ତି, ମାତ୍ର କାବ୍ୟଟି ପାଠକଲେ ଲେଖକ ଯେ କେତେଦୁର ସେମାନଙ୍କର ପଦାଙ୍କାନୁସରଣ କରିଅଛନ୍ତି, ତାହା ସହଜରେ ଅନୁମିତ ହେବ । ଏଥିରେ କେବଳ ଆଦ୍ୟାନୁପ୍ରାସ ଛାଡ଼ିଦେଲେ ପ୍ରାଚୀନ କବିମାନଙ୍କର କୌଣସି ଛନ୍ଦ, ଅନୁରାସ ଓ ଯମକାଦି ଶବ୍ଦାଳଙ୍କାର ପରିଦୃଷ୍ଟି ହୁଏନାହିଁ । ଏହାକୁ ନୂତନ ଧରଣର କାବ୍ୟ ବୋଲିବାର ତାତ୍ପର୍ଯ୍ୟ ଏହି ଯେ,ଏହା ସରଳ ଭାଷାରେ, ନଟବାଣୀ ବୃତ୍ତରେ, କବି ରାଧନାଥଙ୍କ ଚିଲିକା କାବ୍ୟର ଭାଷାନୁକରଣରେ ରଚିତ ଏବଂ ସାଧାରଣର ବୋଧଗମ୍ୟ ଓ ସୁରୁଚିସମ୍ପନ୍ନ । ଭାଷା ରକ୍ଷା କରିବାକୁ ଯାଇ ଲେଖକପ୍ରାଚୀନ ଲେଖକମାନଙ୍କ ଭଳି ଭାବରେ ତ୍ରୁଟି ଦେଖାଇ ନାହାନ୍ତି । କୌଣସି ବନ୍ଧୁଙ୍କର ପ୍ରରୋଚନାରେ ପରୀକ୍ଷା କରିବାକୁ ଯାଇ କାବ୍ୟଟିକୁ ଏପରି ଆମୂଳଚୂଳ ପକାରାଦ୍ୟାନୁପ୍ରାସ କରିଅଛନ୍ତି; ଅଥଚ ଆଦ୍ୟରେ ‘ପ’ ଅକ୍ଷରଯୁକ୍ତ ଶବ୍ଦର ଅଭାବରେ ପଡ଼ି ଭଞ୍ଜଙ୍କ ଭଳି ନୂତନ ଶବ୍ଦକୋଷ ସୃଷ୍ଟି କରିନାହାନ୍ତି ।

 

ଲେଖକ ଉତ୍କଳର ଗଜପତି ରାଜସିହାଂସନ ପ୍ରତି ଆକ୍ଷେପ କରାଯାଇଥିବା ଗୋଟିଏ କିମ୍ବଦନ୍ତୀ “ଗଜପତିଙ୍କର କନ୍ୟା ଜନ୍ମିଲେ ସେ ଆପଣର ଗୌରବ ରକ୍ଷା ସକାଶେ ତାହାର ତଣ୍ଚି ଚିପି ମାରିଦିଅନ୍ତି”ର ସାରବତ୍ତା ଅନୁଭବ କରି, ତାହା ଖଣ୍ଡନ କରିବାକୁ ପ୍ରୟାସୀ ହୋଇ ଏହି କାବ୍ୟଖଣ୍ଡି ରଚନା କରିଅଛନ୍ତି । ଏହା ସର୍ବାଙ୍ଗସୁନ୍ଦର ଓ ଘଟନାକ୍ରମେ ପଞ୍ଚବିଂଶ ସର୍ଗରେ ବିଭକ୍ତ । ବିଭିନ୍ନ ଋତୁଚିତ୍ରଣ ଏବଂ ଦୋଳ, ପାର୍ବଣ ଓ ପୃଷ୍ୟାଭିଷେକୋତ୍ସବ ପ୍ରଭୃତିର ବିଶଦ ବର୍ଣ୍ଣନ ହେତୁ କାବ୍ୟ ପୁଷ୍ଟକଳେବର ହୋଇଅଛି । ପ୍ରକୃତି ସହିତ ଏହାର ପୂର୍ଣ୍ଣ ସାମଞ୍ଜସ୍ୟ ରହିଅଛି । ଦୋଳ ମହୋତ୍ସବ ବର୍ଣ୍ଣନରେ କିପରି ପ୍ରକୃତିର ପ୍ରତ୍ୟେକ ସଜୀବ ଓ ନିର୍ଜୀବ ପଦାର୍ଥ ବସନ୍ତ ବିଭବ ଆସ୍ୱାଦନରେ ବିହଳ ହୋଇଅଛନ୍ତି ଏହା ଏଥିରେ ସୁପରିସ୍ଫୁଟ । ଲେଖକ ଚେତନ ଅଚେତନ ପ୍ରତ୍ୟେକର ଈଶ୍ୱରସତ୍ତା ପ୍ରାଣେ ପ୍ରାଣେ ହୃହୟଙ୍ଗମ କରିଅଛନ୍ତି ଓ ଚରିତ୍ର ଚିତ୍ରଣରେ ପାରଦର୍ଶିତା ଦେଖାଇଅଛନ୍ତି । ସେ ବିଷୟାନୁବର୍ତ୍ତ ଯୁଗର ଆଚଣ୍ଡାଳବ୍ରାହ୍ମଣ ପ୍ରତ୍ୟେକ ଜାତିର ଚରିତ୍ର ଚିତ୍ରଣପାଇଁ ଯତପରୋନାସ୍ତି ଚେଷ୍ଟା କରିଅଛନ୍ତି । ଲେଖକ ଜଣେ ଶାକ୍ତ ବୋଲି କାବ୍ୟର ମଙ୍ଗଳାଚରଣରୁ ଅନୁମତି ହୁଏ । ସେ ସ୍ତ୍ରୀ ଜାତିଠାରେ ଶକ୍ତିରୂପିଣୀ ମହାମାୟା ସତ୍ତା ଅନୁଭବ କରି କାବ୍ୟଟିକୁ ନାୟିକା–ପ୍ରଧାନ କରିଅଛନ୍ତି ଏବଂ ପରିଶେଷରେ ଶାକ୍ତଭାବକୁ ପ୍ରଶସ୍ତ ସନାତନ ବ୍ରାହ୍ମଣ୍ୟ ଧର୍ମ୍ମର୍ ମିଶାଇ ବୈଷ୍ଣବ ଧର୍ମ୍ମଠାରୁ ପ୍ରୋକ୍ତ ଧର୍ମ୍ମର ଉତ୍କର୍ଷ ଦେଖାଇଅଛନ୍ତି ।

 

କାବ୍ୟ ନୂତନ ଧରଣର ଏବଂ ଲେଖକ ମଧ୍ୟ ନୂତନ । ଏହି ନବଯୁଗରେ ନବ୍ୟଶିକ୍ଷିତ ଉତ୍କଳୀୟମାନଙ୍କ ଦୃଷ୍ଟିରେ ଅନେକ ଭାବଗର୍ଭକ ବିଭିନ୍ନ ଭାଷାର କାବ୍ୟ, ନାଟକ ଓ ଉପନ୍ୟାସ ପ୍ରଭୃତି ପଡ଼ିଅଛି । ଲେଖକଙ୍କର ଏହି କାବ୍ୟଖଣ୍ଡିକ ସେମାନଙ୍କମନରେ ସେପରି କୌଣସି ବୈଦେଶିକ ବା ପ୍ରାଦେଶିକ ଭାଷାରୁ ସଂଗୃହୀତ ବୋଲି ଧାରଣା ଜନ୍ମାଇ ନ ପାରେ । କାରଣ ତାଙ୍କର ଜ୍ଞାନ ସମ୍ପୂର୍ଣ୍ଣରୂପେ ଉତ୍କଳ ଭାଷାରେ ସୀମାବଦ୍ଧ । ଏଣୁ କାବ୍ୟଟି ପ୍ରଚୀନ ଭାବସମ୍ପନ୍ନ ନୁହେଁ, ସମ୍ପୂର୍ଣ୍ଣ ମୌଳିକ । ବିଷୟଟି ଐତିହାସିକ ଭଳି ବୋଧ ହେଲେହେଁ କଳ୍ପନାସମ୍ଭୂତ ଓ ଅଦ୍ଭୁତ–ରସାତ୍ମକ ।

 

ସ୍ଥୂଳତଃ କାବ୍ୟଟି ଉତ୍କଳ ସାହିତ୍ୟର ଗୋଟିଏ ଭୂଷଣ । ଏହା ସାହିତ୍ୟ ଓ ଧର୍ମ୍ମ ଶିକ୍ଷା ପୁସ୍ତକରୂପେ ଗୃହୀତ ହେବାର ସମ୍ପୂର୍ଣ୍ଣ ଯୋଗ୍ୟ ।                 

 

କାଳୀଗଳି,କଟକ

୧୮/୦୩/୧୯୨୮

 

ଶଶିଭୂଷଣ ରାୟ

 

ପ୍ରଥମ ପ୍ରକାଶନ ପରେ ପ୍ରାପ୍ତ ଲବଧପ୍ରତିଷ୍ଠା

ସାହିତ୍ୟିକମାନଙ୍କ ମତ ମନ୍ତବ୍ୟ

 

ଏକାଧାରରେ କବି ଓ ସମାଲୋଚକ ପଣ୍ତିତ ଶ୍ରୀ ଭୁବନେଶ୍ୱର ମିଶ୍ରଙ୍କ ‘ପ୍ରତିଜ୍ଞା’ କାବ୍ୟ ପାଠ କରି ମୁଁ ଅତ୍ୟନ୍ତ ବିସ୍ମିତ । ଏ ଯୁଗରେ ଗୋଟିଏ ଅକ୍ଷରରେ ଅଥଚ ସରଳ ଭାଷାରେ ଏତେବଡ଼ କାବ୍ୟଟିଏ ରଚନା କରିବା ବ୍ୟକ୍ତି ଦେଖା ଯାଉଛନ୍ତି, ଏହାହିଁ ଶେଷ ତୃପ୍ତି ପ୍ରଦ । ଆମୂଳଚୂଳ କାବ୍ୟଟିର ମୌଳିକତା ପ୍ରସ୍ଫୁଟିତ ଏବଂ ଯଥାର୍ଥ–ବସ୍ତୁ–ସଂଗ୍ରଥନ–ପାଟବ ଓ ଶୋଭନ–ପଦଯୋଜନା ସାମର୍ଥ୍ୟ ସୁପରଦୃଷ୍ଟ । ପ୍ରତ୍ୟେକ ଭାବ ପରିବେଷଣ ସମୟରେ କବିଙ୍କର ତନ୍ମୟତା ଉପଭୋଗ୍ୟ ।

 

କାବ୍ୟଟିର ବିଷୟବସ୍ତୁ ଉତ୍କଳୀୟ ପ୍ରବଚନ ବିଶେଷ ଉପରେ ପ୍ରସାରିତ ଏବଂ ତାହା ପୂର୍ଣ୍ଣାଙ୍ଗ ଓ ସୁରୁଚିସମ୍ବଳ । ପୁରୁଷୋତ୍ତମ କ୍ଷେତ୍ର ବିମଳାପୀଠରେ ବଳିଦାନ ମଧ୍ୟ ଯୁକ୍ତିସିଦ୍ଧ ଓ ବିସ୍ମୟୋ ତ୍ପାଦକ । ଯୁଗୋପଯୋଗୀ ଚରିତ୍ରଚିତ୍ରଣ, ଅପୂର୍ବ ଭାବବୈଚିତ୍ର୍ୟ ଓ ଉତ୍କୃଷ୍ଟ ରଚନାଚାତୁର୍ଯ୍ୟ କାବ୍ୟର ପ୍ରଧାନ ବିଶେଷତ୍ୱ । ସ୍ଥୂଳତଃ ଏହା ଉତ୍କଳ ସାହିତ୍ୟର ଗୋଟିଏ ବିଶିଷ୍ଟ ଅଳଙ୍କାର ।

ଆର୍ତ୍ତ ବଲ୍ଲଭ ମହାନ୍ତି

 

ପଣ୍ତିତ ଶ୍ରୀ ଭୁବନେଶ୍ୱର ମିଶ୍ରଙ୍କ ପ୍ରତିଜ୍ଞା କାବ୍ୟ ଆମର ହସ୍ତଗତ ହୋଇଅଛି । ଏହା ଯେ କେହି ପାଠ କଲେ ବିସ୍ମିତ ହେବାର କଥା । ନୂତନ ଛାଞ୍ଚରେ ନୂତନ ଭାବରାଶି ଢାଳି ଦେଇ କବିଙ୍କର ପାଠକ ମନରେ ଚମକ ଆଣିବାର ଚେଷ୍ଟା ଅତୁଳନୀୟ । କାବ୍ୟଟି ‘ପ’ ଅକ୍ଷରରେ ଗୁନ୍ଥା ହୋଇଥିଲେ ମଧ୍ୟ ଭାବରାଶି ଯେ ସ୍ରୋତାକାରରେ ବହିଯାଇଛି ଏଥିରେ ସନ୍ଦେହର ଅବକାଶ ନାହିଁ-। ଉଦାହରଣ ସ୍ୱରୂପ –

 

ପୁତ୍ର ହେବ ଅନ୍ୟ

 

ରାଜାର ଶାଳାକ

ପୋତିଥିବ ମୁଣ୍ଡ

 

ତଳକୁ କାଳକ

ପ୍ରଭୁତ୍ୱ ବିସ୍ତାର

 

କରିବ ଜାମାତା

ପୂଜିବେ ତାହାକୁ

 

କନ୍ୟା ପିତାମାତା ।

ପାରିବ କେ ସହି

 

ଘୋର ଅପମାନ

ପୁରୀପତି ଦେଇ

 

ଅରପେ ସମ୍ମାନ

 

 

 

ପହରେ ବେଳକୁ

 

ଆସିଲି ଲୋ ଝିଅ

ପରବ ପାଇଁକି

 

ଆଣି ଗୁଡ଼ ଘିଅ ।

ପଦେ ପଦେ ଦୁହେଁ

 

ହେଉଥାନ୍ତି କଥା

ପୋତିଥାନ୍ତି କୋଳି

 

ତୋଳିବାକୁ ମଥା ।

ପେଣ୍ଡା ବାଳ ବନ୍ଧା

 

ଚଉଁରୀ–ବିହୀନେ

ପଡ଼ିନାହିଁ ତେଲ

 

ତହିଁ କେବେ ଦିନେ ।

ଶଶିଭୂଷଣ ରଥ

 

ଶ୍ରଦ୍ଧେୟ ପଣ୍ତିତ ଭୁବନେଶ୍ୱର ମିଶ୍ରଙ୍କ ‘ପ୍ରତିଜ୍ଞା’ କାବ୍ୟଟି ପାଇବା ମାତ୍ରେ ମୁଁ ବହୁ କାର୍ଯ୍ୟରେ ଲିପ୍ତ ଥିଲେ ସୁଦ୍ଧା ଆମୂଳଚୂଳ ପାଠ ଶେଷ କରିବାକୁ ଆଗ୍ରହୀ ହୋଇପଡ଼ିଲି । ମୋତେ ଏତେଦୂର ସନ୍ତୋଷ ଲାଗିଲା ଯେ, ମୁଁ ସେହି ସନ୍ତୋଷ ଉପଭୋଗ ପାଇଁ ତିନି ଘଣ୍ଟା କାଳ ନିର୍ଦ୍ଦିଷ୍ଟ ଭାବରେ ସେହି ଆସନରେ ବସି ରହିଲି । କାବ୍ୟର କୌଣସି ସ୍ଥାନରୁ କିଛି ଆଡ଼େଇ ଦେବାଲାଗି ମୋତେ ଆଦୌ ଦେଖାଗଲା ନାହିଁ; ବରଂ ପୁଣି କୌଣସି ସ୍ଥାନ ଦେଖିବା ବେଳକୁ ତାହା ନୂଆପରି ବୋଧ ହେଲା ।

 

କାବ୍ୟଟି ପଢ଼ି ମୋ ମନରେ ଏହି ଭାବ ଜାତ ହେଲା ଯେ,ଏପରି କବିଙ୍କର ଅନ୍ୟକାବ୍ୟର ପାଣ୍ଡୁ ଲିପି କୌଣସି କୌଣସି ରାଜାଙ୍କଠାରୁ ଆର୍ଥିକ ସାହାଯ୍ୟ ଅଣାଇ ପ୍ରକାଶ କରାଇବାର ବ୍ୟବସ୍ଥାରେ ସହାୟକ ହୋଇପାରିଲେ ମୁଁ କର୍ତ୍ତବ୍ୟ ପାଳନ କଲି ବୋଲି ଉପଲବଧ କରିବି ।

ଗୋପାଳଚନ୍ଦ୍ର ପ୍ରହରାଜ

 

ଶ୍ରୀମାନ୍ ଭୁବନେଶ୍ୱର କେତେବର୍ଷ ତଳେ ଉତ୍କୃଷ୍ଟ ଛାତ୍ର ଭାବରେ ମୋଠାରୁ ଯେଉଁ ଶ୍ରଦ୍ଧା ଆର୍କଷଣ କରୁଥିଲେ ବର୍ତ୍ତମାନ ‘ପ୍ରତିଜ୍ଞା’ କାବ୍ୟଖଣ୍ଡି ଉପହାର ଦେଇ ତାକୁ ଶତଗୁଣିତ କରିଅଛନ୍ତି । ଉପହାରଟି ତନ୍ନ ତନ୍ନ କରି ପଢ଼ି ମୁଁ ଯାହା ଉପଲବ୍‍ଧ କରିଛି, ତହିଁରୁ ବିବେଚିତ ଯେ ମୋର ଆଶୀର୍ବାଦ ଉପହାର ତୁଳନାରେ କଦାପି ଯଥେଷ୍ଟ ହେବ ନାହିଁ ।

ଚନ୍ଦ୍ରମୋହନ ମହାରଣା

 

‘ପ୍ରତିଜ୍ଞା’ ଗୋଟିଏ ଅଭିନବ କାବ୍ୟ ଏବଂ ସିଦ୍ଧ ଲେଖନୀ–ପ୍ରସ୍ତୁତ ପରି ସ୍ପଷ୍ଟ ପ୍ରତୀୟମାନ-। ବିଷୟବସ୍ତୁ ତ ଗୋଟିଏ ବିସ୍ମୟୋତ୍ପାଦକ ଐତିହାସିକ କଲ୍ପନାର ମନୋହର ଚିତ୍ର, ତେଣୁ ସ୍ୱାଭାବିକ ସୁରୁଚିସଂପନ୍ନ । ତାହା ପୁଣି ବହୁ ଉପଭୋଗ୍ୟ ଉପଚିତ୍ରରେ ଚିତ୍ରତ ହେତୁ କାବ୍ୟ ନାମ ସାର୍ଥକ କରୁଅଛି ।

 

ଆଧୁନିକଯୁଗର କାବ୍ୟଗୁଡ଼ିକରେ କବିବର ରାଧାନାଥଙ୍କ ଶୈଳୀ ପ୍ରତିଫଳିତ ହେଉଥିବାର ଦେଖାଯାଏ, ଏଥିରେ ମଧ୍ୟ ହୋଇଅଛି । ତଦୁପରି ସେ ଶୈଳୀ ସଙ୍ଗେ ଭଞ୍ଜ ଶୈଳୀରୁ କେବଳ ଆଦ୍ୟ ଅନୁପ୍ରାସ ଅଳଙ୍କାରଟି ଅଣାଯାଇ ଯେ ଏ କାବ୍ୟଖଣ୍ଡ ‘ପ’ ଅକ୍ଷରରେ ସରଳଭାଷାରେ ରଚନା କରାଯାଇଛି, ଏହାହିଁ ପାଠକପ୍ରତି ସନ୍ତୋଷଦାୟକ ।

ସ୍ଥୂଳତଃ କବି ସର୍ବତ୍ର ଆଶୀର୍ବାଦ ଲାଭ କରିବା ଲାଗି ଉପଯୁକ୍ତ ପାତ୍ର ।

ଗୋପବନ୍ଧୁ ଦାଶ

 

ଏ କାବ୍ୟଟିର ପ୍ରଧାନ ବିଶେଷତ୍ୱ ଏହି ଯେ ନବଯୁଗ ଯୁବକମାନେ ଗଦ୍ୟ ସାହିତ୍ୟ ପ୍ରତି ଆକୃଷ୍ଟ ହେଉଥିଲେ ମଧ୍ୟ ଏଥିରୁ ଖଣ୍ଡିଏ ପାଇଲେ ଆଗ୍ରହରେ ଆମୂଳଚୂଳ ପଢ଼ି ତନ୍ମୟ ହେଉଥିବାର ଦେଖାଯାଉଅଛି ।

ବିଶ୍ୱନାଥ କର

ସମୁନୋହର ‘ପ୍ରତିଜ୍ଞା’ କାବ୍ୟର କବି ଏତେ ଭାବବିହଳ ଯେ ନିଜର ସ୍ୱଭାବ ତଥା କାର୍ଯ୍ୟ କାବ୍ୟବର୍ଣ୍ଣିତ ସଭାପଣ୍ଡିତଙ୍କଠାରେ ଦେଖାଇଅଛନ୍ତି ।

 

ପୁଞ୍ଜେ କାବ୍ୟ ତାର

 

କଳ୍ପନା ପ୍ରସ୍ତୁତ

ପୁଞ୍ଜାକ ଯାକର

 

ଗତି ଅଦଭୁତ ।

ପ୍ରକୃତି–ଉଦ୍ୟାନୁ

 

ତୋଳି ପୁଷ୍ପପେଣ୍ଡା

ପ୍ରତି କାବ୍ୟେ ଖଞ୍ଜି

 

ଅଛି କେଣ୍ଡା କେଣ୍ଡା ।

 

ଅନ୍ୟତ୍ର ତିନୋଟି କବି ଯଥାକ୍ରମେ ପୁରୀ ରାଜାଙ୍କୁ ପୁଷ୍ୟାଭିଷେକରେ ଆଦିରସ, କରୁଣରସ, ବୀରରସର ତିନୋଟି କାବ୍ୟ ପଢ଼ି ଶିଖାଇବା ପରେ ପ୍ରତିଜ୍ଞାବଦ୍ଧ କବି ପକାରାଦ୍ୟ କାବ୍ୟ ସମର୍ପିବା କଥା ବର୍ଣ୍ଣନା ସରାଯାଇ ନିଜେ ଲେଖକ ପକାରାଦ୍ୟ ‘ପ୍ରତିଜ୍ଞା’କାବ୍ୟ ରଚନା କରିଥିବା କଥାରୁ ସୂଚନା ମିଳେ ଯେ ଏହା ନିଶ୍ଚୟ ତାଙ୍କର ଚତୁର୍ଥୋଦ୍ୟମ ।

ଆର୍ତ୍ତତ୍ରାଣ ଶତପଥୀ

 

ପ୍ରଥମ ସର୍ଗ

ନଟବାଣୀ ବୃତ୍ତ

 

ପ୍ରକୃତି–ପୂଜିତା

ଅଦୃଶ୍ୟ–ଶକତି !

ପ୍ରାଣ ସମର୍ପଣେ

ବଳାଇଲି ମତି ।୧।

ପୂଜାପୃଷ୍ଠ ଭାବି

ଦେଲି ହୃଦ–ପଦ୍ମ,

ପ୍ରାଣ କରୁ ତୋର

ପଦେ ସଦା ସଦ୍ମ । ୨ ।

ପ୍ରଥମେ ଉଦ୍ଭୁତ

ଶୂନ୍ୟରୁ ତୋ ଗାତ୍ର,

ପୂରା ସୃଷ୍ଟି ତୋର

ରୂପାନ୍ତର ମାତ୍ର । ୩ ।

ପୁରୁଷକୁ ତୁହି

କରିଛୁ ପ୍ରସବ,

ପ୍ରସାଦରୁ ତୋର

ସଂସାର ଉଦ୍ଭବ। ୪ ।

ପୂରିଛୁ ତୁ ଶକ୍ତି–

ରୂପେ ସର୍ବସ୍ଥଳେ,

ପିଣ୍ଡ ମାତ୍ରେ ଗୁପ୍ତେ

ଖେଳୁ ଅବିରଳେ। ୫ ।

ପାପ ପୁଣ୍ୟ ବେନି

ତୋ ଆଦେଶେ ସୃଷ୍ଟି,

ପାପେ କେହି, ଅବା

ଧରମେ ଆକୃଷ୍ଟ। ୬ ।

ପରୀକ୍ଷାର ସ୍ଥାନ

ଅଟେ ଏ ଜଗତ,

ପ୍ରାଣୀ ପାଦ ପଡ଼େ

ପାପରେ ସତତ ।୭ ।

ପଛଘୁଞ୍ଚା ଯେହୁ

ନ ଦିଏ କଳୁଷୁଁ

ପଡ଼େ ସେ ନରକେ

ନିଜ ଭାଗ୍ୟବଶୁଁ । ୮ ।

ପଶ୍ଚାତେ ତୁ ରହି

ବିବେକ ସ୍ୱରୂପେ

ପଥ କହିଦେଉ

ମାନବେ କି ରୂପେ । ୯ ।

ପୂଜ୍ୟ ଭବେ ନର

ଲଭି ସେ ବିବେକ,

ପଶୁ ତା ବିହୁନେ

ସଦା ନିର୍ବିବେକ । ୧୦ ।

ପାପ ପୁଣ୍ୟଭେଦ

ଜଣାଇ ମାନବେ

ପୂଜନୀୟା ତୁହି

ଭବାନି ! ଏ ଭବେ । ୧୧ ।

ପାଇ ତୋ ଚରଣ–

ସେବା ଏ ଉତ୍କଳ

ପୃଥିବୀରେ ଶ୍ରେଷ୍ଠ

ପବିତ୍ର ବିମଳ । ୧୨ ।

ପୁଷ୍କରେ ଯେସନ

ଶୋଭଇ କେଶର

ପୁଣି ମକରନ୍ଦ

ଅମୃତେ ଜର୍ଜ୍ଜ ର

ପବନ ପରିଶେ

ଝୁଲି ମହାନନ୍ଦେ

ପ୍ରତିବିମ୍ବ ଛଳେ

ଜଳେ ଖେଳେ ମନ୍ଦେ,

ପୃଥିବୀର କେନ୍ଦ୍ରେ

ଉତ୍କଳ ତେସନ

ପବିତ୍ରତା– ସ୍ରୋତେ

ସଦା ନିମଗନ

ପ୍ରକୃତି– ସୌନ୍ଦର୍ଯ୍ୟ

ଯୋଗେ ପୁଲକିତ

ପାରାବାରେ ପୁଣି

ସେ ପ୍ରତିବିମ୍ବିତ । ୧୬ ।

ପ୍ରକାଶେ ମହିମା

ଉତ୍କଳିଙ୍ଗ ୧ ବକ୍ଷେ

ପାର୍ବତି ! ତୋହର

ମନୁଜ ସମକ୍ଷେ । ୧୭।

ପର୍ବତ– କୋଟରେ,

ନଦୀ– ସିନ୍ଧୁ– ତଟେ,

ପଲ୍ଲୀ, ନଗରେ ମା !

ତୋ ରୂପ ପ୍ରକଟେ । ୧୮ ।

ପୂଜକ କଳ୍ପନା

ରୂପେ ତୋ ଆକୃତି

ପ୍ରକୃତି– ଉଦ୍ୟାନେ

ଲଭିଛି ବିସ୍ତୃତି । ୧୯ ।

ପୁରୀ– ଧାମେ ପୁଣ୍ୟ–

ଆସ୍ଥାନେ ବିମଳା !

ପରଶନ୍ତି ତୋତେ

କୈବଲ୍ୟ କମଳା । ୨୦ ।

ପାଉ ଦିନେ ମାତ୍ର

ବଳି ବରଷକେ

ପ୍ରାଚୀର ଲଙ୍ଘି ଯା

ଅର୍ପନ୍ତି ସେବକେ । ୨୧ ।

ପ୍ରସିଦ୍ଧ କାକଟ –

ପୁରେ ପ୍ରାଚୀ୧ ତଟେ

ପ୍ରକଟେ ମଙ୍ଗଳା !

ତୋ ଖ୍ୟାତି ସଙ୍କଟେ । ୨୨ ।

ପାର୍ଶ୍ୱ– ଗ୍ରାମେ ଋକ୍ଷ୨

ତୋ ନାମ ସ୍ମରଣେ

ପ୍ରବେଶି ନ ପାରେ

ମାନବ ମାରଣେ । ୨୩ ।

ପ୍ରଶଂସିତା ତୁହି

ଉତ୍କଳମଣ୍ଡଳେ

ପ୍ରସାଦ ପଠାଇ

ପ୍ରତିକୃତି ଛଳେ । ୨୪ ।

ପୋଷନ୍ତି ଉଦର

ମାଗି କେତେ ମାଳୀ

ପ୍ରତିଜ୍ଞା ତୋ ବିକି

ଧରି ଘଣ୍ଟି ଥାଳୀ । ୨୫ ।

ପ୍ରଖ୍ୟାତ ନୃପତି

ଯଯାତି– କେଶରୀ–

ପୂଜିତା ବିରଜା !

ଯାଜପୁରେଶ୍ୱରି !

ପ୍ରଚାରୁଛୁ ଖ୍ୟାତି

ଉତ୍ତୁଙ୍ଗ– ମନ୍ଦିରେ

ପୁଣ୍ୟତୋୟା ନଦୀ

ବୈତରଣୀ ତୀରେ । ୨୭ ।

ପୁରାଣ–ବର୍ଣ୍ଣିତ

କୀଚକ– ରାଜନ

ପୁଜୁଥିଲେ ତୋତେ୩

ନିର୍ମାଣି ଭବନ । ୨୮ ।

ପର୍ବତ– ଘେରିତ

ପାର୍ବତୀୟ ସ୍ଥଳେ,

ପଞ୍ଚପୀଢ଼ ନାମେ

ଖ୍ୟାତ ଯା ଉତ୍କଳେ । ୨୯ ।

 

୧ । ପୁରୀଜିଲ୍ଲାସ୍ଥ ପୂଣ୍ୟତୋୟା ନଦୀ ।

୨। ଉଲ୍ଲୁକ

୩ । କୀଚକେଶ୍ୱରୀ ମୟୁଭଞ୍ଜର ଇଷ୍ଟଦେବତା

 

ପରକାଳେ କେହି

ମୟୁରଭଞ୍ଜେଶ

ପ୍ରତ୍ୟହ ପ୍ରସାଦ

ସେବନେ ବିଶେଷ । ୩୦ ।

ପାଇ ଅସୁବିଧା

ଦୂରତେ ସକାଶେ

ପାଳିଲେ ତୋତେ ସେ

ଆଣି ନ୍ୟାସା୧ ପାଶେ ।୩୧।

ପ୍ରଶସ୍ତ– ପ୍ରବାହା

ମହାନଦୀ– କନ୍ୟା୨

ପ୍ରାବୃଟେ ଭୀଷଣ

ଯା ପ୍ରବଳ– ବନ୍ୟା । ୩୨ ।

ପୁରୀଜିଲ୍ଲା ଧୌତ–

କାରିଣୀ୩–ଜନନୀ୪

ପ୍ରସ୍ତରେ ବାନ୍ଧିଲେ

ଯହିଁ ନରମଣି୫ । ୩୩ ।

ପରିଖା ପ୍ରାୟ ଯା

ନଦୀ ଚତୁର୍ଦ୍ଦିକେ

ପ୍ରଭତ୍ୱ ଦେଲୁ ସେ

କଟକେ ଚଣ୍ଡକେ !।୩୪।

ପ୍ରଭା୬! ତୋର ଏକ

ରୂପ ଭଟ୍ଟାରିକା

ପରାକ୬– ହସ୍ତରେ

ବଡ଼ାମ୍ବାପାଳିକା ।୩୫।

ପ୍ରତିବର୍ଷ କେତେ

ପଶୁ– ବଳି– ଦାନେ

ପ୍ରଜାଏ ଭସାନ୍ତି

ରକ୍ତେ ତୋ ଆସ୍ଥାନେ ।୩୬।

ପଟୀର– ନିକୁଞ୍ଜେ୮

ଉତ୍ତର– ଇଶ୍ୱରି !

ପୂଜୁଥିଲେ ତୋତେ

ସଂଗ୍ରାମ– କେଶରୀ ।୩୭।

ପତନ ସେ ବଂଶ

ହେବାର ଦେଖି ତୁ

ପ୍ରାପ୍ତ ଦୁଃଖେ ବଞ୍ଚି

ଗ୍ରାଷ୍ମ– ବର୍ଷା– ଶୀତୁଁ । ୩୮ ।

ପ୍ରତିଘ୯ ଜନ୍ମାଇ

ମନ୍ଦିର ତୋଳନେ

ପ୍ରସିଦ୍ଧି ପ୍ରଚାରୁ

ହାଣ୍ଡୋଳା୧୦– ଭବନେ ।୩୯।

 

୧ । ବହଳଦା ଯେଉଁ ନଦୀକୂଳରେ ଅବସ୍ଥିତ ।

୨ । କାଠଯୋଡ଼ି

୩ । କୁଆଖାଇ ।

୪ । କୁଆଖାଇ ଜନ୍ମକର୍ତ୍ତା କାଠଯୋଡ଼ୀ

୫ । ମର୍କତକେଶରୀ ।

୬ । ଦୁର୍ଗା ।

୭ । ଖଡ଼୍‍ଗ ।

୮ । ସତ୍ୟବାଦୀ ଠାରୁ ଦୁଇମାଇଲ ଉତ୍ତରରେ ପଟୁଆର ମାଳ ।

୯ । ପ୍ରତିବନ୍ଧକ

୧୦ । କୁମ୍ଭକାର ହସ୍ତନିର୍ମିତ କ୍ଷୁଦ୍ର ମୃତ୍ତିକାମନ୍ଦିର

 

ପୁରୁଷ– ଉତ୍ତମ

ଦେବ କାଞ୍ଚୀ– ଜେତା

ପୁରୀ ଯିବାବେଳଳେ

ପଥରେ ଦେଖି ତା’ । ୪୦ ।

ପ୍ରତିଜ୍ଞା ତୋ ଶୁଣି

ବସାଇ ଶାସନ୧

ପାର୍ଶ୍ୱେ ପୂଜିବାକୁ

ରଖିଲେ ବ୍ରାହ୍ମଣ ।୪୧।

ପାଏ ୨ ଚାଷ– ଜମି

ନାହିଁ ତୋ ଅଧୀନେ

ପୂର୍ଣ୍ଣ ବୈଶ୍ୱାନରେ

ଚୁଲ୍ଲୀ ସଦାଦିନେ ।୪୨।

ପଲ ବାନ୍ଧି ଆସି

ଦୂରଦେଶୀ– ଗଣ

ପ୍ରତ୍ୟହ କରନ୍ତି

ଜନ୍ତାଳ୩ ଅର୍ପଣ ।୪୩।

ପାରିବ କେ ଗଣି

ତୋ ଲୀଳା ନିଳୟ

ପ୍ରତିଗ୍ରାମେ ଶୋଭେ

ମନ୍ଦିରନିଚୟ ।୪୪।

ପାଷାଣ ପ୍ରତିମା

ସ୍ଥାପି ବୃକ୍ଷ ମୂଳେ

ପଲ୍ଲୀରେ ପୂଜନ୍ତି

ପୁଷ୍କରିଣୀ କୂଳେ ।୪୫।

ପୁରାଣ ତିନ୍ତିଡ଼ୀ

ଚୂତ ବଟ ଶାଳ

ପିପ୍‍ପଳ ବକୁଳ

କୋଚିଲା ରସାଳ ।୪୬।

ପଲାଶାଦି ବୃକ୍ଷ

କୁବ୍‍ଜରେ ସିନ୍ଦୂର

ପ୍ରଲେପି ପୂଜନ୍ତି

ତୋତେ ମା ! ପ୍ରଚୁର ।୪୭।

ପୂରିଛି ସର୍ବତ୍ର

ଉତ୍କଳେ ତୋ ସେବା,

ପ୍ରାତଃ ସାୟଂକାଳେ

ନ ଡାକେ ‘ମା’ କେ ବା ? ।୪୮।

ପଡ଼ିଲେ ବିପଦ

ତୋତେ ଡାକଇ ଯେ

ପାରି କରୁ ତାକୁ

ପାର୍ଶ୍ୱେ ଆସି ନିଜେ ।୪୯।

 

୧ । ନାମ ଅନୁରୂପେ ସ୍ଥାପିତ ବୀରପୁରୂଷୋତ୍ତମପୁର ବ୍ରହ୍ମଣ ଶାସନ ଅଦ୍ୟାପି ବିରାଜିତ ।

୨ । ଏକ ମାଣ ଜମିର ଏକ ଚତୁର୍ଥାଂଶ

୩ । ପଳାନ୍ମ ।

 

ପ୍ରାଣୀ– ଶ୍ରେଷ୍ଠ ୧ ଶୋକେ

କରିଲେ ଆହ୍ୱାନ

ପଲକେ ତରଳେ

ତୋ କୋମଳ ପ୍ରାଣ ।୫୦ ।

ପରିତ୍ୟାଗ କରି

କୈଳାସ– ଶିଖରୀ

ପ୍ରବେଶୁ ସହସା

ତା ପାଣେ ଈଶ୍ୱରି ।୫୧।

ପ୍ରାଣ– ଦାନ ଅବା

ଆୟୁଷବବର୍ଦ୍ଧନ

ପୁତ୍ତ ସମର୍ପଣ

ଆପଦଖଣ୍ଡନ ।୫୨।

ପାର୍ବତି ! ତୁ କରି

ପାରୁ ଅନାୟାସେ

ପ୍ରମାଣିତ ଯାହା

ପ୍ରଭାବତୀ ପାଶେ ।୫୩।

ପାଣି–ଗ୍ରହଣର

ପୂର୍ବରୁ ସେ ବାଳୀ

ପୂଜିଥିଲା ତୋତେ

ଦୃଢ଼ମନେ କାଳି ! ।୫୪।

ପ୍ରଥମ ଗରଭେ

ଲଭିବାକୁ ସୁତା,

ପ୍ରବୋଧନ– ବାକ୍ୟେ

ତାକୁ ତୁ ଦେଲୁ ତା ।୫୫।

 

୧ । ପ୍ରାଣୀମାନଙ୍କ ମଧ୍ୟରେ ମନୁଷ୍ୟ ହିଁ ଶ୍ରଷ୍ଠସ୍ଥାନ ଅଧିକାର କରିଅଛି ।

 

ଦ୍ୱିତୀୟ ସର୍ଗ

ପ୍ରବଳ– ପ୍ରତାପୀ

ଚୋରଗଙ୍ଗ ବୀର

ପଦାନତ କରି

ସୁବର୍ଣ୍ଣ୧ର ଶିର ।୧।

ପତିତ– ପାବନ

ମହିମା ରକ୍ଷଣେ

ପାଳିଲେ ଉତ୍କଳ

ବସି ସିଂହାସନେ ।୨।

ପ୍ରସାରିତ ଏଥି

ଥିଲା ଶୈବଧର୍ମ

ପରିବର୍ତ୍ତନାଶେ

କଲେ ଏଡ଼େ କର୍ମ ।୩।

ପ୍ରଥମେ କଟକ

ହେଲା ରାଜଧାନୀ

ପରେ ନିର୍ବାଚିଲେ

ପୁରୀକୁ ସୁଜ୍ଞାନୀ ।୪।

‘ପରାତ୍ପର ପ୍ରଭୁ

ବିଷ୍ଣୁ– ଅବତାର

ପରଂବ୍ରହ୍ମଙ୍କର

ଶ୍ରୀକ୍ଷେତ୍ର ଆଧାର ।୫।

ପରମ– ବିଶ୍ୱାସୀ

ନୃପ ଏହା ଜାଣି

ପୁରୀ– ଧାମେ ଥିଲେ

ପ୍ରାସାଦ ନିର୍ମାଣି ।୬।

ପରାକ୍ରମୀ ସୈନ୍ୟ–

ବର୍ଗ ବ୍ୟତିରେକେ

ପାରିଷଦେ ଗଲେ

ପୁରୀକୁ ପ୍ରତ୍ୟେକେ ।୭।

ପୂର୍ଣ୍ଣ ହେଲା ସେହି

ବାଲୁକା– ପ୍ରାନ୍ତର

ପୁରବାସୀଙ୍କର

ଭବନେ ସତ୍ୱର ।୮।

ପଲ୍ଲୀ ପ୍ରାୟ ଯାହା

ଥିଲା ଏତେଦିନ

ପରିଣତ ରମ୍ୟ

ନଗରେ ନବୀନ ।୯।

ପୂଜା–ବିଧି କ୍ରମେ

ଖଞ୍ଜିଲେ ନରେଶ

ପଣ୍ଡା–ପଢ଼ିଆରୀ

ଅଣାଇ ବିଶେଷ ।୧୦ ।

 

୧ । ସୁବର୍ଣ୍ଣ କେଶରୀ ନରପତି

 

ପ୍ରଭୁ ଜଗନ୍ନାଥ

ମନ୍ଦିର ସେକାଳେ

ପ୍ରକାଣ୍ଡ ନ ଥିବା

ହେତୁ ନରପାଳେ ।୧୧।

ପରକାଳେ କେହି

ତୋଳିବା ମାନସେ

ପ୍ରସ୍ତର ଅଣାଉ–

ଥିଲେ ସେ କ୍ରମଶେ ।୧୨।

ପରମ ଆନନ୍ଦେ

ଥିଲେ ନରପତି

ପରମାତ୍ମା– ପଦେ

ଅରପି ଭକତି ।୧୩।

ପରିଣୟ କଲେ

ପୁରୀ ଯିବା ପରେ

ପାଣ୍ଡ୍ୟ ୧ ନରରାଣ–

ନନ୍ଦିନୀ ସଙ୍ଗରେ ।୧୪।

ପ୍ରଭାବତୀନାମ୍ନୀ

ଅନିନ୍ଦ୍ୟ ସୁନ୍ଦରୀ

ପ୍ରଶଂସନ୍ତି ଯାକୁ

ସୌନ୍ଦର୍ଯ୍ୟେ ଅପସରୀ, ।୧୫।

ପରିପୂର୍ଣ୍ଣା ଯେହୁ

ଥିଲା ସର୍ବଗୁଣେ,

ପରାସ୍ତ ଯା ଗନ୍ଧେ

ପଦ୍ମାଦି ପ୍ରସୁନେ, ।୧୬।

ପୁର ତିନି ମଧ୍ୟେ

ନାହିଁ ଯା ଉପମା,

ପ୍ରଭାମୟୀ ପ୍ରଭା

ହେବେ ବା ତା ସମା ? ।୧୭।

ପରମେଷୀ ସୃଜି–

ନାହିଁ ସମ– ନାରୀ

ପାରିବ କେ ଦେଇ

ଉପମା ତାହାରି ? । ୧୮।

ପାଣି ତା’ର କଲେ

ଗ୍ରହଣ ଚୁଡ଼ଙ୍ଗ

ପଦ୍ମେ ଅର୍ପିଲେ କି

ମିହିର ଉତ୍ସଙ୍ଗ ? ।୧୯।

ପଦ୍ମା ଅବା ପ୍ରାପ୍ତ

ହେଲେ ବିଷ୍ଣୁ କୋଳ ?

ପାର୍ବତୀଙ୍କି ଲଭି

ହର ଅବା ଭୋଳ ?।୨୦ ।

ପରସ୍ପରେ ହେଲା

ସୁଯୋଗ୍ୟ ମିଳନ

ପୂର୍ବ ତପ ପରି–

ଣାମ ଏ ବନ୍ଧନ ।୨୧।

 

୧ । ଦାକ୍ଷିଣାତ୍ୟର ପ୍ରାଚୀନ ରାଜ୍ୟ ବିଶେଷ

 

ପ୍ରଗାଢ଼ ପୀରତି

ଜାତ ବେନି ଜନେ

ପ୍ରାଣ ଏକା ବୋଲି

ଭାବନ୍ତି ସେ ମନେ ।୨୨।

ପ୍ରେମ–ଡୋରେ ହୋଇ

ଏକତ୍ର ଆବଦ୍ଧ

ପୂର୍ବ ପୃଥକତା

କଲେ ଦୁହେଁ ବଧ ।୨୩।

ପିଣ୍ଡ ମାତ୍ର ଥିଲା

ତାଙ୍କର ଅଲଗା

ପୃଷ୍ପ, ବୃନ୍ତ ପ୍ରାୟ

ପ୍ରାଣେ ପ୍ରାଣ ଲଗା ।୨୪।

ପ୍ରକଟିତ ଏକ–

ଭାବ ଅନ୍ୟ ପାଶେ,

ପ୍ରକୃତେ ଦମ୍ପତି

ଯେଣୁ ଏକାତ୍ମା ସେ ।୨୫।

ପ୍ରଫୁଲ୍ଲ ଦିଶୁଲେ

କେବେ କା ପଦ୍ମାସ୍ୟ,

ପ୍ରତିଫଳେ ଅନ୍ୟ

ବଦନେ ସେ ହାସ୍ୟ ।୨୬।

ପାଇ କେଉଁ ଚିନ୍ତା

ହେଲେ କେ ଚିନ୍ତିତ

ପ୍ରାଣକୁ ବାଧଇ,

ଅନ୍ୟ ବିଷାଦିତ ।୨୭।

ପାଶୁର ଅନ୍ତର

ହେଲେ କେହି କ୍ଷଣେ

‘ପଡ଼ିଲା କି ବଜ୍ର’

ଭାବନ୍ତି ସେମନେ ।୨୮।

ପ୍ରାତ୍ୟହିକ କ୍ରିୟା

କରଣେ ରାଜନ

ପୁର ତେଜି ଗଲେ,

ଗୃହେ ଥାଏ ମନ ।୨୯।

ପାଟରାଣୀ ବୁଡ଼ି

ଦୁଃଖ–ପାରାବାରେ

ପ୍ରାଣକୁ ପଠାଏ

ପ୍ରଣେଶ ସେବାରେ ।୩୦ ।

ପିନ୍ଧିଥାନ୍ତି ଦୁହେଁ

କରେ ପ୍ରେମ ବେଡ଼ି,

ପ୍ରେମକୁ ନ ପାରେ

ସୁବିବେକ ଏଡ଼ି ।୩୧ ।

ପ୍ରେମ ବୋଲି ଯାକୁ

ବୋଲଇ ଜଗତ,

ପାଗଳ କରାଏ

ନରକୁ ସତତ ।୩୨।

ପର୍ବତ, ଅନଳ,

ଭୀଷଣ କାନନ,

ପାରାବାର– ବକ୍ଷ,

ଉଷ୍ଣ–ପ୍ରସ୍ରବଣ ।୩୩।

ପାରି କରାଏ ସେ

ପ୍ରେମ ଅନାୟାସେ

ପଶିପାରେ ନର

ତହିଁ ତା ସକାଶେ ।୩୪।

ପଡ଼ିବ ସମ୍ମୁଖେ

କି ମହା– ଭୀଷଣ

ପ୍ରତିବନ୍ଧକାଦି

ନ ଜଣାଇ ମନ ।୩୫।

ପାସୋରି ପକାଏ

ସ୍ଥାନାସ୍ଥାନ ଭେଦ

ପଶୁ କି ମାନବ

ଜାତୀୟ ପ୍ରଭେଦ ।୩୬।

ପାଷାଣ ବିହଙ୍ଗ

ଅବା ବୃକ୍ଷ ଲତା

ପ୍ରୀତିବଶେ ନର

ସ୍ଥାପଇ ମିତ୍ରତା ।୩୭।

ପ୍ରଶ୍ନ କରି ଚାହିଁ

ଉତ୍ସକୁ ନୟନେ

ପ୍ରଦାନ କରଇ

ଉତ୍ତର ଆପଣେ ।୩୮।

ପକାଏ କୁଣ୍ଡାଇ

ପ୍ରେମ–ଭୋଳେ ନର

ପ୍ରତ୍ୟେକ ପଦାର୍ଥ

ଚର ବା ଅଚର ।୩୯।

ପ୍ରାଣୀ ପ୍ରାଣୀ ପ୍ରେମ

କାମ ସନ୍ନିହିତ

ପାଷାଣ–ପୀରତି

ନିର୍ମଳ ନିଶ୍ଚିତ ।୪୦।

ପ୍ରତିସ୍ଥାନେ ଛନ୍ତି

ପ୍ରଭୁ ପରମାତ୍ମା,

ପ୍ରେମ ଢାଳେ ତହିଁ

ନିଷ୍କାମେ ନରାତ୍ମା ।୪୧।

ପ୍ରେମୁଁ କାମ ବହୁ

ଦୂରେ ଅବସ୍ଥିତ,

ପ୍ରେମ ପରକୀୟ,

କାମ କଳୁଷିତ ।୪୨।

ପତି–ପତ୍ନୀ ମଧ୍ୟେ

ଦୁହେଁ ସମ୍ମିଳିତ

ପୁତ୍ର– ଲାଭ– କାମ

ପ୍ରେମରେ ଜଡ଼ିତ ।୪୩।

ପ୍ରତ୍ୟେକେ ସଂସାରେ

ସେହି ପୁତ୍ର ଆଶେ

ପୁରୁଷ ବା ନାରୀ

ମାତେ ସହବାସେ ।୪୪।

ପ୍ରଭାବତୀ ସଙ୍ଗେ

ଦିନେକ ଚୁଡ଼ଙ୍ଗ

ପ୍ରେମେ କାମ ଢାଳି

କଲେ ରତି–ରଙ୍ଗ ।୪୫।

ପୁତ୍ର ଆଶା ମନେ

ପୋଷଲେ ରାଜନ

ପାରିକରେ ପୁତ–

ନରକୁଁ ନନ୍ଦନ । ୪୬ ।

ପ୍ରଥମେ ପିତାର

ସୁତ ଆବଶ୍ୟକ

ପୁତ୍ର ହିଁ ତାହାର

ଆନନ୍ଦଦାୟକ ।୪୭।

ପ୍ରଭାବତୀ ଆଶା

ପ୍ରଥମେ ନନ୍ଦିନୀ

ପ୍ରସବିବ, ଦେବେ

ମହିଷମର୍ଦ୍ଦିନୀ ।୪୮।

ପରେ ପୁତ୍ର ଲାଭ

ଆଦ୍ୟରେ ଦୁହିତା

ପାଇବାକୁ ଇଚ୍ଛା

କରଇ ବନିତା ।୪୯।

ପୃଥିବୀରେ ଏହି

ଦ୍ୱବିଧ ବାସନା

ପତି–ପତ୍ନୀଙ୍କର

ପ୍ରଥମ– ଖେଳନା ।୫୦ ।

 

Unknown

ତୃତୀୟ ସର୍ଗ

ପୁଷ୍ୟା–ଅଭିଷେକ–

ଉତ୍ସବ ନବରେ

ପୌଷପୂର୍ଣ୍ଣିମାରେ

ଦିବ୍ୟ ଆଡ଼ମ୍ବରେ ।୧।

ପକାଇଛି ଘାଳି ୧

ଲାଗି ନାଗରିକେ,

ପଡ଼ିଛି ଉତ୍ସବ–

ଗୋଳ ଚତୁର୍ଦ୍ଦିକେ ।୨।

ପୁରୀ– ବାସୀ– ସର୍ବେ

ଆନନ୍ଦେ ମଗନ

ପାର୍ଶ୍ୱେ ଲଭି ଆଦ୍ୟ–

ଉତ୍ସବ ଦର୍ଶନ ।୩।

ପୂର୍ବେ ହେଉଥିଲା

କଟକେ ଉତ୍ସବ,

ପ୍ରୀତ ହେଲେ ହେଉଁ

ନିକଟେ ସମ୍ଭବ ।୪।

ପ୍ରଜାଏ ଆସନ୍ତି

ଭେଟି ସମର୍ପଣେ

ପୁରସ୍କାର ପ୍ରାପ୍ତ–

ହେବେ ଭାବି ମନେ ।୫।

ପଥ ଘାଟ ଗଳି

କାହିଁ ନାହିଁ ସ୍ଥାନ,

ପ୍ରଜାଏ ଚାଲନ୍ତି

ପିମ୍ପୁଡ଼ି ସମାନ ।୬।

ପୁଷ୍କରିଣୀ କୂଳେ

ରଖି କେ ସମ୍ପଦ

ପାଷାଣରେ ବସି

ହର୍ଷେ ମାଜେ ରଦ ।୭।

ପୂଣ୍ଡରୀକ– ଅକ୍ଷ

ଦରଶନ– ଆଶେ

ପିନ୍ଧଇ କେ କୁଞ୍ଚି

ମଠା ପାଟ ବାସେ ।୮।

ପାଞ୍ଜି ଖୋଲି କେହି

ଅନୁକୂଳବେଳ

ପଢ଼ି ଶୁଣାଉଛି

ନିଜ ସଙ୍ଗୀମେଳ ।୯।

ପାଟ ଅତିକ୍ରମି

କେହି ବା ପଥିକ

ପାଦ କରିଅଛି

ଧୂଳିରେ ସ୍ଫଟିକ ୨।୧୦ ।

 

୧ । ମଜଗୁଲ କରି ।

୨ । ଧୂଳିସରିତ ପାଦ ସ୍ପଟିକ ସଦୃଶ ଦେଖାଯାଉଅଛି ।

 

ପ୍ରତ୍ୟେକଙ୍କ ଲକ୍ଷ୍ୟ

ପୁଷ୍ୟା ଅଭିଷେକ

ପ୍ରବେଶିବେ ଶୁଭ–

ବେଳେ ଏକ ଏକ ।୧୧।

ପରାତ୍ପର–ବିଷ୍ଣୁ–

ଚଳନ୍ତି– ପ୍ରତିମା

ପ୍ରଶଂସ୍ୟ ଭାରତେ

ଚୁଡ଼ଙ୍ଗ ମହିମା ।୧୨।

ପୂର୍ବ– ପୁଣ୍ୟ– ପୀଠ

ଶ୍ରୀକ୍ଷେତ୍ର ଉଦ୍ଧାର

ପ୍ରସାରିଛି ଖ୍ୟାତି

ଚୁଡ଼ଙ୍ଗ ରାଜାର ।୧୩।

ପ୍ରଭୁ ନିଜେ ସେହି

ନର ଅବତାର

ପ୍ରଜା ପାଳି କଲେ

ବୈଷ୍ଣବ ୧ ପ୍ରଚାର ।୧୪।

ପଦବୀ ଧାରଣ

କରିଛନ୍ତି ଭୂପ

ପ୍ରସନ୍ନ– ବଦନ

ଆର୍ଯ୍ୟନଭୋଡୂପ ୨

ପରଂବ୍ରହ୍ମ ପ୍ରେମ–

ପଥ–ପ୍ରବର୍ତ୍ତକ ୩

ପ୍ରିୟଂକର୪ ଗଜ–

ପତି ସୁପାଳକ ।୧୬।

ପାଳନ୍ତି ପରଜା

ନିଜେ ଯହିଁ ହରି,

ପାଇବ କେ ଦୁଃଖ

ସେ ରାଜ୍ୟ ବିହରି ?।୧୭।

ପୃଥିବୀରେ ଅବ–

ତୀର୍ଣ୍ଣ ଯହିଁ ପ୍ରଭୁ

ପ୍ରଜା ପରିବାରେ

କିବା ନଥିବ ଭୂ ୫।୧୮।

ପଦ୍ମାଳୟା ତାଙ୍କ

ରାଜ୍ୟ– ବିହାରିଣୀ

ପ୍ରଜା– ବର୍ଗ– ଘୋର–

ବିପଦ– ହାରଣୀ ।୧୯।

ପ୍ରତି ଆର୍ଯ୍ୟ ରାଜା

ତାଙ୍କ ଆଜ୍ଞାଧୀନ,

ପଦ ପୂଜି ପାପ–

ସାଗରୁ ଉତ୍ତୀର୍ଣ୍ଣ । ୨୦ ।

 

୧ । ବୈଷ୍ଣବ ଧର୍ମ ।

୨ । ଆର୍ଯ୍ୟରୂପ ଆକାଶର ଚନ୍ଦ୍ର

୩ । ପ୍ରିୟକାବୁକ ।

୫ । ଭୂ-ସମ୍ପତ୍ତି ।

 

ପ୍ରତ୍ୟହ ଆସନ୍ତି

ଦରଶନ ଆଶେ

ପୁଷ୍ୟା–ଅଭିଷେକେ

କିଏ ବା ନ ଆସେ ? ।୨୧।

ପ୍ରଣମନ୍ତି ଆଜି

ଅହର୍ନିଶ ଜନ

ପଦେ ଦେଇ ଭେଟି–

ଅଗଣନ ଧନ ।୨୨।

ପାର୍ଶ୍ୱଚରେ ତାହା

ସମ୍ମୁଖ ଅଙ୍ଗନେ

ପରିପାଟୀ କରି

ରଖନ୍ତି ଯତନେ ।୨୩।

ପର୍ବତ ଆକାରେ

ଭେଟି ସରଞ୍ଜାମ

ପୂର୍ଣ୍ଣ ହେଲା ଲେଖା–

ରହି ଭକ୍ତ ନାମ ।୨୪।

ପାରିବ କେ ଗଣି

ରାଶି ରାଶି ଦ୍ରବ୍ୟ

ପ୍ରାଚୀର ଉଲ୍ଲଙ୍ଘି

ଦେଖେ ଭବିତବ୍ୟ ।୨୫।

ପାସୋରିଲା କେଉଁ

ଭକ୍ତ କେଉଁ ଦୁଃଖ

ପଥେ ଦେଖନ୍ତି କି

ଉତ୍ତୋଳି ଶ୍ରୀ ୧ ମୁଖ ?।୨୬।

ପରିଶେଷେ ମୋର

କଳ୍ପନା–ସୁନ୍ଦରୀ

ପ୍ରବେଶିଲେ ତହିଁ

ଊର୍ଦ୍ଧ୍ୱୁଁ ଅବତରି ।୨୭।

ପଡ଼ିଲେ ଚମକି

ଦେଖି ସେ ସମ୍ଭାର

ପବିତ୍ର ଉଜ୍ଜ୍ୱଳ

ସାମଗ୍ରୀ–ପୂଜାର ।୨୮।

ପୁତ ହେଲା ମୋର

କଳ୍ପନା–ନୟନ

ପବିତ୍ରତା–ସ୍ରୋତେ

ହୋଇ ନିମଗନ ।୨୯।

ପୁରସ୍କାର ଆଶେ

ଗଣିଲେ ସକଳ

ପରିମାଣେ ଭାଗ୍ୟେ

କି ଅଛି ବା ଫଳ ? ।୩୦ ।

ପ୍ରସ୍ତର– ମୂରତି

ପାଷାଣ–ବାସନ

ପ୍ରକାଶେ ଓଡ଼ଗାଁ ୨

କପିଳାସ ଧନ ।୩୧।

 

୧ । ଶୋଭା, ଲକ୍ଷ୍ମୀ ।

୨ । ନୟାଗଡ଼ସ୍ଥ ପ୍ରସିଦ୍ଧ ସ୍ଥାନ ।

 

ପଲଙ୍କ ସବାରୀ

ସିନ୍ଦୁକ ଆସନ

ପାନବଟା ହାର

ମୁଦୀ ମୂର୍ତ୍ତିଗଣ ।

ପଙ୍ଖା ଆଦି ଦ୍ରବ୍ୟ

ମାତଙ୍ଗ– ଦଶନେ

ପ୍ରସ୍ତୁତ ସକଳ

ସନ୍ତୋଷିଲେ ମନେ ।୩୩।

ପ୍ରକୁଳ ୧ ଦେଖାଇ

ଦେଲେ ପରିଚୟ

ପୁଣ୍ୟ ଇଟାମାଟି ୨

ସମ୍ପଦ ନିଚୟ ।୩୪।

ପରଶୁ ଭୁଜାରି

ଛୁରୀ ତରବାରି

ପହୁଞ୍ଚିଛି ମଧ୍ୟ–

ଖଣ୍ଡୁ ୩ ଅସୁମାରି ।୩୫।

ପାନ–ଭଙ୍ଗା ନାନା–

ବିଧ ଗୁଆକାତି

ପ୍ରବେଶି ଜାଣନ୍ତି

ଜନ୍ମସ୍ଥାନ ଖ୍ୟାତି ।୩୬।

ପ୍ରଣେତା କାହାର

ବାଳକଟି୪–ବାସୀ

ପାରିନାହିଁ କାଳ

ଯା’ ସୁଖ୍ୟାତି ନାଶି ।୩୭।

ପିତ୍ତଳ କଂସାର

ବାସନ ତା ପାଶେ

ପ୍ରତିଦିଶ ଝଟ–

କାନ୍ତି ମୃଦୁ– ହାସେ ।୩୮।

ପ୍ରସିଦ୍ଧ କଣ୍ଟିଲୋ ୫

କଳାପଥର୬ରୁ

ପୁଣ୍ୟ ଦେବଗ୍ରାମ ୭

ତୁଳସୀପୁର୮ରୁ ।୩୯।

ପ୍ରାଧାନ୍ୟ ଦର୍ଶନେ

କେତେ ଗୁଆକାତି

ପ୍ରଜା ଭେଟିଛନ୍ତି

ମନୋହର ଜାତି ।୪୦ ।

 

 

୧ । ମନୋହର ଦେହ । ନୟାଗଡ଼ସ୍ଥ ଶିଳ୍ପକଳାନିପୁଣ ଗ୍ରାମ ବିଶେଷ ।

୩ । ଦଶପଲ୍ଲା ରାଜ୍ୟରେ ହାତତିଆରି କରୁଥିବା ଗ୍ରାମ

୪ । ଭୁବନେଶ୍ୱରର ଅଦୂରରେ ।

୫ । ଖଣ୍ଡପଡ଼ାରେ ଜଗନ୍ନାଥଙ୍କ ଆଦି ପୀଠସ୍ଥାନ । ଏହା କଂସା ପିତ୍ତଳ ବାସନ ନିମିତ୍ତ ପ୍ରସିଦ୍ଧ

୬ । ପୁରୀଜିଲ୍ଲାରେ ।

୭ । ନୟାଗଡ଼ରେ ।

୮ । ବାଙ୍କି ଅଞ୍ଚଳରେ ।

 

ପ୍ରଭୁ ପୁଜା ଆଶେ

ବେଲପଡ଼ା ୧ ଘଣ୍ଟା,

ପୂଜା– ଦ୍ରବ୍ୟ– ରନ୍ଧା–

ହଣ୍ଡା ଉଚ୍ଚ ଅଣ୍ଟା ।୪୧।

ପୂତ ସ୍ୱଚ୍ଛନୀରା–

ଭାର୍ଗବୀ ତଟିନୀ

ପଠାଇଛି ପ୍ରଭା,

ଘଣ୍ଟା, ମୂର୍ତ୍ତି, ଗିନି ।୪୨।

ପରଜାଙ୍କ କରେ

ଭଗବାନପୁର

ପଶୁପତି ବୁଢ଼ା–

ଲିଙ୍ଗ ୨ ଯା ଅଦୂର ।୪୩।

ପିତ୍ତଳ ସାମଗ୍ରୀ

କାନପୁର୩ଠାରୁ

ପହୁଞ୍ଚିଛି ଦିବ୍ୟ

ବିନ୍ଧାଣୀ ମୃଠାରୁ ।୪୪।

ପାଦୁକା କେ ମୃଗ–

ସ୍ପର୍ଶନେ ନିର୍ମାଣି

ପ୍ରଭୁ ପଦ ପାର୍ଶ୍ୱେ

ଭେଟିଅଛି ଆଣି ।୪୫।

ପରମ ଉତ୍କୃଷ୍ଠ

ଲାଠିପଡ଼ା ୪ ଯୋତା

ପ୍ରଶଂସା ଶୁଣିଲେ

ଦଉଡ଼ିବେ ଶ୍ରୋତା ।୪୬।

ପୋଥି– ଛାଞ୍ଚ ୫ ଚାଳୀ ୬

ବୋକାଡା ୭ନିବାସୀ

ପୁଞ୍ଜା ପୁଞ୍ଜା କରି

ସମର୍ପିଛ ଆସି ।୪୭।

ପିନ୍ଧା, ପାଛୁଡ଼ାର

ଚାକଚକ୍ୟ ଦେଖି ।

ପିଛାଡ଼ିବ କେ ବା

ଚକ୍ଷୁ ନ ନିରେଖି ? ।୪୮।

ପରିଚୟ ଦେଲେ

ଜରୀ ସୁରଚନା

ପାଟ ବ୍ରହ୍ମପୁର,

ଶ୍ରୀନବପାଟଣା ୮।୪୯।

ପାଟ– କୁମ୍ଭ– ପକା

ରଣପୁରୀ– ଯୋଡ଼

ପଠାଇଛି କେହି

ନେବ ଟଙ୍କା ତୋଡ଼ ।୫୦ ।

 

୧। ଦଶପଲ୍ଲାରେ ।

୨ । ପ୍ରସିଦ୍ଧ ମହାଦେବ ।

୩ । ନରସିଂହପୁର

ରାଜ୍ୟରେ ।

୪ । ନୟାଗଡ଼ରେ ।

୫ । ଅଳେଖା ତାଳପତ୍ର ପୋଥି

୬ । ନୟାଗଡ଼ରେ ।

୭ । ନରସିଂହପୁର ରାଜ୍ୟରେ

୮ । ତିଗିରିଆରେ ।

 

ପୀତ, ନୀଳ ଶାଢ଼ୀ

ଶୁକଳଗାଡ଼ିଆ୧

ପେଷିଛି ସୁରମ୍ୟ

ବିଚିତ୍ର–ଧଡ଼ିଆ ।୫୧।

ପେଣ୍ଡା ପେଣ୍ଡା ଫୁଲ

ଚିତ୍ର କେ ବସନେ

ପଠାଇଛି ଛିଟ

ଭାଙ୍ଗି ସଯତନେ

ପାଟଫେଟା ସଙ୍ଗେ

ମଣିବନ୍ଧୁ– ଗ୍ରାମୁଁ ୨,

ପ୍ରେରିଛି କେ ରାଜ–

ପାଟଣା୩ – ଶ୍ରାଧାମୁଁ ।୫୩।

ପାଚିବା ସୁଯୋଗ୍ୟ

ରମ୍ୟ ଗାତ୍ରପୋଛା ୪

ପ୍ରଣେତାଙ୍କ ନାମ

କହେ ଗୋଛା ଗୋଛା ।୫୪।

ପ୍ରସିଦ୍ଧ ଜାନକୀ–

ଦେବୀପୁର୫ ଲୋକେ,

ପଞ୍ଚଗ୍ରାମ୬ କଳା–

ପାହାଡ଼ରୁ୭ ଥୋକେ, ।୫୫।

ପବିତ୍ରା କୁସୁମୀ୮–

ତୀର ବାଇଗଣି୯

ପ୍ରଜା ଭେଟିଛନ୍ତି

ପ୍ରଭୁ ପାଶେ ଗଣି ।୫୬।

ପରିତୃପ୍ତ ହେବେ

ଦେଖିଲେ ନରେଶ

ପକ୍ୱ– କମଳା କେ

ପ୍ରେରିଛି ବିଶେଷ ।୫୭।

ପାର୍ବତୀୟ ସ୍ଥାନ

ଦେବଭୂମି– ଗ୍ରାମୁଁ ୧୦

ପରିଚୟ ଜଣା

ପଡ଼ୁଛି ତା’ନାମୁଁ ।୫୮।

ପ୍ରସିଦ୍ଧ କଟକ

ସ୍ୱର୍ଣ୍ଣକାର ଗଣ

ପେଷିଛନ୍ତି ଦିବ୍ୟ

ବିଖ୍ୟାତ ଭୂଷଣ ।୫୯।

ପ୍ରଭାବତୀଙ୍କର

ଅଙ୍ଗ ବିଭୂଷଣେ,

ପୃଥିବୀରେ ନାହିଁ

ଗହଣା ତୁଳନେ ।୬୦ ।

 

୧ । ନୟାଗଡ଼ରେ ।

୨ । ବଡ଼ାମ୍ୱାରେ ।

୩ । ନୟାଗଡ଼ରେ ।

୪ । ଗାମୁଛା ।

୫ । ପୁରୀଜିଲ୍ଲାରେ ।

୬ । ଖୋର୍ଦ୍ଧାରେ ।

 

ପାର୍ଶ୍ୱେ ଦୃଷ୍ଟି ଦେଲେ

କଳ୍ପନା ଚଞ୍ଚଳେ,

ପୂର୍ଣ୍ଣ ଶାନ୍ତି ନୃପ–

ବଦନ– ମଣ୍ଡଳେ ।୬୧।

ପ୍ରଭା ବିକାଶଇ

ଭକ୍ତ ଗଣ ପ୍ରତି,

ପ୍ରଭିତ୍ୱ ଗାମ୍ଭୀର୍ଯ୍ୟ

ତା’ ସଙ୍ଗେ ଖେଳନ୍ତି । ୬୨ ।

ପ୍ରଶସ୍ତ ସୁନ୍ଦର

ସୁବଳିଷ୍ଠ ବପୁ

ପୂତ ହୁଏ ନେତ୍ର

ଦେଖି ପୂର୍ବ ତପୁଁ । ୬୩ ।

ପ୍ରାଣ ଲଭିଛି କି

ବୀର– ରସ– ମୂର୍ତ୍ତି ?

ପ୍ରଭୁ ନର–ରୂପେ

କରନ୍ତି କି ସ୍ଫୂର୍ତ୍ତି ? । ୬୪।

ପଦ୍ମ–ନେତ୍ର ଖେଳେ

ସୁଧାକର–ଆସ୍ୟେ

ପକାଇ ଭକତେ

କରୁଣା ପ୍ରକାଶ୍ୟେ । ୬୫।

ପଟୀର୧– ଲେପିତ

ବୀର ନରପାଳ

ପଡ଼ିଛି ଶ୍ରୀଅଙ୍ଗେ

ତୁଳସୀର ମାଳ ।୬୬।

ପଣ୍ଡା କେହି କରେ

ଧରି ଧୂପ ଦୀପ

ପୂଜା ମନ୍ତ୍ର ବୋଲି

ବନ୍ଦାଏ ସମୀପ ।୬୭।

ପରମ– ଭକତ

କେହି ଛତ୍ରଧର

ପ୍ରଭୁ– ସେବାକାରୀ

କେ ଚାମରକର ।୬୮।

ପକାଏ ଆଲଟ

କେ ବା ବିଷ୍ଣୁ– ଭକ୍ତ

ପୁଣ୍ୟରାଶି ଜମି

ହେବ ଭାବି ଶକ୍ତ । ୬୯ ।

ପାଠକରେ କେହି

ନରୋତ୍ତମ ସ୍ତୁତି

“ପ୍ରଭୁ ! ପରାତ୍ପର !

ଲଭେଁ ମୁଁ ନିଷ୍କୃତି”।୭୦ ।

ପବିତ୍ର ହୋଇଛି

ରତ୍ନ–ସିଂହାସନ

ପ୍ରଭୁଙ୍କୁ ସମର୍ପି

ରମ୍ୟ ଅଙ୍କାସନ ।୭୧।

ପରିବେଶ୧– ଅର୍ଦ୍ଧ–

ଆକୃତି–ମଣ୍ଡନ

ପ୍ରଭୁ ଶ୍ରୀସମ୍ମୁଖେ

ବିରାଜେ ଆସନ ।୭୨।

ପଣ୍ଡିତମଣ୍ତଳୀ

ବସି ତଥାପରେ

ପାଣ୍ତିତ୍ୟ ଦେଖାନ୍ତି

ଫୁଲ ଦର୍ପଭରେ ।୭୩।

ପାଣିନୀ ୨ କେ ଅବା

କରେ ଆଲୋଚନା

ପଦର ଲାଳିତ୍ୟେ

ନଥାଏ ଶୋଚନା ।୭୪।

ପକାଇଲେ ତର୍କ

ତର୍କ–ପଞ୍ଚାନନ,

ପୟାର ଶୁଣାନ୍ତି

ସାହିତ୍ୟିକ ଜନ । ୭୫ ।

ପୃଥିବୀ ଭ୍ରମଣ

ଗ୍ରହ ପର୍ଯ୍ୟଟନ

ପରୀକ୍ଷା କରାନ୍ତି

ଜ୍ୟୋତିଷ- ରତନ । ୭୬ ।

ପାଚିଲା–ଦାଢ଼ିଆ

ବୃଦ୍ଧ– ରାଜଗୁରୁ

ପ୍ରଲିପ୍ତ ଶ୍ରୀଅଙ୍ଗେ

କର୍ପୁର ଅଗୁରୁ ।୭୭।

ପଦେ ଅଧେ କେବେ

ଅର୍ଦ୍ଧସ୍ଫୁଟ ବାଣୀ

ପାକୁଆ ପାଟିରେ

ଦିଅନ୍ତି ବଖାଣି ।୭୮।

ପ୍ରେମ– ସୁଧା– କୁଣ୍ଡ

ଆଦିରସ ଛନ୍ଦ

ପଢି କେଉଁ କବି

ଦିଏ ମହାନନ୍ଦ ।୭୯।

ପବିତ୍ର କରୁଣ–

ରସଗୀତାମୃତ

ପ୍ରସାଦ– ଭୂଷଣ

ଶ୍ରୀମୁଖ– ନିଃସୃତ ।୮୦।

ପୂତ କରେ ଭକ୍ତ

କବି କର୍ଣ୍ଣେ ଢାଳି,

ପକାଏ କେ କବି

ବୀର– ରସ ଗାଳି ।୮୧।

ପ୍ରତିଜ୍ଞାବଦ୍ଧ କେ

ସୁରସିକ କବି

ପକାରାଦ୍ୟ– କାବ୍ୟ

ସମର୍ପି ପଦବୀ ।୮୨।

ପ୍ରାପ୍ତି ଆଶା–ପୋଷି

ହୃଦୟ– ଆକାଶେ

ପଢି ଶୁଣାଉଛି

ସିଂହାସନ– ପାଶେ୧।୮୩।

ପ୍ରଭୁ ସୁପଣ୍ତିତ

ସୁକବି–ବଲ୍ଲଭେ

ପ୍ରଣମି କଳ୍ପନା

ବାହୁଡ଼ିଲେ ନଭେ ।୮୪।

ପଥ ମଧ୍ୟେ ଦେବୀ

କଲେ ବାରମ୍ବାର

ପୁଷ୍ୟା ଅଭିଷେକ

ମହିମା ପ୍ରଚାର ।୮୫।

 

୧ । ପରିଧି ।

୨ । ବ୍ୟାକରଣ ।

୩ । ଲେଖକ ନିଜେ ଗୋଟିଏ ଛନ୍ଦୋବଦ୍ଧ ଆଦିରସାତ୍ମକ କାବ୍ୟ ‘ଯାଜ୍ଞିକା’ ଗୋଟିଏ କରୁଣ ରସାତ୍ମକ କାବ୍ୟ, ‘ପ୍ରେକ୍ଷାଳନ’ ଗୋଟିଏ ବୀରରସାତ୍ମକ କାବ୍ୟ ‘ଭବାନୀ’ ଓ ଗୋଟିଏ ପକାରାଦ୍ୟ ଅଦ୍ଭୁତରସାତ୍ମକ କାବ୍ୟ ‘ପ୍ରତିଜ୍ଞା’ ରଚନା କରିଅଛନ୍ତି । ଯାଜ୍ଞିକା ବ୍ୟତିତ ଅନ୍ୟ ତିନିଗୋଟି କାବ୍ୟ ପ୍ରକାଶିତ ଏବଂ ତନ୍ମଧ୍ୟରୁ ପ୍ରକ୍ଷାଳନ ଏମ୍‍.ଏ. କ୍ଲାସ୍‍ରେ ବାଧ୍ୟତାମୂଳକ ପାଠ୍ୟ ।

 

ଚତୁର୍ଥ ସର୍ଗ

ପ୍ରଭାବତୀ କ୍ରମେ

ହେଲା ଅଶକତ,

ପଦ୍ମ ପତ୍ରୋଦର

ପୃଥଳ ପର୍ବତ ।୧।

ପାରେ ନାହିଁ ଉଠି

ଆସ୍ଥାନୁ ରମଣୀ

ପେଟ– ଭାରେ–ଆଶ୍ରା

କରଇ ଧରଣୀ ।୨।

ପଦ ଚାଳେ ଧୀରେ

ମାତଙ୍ଗ– ଗମନା

ପୁଂସ–ଊର୍ଦ୍ଧ୍ୱ–ବକ୍ଷା ୧

ପାଣ୍ଡୁର–ବଦନା ।୩।

ପ୍ରଭାବତୀ– ମୁଖ

ହେଲେ ହେଁ ପାଣ୍ଡୁର,

ପ୍ରକୃତି ତ ସେହି

ସର୍ବଦା ସୁନ୍ଦର ।୪।

ପଦ୍ମ–ନେତ୍ରେ ଡୋଳା

ହୋଇ ଛନ ଛନ

ପ୍ରାନ୍ତ ବେନି ଧରି

ଖେଳେ ଘନ ଘନ ।୫।

ପରିବର୍ତ୍ତିତ ସେ

ଶମ୍ପା– ଚଞ୍ଚଳତା,

ପ୍ରାଞ୍ଜଳ– ବଞ୍ଜୁଳ

କଞ୍ଜ– ମଣ୍ଡଳ ତା’।୬।

ପୁଷ୍କର–ବଦନ,

କମଳ– ନୟନ,

ପଦ୍ମ–କଢ଼–ସ୍ତନ,

ସରୋଜ– ଚରଣ, ।୭।

ପଙ୍କଜ–ସୁବାସ,

ମୃଣାଳ–ଶ୍ରୀକର

ପ୍ରକାଶେ ସୌନ୍ଦର୍ଯ୍ୟ

କ୍ରମେ ଚାରୁତର ।୮।

ପକ୍ଷ୍ମଳାକ୍ଷୀ ଶୋଭା

ଯେତେ ବଦଳଇ

ପୁରୁଷ ମାନସ

ତେତିକି ହରଇ ।୯।

ପାସୋରି ମାନବ

ପୂରୁବ ସୁଷମା

ପାଣ୍ଡୁରକୁ ଭାବେ

ଦିବ୍ୟ ଅନୂପମା । ୧୦ ।

 

୧ । ପୁରୁଷପରି ଊର୍ଦ୍ଧବକ୍ଷ ଯାହାର

 

ପ୍ରକୃତି ବୋଲି ସେ

ଦିଶଇ ନୂତନ,

ପ୍ରକୃତିର ଏହା

ମହତ ଲକ୍ଷଣ ।୧୧।

ପବିତ୍ର ନିର୍ମଳ

ସୁ– ପରିବର୍ତ୍ତିତ

ପ୍ରକୃତି ସର୍ବଦା

ହରେ ଜନ–ଚିତ୍ତ ।୧୨।

ପାରିବ ଜେ ବର୍ଣ୍ଣି

ପ୍ରକୃତି ମହିମା,

ପ୍ରତିକ୍ଷଣେ ଶୋଭା

ଦେଖାଏ ଗରିମା ।୧୩।

ପଢ଼ାଏ ନବୀନ–

ସୌନ୍ଦର୍ଯ୍ୟ–ମନ୍ତର

ପରିତ୍ରାଣ ନାହିଁ

ଦେଖିଲେ ନେତ୍ରର ।୧୪।

ପଡ଼ଇ ନୟନ

ନବ ନବ ଜାଲେ

ପ୍ରତି ମୁହୁର୍ତ୍ତରେ

ପ୍ରକୃତି-ସୁଶାଳେ ।୧୫।

ପ୍ରକୃତେ ପ୍ରକୃତି–

ପାଟମହ ଦେବୀ,

ପୂତ ଯା’ଚରଣେ

ସର୍ବ–ଶୋଭା ସେବି,

ପିନ୍ଧିଛନ୍ତି ନବ–

ସୋନ୍ଦର୍ଯ୍ୟ–ବସନ,

ପ୍ରସବିବା ଆଶା

କଲା କି ମଣ୍ଡନ ? । ୧୭ ।

ପାନ କରି ଅବା

ଦିବ୍ୟାନନ୍ଦ– ସୁଧା

ପ୍ରକାଶିଲା ନବ –

ସୁଷମା ବସୁଧା୧ ।୧୮।

ପ୍ରଭାବତୀ–ଗର୍ଭେ

ଦୁର୍ଗା–ଦତ୍ତ–କନ୍ୟା

ପ୍ରତିଫଳୁଁ ରୂପେ

ହେଲା କି ସେ ଧନ୍ୟା ?।୧୯ ।

ପାଇଅଛି ବର

‘ପ୍ରସବିବ ସୁତା’

ପିତୃ ଭବନରେ,

ବିବାହ ନୋହୁଁ ତା’ । ୨୦ ।

ପଦାର୍ପଣକରୁଁ

କନ୍ୟା ନବମାସେ

ପାହୁଣ୍ଡେ ଚଳିଲେ

ଲଭେ ଯା’ ପୀଡ଼ା ସେ,

ପାସୋରେ ତା’ଭାବୀ–

ନନ୍ଦିନୀ–ବଦନ

ପ୍ରାଣ–ମୁକୁରରେ

କରି ଦରଶନ ।୨୨।

ପର ପାଶେ ନିଜ

ମନ–ଅଭିଳାଷ

ପାରେ ନାହିଁ ଖୋଲି

ହେଲା ନବ ମାସ ।୨୩।

ପଡ଼ିଛି କି ମହା–

ଚିନ୍ତା–ପାରାବାରେ

ପୁରୀ–ପତିଙ୍କର

ଓଲଟା କଥାରେ ।୨୪।

ପ୍ରସବିବ ଯେବେ

କନ୍ୟା ପାଟରାଣୀ,

ପ୍ରତିଜ୍ଞା ଭୁପର

‘ମୁଳୁଁ ଦେବେ ହାଣି’।୨୫।

ପଛକୁ ନଥିବ

କିଛି ଗୋଳମାଳ

ପାଳିଲେ ତ ସ୍ନେହ

କରିବ ଜଞ୍ଜାଳ ।୨୬।

ପୁରପତୀ ବିଷ୍ଣୁ–

ଚଳନ୍ତି– ପ୍ରତିମା

ପାଇଲେ ନନ୍ଦିନୀ

କମିବ ମହିମା ।୨୭।

ପୁତ୍ର ହେବ ଅନ୍ୟ

ରାଜାର ଶାଳକ

ପୋତିଥିବ ମୁଣ୍ଡ

ତଳକୁ କାଳକ ।୨୮।

ପ୍ରଭୁତ୍ୱ ବିସ୍ତାର

କରିବ ଜାମାତା

ପୂଜିବେ ତାହାକୁ

କନ୍ୟା ପିତା ମାତା ।୨୯।

ପାରିବ କେ ସହି

ଘୋର ଅପମାନ

ପୁରୀ–ପତି– ଦେଇ

ଅପରେ ସମ୍ମାନ । ୩୦ ।

ପ୍ରଣମିବେ ସ୍ୱସା–

ଲାଗି ପରାତ୍ପର

ପୁରୀ–କ୍ଷେତ୍ର– ପତି

ବ୍ରହ୍ମାଣ୍ଡ– ଈଶ୍ୱର । ୩୧ ।

ପୂଜିକେ ପୂଜିବେ

ବ୍ରହ୍ମାଣ୍ଡକରତା

ପ୍ରାଣର ଭଗିନୀ

ଅନ୍ୟ ଅନୁଗତା ।୩୨।

ପ୍ରଭାବତୀ ଶୁଣି

ଏ ଘୋର ପ୍ରତିଜ୍ଞା

ପ୍ରାଣେ ଲଭିଅଛି

ବଜ୍ର– ମାଡ଼ ବିଜ୍ଞା ।୩୩।

ପ୍ରକାଶିଲେ ସଖୀ

ସମୀପେ ବେଦନା,

ପ୍ରାଣେଶ ଭାବିବେ

ମୋତେ ହୀନମନା ।୩୪।

ପୁତ୍ର– ଲାଭ କେବେ

ନୋହିବ ପ୍ରଥମ,

ପାର୍ବତୀ– ବଚନେ

ତିଳେ ନାହିଁ ଭ୍ରମ ।୩୫।

ପୁତ୍ର ଜନ୍ମିଲେ ତ

ଏକ ପରକାର,

ପ୍ରସବିଲେ କନ୍ୟା

ହେବି ନାରଖାର ।୩୬।

ପ୍ରସବିବା ମାତ୍ରେ

ବଧିବି ସ୍ୱକରେ

ପ୍ରସାଦ ସମର୍ପି

ଘାତକର କରେ ।୩୭।

ପ୍ରାଣୁଁ ଜନ୍ମି ପ୍ରାଣ

କରିଲେ ଗ୍ରହଣ

ପ୍ରାଣରେ ବା ମୋର

କେଉଁ ପ୍ରୟୋଜନ ?।୩୮।

ପାରିବି କି ଭୁଲି

ପ୍ରସବ– ବେଦନା

ପ୍ରାଣ ଥିବା ଯାଏ

ସୁତା ହେଲେ ହଣା ? । ୩୯।

ପାରିବ କେ ରଖି

ନନ୍ଦିନୀ କି ମୋର ?

ପ୍ରାଣେଶ ପ୍ରତିଜ୍ଞା

ଅଟଳ ନିଘୋର ।୪୦ ।

ପ୍ରଭାମୟୀ ପ୍ରଭା

ଦେଇଛନ୍ତି ବର

ପାରିବେ ବା ରଖି

ତାହାଙ୍କୁ ଗୋଚର ।୪୧।

ପ୍ରତିଜ୍ଞା ତ ତାଙ୍କୁ

ନୁହେଁ ଅଗୋଚର,

ପ୍ରସନ୍ନ ନ ହେଲେ

ଅଖ୍ୟାତି ତାଙ୍କର । ୪୨ ।

ପୂଜିବ ମୁଁ ତାଙ୍କୁ

କରିବେ ସେ ପଣ,

ପ୍ରାଣହନ୍ତା– ହସ୍ତୁ

ନନ୍ଦିନୀ ଜୀବନ

ପ୍ରକାଶିବେ ରଖି

ଦୟା–ନିର୍ଦଶନ–

ପତାକା ପୁରୀରେ

କରାଇ ସ୍ଥାପନ ।୪୪।

ପୃଷ୍ଠ ଡାହାଣରେ

ବିଷ୍ଣୁ–ଆସନର

ପୁଣ୍ୟ ପୀଠେ ଅଛି

ବିମଳା ଖର୍ପର ।୪୫।

ପଡ଼େ ନାହିଁ ତାହା

ଭାଗ୍ୟେ ବଳି ଭୋଗ,

ପ୍ରତିଜ୍ଞା କଲି ମୁଁ

କରିବି ତା ଯୋଗ’।୪୬।

ପ୍ରତି ପାର୍ବଣରେ

ହେବ ବଳିଦାନ,

ପ୍ରାଚୀର ଲଙ୍ଘାଇ

କରିବି ପ୍ରଦାନ ।୪୭।

ପୂର୍ବେଦିଗେ ମୁଖ

କରିଛନ୍ତି ହରି

ପଶ୍ଚିମେ ଅର୍ପିଲେ

ଟେରା– ବାଡ଼ କରି,

ପ୍ରତିକୁଳତା ସେ

ନ ଭାବିବେ ମନେ,

ପ୍ରାଣେଶ ହିଁ ମଙ୍ଗି–

ଯିବେ ଏ ବଚନେ ।୪୯।

ପରମ–ଈଶ୍ୱରୀ

କରିବେ କରୁଣା

ପ୍ରତିଜ୍ଞାବଦ୍ଧର

ମନ ନୁହେଁ ଊଣା ।୫୦ ।

 

ପଞ୍ଚମ ସର୍ଗ

ପ୍ରକାଶେ ଚୁଡ଼ଙ୍ଗ

ରମ୍ୟ ରାଜସଭା

ପାତ୍ର ମିତ୍ର ଆଦି

ବିକାଶନ୍ତି ପ୍ରଭା ।୧।

ପଲ୍ଲବ ଗରଭେ

କୁସୁମ ଯେସନ

ପରମ ସୌନ୍ଦର୍ଯ୍ୟ

କରେ ପ୍ରକାଶନ, ।୨।

ପରିଷଦ ମଧ୍ୟେ

ତଥା ଚୋରଗଙ୍ଗ

ପାଉଛନ୍ତି ଶୋଭା

ବୀର ଗୌରଅଙ୍ଗ ।୩।

ପବିତ୍ର ସେ ସଭା

ଯହିଁ ସମାସୀନ

ପୁରୀପତି ସଙ୍ଗେ

ଯୁବକ ନବୀନ ।୪।

ପଦ୍ୟପ୍ରିୟ ସଭା–

ପଣ୍ତିତ ରସିକ

ପ୍ରତିଭା–ନନ୍ଦନ୧

କାବ୍ୟ– କୁଞ୍ଜ–ପିକ ।୫।

ପ୍ରତିଜ୍ଞାବଦ୍ଧ ସେ

କବି ଶିରୋମଣି

ପାରନ୍ତି ଅସଂଖ୍ୟ

ଅଳଙ୍କାର ଗଣି ।୬।

ପଦ–ଲାଳିତ୍ୟରେ

ପ୍ରସିଦ୍ଧ ବ୍ରାହ୍ମଣ,

ପଦବୀ–ଭୂଷିତ

ଲଳିତ-ରମଣ ।୭।

ପ୍ରସାଦ ଗୁଣ ତା’

କବିତାରେ ଥାଇ

ପ୍ରସାଦ– ଭୂଷଣ

ଉପାଧି ପିନ୍ଧାଇ ।୮।

ପଣ୍ତିତ– ମଣ୍ଡଳେ

ଜଣାଏ ନିପୁଣ,

ପ୍ରକୃତରେ କବି–

ବଲ୍ଲଭ ତ୍ରିଗୁଣ ।୯।

ପୁଞ୍ଜ କାବ୍ୟ ତା’ର

କଳ୍ପନା– ପ୍ରସୂତ

ପୁଞ୍ଜାକଯାକର

ଗତି ଅଦଭୁତ ।୧୦ ।

ପ୍ରକୃତି– ଉଦ୍ୟାନୁଁ

ତୋଳି ପୁଷ୍ପ– ପେଣ୍ଡା

ପ୍ରତି କାବ୍ୟେଖଞ୍ଜି–

ଅଛି କେଣ୍ଡା କେଣ୍ଡା ।୧୧।

ପ୍ରତିକ୍ଷଣେ ଢାଳି

କବିତା– ପ୍ରବାହ

ପାର୍ଶ୍ୱ ଚରଙ୍କର

ଚିନ୍ତା କରେ ଦାହ ।୧୨।

ପ୍ରସାଦ ସେବନ

କରେ ବହୁତର,

ପ୍ରକୃତରେ ସେ କି

ପ୍ରତିଭା– କୁମର ?।୧୩।

ପୁରୀପତି ଦକ୍ଷ–

ପାର୍ଶ୍ୱେ ବସି ବିପ୍ର

ପଦ ଭାଷୁଅଛି

ଗତି କରି କ୍ଷିପ୍ର ।୧୪।

“ପ୍ରସନ୍ନ–ବଦନେ

କରିଛି ସଦନ

ପ୍ରଭୁଙ୍କର ଆଜି

ମ୍ଳାନ–ନିର୍ଦଶନ ।୧୫।

ପଶି କେଉଁ ଚିନ୍ତା

ନିଶ୍ଚିନ୍ତ ହୃଦୟେ ?

ପଦେ ନ ଭାଷନ୍ତି

ପାର୍ଶ୍ୱ ଚର–ଚୟେ ।୧୬।

ପ୍ରତିଜ୍ଞା– କରଣ

ହେବ କି କାରଣ ?

ପ୍ରଥମ ଆଶା କି

ହେବ ଅକାରଣ ?।୧୭।

ପ୍ରଭୁ ସ୍ୱପ୍ନାଦେଶେ

କଲେ କି ନିର୍ଦ୍ଦେଶ ?

ପ୍ରଥମେ ନନ୍ଦିନୀ

ଲଭିବେ ନରେଶ !” ।୧୮।

ପଣ୍ତିତ ବଚନ

ଶୁଣି ବୀରବର

ପ୍ରସିଦ୍ଧ ଭାରତେ

ନର–ଅଧୀଶ୍ୱର ।୧୯।

ପବିତ୍ର–ଉଜ୍ଜ୍ୱଳ–

ନିର୍ମଳ ହୃଦୟ

ପୁତୀକ୍ଷେତ୍ରୋଦ୍ଧାର

ଯେ କଲା ଉଦୟ, ।୨୦।

ପବିତ୍ର ବୈଷ୍ଣବ–

ଧର୍ମ ସଂସ୍ଥାପନ

ପୁରୀଧାମେ ଆଦ୍ୟ–

ବସତି ସ୍ଥାପନ ।୨୧।

ପାରିଲା କରି ଯେ

ନରେଶ ନିର୍ମ୍ମାଣ

ପ୍ରସିଦ୍ଧ ଚୁଡ଼ଙ୍ଗ–

ସାହୀ ଯା ପ୍ରମାଣ, ।୨୨।

ପବିତ୍ର–ବିମଳ–

ସଦ୍‍ଗୁଣ–ରାଶି

ପ୍ରଜାପାଳ ଧର୍ମ୍ମ–

ପାଳ ମିଷ୍ଟଭାଷୀ ।୨୩।

ପ୍ରବଳ–ପ୍ରତାପୀ

ଦୁର୍ବଳ–ତାରକ

ପଣ୍ତିତ–ବ୍ରାହ୍ମଣ–

ସୁକବି–ପାଳକ ।୨୪।

ପ୍ରଜାହିତକାରୀ

ଭାରତୀଭକତ

ପରଦୁଃଖହାରୀ

ସାହିତ୍ୟାନୁଗତ ।୨୫।

ପାକୃତ–ସଂସ୍କୃତ–

ବିଦ୍ୟା– ଆଲୋଚକ

ପ୍ରାଜ୍ଞପ୍ରିୟ ମାତୃ–

ଭାଷା–ଉଦ୍ଧାରକ ।୨୬।

ପଣ୍ତିତେ ସମ୍ବୋଧି

ଭାଷିଲେ ବଚନ

“ପ୍ରିୟବର ! ସତ୍ୟ

ତୁମ୍ଭର ଭାଷଣ ।୨୭।

ପ୍ରଥମେ ଲଭିବି

କନ୍ୟା–କଳଙ୍କିନୀ

ପିତା– ଭ୍ରାତା–ଖାତି–

ମହିମା– ନାଶିନୀ ।୨୮।

ପ୍ରତିଜ୍ଞା ମୋହର

ଅଚଳୁଁ ଅଟଳ,

ପବିଠାରୁ ଦୃଢ଼,

ମିହରୁ ଉଜ୍ଜ୍ୱଳ ।୨୯।

ପାଳିବି ନିୟତ

ପ୍ରତିଜ୍ଞା ଅଚିରେ,

ପ୍ରଥମୁଁ ନାଶିଲେ

ନ ଥିବ ମହୀରେ ।୩୦ ।

ପ୍ରଭୁ ଯା’ କରନ୍ତି

ମଙ୍ଗଳ ନିମିତ୍ତ,

ପାଳିଲେ ପ୍ରତିଜ୍ଞା

ଅର୍ପିବି ନିଶ୍ଚିତ ।୩୧।

ପର–ପୁରୁଷକୁ୧

ଅକ୍ଷୟ ନିର୍ଦ୍ଦେଶ

ପୁରୀଶ୍ୱରେ ଯାହା

ଦିବ୍ୟ ଉପଦେଶ”।୩୨।

“ପ୍ରଭାତେ ଉଦିତ

ପ୍ରଭାତୀ– ତାରକା

ପ୍ରଭୁ ଭାଗ୍ୟ–ନଭେ

ବିଦ୍ୟୁତ– ଫଡ଼କା ।୩୩।

ପକାଇବ ଡକା

ଉଡ଼ାଇ ରାଜନ,

ପ୍ରଭୁ କିମ୍ପା କଲେ

ଏଡ଼େ ବଡ଼ ପଣ ?”।୩୪।

ପ୍ରଶ୍ନ କଲେ ପୁଣି

ପଣ୍ତିତେ ଏପରି

ପାଣ୍ତିତ୍ୟ, କବିତ୍ୱ

ସମିଶ୍ରଣେ ଭରି ।୩୫।

ପ୍ରବେଶିଲା କ୍ଷିପ୍ର

ନରେଶ ଶ୍ରବଣେ

ପୁଣି ପଚାରିଲେ

“ସତେ ନରମଣେ ! ।୩୬।

ପ୍ରବାଦ ରହିବ

‘ଜାତ ହେବା ମାତ୍ରେ

ପୁରୀପତି–ସୁତା

ମିଶେ କାଳ–ଗାତ୍ରେ’ ? ।୩୭।

ପ୍ରମାଥିନୀ୧ ପ୍ରମ–

ଥନରେ ପ୍ରଥମେ

ପୁରୀନାଥ ! ଆଶା–

ବ୍ୟର୍ଥେ ମତି–ଭ୍ରମେ ।୩୮।

ପାସୋରି ଦେବେ କି

ଅନାଥଣରଣ !

ପ୍ରାପ୍ତ ବେପଥନ୨

ହେବେ ସେହିକ୍ଷଣ” ? । ୩୯ ।

ପାର୍ଶ୍ୱେତରେ ବସି

ମନ୍ଦେ ମନ୍ଦେ ହସି,

ପକ୍ୱ–ଅର୍କକରା୩

ଟିପନେ ବରଷି ।୪୦।

ପାପୁଲିରେ ଟିପେ

କସ୍ତୁରୀମିଶ୍ରିତ

ପକ୍ୱ–କମଳାର୍କ

କର୍ପୂରେ ଦଳିତ ।୪୧।

ପୁରାଇଲେ ନସ୍ୟ

ନାସିକାରେ କରେ

ପଣ୍ତତ– ପ୍ରବର ୪

ଆନ ଦ୍ୱିଜ–ବରେ ।୪୨।

ପ୍ରସ୍ତାବନା କିଛି

କରିବେ ଏ ପରା ?

ପଣ୍ତିତେ ପଣ୍ତିତେ

ହେବ ବା ପଚରା ?।୪୩।

ପ୍ରତ୍ୟୟ ଜନମେ

ଦେଖି ଆଡମ୍ବର,

ପରେ କିବା ହେବ

ତାହାଙ୍କୁ ଗୋଚର ।୪୪।

 

୧ । କ୍ଲେଶଦାୟିକା

୨ । କମ୍ପନ ।

୩ । ଅକରକରା ନାସଦାନୀ

୪ । ଜନୈକସଭାପଣ୍ଡିତ

 

“ପ୍ରଭୁ ଧୈର୍ଯ୍ୟବନ୍ତ

ନିତ୍ୟ–ଶାନ୍ତି–ଧାମ

ପ୍ରତିହାର୍ଯ୍ୟ ତାଙ୍କ

ପାଶେ କନ୍ୟା କାମ, ।୪୫।

ପ୍ରୀତ ମନେ କରି

ପାରନ୍ତି ସେ କର୍ମ୍ମ,

ପିନ୍ଧିଥାନ୍ତି ଅଙ୍ଗେ

ସଦା ଧର୍ମ–ବର୍ମ୍ମ, ।୪୬।

ପ୍ରାଣ ନେବାବେଳେ

କରି ଦୃଢ଼ପଣ

ପାଇବେ କିପାଁଇ

ଶରୀରେ କମ୍ପନ ? ।୪୭।

ପ୍ରାଣ ଦେଇ ପ୍ରାଣ

କରେ ଯେ ହରଣ,

ପରାତ୍ପର– ଅଂଶୀ,

ଧଇର୍ଯ୍ୟ–ଧାରଣ”।୪୮।

ପଣ୍ତିତ–ପ୍ରବର

ଭାଷିଲେ ଏପରି

ପ୍ରଭୁ ପ୍ରତିଜ୍ଞାକୁ

ସମର୍ଥନ କରି ।୪୯।

ପ୍ରବୀଣ ତାର୍କିକ

ତର୍କ–ଶିରୋମଣି

ପଦେ ବଖାଣିଲେ

“ନିଜେ ନରମଣି ।୫୦।

ପ୍ରଣିପାତ କରା–

ଇବେ ପୁତ୍ତ୍ରେ ଅନ୍ୟେ ?

ପ୍ରସିଦ୍ଧ ଯେ ସାରା

ଭାରତ ଭୁବନେ ।୫୧।

ପ୍ରତିଜ୍ଞା ତାଙ୍କର

ଏସ୍ଥଳେ ଉଚିତ

ପ୍ରାଜ୍ଞ ମାତ୍ରେ ଏହା

କହିବେ ନିଶ୍ଚିତ”।୫୨।

ପଣ୍ତିତ–ଭାଷଣ

ପରେ ମନ୍ତ୍ରିବର

ପ୍ରଭୁଙ୍କୁ ସମ୍ବୋଧି

ଭାଷିଲେ ସତ୍ୱର ।୫୩।

“ପୁରୁଷୋତ୍ତମ ହେ !

ତବ ଦୃଢ଼ପଣ

ପର–ପୁରୁଷକୁ

କୀରତି ସ୍ଥାପନ ।୫୪।

ପ୍ରଥମେ ନନ୍ଦିନୀ–

ଜନ୍ମେ କରାଇବ,

ପ୍ରମାଥିନୀ ତାପୁଁ

ସର୍ବେ ଉଦ୍ଧାରିବ”।୫୫।

 

ଷଷ୍ଠ ସର୍ଗ

ପ୍ରବେଶିଲା ମଧୁ–

କାଳେ ଫଗୁଖେଳ,

ପରିଧାନ କଲେ

ଜନେ ନବ–ଚେଳ ।୧।

ପ୍ରଫୁଲ୍ଲ–ହୃଦୟ

ମନୁଜ– ସମାଜ,

ପ୍ରଜା, ଜମିଦାର,

ରାଜା, ମହାରାଜ, ।୨।

ପୁରୁଷ, ରମଣୀ,

ବାଳକ, ବାଳିକା,

ପୁଲକିତ ସର୍ବେ

ଶୀତ–ବିଭୀଷିକା ।୩।

ପଛରେ ପକାଇ;

ପିପ୍‍ପଳ ପରାୟ

ପତ୍ରଝଡ଼ାପରେ

ମନୋହରକାୟ ।୪।

ପ୍ରକୃତିର ପରି–

ବର୍ତ୍ତନାନୁରୂପେ

ପ୍ରାଣୀଏ ଦିଶିଲେ

ଲାବଣ୍ୟ ସ୍ୱରୂପେ ।୫।

ପ୍ରକୃତି ଭାସିଲା

ଆନନ୍ଦ–ସାଗରେ

ପରିମଳମୟ–

ମଳୟ ସଙ୍ଗରେ ।୬।

ପରମ–ସୌନ୍ଦର୍ଯ୍ୟ

ତରଙ୍ଗରେ ଦୋଳି,

ପ୍ରକୃତେ ପ୍ରକୃତି

ଖେଳେ ଦୋଳେ ଦୋଳି ।୭।

ପତ୍ର–ପୁଷ୍ପ–ଫଳ–

ସମ୍ପଦ–ସମ୍ଭାର–

ପୁଲକ ଦେଖାଇ

କରଇ ପ୍ରସାର ।୮।

ପ୍ରାଣୀ ଚଳହୀନ

ମହୀରୁହ–ଲତା,

‘ପ୍ରକୃତି ଦେଇଛି

ଅଙ୍ଗେ ପୁଲକତା’ ।୯।

ପର୍ବତ ଶ୍ୟାମଳ–

ଅରଣ୍ୟାନୀ–ଛଳେ

ପୁଲକ ଦେଖାଏ

ଶରୀର–ମଣ୍ଡଳେ ।୧୦ ।

ପାହାଡ଼ କେହି ବା

ଗଛ–ଲତା–ହୀନ

ପ୍ରକାଶେ ଶୈବାଳେ

‘ଆସିଛି ସୁଦିନ’।୧୧।

ପ୍ରାନ୍ତର ସର୍ଷପ,

ଭୋଦେଇ ଉଦ୍ୟାନେ

ପରିବା–କ୍ଷେତ୍ରରେ

ନଦୀ–କୂଳ–ସ୍ଥାନେ ।୧୨।

ପଚାରିଲେ ମଧୁ–

ଋତୁର ମହିମା

ପୁଲକିତ ଅଙ୍ଗେ

ଦେଖାଇ ଗରିମା ।୧୩।

ପଲାଶ–ବିପିନ

ଦୂରରୁ ନୟନ

ପୁଷ୍ପ–ଘନ–ପେଣ୍ଡା

ଲୋହିତ–ବରଣ ।୧୪।

ପତାକା ଉଡ଼ାଇ

ଆକର୍ଷି ପ୍ରକାଶେ

‘ପରମ–ଆନନ୍ଦ

ଲାଭ ମଧୁମାସେ’।୧୫।

ପାରାବାର ତଟ

ଗ୍ରାମ–ମାନ ଘେରି

ପରବତ–ଉଚ୍ଚ

ଛତ୍ର–ଶିର ଡେରି ।୧୬।

ପଥିକ ମାନସେ

ଜନ୍ମାଏ ଆନନ୍ଦ

ପାନୀୟ, ଆହାର

ଉଭୟ ସମ୍ପଦ ।୧୭।

ପରଶିବ କହି

ନାରିକେଳ–ବନ;

ପବିତ୍ର ସେ ସ୍ଥଳୀ

ଫଳେ ଲଭି ବନ ୧।୧୮।

ପୁଲକିତ–ଗାତ୍ରେ

ମନୋହର–ବାସ

ପବନେ ପୂରାଇ

କୁସୁମ–ନିବାସ ।୧୯।

ପ୍ରାଚୀର–ଘେରିତ–

ରମ୍ୟ–ଉପବନ

ପାଳକେ ଭାଷଇ

ହୋଇ ହୃଷ୍ଟମନ ।୨୦।

‘ପାଇଲିଣି ମୁହିଁ

ବାସନ୍ତିକ ଶୋଭା,’

ପ୍ରକୃତି ବିକୃତେ

ଦିଶେ ମନଲୋଭା ।୨୧।

ପକ୍ଷୀଏ ଗାଇଲେ

ସୁ–ଲଳିତ–ସ୍ୱରେ,

ପିକ ବୃକ୍ଷେ ବସି

ଘନ–ପତ୍ରୋଦରେ ।୨୨।

‘ପ୍ରବେଶିଲା ମଧୁ–

ଋତୁ–ମଧ୍ୟ–ଦିନ,’

ପ୍ରତ୍ୟେକେ ଭାବନ୍ତି

ନିଜକୁ ନବୀନ ।୨୩।

ପଦ୍ମ–ପୁଷ୍ପ ରଚି

ଅଳି–ସଙ୍ଗେ କେଳି

ପୁଷ୍କରିଣୀ–କୋଳେ

ତରଙ୍ଗରେ ଖେଳି ।୨୪।

ପ୍ରଚାରେ ‘ଦୋଳିରେ

ଲଭୁଛି ଆନନ୍ଦ,

ପ୍ରାଣୀଏ ମୋ ପରି

ପିଅ ପ୍ରେମ–ମଦ’।୨୫।

ପକ୍ଷୀ ସୁକୁମାର

ରମ୍ୟ ରାଜ–ହଂସ

ପାଖେ ରଖି ସୁଖୀ

ଅସଂଖ୍ୟ ସାରସ, ।୨୬।

ପର୍ଯ୍ୟଟନ କରି

ସ୍ରୋତସ୍ୱିନୀ ନୀରେ

ପ୍ରକାଶେ ‘ଖେଳୁଛି

ଲହରୀ– ଦୋଳିରେ’ ।୨୭।

ପ୍ରେମ ଭୋଳେ କେବେ

କିଙ୍କିଣୀ–ନିସ୍ୱନ

ପର୍ବତଜା କୁଳୁ

କରି ସଂମିଶ୍ରଣ, ।୨୮।

ପ୍ରଚାର କରଇ

‘ବସନ୍ତ–ଉତ୍ସବ

ପରିବର୍ତ୍ତନରୁ

ହୋଇଛି ଇଦ୍ଭବ’ ।୨୯।

ପଲ୍ଲୀ–ବାସୀ–ସ୍ନାନ

ସାରି ସୁ–ବିମାନେ

ପୁଷ୍ପ–ବିମଣ୍ତିତ

ଦେବ–ଦେବୀ–ମାନେ ।୩୦।

ପିନ୍ଧାଇ ସୁ–ଦିବ୍ୟ

ପାଟ–ଛିଟ–ବାସ,

ପରିଧିସ୍ଥ ହୋଇ

ସର୍ବେ ଚାରି ପାଶ, ।୩୧।

ପୂଜା ଦେଇ ପ୍ରତି

ଗ୍ରାସବାସୀଦ୍ୱାରେ,

ପ୍ରସାଦ ପରଣି

ସରବେ ଶ୍ରଦ୍ଧାରେ, ।୩୨।

ପ୍ରାନ୍ତ–ପଡ଼ିଆକୁ

କୋଳହଳରବେ

ପରମ ଆନନ୍ଦେ

ବାହାନ୍ତି ଗୌରବେ । ୩୩ ।

ପେଣ୍ଡା ଆମ୍ବକସି,

ପଞ୍ଚ–ପୃଷ୍ପ–ହାର

ପିତ୍ତଳ–ବଟାରେ

ପୂଜାର ସମ୍ଭାର ।୩୪।

ପୂରାଇ କେ ଫଗୁ–

ପୁଡ଼ା ପାଖେ ରଖି,

ପୂଜକକୁ ଡାକେ

ମସ୍ତକ ସଳଖି, ।୩୫।

‘ପୂଜା–ଦ୍ରବ୍ୟ ନିଅ

ଲାଗି କର ବେଗେ’;

ପ୍ରଭୁ ଠାରେ ଭାଷେ

ଆନନ୍ଦ ଆବେଗେ ।୩୬।

ପ୍ରାନ୍ତରେ ପ୍ରସ୍ତର–

କାଷ୍ଠ–ଖମ୍ବଚୟ–

ପରେ ଶୋଭମାନ

ବିମାନ ନିଚୟ ।୩୭।

ପ୍ରକାଶନ୍ତି ଅଟେ

‘ଏ ଦୋଳ ପଡ଼ିଆ,

ପୂଜା କର ଜନେ;

ହେବ ହୃଷ୍ଟ ହିଆ । ୩୮।

ପଣ୍ୟଶାଳା ରଚି

ବିକେ ପଣ୍ୟାଜୀବ

ପଣ୍ୟ ନାନାବିଧ

ସ୍ମରି ଦୁର୍ଗା– ଶିବ ।୩୯।

ପଟିଆ ବିଛାଇ

ଅନାବୃତ ସ୍ଥାନେ

ପସରା ମେଲାଇ

ବିକେ କେ ଗୁମାନେ ।୪୦ ।

ପାଣୀରେ ଚକଟି

କେହି ଚୁର୍ଣ୍ଣ–ଚୟ ୧

ପୂପ ଛାଣି ଘୃତେ

କରନ୍ତି ବିକ୍ରୟ ।୪୧।

ପହୁଞ୍ଚିଛି କେତେ

ନବାତ–ଖେଳନା ୨

ପାନିଆଁ ସିନ୍ଦୁର

ସ୍ଥାଳୀ ମୂଆଁ ଚଣା ।୪୨।

ପରିବା ବାସନ

ବସନ ମିଷ୍ଟାନ୍ନ

ପାନ ଗୁଆ ଛୁରୀ

ମନେହରିମାତ୍ର ।୪୩।

ପୋତିଅଛି କେହି

ଦୋଳି–ଖଞ୍ଜା–ଛତ୍ର

ପିଲାଙ୍କୁ ଭୁଲାଇ

ନେବ ଖର୍ଚ୍ଚ ପତ୍ର ।୪୪।

 

୧ । ସର୍ବବିଧ ଶସ୍ୟ ଚୂନା ଅଟା ।

୨ । ଖଣ୍ଡ ଘୋଡ଼ା

 

ପକାଇଛି କେହି

ଜୂଆ–ଖେଳ–ପାଲି

ପଇସା ନେବାକୁ

ଛାଣି ଖାଲି ଖାଲି ।୪୫।

ପୁରବାସୀ ଆଜି

ଦୋଳୋତ୍ସବେ ମାତି

ପ୍ରତି ଗଳି ମୁଣ୍ଡ

ମଣ୍ଡପରେ ରାତି ।୪୬।

ପୁହାଇଲେ ନାଗା,

ସଟରା୨ ସମରେ

ପହିଞ୍ଚ ପାହୁଲା

ପକାଇ ପଦରେ ।୪୭।

ପ୍ରତ୍ୟେକ ଦଳରୁ

ଦେଖାଇ ଦର୍ଶକେ

ପ୍ରତିଦ୍ୱନ୍ଦ କରି

ସେ ପଦ ପଦକେ ।୪୮।

ପଶା ଖେଳେ କେହି

ବନ୍ଧୁ ଗଣେ ଡାକି

‘ପହୁଞ୍ଚିଛି ବର–

ଷକେ ଦିନଟା କି’ ! ।୪୯।

ପରସ୍ପରେ କହି,

ବିଛାଇ ଆସନ,

ପଣ ରଖି, ସାର

କରି ସଞ୍ଚାଳନ ।୫୦ ।

ପିଲାଏ ପାକଲା–

ଦାଢ଼ ଆ–ବାବାଜି

ପଲ ପଲ ହୋଇ

ରାଜ–ବେଶ ସାଜି ।୫୧।

ପାଟପଢ଼ା–ନାଟ

ବିବାହ–ଯୌତୁକ

ପଥିକେ ଦେଖାନ୍ତି

ଅପୂର୍ବ–କୌତୁକ ।୫୨।

ପ୍ରତିସ୍ଥାନେ ଲାଗି–

ଅଛି ଦୋଳୋତ୍ସବ

ପୁରୀବାସୀ କିମ୍ପା

ଆନନ୍ଦ–ବିଭବ ।୫୩।

ପାଉ ନ ଥିବେ ସେ

ନୀଳାଚଳେ ଆଜି

ପୃଥିବୀର କେନ୍ଦ୍ର–

ଆସନେ ବିରାଜି ।୫୪।

ପୂର୍ବ–ପାରାବାର–

ତୀରେ ନରହରି

ପରମାତ୍ମା ପ୍ରଭୁ

ଗୋବିନ୍ଦ ଶ୍ରାହରି ।୫୫।

 

୧ । ନାଗାର ସହଚର

 

 

ପରମ ଶଙ୍ଖର

ମୂଳ–ଚକ୍ରେ ରହି,

ପତିତ–ପାବନ

ବିଷ୍ଣୁ ନାମ ବହି, ।୫୬।

ପ୍ରତି ମୁହୁର୍ତ୍ତରେ

ଦିଅନ୍ତି ଆନନ୍ଦ

ପଞ୍ଚୁ ଦୋଳେ କେ ବା

ହେବ ନିରାନନ୍ଦ ?। ୫୬।

ପାନ କରି ସର୍ବେ

ଭଙ୍ଗୋଦକ-ପଣା

ପଞ୍ଚୁ ଦୋଳ-ବାସୀ

ହୋଇଥିଲେ ବଣା, ।୫୮।

ପଡ଼ିଲେ ଚମକି

ଜନ ମୁଖୁଁ ଶୁଣି,

‘ପାଟମହାଦେବୀ

ନନ୍ଦିନୀ-ରଙ୍କୁଣୀ ।୫୯।

ପ୍ରସବିଲେ ଆଜି

କି ଯୋଗେ ଦୁହିତା,

ପୁରୀପୀଠପତି

ଦେଲେ ମରାଇ ତା’ ।୬୦।

ପ୍ରତିଜ୍ଞା ପାଳନେ

ପଠାଇ ସଚିବେ;

ପରମ୍ପରାକ୍ରମେ

କନ୍ୟା ନ ରଖିବେ’ । ୬୧।

ପ୍ରଥମ-ଗରଭ–

ନଷ୍ଟ–ବାର୍ତ୍ତା ଶୁଣି

ପୁରୀବାସି ହେଲେ

ମନେ ମନେ ଗୁଣି, ।୬୨।

‘ପ୍ରଭୁ କି ନିର୍ଦ୍ଦୟ–

ଆଦେଶେ ନନ୍ଦିନୀ

ପ୍ରଭାବତୀ–ହୃଦ

ଆନନ୍ଦ ଦାୟିନୀ ।୬୩।

ପ୍ରାଣ ବିନାଶିଲେ

ପ୍ରସବ ସମୟ;

ପ୍ରଭୁଠାରେ ଶୋଭ–

ନୀୟ ପାପଚୟ’।୬୪।

ପ୍ରଚାରିତ ହେଲା

ସମଗ୍ରଉତ୍କଳେ

‘ପୃରୀପତି ସୁତା

ବିନାସିଲେ ବଳେ ’।୬୫।

 

ସପ୍ତମ ସର୍ଗ

ପାଇ ନରପତି

ଆଜ୍ଞା ପ୍ରବୋଧନ,

ପ୍ରଭାବତୀ-ପୂରେ

କରନ୍ତି ଗମନ । ୧ ।

ପାର୍ଶ୍ୱେ ଅଛି ଏକ

ବୃଦ୍ଧା-ସଂହାରିଣୀ

ପକ୍ୱ-କେଶା ଶୁଷ୍କ

ଲୋଳିତ ଚର୍ମିଣୀ । ୨।

ପାକୁଳଇ ବୃଦ୍ଧା

ପାଟି ବାରମ୍ବାର,

ପଳିତ-ଦନ୍ତ କି

ଖୋଜେ ଜିହ୍ୱା ତାର ? । ୩ ।

ପଛେ ପିଠି ଘୁଞ୍ଚି

ଯାଇଛି କିଞ୍ଚିତ,

ପରିବର୍ତ୍ତେ ଶିର

ସମ୍ମୁଖେ ନମିତ ।୪ ।

ପକାଇ ଅତୀତ

ପୃଷ୍ଠେ ବହୁଦୂରେ

ପୁରୋଭାଗେ ଦେଖେ

ଦଶା କି ଅଦୁରେ ? ।୫

ପ୍ରତ୍ୟୟ ଜନମେ

ଜରତୀ୧ ଦର୍ଶନେ

ପାଇଛି ବନ୍ତ୍ରତା

ଶୃଷ୍କ-ଅପଘନେ ।୬ ।

ପ୍ରତି ଦ୍ରବ୍ୟ ଶୁଖି

ହୋଇଥାଏ ବକ୍ର,

ପ୍ରାପ୍ତ ତେଣୁ ବୃଦ୍ଧା

ରୁପ ଅର୍ଦ୍ଧ-ଚକ୍ର ।୭ ।

ପରଳ ପଡ଼ିଛି

ବୃଦ୍ଧା ବେନିନେତ୍ରେ,

ପରଦା କି ତାର

ଭବ-ପାପ-କ୍ଷେତ୍ରେ ? ।୮ ।

ପଡ଼େ ନାହିଁ ଦୃଷ୍ଟି

ପଦାର୍ଥରେ ତାର,

ପାରେ ବା କି ଗଣି

ବାଲି ବାରମ୍ବାର । ୯ ।

ପଦ ହସ୍ତ ଚିର

ଅଭ୍ୟାସର ବଶେ

ପ୍ରସାର ନ କରି,

ଜାଣେ ସରବ ସେ । ୧୦ ।

ପାରିବ କେ ଜାଣି

ଦେଖି ତାର ଗତି ?

ପରଳ-ଭୂଷିତ

ନୟନା ଜରତି । ୧୧ ।

ପ୍ରକୃତରେ ବୃଦ୍ଧା

ବିଶାଳଲୋଚନା,”

ପରଳ ସଂଯୋଗେ

ଦିଶଇ ଭୀଷଣା ।୧୨ ।

ପଦେ କଥା କେହି

କଲେ ଉଚ୍ଚାରଣ,

ପ୍ରାନ୍ତ ଜାଣେ ଅନୁ

ମାନେ ତତକ୍ଷଣ । ୧୩ ।

ପାଦେ ଥିଲା ତାର

ଅଦ୍ଭୁତ ଶକତି,

ପହରକେ କରେ

ସପ୍ତକ୍ରୋଶ ଗତି । ୧୪ ।

ପାଣି ସଞ୍ଚାଳନେ

ସାଧେ ବହୁ କର୍ମ,

ପରଉପକାର

ଜାଣି ଶ୍ରେଷ୍ଠଧର୍ମ ।୧୫।

ପରିବାର ଚିନ୍ତା

ନ କରଇ ବୁଢ଼ୀ,

ପ୍ରଥମରୁ ଥିଲା

ବୋଲି ଆଣ୍ଠ୍ କୁଡ଼ୀ ।୧୬ ।

ପ୍ରାଣ-ଈଶ୍ୱରଙ୍କ

ଅକାଳ ବିୟୋଗେ,

ପାଳେ ପତିବ୍ରତା

ବ୍ରତ ସେ ସୁଯୋଗେ ।୧୭।

ପଡୋସୀଏ ତାକୁ

ଜାଣନ୍ତି ଡାହାଣୀ,

ପିଲା ରକ୍ତ ଶୋଷେ

ତା’ମନ୍ଦ ଚାହାଣୀ ।୧୮।

ପରଳ ପଡ଼ିବା

ଦିବସରୁ ସୁଦ୍ଧା

ପାଟି ବାରି ଶିଶୁ

ମାରିପାରେ ବୃଦ୍ଧା । ୧୯ ।

ପୈଶାଚିକ-ବୃତ୍ତି

ଜାଣେ ବର୍ଷୀୟସୀ,

ପାପ ଗୋପନାଶେ

କେତେ ମଦାଳସୀ ।୨୦।

ପେଟ ଭାଙ୍ଗିଛନ୍ତି

ବୃଦ୍ଧା-ମନ୍ତ୍ର-ବଳେ

ପେଟପୋଡ଼ା ଖାଇ

କଳ କଉଶଳେ । ୨୧ ।

ପ୍ରସୂତି-ବେଦନା

କରେ ସେ ହରଣ,

ପିଲା କେହି କେବେ

ନାହିଁ ସଜୀବନ । ୨୨ ।

ପ୍ରିୟ ପ୍ରିୟା ଯୋଗ

ଅଭିସାର-ସ୍ଥଳେ

ପାରେ କରି ସେହି

କୁଟ୍ଟନୀ ଚଞ୍ଚଳେ ।୨୩।

ପ୍ରଲୋଭନ-ବାକ୍ୟ,

ଔଷଧ-ପ୍ରଦାନ,

ପ୍ରାଣେଶ୍ୱରେ କାର

ବିଷ ସଂପ୍ରଦାନ ।୨୪।

ପର ଉପକାରେ

କରେ ସେ ଚତୁରୀ,

ପର-ଚିର-ଚିନ୍ତା

କର୍ତ୍ତନେ କତୁରୀ ।୨୫।

ପଦେ ସତ୍ୟ ଯେବେ

କହେ ପଦୀନାନୀ,

ପନ୍ଦରଟି ମିଥ୍ୟା

ଯୋଗକରେ ଆଣି ।୨୬।

ପର ଦେହ ଛୁଇଁ

କରାଏ ବିଶ୍ୱାସ

ପାପ କରି ନାହିଁ

ବୋଲି ସେ ଅଭ୍ୟାସ ।୨୭।

ପକାଇ ପକାଇ

ନୟନର ରାଣ

ପରଳେ ମଣ୍ଡିତ

ତା’ଲୋଚନ ଜାଣ ।୨୮।

ପକ୍ୱ କେଶ ସାକ୍ଷ୍ୟ

ଦିଏ ତା’ବଚନେ

ପୁରାଣ ଘଟନା

ଦେଖିଛି ଜୀବନେ ।୨୯ ।

ପାରିବ କେ କଳି

ତା’ ମହିମା-ସୀମା ?

ପରାସ୍ତ ରତନ

ଆକର ଗରିମା ।୩୦ ।

ପଦୀନାନୀ ଗୁଣ

ରାଶି ଉପମାନ

ପୃଥିବୀରେ ନାହିଁ,

ଆକାଶହିଁ ସାନ, ।୩୧।

ପରିବୃତ ଦିଗ

ବଳୟେ ସସୀମ

ପ୍ରିୟ ସଦା ବ୍ୟୋମ,

ନୁହେଁ କେବେ ଭୀମ ।୩୨।

ପବନ, ଅନଳ,

ଜୀମୂତ ଶକତି

ପ୍ରଳୟ-କାଳୀନ

ଅଛି ବୃଦ୍ଧା କତି ।୩୩।

ପ୍ରତ୍ୟହ ଉତ୍କଳ

ସମ୍ରାଟ-ଭବନେ

ପରିପୂର୍ଣ୍ଣ କରେ

ଉଦର ଯତନେ ।୩୪।

ପାରି କରେ ଗୁପ୍ତେ

ପ୍ରାସାଦୁଁ ଦରବ,

ପରୋପକାରିଣୀ

ଶକ୍ତି ଅଭିନବ ।୩୫।

ପ୍ରହରୀଏ ତାହା

ନ ପାରନ୍ତି ଜାଣି,

ପ୍ରତ୍ୟୟ ନ ଜନ୍ମେ

ଚୋରାଇବ ନାନୀ ।୩୬।

ପରିବାର ପ୍ରତି–

ପୋଷଣ-ବାସନା

ପଶିନାହିଁ ପାଶେ

ସରଳ-ବଚନା ।୩୭।

ପଦାର୍ଥ ନେଇ ବା

କରିବ ସେ କିସ ?

ପଥ ତା’ ନିମିତ୍ତ

ମୁକ୍ତ ଅହର୍ନିଶ ।୩୮।

ପ୍ରଭାବତୀ ବାକ୍ୟ

ଏକା ତା’ କଣ୍ଟକ

‘ପାପିନୀ ଆସିବ

କିମ୍ପା ଅନର୍ଥକ’ ।୩୯।

ପ୍ରଥମ ଗରଭ–

ସଞ୍ଚାର ଦିବସୁଁ

ପୁରେ ପଶିନାହିଁ

ବୃଦ୍ଧା କର୍ମ-ବଶୁଁ ।୪୦ ।

ପାଟ-ରାଣୀ ପୁର

କରୁଁ ନିବାରଣ

ପାଞ୍ଚେ ବୃଦ୍ଧା ‘ପ୍ରାଣ

କରିବି ହରଣ ।୪୧।

ପ୍ରଭାବତୀ-ଗର୍ଭ–

ସ୍ଥିତ ଅପତ୍ୟର,’

ପ୍ରଭୁ ଘଟାଇଲେ

ତାହାହିଁ ସତ୍ୱର ।୪୨।

ପରମ ଆନନ୍ଦ

ଲଭେ ଆଜି ପଦୀ

ପ୍ରାବୃଟେ ସରସ–

ହୃଦ ଯଥା ନଦୀ ।୪୩।

ପାସୋରିବ ଆଜି

ପୂର୍ବ ଅପମାନ

ପ୍ରଭାବତୀ ସୁତା

ରକ୍ତ କରି ପାନ ।୪୪।

ପୈଶାଚିକ ମନ୍ତ୍ରେ

ଚିପି ସୁତା ବେକ

ପାଞ୍ଚେ ବୃଦ୍ଧା ରକ୍ତ

ପିଇବି ଅନେକ, ।୪୫।

ପୁରାଉ ନ ଥିଲା

ରାଣୀ ମୋତେ ଘରେ

ପ୍ରାଣାଧିକା କନ୍ୟା

ଅରପିବ କରେ ।୪୬।

ପ୍ରାଣ ନେବା ପାଇଁ

ଅବାଧେ ଚଞ୍ଚଳ,

ପାଇବ ସୁନ୍ଦରୀ

ଆଜି ପ୍ରତିଫଳ ।୪୭ ।

ପାପିନୀ ହେଲେହେଁ

ଭାବୁଥିଲା ଯାହା,

ପାପ ବୃଦ୍ଧି-ଆଶେ

ପ୍ରାପ୍ତ ହେଲା ତାହା ।୪୮ ।

ପ୍ରବଳ ହୁଅଇ

ଯାର ଅଭିଳାଷ,

ପୂରଣ କରନ୍ତି

ପ୍ରଭୁ ତା’ମାନସ ।୪୯ ।

ପାଏ ଫଳ ଇଚ୍ଛା–

ଅନୁରୂପେ କାମୀ,

ପୃଷ୍ଠ-ପୋଷକ ସେ

ଏକା ଅନ୍ତର୍ଯ୍ୟାମୀ । ୫୦ ।

 

ଅଷ୍ଟମ ସର୍ଗ

ପାଣ୍ଡ୍ୟ-ରାଜ-ସୁତା

ପ୍ରସବି ଦୁହିତା,

ପଡ଼ିଲା ଭୁତଳେ

କଦଳୀ କର୍ତ୍ତିତା ।୧।

ପରାୟ ବିକଳେ

ରସନା କାମୁଡ଼ି,

ପଥୁଁ ଖସେ ନର

ହତାଶାରେ ହୁଡ଼ି । ୨ ।

ପ୍ରଭୁ ପ୍ରତିଜ୍ଞାରୁ

ନଷ୍ଟ ହେବ ସୁତା,

ପ୍ରାଣ କେ ଧରିବ

ଦେଇ ପରାଣୁଁ ତା’ ? । ୩ ।

ପକାଇଛି ସଂଜ୍ଞା–

ହୀନେ ପ୍ରଭାବତୀ

ପର-ବର୍ତ୍ତୀ-ଚିତ୍ର

ନେତ୍ରେ କରି ଗତି ।୪।

ପ୍ରଜ୍ୱଳି ହୃଦୟ–

କନ୍ଦରେ ପରଶି,

ପରାଣ ଦେଲା କି

ପୋଡ଼ି ଅଙ୍ଗେ ପଶି ? । ୫ ।

ପର-କ୍ଷଣେ ଧୂବ

ପଡ଼ିବ ବିପଦ

ପାରିଲେ ମାନବେ

ଜାଣି, ଜିହ୍ୱା-ରଦ- ।୬।

ପାଟି ବନ୍ଦ କରି

ଦିଅନ୍ତି ତକ୍ଷଣ,

ପ୍ରଖରେ କରନ୍ତି

ଶ୍ୱାସ ବରଜନ । ୭ ।

ପ୍ରଶ୍ୱାସ ସହିତେ

ନାସାରନ୍ଧ୍ର ପଥେ

ପାଏ କିବା ଯାଇ

ଜୀବନ ବି-ପଥେ୧ ? । ୮ ।

ପ୍ରସବ-ବେଦନା

ବାଧିଥିଲା ଭାରି,

ପ୍ରାଣେଶ ପ୍ରତିଜ୍ଞା,

ଦେବ କନ୍ୟା ମାରି, ।୯।

ପାରିବାରୁ ଜାଣି

ସତେ ଏହି କ୍ଷଣି

ପଟ୍ଟି ଖୋଲି ଦେଉଁ

ନୟନୁଁ ରମଣୀ ।୧୦।

ପ୍ରଥମେ ଚମକି

ପଡ଼ିଲା ପ୍ରସୁତୀ

ପ୍ରସବିଛି ସୁତା

କରି ଅନୁଭୁତି । ୧୧ ।

ପାଶେ ଦେଖି ପୁଣି

ନନ୍ଦିନୀର ରୂପ

ପ୍ରୀତିଭରେ ପାଞ୍ଚେ

ଏ ମୋ ନିଜରୂପ । ୧୨ ।

ପ୍ରତିବିମ୍ବ ଦେଖି

ଯଥା ମରକଟ

ପଳାଏ ଛନକା

ହୁଦେ ପରକଟ, ।୧୩।

ପ୍ରଭାବତୀ ତଥା

ନନ୍ଦିନୀର ଅଙ୍ଗେ

ପାଇଲା ଆଶ୍ଚର୍ଯ୍ୟ

ନିରେଖି ଭ୍ରୂଭଙ୍ଗେ । ୧୪ ।

ପୁଣି ଜ୍ଞାନ ଲଭି

ନ ରହିବ ଏହା

ପଡ଼ିଛି ଅଜ୍ଞାନେ

ସୁକୋମଳ-ଦେହା । ୧୫ ।

ପ୍ରାଣ-ପକ୍ଷୀ ଉଡ଼ି

ଯିବାରୁ ସୁନ୍ଦରୀ

ପଡ଼ିଅଛି ଦୁଃଖେ

ଶରୀର ପିଞ୍ଜରୀ । ୧୬ ।

ପଳାଇ ତା’ ଆତ୍ମା

ତେଜି ଅପଘନ,

ପରମ-ଈଶ୍ୱରୀ

କରେ ଅନ୍ୱେଷଣ । ୧୭ ।

ପ୍ରାଣ ରକ୍ଷା କରି

ପାରିବେ ଭାବି ସେ

ପ୍ରଧାବିତ ବେଗେ

ନ ରହି ନିମିଷେ । ୧୮ ।

ପାଇଥିଲା ବର

ଯାହାଙ୍କ ପ୍ରସାଦୁଁ

ପ୍ରକୃତେ ତାରିବେ

ଜାଣେ ପରମାଦୁଁ । ୧୯ ।

ପ୍ରଧାବନ କାଳେ

ଦେଖିଲା ସେ ପଥେ

ପ୍ରଭାମୟୀ ବସି

ଜ୍ୟୋତିର୍ମ୍ମୟ-ରଥେ ।୨୦।

ପ୍ରବୋଧନ ବାଣୀ

ଭାଷନ୍ତି ସସିତେ

“ପ୍ରଭାବତି ! ଚିନ୍ତା

ନ କର କିଞ୍ଚିତେ । ୨୧ ।

ପୁରୀ-ଧାମେ ମୋର

ମହିମା ରକ୍ଷଣେ

ପ୍ରଦାନ କରିଛି

ବର ଶୁଭ-କ୍ଷଣେ । ୨୨ ।

ପୁରୀ-ପତି ସଙ୍ଗେ

ତୋ ପାଣି-ଗ୍ରହଣ

ପରେ ଚୋରଗଙ୍ଗ

ପ୍ରତିଜ୍ଞା-କରଣ ।୨୩।

ପ୍ରତି-କାର୍ଯ୍ୟ ଅଟେ

ମୋହରି ଭିଆଣ,

ପାଇବ ନନ୍ଦିନୀ

ପ୍ରାଣ ନିଶ୍ଚେ ଜାଣ ।୨୪ ।

ପଠାଇବ ଯାକୁ

ଆଦେଶି ଚୁଡ଼ଙ୍ଗ,

ପଦେ ପଡ଼ି ସମ–

ର୍ପିବୁ କନ୍ୟା ଅଙ୍ଗ ।୨୫ ।

ପୂରାଇବ ତୋର

ସେହି ସୁକାମନା,

ପଶ ନିଜ ପିଣ୍ଡେ

ନ କରି ଶୋଚନା” । ୨୬ ।

ପ୍ରବୋଧନ୍ତେ ପ୍ରଭା,

ପାଟରାଣୀ ପ୍ରାଣ

ପୁନର୍ବାର ଅଙ୍ଗେ

ହେଲା ବିଦ୍ୟାମାନ । ୨୭ ।

ପବନ ଚାଲିଲା

ନାସିକାରେ ଧୀରେ

ପଶିବାରୁ ଆତ୍ମା

ରମଣୀ ଶରୀରେ । ୨୮ ।

ପାଟି ମେଲା କଲା

କ୍ରମେ କୃଶୋଦରୀ

ପକାଇ ଉଠାଇ

ଉଦର ସୁନ୍ଦରୀ । ୨୯ ।

ପଦ ହସ୍ତ କ୍ରମେ

କରି ସଞ୍ଚାଳନ,

ପାର୍ଶ୍ୱ ଲେଉଟାଇ

ଦେଲା ଅପଘନ । ୩୦ ।

ପଦ୍ମ-ନେତ୍ର ଯାହା

ଥିଲା ନିମୀଳିତ,

ପ୍ରଫୁଲ୍ଲ ଏକ୍ଷଣି,

କ୍ରମଶ ସ୍ଫୁରିତ । ୩୧ ।

ପଡ଼ିଲା ଦର୍ଶନ

ମନ୍ତ୍ରି-ପତ୍ନୀ-ପରେ,

ପ୍ରସବ ସମୟେ

ନ ଥିଲେ ଏ ଘରେ । ୩୨ ।

ପହୁଞ୍ଚି ଅଛନ୍ତି

ଏଥି ଏହିକ୍ଷଣି

ପାଇ ସୁ-ସଂବାଦ

ଜାତ କନ୍ୟାମଣି । ୩୩ ।

ପାଟରାଣୀ ଏହି–

ପରି ଭାବି ମନେ,

ପଚାରିଲେ ଧୀରେ

ନାମ ସମ୍ୱୋଧନେ । ୩୪ ।

”ପ୍ରାଣପ୍ରିୟା ! ଦେଖି

ତୁମ୍ଭ ଆଗମନ,

ପୂରାଉଛି ହୃଦେ

ସୁ-ସାହସ ଧନ, ।୩୫।

ପ୍ରସବିଛି ଯାକୁ

ତା’ଅମୁଲ୍ୟ ଜୀବ

ପ୍ରିୟ ନୁହେଁ କି ଗୋ

ମରଣେ ବରିବ ? । ୩୬ ।

‘ପ୍ରାଣପ୍ରିୟା’ ନାମେ

ଜନ୍ମି ଏ ଜଗତେ

ପରାଣ ରକ୍ଷଣେ

ନ ଭାବ କେମନ୍ତେ ? । ୩୭ ।

ପାରିବ କି କରି

ଜୀବନ ଉଦ୍ଧାର ?

ପାଇବ ପ୍ରସୂତୀ

ସନ୍ତାପୁଁ ନିସ୍ତାର” । ୩୮ ।

ପ୍ରବୋଧନ-ବାକ୍ୟ

ମୃଦୁଳେ ପ୍ରଦାନି

ପ୍ରାଣପ୍ରିୟା ଭାଷେ

“ତାରିବେ ଭବାନୀ । ୩୯ ।

ପରିତ୍ୟାଗ କର

ମହାଘୋର ଚିନ୍ତା,

ପାର୍ବତୀଙ୍କଦ୍ୱାରା

ହେଲି ମୁଁ ଆନୀତା । ୪୦ ।

ପାଳିବି ତାଙ୍କର

ସ୍ୱନ୍ନାଦେଶାବଳି,

ପାଇଛି ଯା ଗତ–

ରାତ୍ରେ ସତ୍ୟ ଭଳି । ୪୧ ।

ପରିଣାମେ ସର୍ବ

ଦେଖିବ ଏକ୍ଷଣି,

ପାପିନୀ ଘାତକୀ

ଦ୍ୱାରସ୍ଥ ହେବଣି । ୪୨ ।

ପରିବାରୀ-ବର୍ଗ

ଯିବେ ଅପସରି,

ପାର୍ଶ୍ୱେ ଥିବ ତୁମ୍ଭ

ବାଲ୍ୟ-ସହଚରୀ । ୪୩ ।

ପିତୁଳା ଆଣିଛି

ମହଣ-ଗଠିତା

ପ୍ରତ୍ୟକ୍ଷ ନନ୍ଦିନୀ

ପବନ-ପୂରିତା । ୪୪ ।

ପାଇଛି ଆଦେଶ

କ୍ରୁରା ପଦୀନାନୀ

ପ୍ରାଣ ନେବି ତଣ୍ଟି

ଚିପି, ସେନ ହାଣି । ୪୫ ।

ପ୍ରାଣେଶ୍ୱର ମୋର

ଆସିବେ ତା ସଙ୍ଗ

ପଶିଲେ ଶରଣ,

ରଖି କନ୍ୟା-ଅଙ୍ଗ, ।୪୬।

ପାପୀୟସୀ କରେ

ଦେବେ ପୁତ୍ତଳିକା,

ପ୍ରଚାରିତ ହେବ

‘ସରିଛି ବାଳିକା’ । ୪୭ ।

ପାଳିବି ମୁଁ ତାକୁ

ନେଇ ମୋ ପ୍ରାସାଦେ,

ପୂରିବା ବାସନା

ବିମଳା ପ୍ରାସାଦେ” । ୪୮ ।

ପୂର୍ଣ୍ଣ ହୋଇନାହିଁ

ପ୍ରାଣପ୍ରୀୟା-ବାଣୀ

ପରିବାରୀ ଦେଲା

ଦୁଃସମ୍ବାଦ ଆଣି । ୪୯ ।

“ପହୁଞ୍ଚି ଅଛନ୍ତି

ଦ୍ୱାରେ ମନ୍ତ୍ରିବର,

ପଦୀନାନୀ ଅନୁ–

ସରଇ ତାଙ୍କର । ୫୦ ।

ପଠାଇଲେ ମୋତେ,

ନେବି ଅନୁମତି,

ପ୍ରବେଶିବେ ଗୃହେ

ମନ୍ତ୍ରୀ ମହାମତି” । ୫୧ ।

ପାଖେଇ ଯାଆନ୍ତି

ଦାସୀ ବାଣୀ ଶୁଣି

ପ୍ରତ୍ୟେକ ରମଣୀ

ମନେ ମନେ ରୁଣି ।୫୨।

“ପ୍ରକୃତେ କି ମନ୍ତ୍ରୀ

ଶୁଣିବେ କାକୂତି ?

ପାଇବ ଆନନ୍ଦ

ରୁଦିତା-ପ୍ରସୂତୀ” । ୫୩ ।

ପୁର-ହାରେ ବୃଦ୍ଧା

ରଖି ପ୍ରବୋଧନ,

ପୃରେ ଧୀରେ କଲେ

ଚରଣ ଚାଳନ । ୫୪ ।

ପହୁଞ୍ଚିଲେ ଦାସୀ–

ସହ ସେ କୋଠରୀ–

ପାଶେ, ଯହିଁ କ୍ଷୁନ୍ନ–

ହୃଦୟା-ସୁନ୍ଦରୀ ।୫୫।

ପୂର୍ବ-ଦିଗେ ମୁଖ

କରିଅଛି ବସି,

ପରିଧାନ ଶିରୁଁ

ପଡ଼ିଅଛି ଖସି ।୫୬।

ପରିପାଟୀ ରଚା

ରମଣୀୟ ବେଣୀ

ପିଠିରେ ଫିଟିଛି,

କରେ କି ଭାଳେଣି ? । ୫୭ ।

ପୃଥିବୀ ପୃଷ୍ଠରେ

ଲୋଟେ ବେଣୀ ଶିର

ପାଟ-ପୁଷ୍ପ-ଗୁଚ୍ଛ୧,

ରତନେ ରୁଚିର ।୫୮।

ପଦ୍ମ, ଚନ୍ଦ୍ର, ତାରା,

କାଞ୍ଚନେ ରଚିତ

ପଦ୍ମରାଗ, ମୁକ୍ତା,

ହୀରକ ଖଚିତ; ।୫୯।

ପାଟରାଣୀ ଦୁଃଖ

ଦେଖି, ଧରାତଳେ

ପିଟଇ କି ବେଣୀ

ମସ୍ତକ ବିକଳେ ? । ୬୦ ।

ପଡ଼ିଛନ୍ତି ଚାରି

ପାଶେ ଅଳଙ୍କାର

ପ୍ରସୂତୀ ଶ୍ରୀଅଙ୍ଗୁ

ହୋଇଣ ବାହାର, ।୬୧।

ପ୍ରକୃତିସ୍ଥ ନୋହି,

ଘୋର ବିଶୃଙ୍ଖଳେ;

ପ୍ରାଣହୀନ ମଧ୍ୟ

କାନ୍ଦଇ ବିକଳେ । ୬୨ ।

ପ୍ରତ୍ୟେକେ କି ଶୋକେ

ହେଲେ ଅସ୍ତବ୍ୟସ୍ତ

ପାସୋରନ୍ତି ନିଜ

କର୍ତ୍ତବ୍ୟ ସମସ୍ତ ? ।୬୩।

ପଡ଼ନ୍ତି କି ଯାଇ

ଚରଣ-ସ୍ଥଳନେ ?

ପ୍ରକୃତେ କି ଚିନ୍ତା

ଜନମ ପୀଡ଼ନେ ? । ୬୪ ।

ପକାଏ କି ମହା

ଅନ୍ଧକାର ଗର୍ତ୍ତେ,

ପାରଇ ନିକ୍ଷେପି

ଭୀଷଣ ଆବର୍ତ୍ତେ, ।୬୫।

ପାତାଳକୁ ମାଡ଼ି

ଦିଏ ଅବହେଳେ,

ପାବକେ ପୋଡ଼ଇ

ମାରି କ୍ଲେଶ-ଶେଳେ । ୬୬ ।

ପାଠେ ଅଛି ଚିନ୍ତା

ଚିତାରୁ ଅଧିକ,

ପୋଡ଼େ ଚିତା ମଡ଼ା,

ଚିନ୍ତା ସ୍ୱାଭାବିକ ।୬୭।

ପ୍ରାଣ-ଥିବ ଜନେ

କ୍ଷଣେ ଦିଏ ଜାଳି,

ପ୍ରସୂତୀ ତା’ବଳେ

ପକାଏ ବୋବାଳି । ୬୮ ।

ପ୍ରବୋଧନ ଦେଖି

ହୋଇଲେ ବିସ୍ମିତ,

‘ପୃଥିବୀ ପୃଷ୍ଠରେ

ନନ୍ଦିନୀ ଶାୟିତ, ।୬୯।

ପାଟରାଣୀ ଶୋକ–

ସାଗରେ ଭାସିତା,

ପତ୍ନୀ ପୁଣି ମୋର

ଏଥି ଉପସ୍ଥିତା, ।୭୦।

ପାପୀୟସୀ-କରେ

କିପରି ତନୟା–

ପ୍ରାଣ ଦେବି, ତିଳେ

ନ ଦେଖାଇ ଦୟା ? ।୭୧।

ପ୍ରଭୁ ଆଦେଶିଲେ

ନିଷ୍ଠୁର ଆଦେଶ

ପାଳିବି କିପରି

ନ ମୃଦି ନିମେଷ ? ।୭୨।

ପୃଥିବୀରେ ନାହିଁ

ମୋ ପରି ପାତକ

ପୁରୀପତୀ-ନବ–

ନନ୍ଦିନୀ ଘାତକ; ।୭୩।

ପୁଣ୍ୟ-ରାଶୀ କେହୁ

କରଇ ସଞ୍ଚୟ,

ପ୍ରାଣ ନେବି ପୁଣ୍ୟ

କରି ବିନିମୟ, ।୭୪।

ପାପ ପୁଣ୍ୟ ସର୍ବ

ଦେଖନ୍ତି ଶଙ୍କରୀ,

ପାଳିବି କେମନ୍ତେ

ଆଦେଶ ଏପରି ? ।୭୫।

ପ୍ରଭୁ ଆଜ୍ଞାକାରୀ

ଅଟଇ ନିର୍ଦ୍ଦୋଷ,

ପ୍ରସୁତୀ ତଥାପି

ଦେବ ମୋତେ ଦୋଷ; ।୭୬।

ପକାଇବ ଅଭି–

ଶାପ ମୋର ଶିରେ

ପଡ଼ିବି ନିଶ୍ଚୟ

କଳୁଷ-ତିମିରେ’ । ୭୭ ।

ପ୍ରଜ୍ଞାବାନ ମନ୍ତ୍ରୀ

ଭାବି ଏହିପରି,

ପଦ ପକାଇଲେ

ଭିତର କୋଠରୀ । ୭୮ ।

ପ୍ରଭାବତୀ ଉଠି,

ଧୀରେ ପଦତଳେ

ପଡ଼ି, ପାଦ ଧରି,

କାନ୍ଦିଲେ ବିକଳେ । ୭୯ ।

“ପରମ-କରୁଣା–

ମୟ ଭ୍ରାତୃଦେବ !

ପ୍ରାଣ କି ସୁତାର

ସତେ ମାରିଦେବ ? ।୮୦।

ପାଇଥିଲି ବର

ବିବାହ ପୂରୁବ

‘ପ୍ରସବିବି କନ୍ୟା’,

ଦୁର୍ଗା ଦେବେ ଧ୍ରୁବ, ।୮୧।

ପ୍ରସାଦ ଯା’ଅଟେ

ବିମଳା-ପ୍ରଦତ୍ତ,

ପୂଜ୍ୟପାଦ ! ତାହା

ସତେ ହେବ ହତ ? ।୮୨।

ପ୍ରାଣେଶ ଯେକାଳେ

କଲେ ଦୃଢ଼-ପଣ,

ପରତେ ନ ଯାଉ

ଥିଲି ମୁଁ ତକ୍ଷଣ, ।୮୨।

ପୁରତେ ଦେଖୁଛି

ପାପିନୀ ସହିତ

ପହୁଞ୍ଚିଛ ଭ୍ରାତ !

ଅଟେ କି ଉଚିତ ? ।୮୩।

ପ୍ରାଣୁଁ ଜନ୍ମ ପ୍ରାଣ

ଦେବି କ୍ରୁରା-କରେ,

ପ୍ରସାଦ ସେ ପୁଣି,

ଜାତ ଦୁର୍ଗା-କରେ, ।୮୪।

‘ପାର୍ବତୀ-ପରାୟ

ହେବ ପ୍ରାଣଧନ’

ପୂଜ୍ୟପାଦ ! ଏହା

ପାର୍ବତୀ-ବଚନ; ।୮୫।

ପ୍ରାଣ ଯେବେ ନେବ

ପ୍ରାଣାଧିକା-ଧନା,

ପକାଅ ମୋ ଗଳେ

ପ୍ରଥମେ ଚରଣ; ।୮୫।

ପଳାଇଲେ ଆଗେ

ଏ ମର୍ତ୍ତ୍ୟ-ଭୁବନୁଁ

ପରେ କନ୍ୟା ଯାଇ

ଦୁଃଖ ନେବ ମନୁଁ, ।୮୬।

ପ୍ରସାଦ-ଜୀବନ

ସଙ୍ଗେ ମୋ ପରାଣ

ପଦେ ସମର୍ପିଲି,

ମାର ଅବା ହାଣ” । ୮୯ ।

ପ୍ରଭାବତୀ କାନ୍ଦ

ଶୁଣି ପ୍ରବୋଧନ,

ପତ୍ନୀକି ଠାରିଲେ

‘ଉଠାଅ ବହନ’ । ୯୦ ।

ପ୍ରାଣପ୍ରୀୟା ଯାଇ

ରାଣୀ କର ଧରି

ପ୍ରବୋଧି କହିଲେ

“ଉଠ ରାଜେଶ୍ୱରି ! ।୯୧।

ପ୍ରାଣେଶ୍ୱର ନିଜେ

କରିଛନ୍ତି ବିଜେ,

ପଦ କି ତାଙ୍କର

ଲୋତକେ ନ ଭିଜେ ? ।୯୨।

ପିତୁଳାଟେ ଦେଇ

ବୁଢ଼ୀକୁ ଠକିବେ,

ପ୍ରାଣ କିଏ ମାରେ ?

କାହିଁକି ମାରିବେ ? ।୯୩।

ପାଳିବି ମୁଁ ନେଇ

ମୋ ଘରେ ଦୁହିତା,

ପ୍ରତିଦିନ ଯାଇ

ଆସିବ ଦେଖି ତା” । ୯୪ ।

ପ୍ରଜ୍ଞାବାନ ବୃଦ୍ଧ

କରୁଣା-ନିଧାନ

ପୂର୍ବରୁ ତ ଭାରି

ଥିଲେ ସନ୍ଦିହାନ, ।୯୫।

ପତ୍ନୀ ପରାମର୍ଶ

ଶୁଣିଲେ ଯେପରି,

ପକାଇଲେ କହି

“କର ସେହିପରି” । ୯୬ ।

ପରିଚାରୀ ସେହି–

କ୍ଷଣି ଦ୍ରୁତବେଗେ

ପିତୁଳା ଆଣିଲା

ଆନନ୍ଦ-ଆବେଗେ । ୯୭ ।

ପ୍ରାଣ-ଥିଲା-ପିଲା–

ପରାୟ ତା’ଦିଶେ,

ପାଦ, ଗୋଡ, ହାତ

ଶିଶୁ ସଙ୍ଗେ ମିଶେ, ।୯୮।

ପେଟ, ମୁଣ୍ଡ, ପାଟି,

କାନ, ଆଖି, ନାକ

ପିଲାପରି ଦିଶେ

ତାର ଦେହ ଯାକ; ।୯୯।

ପବନ-ପୂରିତ

ମହଣ-ପିତୁଳା,

ପଡୁଅଛି ଜଣା

କୋମଳେ ତା’ତୁଳା । ୧୦୦ ।

ପକାଇଲା ତାକୁ

ଇନ୍ତୁଡ଼ୀ-ଶାଳରେ,

ପଳାଇଲା ନେଇ

ସୁତାକୁ କୋଳରେ । ୧୦୧ ।

ପଦୀନାନୀ ଏବେ

ହେଲା ସମ୍ୱୋଧିତା,

ପଳାଇଲେ ସର୍ବେ

ହସିବେ ଦେଖି ତା’ । ୧୦୨ ।

ପାଟରାଣୀ, ମନ୍ତ୍ରୀ

ରହିଲା ମନ୍ଦିରେ;

ପାପିନୀ ଆସିଲା

ପଦ ଚାଳି ଧୀରେ । ୧୦୩ ।

ପ୍ରଭାବତୀ ଦେଲେ

ପିତୁଳା ତା’କରେ,

ପାପୁଲି ବୁଲାଇ

ଦେଖିଲା ସେ ଖରେ; ।୧୦୪।

ପ୍ରତ୍ୟୟ ଗଲା ସେ

ନବ-ଜାତ-କନ୍ୟା,

ପ୍ରାଣ ନେଇ ଭାବେ,

“ହୋଇବି ମୁଁ ଧନ୍ୟା” । ୧୦୫ ।

ପାଣି ପ୍ରସାରି ତା’

ଧରିଦେଲା ବେକ,

ପୁରୀପତି ପାଶେ

ରଖିବାକୁ ଟେକ । ୧୦୬ ।

ପକାଇଲା ଚିପି

ତଣ୍ଟି ଦୃଢ଼ତର

ପବନ ହିଁ ଚାଲି–

ଗଲା ଖରତର । ୧୦୭ ।

ପକାଇ ଦେଇ ତା’

ପଛମୁହାଁ ହୋଇ

ପଳାଇଲା କହି

‘ଆସେଁ ମୁଁ ଗାଧୋଇ’ । ୧୦୮ ।

ପ୍ରବୋଧନ ଏଣେ

ଗଲେ ରାଜସଭା,

ପକାଇ ମନରେ

‘ପ୍ରତିଜ୍ଞାର ପ୍ରଭା’, ।୧୦୯।

‘ପୁରୀପତୀ ନିଜେ

ଶ୍ରୀଅଙ୍ଗୁ ଜନମି,

ପ୍ରାଣ ନେଲେ ଜାଣି

କେଉଁ ଭାବେ ଭ୍ରମି ? ।୧୧୦।

ପ୍ରଭୁ ପାଶେ ସର୍ବ

ହୁଅଇ ସାଧିତ,

ପରମାତ୍ମା ସେହି

ମାନବେ ଉଦିତ’ । ୧୧୧ ।

ପୋଖରୀ କୂଳରେ

ପହୁଞ୍ଚିଲା ପଦୀ

ପାଣିରେ ପଖାଳି

ଦେବାକୁ ତା’ଖଦୀ । ୧୧୨ ।

ପଥେ କହି କହି

ଯାଉଥାଏ ବୁଢ଼ୀ

“ପ୍ରାଣ ନେବାକୁ ମୁଁ

ହେଲି ଆଣ୍ଠୁ କୁଡ଼ୀ ।୧୧୩।

ପେଟେ ଧରି ରାଣୀ

ଦଶମାସ-କାଳ,

ପାଇ ନ ଥିବ ବା

କି ଦୁଃଖ ଜଞ୍ଜାଳ ? ।୧୧୪।

ପ୍ରସବିବା ମାତ୍ରେ

ସୁତା ଦେଲି ମାରି,

ପ୍ରାଣ ସତେ ଆଉ

ରହିବ ତାହାରି” ? । ୧୧୫ ।

 

ନବମ ସର୍ଗ

“ପାଚିଲା ଭଇଁଚ,

ଆଖୁ ବେତ କୋଳି,

ପାଛିଏ ଏଠାରୁ

କାଲି ନେଲି ତୋଳି, ।୧।

ପୁରୀ ସହରକୁ

ଚାଲିଗଲି ବିକି,

ପଥରେ ଭେଟିଲି

ନଅର ଦାସୀକି । ୨ ।

ପଡ଼ୁ ପଡ଼ୁ କଥା

କହିଲା ସେ ଦାସୀ

ପାଟ ମହାଦେଈ

‘ଅଛି ପୂରାମାସୀ’ । ୩ ।

ପୁରାଉ ପୁରାଉ

ଟୋପୁଲିରେ କୋଳି

ପଚାରେ ଅପରା

‘ଗଲୁ କେଉଁ ଓଳି’ ? । ୪ ।

“ପହରେ ବେଳକୁ

ଆସିଲି ଲୋ ଝିଅ !

ପରବ ପାଇଁକି

ଆଣି ଗୁଡ଼ି ଘିଅ” । ୫ ।

ପ୍ରଥମା ଉତ୍ତର

ଦିଅନ୍ତେ ଏପରି

ପଚିଶ-ବୟସୀ

ମୁଖ ଶୁଷ୍କ କରି, ।୬।

ପାଟି-କ୍ଷୀଣେ ପୁଣି

କହିଲା ବଚନ

“ପାଟରାଣୀ କାହୁଁ

ପାଇବେ ଲୋ ଧନ ? ।୭।

ପେଟରୁ ଜନମି

ସାରିଲେଣୀ ମାରି,

ପୂରାମାସୀ କଥା

କି କହୁଲୋ ପାରି !” । ୮ ।

ପର୍ବତ-ଉରଜା

ଠିଆ ହୋଇ ଚାଣ୍ଡେ

ପଚାରିଲା “ଶୁଣି-

ଥିଲୁ ବଡ଼ ଦାଣ୍ଡେ ? ।୯।

ପେଟରୁ ମଲା ନା

ପକାଇଲେ ମାରି ?

ପାଇଛୁ ବାରତା

ସତେ କି ଲୋ ତାରି !” । ୧୦ ।

“ପ୍ରଭୁଙ୍କର ପରା

ଥିଲା ଭାରି ରାଗ

ପୁଅ ରଖି ଝିଅ

ମରାଇବେ ଆଗ, ।୧୧।

ପାଟମହାଦେଈ

ଦଇବ ଦୁର୍ଯୋଗେ

ପ୍ରସବିଲେ କନ୍ୟା

ଡାହାଣୀର ଭୋଗେ, ।୧୨।

ପକାଇଲେ ଦେଇ

ଠାକୁରଙ୍କୁ ଡରି,

ପାଇଥିଲେ ବାକି

ଅମୁଲ୍ୟ ସୁନ୍ଦରୀ” । ୧୩ ।

ପାରି ଶୁଣି ତାରି–

ଠାରୁ ଦୁଃସମ୍ବାଦ,

ପୁଚ୍ଛେ ପୁଣି “କାହୁଁ

ରାଣୀ ଆହାଲାଦ ।୧୪।

ପାଉଥିବେ ସହି

ସେହି ବଜ୍ର-ମାଡ଼ ?

ପଡ଼ୁଛି ହୁଗୁଳି

ଶୁଣିଲେ ଲୋ ହାଡ଼” । ୧୫ ।

ପଦେ ପଦେ ଦୁହେଁ

ହେଉଥାନ୍ତି କଥା,

ପୋତିଥାନ୍ତି କେଳି

ତୋଳିବାକୁ ମଥା । ୧୬ ।

ପୃଥୁଳ-ଶରୀରା

ବେନି ବାଉରାଣୀ,

ପିକପରି ବର୍ଣ୍ଣ,

କାକ ସମ ବାଣୀ । ୧୭ ।

ପେଣ୍ଡା ବାଳ ବନ୍ଧା

ଚଉଁରୀ ବିହୀନେ,

ପଡ଼ି ନାହିଁ ତେଲ

ତହିଁ କେବେ ଦିନେ । ୧୮ ।

ପଶିନାହିଁ କେଶେ

କଙ୍କତିକା ଦାନ୍ତ,

ପଣତ କାମନା

ଖସିବା ଏକାନ୍ତ । ୧୯ ।

ପବନଜ-ମୁଖୀ

ମନ୍ଦର-ଦଶନା

ପାରୀଦ୍ରାରି-କଟି

ନାରୀକେଳ-ସ୍ତନା ।୨୦।

ପାହାଡ଼-ନିତମ୍ବା

ପୃଥଳ-ଜଘନା

ପ୍ରଶସ୍ତ-ଚରଣା

ଚଞ୍ଚଳ-ଗମନା । ୨୧ ।

ପୃଥିବୀରେ ବେନି

ରମଣୀ ଅତୁଳା,

ପରମେଷ୍ଠୀ ସୃଜି

ତିମରେ ପିତୁଳା, ।୨୨।

ପ୍ରାଣନ୍ୟାସ କରି

ଥିବେ ଅନୁମାନ;

ପାରିବ କେ ଦେଇ

ଉପମା ସମାନ ? । ୨୩ ।

ପିଠି ବକ୍ଷ ପେଟ

ନିତମ୍ବ ଜଘନ

ପରଧାନ ଫେଇ

ଦେଖାଏ ପବନ । ୨୪ ।

ପ୍ରଶସ୍ତ-ବିହୀନ

ମଳିନ-ବସନ

ପାରିବ ବା କାହୁଁ

ଢାଙ୍କି ଅପଘନ ? । ୨୫ ।

ପ୍ରତି ବୁଦା ପାଶେ

ଅଳ୍ପ ଲଇଁ ପଡ଼ି

ପୂରାନ୍ତି ପାତ୍ରେ ସେ

କୋଳି ତଡ଼ବଡ଼ି । ୨୬ ।

ପାଚିଲା ବ୍ୟତୀତ

ନ ତୋଳନ୍ତି କଞ୍ଚା,

ପର-ଦିନକୁ ତ

ତାଙ୍କ ଲାଗି ସଞ୍ଚା ।୨୭।

ପରଶିବ ବୃକ୍ଷ

ପଚାଇ ହରଷେ,

ପକାଇବେ କିପାଁ

ତୋଳି ଲୋଭବଶେ ? । ୨୮ ।

ପଶି ଯାଉଛନ୍ତି

ଅନାୟାସେ ମାଳ (୧)

ପାଦରେ ନ ମାଡ଼ି

କଣ୍ଟକ ବିଶାଳ । ୨୯ ।

ପ୍ରବେଶିବ କିଏ

ତହିଁ ଶୁନ୍ୟପଦ (୨)

ପଦେ ପଦେ ଯହିଁ

ପଡ଼ଇ ବିପଦ । ୩୦ ।

ପରିପୁର୍ଣ୍ଣ କଣ୍ଟ–

କିତ-ବୁଦା-ଗଣ,

ପ୍ରକୃତେ ସେ ପୁଣି

ଅଟେ କ୍ଷୁଦ୍ର ବଣ । ୩୧ ।

ପ୍ରତ୍ୟେକ ପାଦପ

ବିରାଜନ୍ତି ତହିଁ,

ପିପ୍‍ପଳ ଅର୍ଜ୍ଜୁନ

ବର ଜାମୁ ମହୀ ।୩୨।

ପନସ ରସାଳ

କପିତଥ ଶ୍ରୀଫଳ

ପୁନ୍ନାଗ ଶାହାଡ଼ା

ବାହାଡ଼ା ହିଜ୍ଜଳ ।୩୩।

ପଲାଶ କଞ୍ଚନ

ବେଲ ନାଗେଶ୍ୱର

ପାଳଧୁଆ ଆଛୁ

ତାଳ ଉଦୁମ୍ବର ।୩୪।

ପିଜୁଳି କରଞ୍ଜ

ଖର୍ଜୁର ଡିମ୍ବିର

ପାଇକେରା କିଆ

ଧଳା ବେତ କ୍ଷୀର ।୩୫।

ପାଟଳୀ ବଧୁଲୀ

କଣ୍ଟାନାଗେଶ୍ୱର

ପାରିବ କେ ଗଣି

ଗିଲ କନିଅର । ୩୬ ।

ପକାଇଛି ଛନ୍ଦି

ବହୁବିଧ ଲତା

ପଡ଼ିବାକୁ ବଳି

ଜଙ୍ଗଲ ଘନତା । ୩୭ ।

ପ୍ରକୃତିର ସେହି

ସୁରମ୍ୟ ଉଦ୍ୟାନ

ପୁଷ୍ପ ବହୁବିଧ

ନିତ୍ୟ ବିଦ୍ୟମାନ, ।୩୮।

ପକ୍ୱ କଞ୍ଚା ମିଷ୍ଟ

ତିକ୍ତ ଆଦି ଫଳ

ପ୍ରତ୍ୟହ ମିଳଇ

ସେ ସ୍ଥଳେ ସକଳ । ୩୯ ।

ପିକ କେକୀ ଶୁକ

ସାରୀ ଭରତିଆ

ପାରାବତ ଚକ୍ର

ଭଦଭଦଳିଆ ।୪୦।

ପେଚକ ଡାହୁକ

ତୁତୀ କାଠହଣା

ପକ୍ଷୀଏ କରନ୍ତି

ପ୍ରକୃତି ମାଜଣା । ୪୧ ।

ପଶୁ ନାନାବିଧ

କାନନେ ଆଶ୍ରିତ

ପଶୁରାଜ ହସ୍ତୀ

ଶାର୍ଦ୍ଦୁଳ ବ୍ୟତୀତ । ୪୨ ।

ପଞ୍ଚଜାତି ମୃଗ

ଚିତାବାଘ ହେଟା

ପବନ ତନୁଜ

ଭେରେଣ୍ଡା ବାଘେଟା ।୪୩।

ପାର ହେବା ବେଳେ

ବିପିନ ପଥିକେ

ପାରିଥାନ୍ତି ଦେଖି,

ବୁଲନ୍ତି ନିର୍ଭୀକେ । ୪୪ ।

ପ୍ରସିଦ୍ଧ ସେ ମାଳ

ଜଙ୍ଗଲିଆ ବୋଲି,

ପାଳେ ଦାନ କରି

ଦ୍ରବ୍ୟ ହୁଦ ଖୋଲି । ୪୫ ।

ପୋଷି ହୋଇଥାନ୍ତି

କେତେ ନର ନାରୀ

ପାଇ ସେ ବନରୁ

ପନି ତରକାରୀ । ୪୬ ।

ପୂର୍ଣ୍ଣ ସଦା ତହିଁ

ସକଳ ଦରବ,

ପ୍ରତ୍ୟହ ଆଣନ୍ତି

ମାନବେ ସରବ। ୪୭ ।

ପ୍ରକୃତି ତ ସେହି

ସରୁଥାଏ ଯେତେ

ପୁନର୍ବାର ଜାତ

ହେଉଥାଏ ତେତେ । ୪୮ ।

ପାରିବ କେ କରି

ସେ ସ୍ଥାନୁଁ ସଂଗ୍ରହ

ପରିବାଦି କୋଳି

କାଠପତ୍ର ସହ ।୪୯।

ପଥର-ହୃଦୟ–

ଜାତି୧ ବ୍ୟତିରେକେ,

ପ୍ରତିଦିନ ଯେହୁ

ଭ୍ରମନ୍ତି ଅନେକେ । ୫୦ ।

ପାରି ତାରି ସେହି

ଜାତୀୟା ରମଣୀ

ପାରନ୍ତି ସେ ବନେ

ବୃକ୍ଷ ନାମ ଗଣି । ୫୧ ।

ପଟ୍ଟୀ ବାନ୍ଧି ଦେଲେ

ଇନ୍ଦୀବରମୁଖୀ

ପଳାଇ ପାରିବେ

ତିଳେ ନୋହି ଦୁଃଖୀ । ୫୨ ।

ପାଦେ ପଥେ ନଭେ–

ଟିବେ କଣ୍ଟା ଲଟା,

ପିଛାଡ଼ି କହିଲେ,

ଧାଇଁବେ ଓଲଟା । ୫୩ ।

ପକାଇଲେ ମାଡ଼ି

କେବେ କଣ୍ଟା ଗୋଟେ

ପାରେ ନାହିଁ ଭୁକି୨

ଭିତରକୁ ମୋଟେ । ୫୪ ।

ପଶୁ ପକ୍ଷୀ କୀଟ

ପତଙ୍ଗ ପାଦପ

ପ୍ରତ୍ୟେକେ ଜାଣନ୍ତି

ବହୁତ ଅଳପ । ୫୫ ।

 

୧ । ବାଉରୀ ବାବର ପ୍ରଭୃତି

୨ । ଗଳିଯିବା (ପ୍ରଚଳିତ ଉତ୍ତରୋତ୍କଳୀୟ ଭାଷା)

 

ପାରି ତାରି ତାଙ୍କ

ଜାତିଙ୍କ ସହିତ

ପଶୁପକ୍ଷୀଙ୍କର

ବନବାସୀ ମିତ । ୫୬ ।

ପୁରୁଷ କେହି ବା

କରଇ ଶୀକାର

ପେଟ ପୋଷଣାର୍ଥେ

ପକ୍ଷୀ ଜାତି ବାର । ୫୭ ।

‘ପ୍ରିୟ ମାରି ଦେଲା’

ଭାବି ବିହାୟସେ

ପଡ଼ନ୍ତିକି ତାଙ୍କ

କବଳେ ଅବଶେ ? ।୫୮।

ପ୍ରଥମରୁ ଜାଣି

ନ ପାରି କୁମନ୍ତ୍ର,

ପାଶେ ଖାଦ୍ୟ ବିଞ୍ଛା

ପ୍ରଭୁତି କୁଯନ୍ତ୍ର । ୫୯ ।

ପୁରୁଷ ରମଣୀ

ବାଳକ ବାଳିକା

ପାର୍ଶ୍ୱ ଗ୍ରାମୁଁ ଆସି

ପରିବା ହେରିକା ।୬୦।

ପ୍ରତିଦିନ କିଛି

ନିଅନ୍ତି ନିଶ୍ଚୟ

ପ୍ରକୃତି-ଉଦ୍ୟାନୁଁ

କରିଣ ସଞ୍ଚୟ । ୬୧ ।

ପରମ-ଈଶ୍ୱରୀ

କରୁଣା ପ୍ରସାଦୁଁ

ପାରିହୁଅନ୍ତି ସେ

ଶ୍ୱାପଦ ଆପଦୁଁ । ୬୨ ।

ପାରି, ତାରି ଆଦି

ତାଙ୍କ କୃପା କଣା

ପାଇଛନ୍ତି ବୋଲି

ନ ହୁଅନ୍ତି ବଣା । ୬୩ ।

ପାରକେଶ୍ୱରୀଙ୍କ

ନାମ ନିତ୍ୟ ନେଇ,

ପ୍ରବେଶନ୍ତି ମାଳେ

ଦରବ ଗୋଟେଇ । ୬୪ ।

ପାରକ-ଈଶ୍ୱରୀ

ଆସ୍ଥାନ ସେ ବନେ

ପଲାଶମୂଳରେ

ରାଜେ ଉଚ୍ଚାସନେ । ୬୫ ।

ପାଷାଣ-ମୂରତି

ବର୍ତ୍ତୁଳ ଆକାର,

ପରିବାରୀ ତାଙ୍କ

ଅସଂଖ୍ୟ ପ୍ରକାର । ୬୬ ।

ପ୍ରତ୍ୟେକେ ସିନ୍ଦୁର–

ପ୍ରଲିପ୍ତ-ଶରୀରା,

ପାଦୁକ- ନଳାଟି

କ୍ଷୁଦ୍ର ଅଗଭୀରା । ୬୭ ।

ପ୍ରସାଦ-କୁସୁମ,

ବେଲପତ୍ରୀ, ଜଳେ

ପୂର୍ଣ୍ଣ ସଦା କୁଣ୍ଡ

ଦେବୀ ପଦତଳେ । ୬୮ ।

ପ୍ରସ୍ତର ମଣ୍ଡପ–

ପରେ ଶୋଭମାନ

ପାରକେଶ୍ୱରୀଙ୍କ

ସୁରମ୍ୟ ଆସ୍ଥାନ । ୬୯ ।

ପାର୍ଶ୍ୱେ ଠୁଳ କେତେ

ମାଟିପୋଡ଼ା-ଘୋଡ଼ା

ପାରକେଶ୍ୱରୀଙ୍କ

ଗମନରେ ଲୋଡ଼ା ।୭୦ ।

ପଣ୍ଡାଟିଏ ତହିଁ

ବସି ବେଳେ ବେଳେ

ପୂଜା ପୂର୍ବେ ମାଟି–

ଘୋଡ଼ା ସଙ୍ଗେ ଖେଳେ । ୭୧ ।

ପଡ଼ିଥିଲେ କେହି

କାହିଁ ମୁହଁ ମାଡ଼ି

ପଙ୍କତିରେ ରଖେ

ସେବକ ସଜାଡ଼ି । ୭୨ ।

ପିତ୍ତଳ-ପାତ୍ରରେ

ରାନ୍ଧିବିରୀ—ଜାଉ,

ପୂଜା କରେ ମନ୍ତ୍ର

ବୋଲି ଟାଉ ଟାଉ । ୭୩ ।

ପ୍ରସାଦ ପାଦୁକ

ଭୋଗ ନେଇ କରେ,

ପାରକେଶ୍ୱରୀଙ୍କି

ଡାକି ଭକ୍ତି-ଭରେ, ।୭୪।

ପଛକୁ ଟିକିଏ

ଆଡ଼ ନେତ୍ରେ ଚାହିଁ,

ପୁଲକିତେ କହେ

“କର ଦେବି ! ତ୍ରାହି” । ୭୫ ।

 

ଦଶମ ସର୍ଗ

ପାଳେ ପ୍ରାଣପ୍ରୀୟା

ନୃପଜା ଯତନେ

ପ୍ରାଣରୁ ଅଧିକ

ଭାବି ହୃଷ୍ଟମନେ । ୧ ।

ପାର୍ବତୀ-ପ୍ରସାଦ,

ପ୍ରଭାବତୀ-ସୁତା,

ପାରିକଲା ପୁଣି

ଏଡ଼େ ବିପଦୁଁ ତା’ । ୨ ।

ପାଏ ମନ୍ତ୍ରି-ବଧୁ

ଅମୂଲ୍ୟ ଆନନ୍ଦ

ପୁର୍ଣ୍ଣିମାରେ ଯଥା

ଚକୋର ସାନନ୍ଦ । ୩ ।

ପୃଥିବୀ ପୃଷ୍ଠରେ

ପଡ଼ିଥିଲେ ମୀନ

ପ୍ରାଣ ବିକଳରେ

ଦେଖଇ ଦୁର୍ଦ୍ଦିନ, । ୪ ।

ପୁଣି ଜଳାଶୟ

ହୋଇଲେ ପ୍ରାପତ

ପହଁରଇ ଯଥା

ହରଷେ ସନ୍ତତ; । ୫ ।

ପ୍ରାଣପ୍ରୀୟା ତଥା

ଦୁହିତା ପରାଣ

ପାଇ ପୁନର୍ବାର

ପଣୁଁ ନରରାଣ, । ୬ ।

ପୁଲକିତ ହୁଦା

ସଦା ହରଷିତା,

ପରମ-ଆନନ୍ଦ–

ସାଗରେ ଭାସିତା । ୭ ।

ପ୍ରତିଦିନ ଆସେ

ପାଟରାଣୀ ବାସ,

ପୂରିତ ହରଷେ

ହୃଦୟ-ଆକାଶ । ୮ ।

ପୂର୍ଣ୍ଣ-ଚନ୍ଦ୍ରାନନ

ବିମଳ ସଲିଳେ

ପ୍ରତିବିମ୍ବିବାକୁ

ସୁତା ପାଶେ ମିଳେ । ୯ ।

ପରାଣେ ପରାଣ

ମିଶାଇ ଆନନ୍ଦ

ପଦ୍ମ-ନେତ୍ରୁଁ ପିଏ

ପ୍ରେମ-ମକରନ୍ଦ । ୧୦ ।

‘ପ୍ରକୃତି ନବୀନ,’

ଚିରନ୍ତନ ରୀତି

ପ୍ରଭାବେ ବେନିଏ

ଶୋଭୁଥାନ୍ତି ନିତି । ୧୧ ।

ପ୍ରାଣପ୍ରିୟା ତାଙ୍କ

ଦେଖଇ ରହସ୍ୟ,

ପଦେ ଅଧେ କେବେ

ଭାଷଇ ଅବଶ୍ୟ । ୧୨ ।

ପଞ୍ଚେନ୍ଦ୍ରିୟ କ୍ରମେ

କରିବାକୁ କ୍ରୀଡ଼ା

ପ୍ରଭାବତୀ ଦେଖି

ଲଭେ ହୁଦେ ବ୍ରୀଡ଼ା । ୧୩ ।

ପ୍ରାଣପ୍ରିୟା ପାଶେ

ଥିଲେ ସ୍ମିତହାସ୍ୟେ ।

ପ୍ରେମ ତାଳେ ଧନୀ

ନୀରବ-ପ୍ରକାଶ୍ୟେ । ୧୪ ।

ପ୍ରଫୁଲ୍ଲ-ବଦନା

ନନ୍ଦିନୀ ନୀରେଖି,

ପୂର୍ଣ୍ଣାନନ୍ଦେ ହୃଦେ

ଆଶା ଦିଏ ଲେଖି । ୧୫ ।

ପକାଇ ଆପଣା

ସ୍କନ୍ଧେ କେତେବେଳେ

ପହଣ୍ଡରେ ଭ୍ରମି

ସୁତା ସଙ୍ଗେ ଖେଳେ । ୧୬ ।

ପିଆଇବ କ୍ଷୀର

ଭାବି କେବେ ରାଣୀ

ପ୍ରାଣେଶ ଜାଣିବା

ଭୀତି ପୁଣି ଆଣି । ୧୭ ।

ପାସୋରଇ ସେହି

ସ୍ୱର୍ଗୀୟ ବାସନା,

ପ୍ରକାଶ୍ୟେ ସମୁଳେ

ହୋଇପାରେ ହଣା । ୧୮ ।

ପାଏ ନାହିଁ କନ୍ୟା–

ପାଳନ-ସନ୍ତୋଷ,

ପାଞ୍ଚେ ପୂର୍ବେ କିଛି

କରିଥିଲି ଦୋଷ । ୧୯ ।

ପବିତ୍ର-ଆନନ୍ଦ–

ସ୍ରୋତରେ ସନ୍ତରି,

ପାଉଥାଏ ମାତ୍ର

ସୁପ୍ରେମ-ଲହରୀ । ୨୦ ।

ପୁତ୍ରୀ ପଦ୍ମ-ମୁଖ

ହାସ୍ୟ ପ୍ରକାଶନ

ପ୍ରଭାବତୀ ନେତ୍ରେ

କରଇ ନର୍ତ୍ତନ । ୨୧ ।

ପ୍ରତିଫଳେ ପୁଣି

ନନ୍ଦିନୀ ନୟନେ,

ପିଅନ୍ତି ବେନିଏ

ପ୍ରେମ ହୃଷ୍ଟ ମନେ । ୨୨ ।

ପ୍ରତିଦିନ ନବ

ମନୋହର ରଙ୍ଗ

ପ୍ରକଟାଏ ସୁତା

ଦୋହଲାଇ ଅଙ୍ଗ । ୨୩ ।

ପାଦ ଟେକ ପୁଣି

କଚାଡ଼େ ଭୂତଳେ

ପ୍ରକାଶି ବିରକ୍ତି

କି ଭାବ ବିହ୍ୱଳେ; । ୨୪ ।

ପାଟି କରି ରମ୍ୟ

ଅବ୍ୟକ୍ତ ନିସ୍ୱନେ,

ପାଇ ଅଙ୍ଗେ କ୍ଲେଶ

ସର୍ବଦା ଶୟନେ, । ୨୫ ।

ପୃଥିବୀକୁ କହି

ପ୍ରହାରେ କି ଧନୀ ?

‘ପୃଷ୍ଠେ ନ ଶୁଆଇ,

ଚଳା ରେ ଧରଣି !’ । ୨୬

ପଦ ଶକ୍ତ ଅବା

ହେବାକୁ ବିଚାରି

ପିଟେ, ବୀର ଯଥା

ଶକ୍ତ-ବାହୁ ମାରି ।୨୭।

ପ୍ରବଳ କାଠିନ୍ୟ

ଲଭେ ବର ଭୁଜେ,

ପଟା ମାଡ଼େ ହାଣ୍ଡି

କୁମ୍ଭକାର ସୃଜେ । ୨୮ ।

ପଦ କ୍ରମେ ହେଲା

ଯହୁଁ ସୁକଠିନ,

ପ୍ରକାଶିଲା କ୍ରୀଡ଼ା

ଅବ୍ୟକ୍ତ ନବୀନ । ୨୯ ।

ପେଟେଇବା ଚେଷ୍ଟା

କରି ବାରମ୍ବାର

ପାର୍ଶ୍ୱ ଲେଉଟାଏ

ଅଦ୍ଭୁତ ପ୍ରକାର । ୩୦ ।

ପାଦେ ଠେଲି ଭୂମି

ଗମଇ ସମ୍ମୁଖେ

ପେଟ ହାତ ଭରା

ଦେଇ ମହା ସୁଖେ । ୩୧ ।

ପେଟ ଉଠାଇଲା

ଧୀରେ ସେ ଭୂତଳୁ

ପାଟି ଭିଡ଼ି, ମୃଦୁ

କୁନ୍ଥନର ବଳୁଁ । ୩୨ ।

ପକାଇଲା ଡାକ

ପ୍ରଥମେ ‘ମାଆ ମା’

ପରଠାରୁ ଶୁଣି

‘ଆସି କାଖିଆ ମା’ । ୩୩ ।

ପିଣ୍ଡା ଦାଢ଼ପାଶେ

ତଳକୁ ଅନାଇ,

ପ୍ରସାରେ କର କି୧

ଆଣିବାକୁ ଯାଇ । ୩୪ ।

ପାଏ ଯାହା ତାହା

କ୍ଷଣେ ଦିଏ ଭକ୍ଷି

ପଦାର୍ଥ ପ୍ରକୃତି

ମୁଣୋହୁଁ ନ ଲକ୍ଷି । ୩୫ ।

ପିତା କଷା କଟ

ଖାଇ ନୃପସୂତା,

ପାରୁ ବା ନ ପାରୁ

ଜାଣି କି ସ୍ୱାଦୁ ତା’, ।୩୬।

ପାଟି ବିକୃତିକୁ

ଦେଖାଇ ନନ୍ଦିନୀ,

ପ୍ରକାଶେ ‘ରସନା

ସ୍ୱାଦ ପ୍ରକାଶିନୀ । ୩୬ ।

ପଦ ହସ୍ତ ଭାରେ

ଚଳିଲା ସେ ଧୀରେ

ପ୍ରକଟାଇ ପଶୁ

ଗମନ ବିଧିରେ । ୩୮ ।

ପଥେ ଦେଖି କିଛି

ଫୁଲ ଦର୍ପଭରେ

ପକାଏ ଗୋଟାଇ

ଅତ୍ୟନ୍ତ ଆଦରେ, ।୩୯।

‘ପଡ଼ିଅଛୁ କିପାଁ

ମୋ ବାଟରେ’ କହି

ପଦାର୍ଥ ନିଏ କି

ଟିକିଏ ନ ରହି ? । ୪୦ ।

ପାଏ ଯେବେ କେବେ

ନିକଟେ ଏରୁଣ୍ଡି

ପଲକେ ଗମଇ

ତା’ପାଶେ ଗୁରୁଣ୍ଡି । ୪୧ ।

ପାପୁଲି ପକାଇ

ତା’ପରେ ଦୁହିତା,

ପଦ୍ମ-ମୁଖ ଟେକି

ହୁଏ ସମୃତ୍‍ଥିତା । ୪୨ ।

ପରମ ଆନନ୍ଦ

ଲଭେ ସେହିକ୍ଷଣି

ପାରିବାରୁ ଉଠି

ପିଠିରୁ ଧରଣୀ । ୪୩ ।

ପୋଷି ପ୍ରଭାବତୀ

ସନ୍ଦେହ ହୃଦୟେ,

ପୁତ୍ରୀ ନାମ ଦେଇ

ନ ଥିଲେ କି ଭୟେ । ୪୪ ।

ପ୍ରବେଶିଲା ଯହୁଁ

ଶରଦେ ଆଶ୍ୱିନ,

ପାଞ୍ଚେ ପାଟରାଣୀ

‘ପାଇଲି ସୁଦିନ’ । ୪୫ ।

ପୂର୍ଣ୍ଣ ଷଡ଼ ମାସ

ତନୟା ବୟସ,

ପାଳିବି ପ୍ରତିଜ୍ଞା

ଏ ମାସେ ଅବଶ୍ୟ । ୪୬ ।

ପତି ପାଶେ ପର–

କାଶି ବ୍ରତ ବିଧି

ପୁରୀ-ପୀଠେ ମୋର

ରଖିବି ମୁଁ ସିଦ୍ଧି । ୪୭ ।

‘ପୂରୁବ କାମନା’

ଭାଷି ନୃପ ପାଶେ,

ପୂଜିବି ବିମଳା

ନନ୍ଦିନୀ ସକାଶେ । ୪୮ ।

ପୂଣ୍ୟ ପୀଠ ଖ୍ୟାତି–

ବର୍ଦ୍ଧନ-ବର୍ଣ୍ଣନ

ପ୍ରାଣେଶଙ୍କୁ କରା–

ଇବ ତୁଷ୍ଟ ମନ । ୪୯ ।

ପାରିବି ଅକ୍ଲେଶେ

ନେଇ ଅନୁମତି

ପ୍ରଭାଙ୍କର ଯେଣୁ

ରହିଛି ସମ୍ମତି । ୫୦ ।

 

Unknown

ଏକାଦଶ ସର୍ଗ

ପ୍ରବେଶିଲା ରମ୍ୟ

ଦ୍ୱିତୀୟ-ବସନ୍ତ୧,

ପ୍ରଶାନ୍ତ ଅଗସ୍ତି

ନଭେ ଦୀପ୍ତିମନ୍ତ ।୧ ।

ପ୍ରକୃତି ପିନ୍ଧିଲା

ଧବଳ ବସନ

ପ୍ରାବୃଟ ଯାତନା

କରି ବରଜନ । ୨ ।

ପାସୋରି ଜଳଦ

ଭୀମ ଗରଜନ,

ପ୍ରକାଶିଲା ଦିବ୍ୟ

ସୁ-ଶୁଭ୍ର ବରଣ । ୩ ।

ପାଲଟିଲା ଏବେ

ତା’ କଜ୍ୱଳ କାନ୍ତି

ପ୍ରାଣୀ ହୃଦୁଁ ଫେଡ଼ି

ଦେବାକୁ ବିଭ୍ରାନ୍ତି । ୪ ।

ପରମ ସୁନ୍ଦର

ଧବଳ ବିମାନ

ପ୍ରଶାନ୍ତ ସାଗରେ

ବୋଇତ ସମାନ ।୫।

ପୂରାଇ ହୃଦୟେ

ଭାନୁ-କର-ଜାଳ,

ପ୍ରବାହିତ ବାତେ

ବ୍ୟୋମେ ମେଘମାଳ । ୬ ।

ପଥୁ ପଙ୍କ ଶୁଷ୍କ

ହେବାରୁ ଭୁତଳ

ପାଲଟିଲା ଶୁଭ୍ରେ

କର୍ଦ୍ଦମ କଜ୍ୱଳ । ୭।

ପରିଷ୍କୃତ ଦିଶେ

ସୁନୀଳ ଗଗନ

ପ୍ରତିକ୍ଷଣେ କରି

ସୁ-ଶୋଭା ଧାରଣ । ୮ ।

ପ୍ରଦୋଷ ପ୍ରଭାତେ

ବିଚିତ୍ର-ମୂରତି

ପଶ୍ଚିମ ପୂରୁବ

ଦିଗ ତ୍ରୋଡ଼େ ଅତି । ୯ ।

ପ୍ରଜ୍ଜ୍ୱଳେ ମଧ୍ୟାହ୍ନେ

ମିହିର କିରଣେ,

ପ୍ରାପ୍ତ ରାତ୍ରେ ଶାନ୍ତି

କୌମୁଦୀ ବରଣେ । ୧୦ ।

ପ୍ରଥମାର୍ଦ୍ଧ ଶେଷ

ହେବାରୁ ଶରଦ

ପୃଥିବୀ ନ ଶୁଣେ

ଦର୍ଦ୍ଦୁର ଶବଦ । ୧୧ ।

ପରିବର୍ତ୍ତେ ହଂସ

ମରାଳ ସାରସ

ପହଁରି ସଲିଳେ

ଦିଅନ୍ତି ହରଷ ।୧୨।

ପ୍ରାଣୀଙ୍କି ଶୁଣାଇ

ସୁଲଳିତ ସ୍ୱନ,

ପ୍ରାଣୀପ୍ରତି ହୋଇ

ଶୁକଳ ବସନ । ୧୩ ।

ପଦ୍ମ କୁମୁଦାଦି

ଫୁଟି ସରୋବରେ,

ପୁଷ୍କରିଣୀ ଶୋଭା

ବଢ଼ାଇଲେ ଖରେ । ୧୪ ।

ପ୍ରାଚୀର-ଘେରିତ

ରମ୍ୟ ପୁଷ୍ପୋଦ୍ୟାନ

ପ୍ରଚୁର ଧବଳ

ପୁଷ୍ପେ ଶୋଭମାନ । ୧୫ ।

ପେଣ୍ଡା ପେଣ୍ଡା ଶୁଭ୍ର

କୁସୁମ ମାଳତୀ,

ପ୍ରବାଳ-ବୃନ୍ତକ

ଶେଫାଳିକା ସତୀ ।୧୬।

ପବିତ୍ର ଉଜ୍ଜ୍ୱଳ

ସୁକୋମଳ ଦଳେ

ପଲକେ ଆକର୍ଷେ

ଜନ ନେତ୍ର ବଳେ । ୧୭ ।

ପଲ୍ଲବିତ ଘନ

ଟଗର ଶ୍ରୀକୋଳେ

ପୁଷ୍ପଗୁଚ୍ଛ ସ୍ୱଚ୍ଛ

ବାତେ ଖେଳେ ଭୋଳେ । ୧୮ ।

ପାର୍ଶ୍ୱେ କୁସୁମିତ

ଶ୍ୱେତ କରବୀର

ପତ୍ରାଳି ଯାହାର

କାମ ତୀକ୍ଷଣ ତୀର । ୧୯ ।

ପ୍ରାନ୍ତରେ ପୁଷ୍ପିତ

କାଶ-ତଣ୍ଡୀ-ମାଳ

ପିଣ୍ଡ ପ୍ରାଣ, ନେତ୍ର

ଆକର୍ଷି ବିଶାଳ ।୨୦।

ପବିତ୍ର ନିର୍ମଳ

ଉଜ୍ଜ୍ୱଳ ସୁଭାବ

ପ୍ରଚାରଇ ଲଭି

ସୂର୍ଯ୍ୟ ସଦଭାବ । ୨୧ ।

ପ୍ରଦ୍ୟୁମ୍ନ ଚାମର

ଧରି କି ଶରଦେ

ପୃଥିବୀ ସମ୍ମୁଖେ

ଢାକେ ପ୍ରେମ ମଦେ ? । ୨୨।

ପ୍ରଫୁଲ୍ଲ ମଦନ–

କଟାରି ଅଗସ୍ତି

ପଞ୍ଚମୀ-ସୁଧାଂଶୁ–

ମଞ୍ଜରୀ ପ୍ରଶସ୍ତି ।୨୩।

ପଚାରଇ ରୌପ୍ୟ

କାନ୍ତି ପ୍ରଦର୍ଶନେ,

ପଞ୍ଚଶର ସୃଷ୍ଟି

କଲା କି ଶାସନେ ? । ୨୪ ।

ପୀତ ଜ୍ୟୋସ୍ନୀ-ପୁଷ୍ପ

ପ୍ରତି ଛାତ, ବାଡ଼େ

ପ୍ରଦୋଷରେ ଫୁଟି

ସୌନ୍ଦର୍ଯ୍ୟ ଅଜାଡ଼େ । ୨୫ ।

ପତ୍ର-ଶ୍ୟାମ-ଶଯ୍ୟା

ସଜାଇ କି ଜ୍ୟୋସ୍ନୀ

ପ୍ରଜାଗେ ବାସକ–

ସଜ୍ଜା ପରି ଜ୍ୟୋସ୍ନୀ୨? । ୨୬ ।

ପଲ୍ଲବିତ ନାନା–

ବିଧ ବାଡ଼ ତ୍ରୋଡ଼େ

ପଥିକ ମାନସ

ହରିବାକୁ ଲୋଡ଼େ ।୨୭।

ପୁଷ୍ପାୟୁଧ-କଳ୍ପ–

ସଂକଳପ-ପାତ୍ରୀ

ପୁଷ୍ପ ଶ୍ରୀଅପରା–

ଜିତା ବରଣା ତ୍ରି । ୨୮ ।

ପଞ୍ଚାଙ୍ଗୁଳି ପୁଷ୍ପ

କାହିଁ ଲତାକୋଳେ

ପଞ୍ଚବିଧ ରଙ୍ଗେ

ବାତେ ଖେଳେ ଭୋଳେ । ୨୯ ।

ପଲ୍ଲୀ ପାର୍ଶ୍ୱେ କାଠ–

ରଙ୍ଗିଣୀ,ବଧୁଲୀ

ପାତ୍ରରେ ପିଲାଏ

ଭରି ତୋଳି ବୁଲି ।୩୦।

ପାର୍ଥକ୍ୟ ଦେଖନ୍ତି

ବେନି ପୁଷ୍ପ ରଙ୍ଗ,

ପରାସ୍ତ କା’ପାଶେ

କାହାର ସୁରଙ୍ଗ । ୩୧ ।

ପଦ୍ମିନୀ-ରମଣୀ

ଅଧର ରକ୍ତିମା

ପାଇ ସେ ବନ୍ଧୁକ

ଦେଖାଏ ଗରିମା । ୩୨ ।

ପିଲାଏ ଭାବନ୍ତି

ଏହି ସେ ସୁନ୍ଦର,

ପର-ଗୁଣ-ହାରୀ

ଲଭଇ ଆଦର । ୩୩ ।

ପ୍ରତି ସ୍ଥାନେ ଧରା

ଦିଶେ ରମଣୀୟ

ପାଇ ଶରଦର

ସଭାବ ଅମୀୟ । ୩୪ ।

ପ୍ରକୃତେ ଭାଦ୍ରବ–

ପୂର୍ଣ୍ଣିମା ପବିତ୍ର,

ପ୍ରଭାତୁଁ ପ୍ରଦୋଷ

ଯାଏଁ ସଦା ମିତ୍ର ।୩୫।

ପ୍ରକାଶି ଗଗନେ

ସ୍ୱଶିଳ୍ପ ଚାତୁରୀ

ପ୍ରାଣୀ ଦୁର୍ଭାବନା–

ଆବୃତି କତୁରି ।୩୬।

ପ୍ରଦାନ କରଇ

ଅପୂର୍ବ ହରଷ,

ପିଅଇ ନିରେଖି

ନର ଶାନ୍ତି ରସ । ୩୭ ।

ପ୍ରବେଶ ନ କରୁଁ

ଜଗତେ ରଜନୀ

ପୂର୍ବ-ଦିଗଙ୍ଗନା

କୌମୁଦୀ-ବରଣୀ ।୩୮।

ପୃଥିବୀକୁ ଦେଲା

ରଜତ ଚନ୍ଦ୍ରମା,

ପରାସ୍ତ ଯା’ପାଶେ

ସଂସାର ସୁଷମା । ୩୯ ।

ପରିପୂର୍ଣ୍ଣ ହେଲା

ମାନବ ଅନ୍ତର

ପୂର୍ଣ୍ଣ-ଶାନ୍ତି-ରସେ

ଲଭି କି ମନ୍ତର । ୪୦ ।

ପୃଷ୍ଠେ ବହୁ ଦୂରେ

ମହା ଘୋର ଚିନ୍ତା

ପକାଇ ସରବେ

ହୋଇଲେ ଅଚିନ୍ତା । ୪୧ ।

ପିଇଲେ ଚନ୍ଦ୍ରଙ୍କୁ

ଚାହିଁ ଦିବ୍ୟ ସୁଧା

ପବିତ୍ରା ହୋଇଲା

ତା’ଦେଖି ବସୁଧା । ୪୨ ।

ପୁରୋଭାଗେ କ୍ରମେ

ହୋଇ ଅଗ୍ରସର,

ପ୍ରଭୁତ୍ୱ ବିସ୍ତାର

କଲେ ସୁଧାକର । ୪୩ ।

ପ୍ରତି ପହଣ୍ଡରେ

ଜ୍ୱଳିଲେ ଦୀପାଳି,

ପୂତ କଲେ କର୍ଣ୍ଣ

ଶ୍ରୀ-କମ୍ଭୁ କାହାଳୀ ।୪୪।

ପ୍ରାଣହରା ସ୍ୱନ

ଶୁଣାଇ କ୍ଷଣକେ

ପକାଇ ଆଶିଷ

ମନୁଷ୍ୟ ମସ୍ତକେ । ୪୫ ।

ପରଶିଲା ଜନେ

ଧୂପ-ଦୀପ-ଗନ୍ଧ

ପ୍ରବାହିତ ହୋଇ

ବାତ ମନ୍ଦ ମନ୍ଦ । ୪୬ ।

ପାଲିଙ୍କି ଆରୋହି

ଏକାଳେ ନୃପତି

ପରାପୂର ପ୍ରଭୁ

ଦର୍ଶନେ ତୃପତି– ।୪୭।

ପ୍ରାପ୍ତି ଆଶା ପୋଷି,

ପ୍ରବେଶି ମନ୍ଦିରେ,

ପଣ୍ଡାଙ୍କୁ ସଙ୍ଗତେ

ବିଜେ କଲେ ଧୀରେ । ୪୮ ।

ପାର୍ଶ୍ୱେ ଛନ୍ତି ରାଜ–

ଗୁରୁ ସଭାସଦ,

ପିଉଛନ୍ତି ସର୍ବେ

ଅମୀୟ-ଆନନ୍ଦ । ୪୯ ।

ପକ୍ଷିରାଜ-ସ୍ତମ୍ଭ–

ପୃଷ୍ଠେ ଉଭା ରହି

ପ୍ରଭୁଙ୍କୁ ନିରେଖି

ମନେ ମନେ କହି ।୫୦।

‘ପଡ଼ିଥିବ ସଦା

କୃପା ଦୃଷ୍ଟି ଦାସେ’

ପୁରତେ ଚଳିଲେ

ନୃପ ମହୋଲ୍ଲାସେ । ୫୧ ।

ପରମ ପବିତ୍ର

ସିଂହାସନ ତଳ

ପ୍ରଣମି ସମର୍ପି

ହୃଦୟ-କମଳ, ।୫୨।

ପୃଥକ ଭାବରେ

ଆଳତୀ କାହାଳ

ପୂଜା ଧୂପ ଦୀପ

ଗନ୍ଧ ପୁଷ୍ପମାଳ ।୫୩।

ପରମାତ୍ମା ପଦେ

ଅର୍ପି ନରପତି,

ପ୍ରତ୍ୟାବୃତ ହେଲେ

ବରଜି ଭକତି । ୫୪ ।

ପ୍ରତି ଆଗମନ

କଲେ ଦକ୍ଷ-ଦ୍ୱାରେ

ପରିକ୍ରମିବାକୁ

ମନ୍ଦିର ଶ୍ରଦ୍ଧାରେ । ୫୫ ।

ପାର୍ଶ୍ୱ-ଦେବ-ଦେବୀ

ମୁକତି-ମଣ୍ଡପ

ପାଦ ପଦ୍ମ ଆଦି

ସମୀପେ ଅଳପ ।୫୬।

ପକାଇ ଶ୍ରୀଦୃଷ୍ଟି

ବିମଳା ଆଳୟେ

ପ୍ରବେଶିଲେ ଦିବ୍ୟ

ନିର୍ମଳ ହୃଦୟେ । ୫୭ ।

‘ପାରି କର ମା ଗୋ’

ମନେ ମନେ ଭାଷି,

ପହୁଞ୍ଚିଲେ ଦେବୀ

ପଦତଳେ ଆସି । ୫୮ ।

ପାରିଜାତ ପୁଷ୍ପ

ଦେବୀ ଉତ୍ତମାଙ୍ଗୁ

ପଡ଼ିଲା ପ୍ରପଦେ

କେଉଁ ଅନୁରାଗୁ ।୫୯।

ପୁରୀପତି ନେତ୍ର–

ଗତି ଜ୍ଞାତସାରେ,

ପଡ଼େ ଯଥା ଲାଞ୍ଜି–

ଉଲକା ସୁସିଧାରେ ।୬୦।

ପବନ ନଥାଇ

କୃଷ୍ଣ-ମେଘ କୋଳୁଁ

ପାଇ ଜ୍ୟୋସ୍ନା ରକ୍ତ

ଦିଶି ହର୍ଷ ଭୋଳୁ । ୬୧ ।

ପଣ୍ଡା ସେହିକ୍ଷଣି

ଉଠାଇ ଶ୍ରୀକରେ,

ପ୍ରଭୁ କରେ ଦେଲା

ଅତ୍ୟନ୍ତ ଆଦରେ । ୬୨ ।

‘ପ୍ରସାଦ ଏ ଅଟେ

ମାତା ଅନୁଗ୍ରହ’

ପାଞ୍ଚ ମନେ ନୃପ

ଗୁରୁଦେବ ସହ, ।୬୨।

ପ୍ରଣମି ଫେରିଲେ

ମହା ହୁଷ୍ଟମନେ

ପଶ୍ଚିମ ଉତ୍ତର

ବେଢ଼ା ଦରଶନେ । ୬୪ ।

ପଦ୍ମା ସରସ୍ୱତୀ

ମିହିର ଶୀତଳା

ପର୍ଶୁରାମ ଘଣ୍ଟା

ତୁଳସୀ ସରଳା ।୬୫।

ପ୍ରଭୁତି ପ୍ରତ୍ୟେକ

ମନ୍ଦିରେ ପ୍ରବେଶି,

ପ୍ରାଣ-ପୁଷ୍ପ-ଭକ୍ତି

ଶ୍ରୀପଦେ ନିବେଶି, ।୬୬।

ପୁନର୍ବାର ଯାନେ

ଚଢ଼ି କଲେ ବିଜେ

ପତ୍ନୀ କରେ ପୁଷ୍ପ

ଦେବେ ଭାବି ନିଜେ । ୬୭ ।

ପଥେ ପ୍ରଶ୍ନ କଲେ

ଶ୍ରୀ ଗୁରୁଙ୍କୁ ଚାହିଁ,

‘ପୁଷ୍ପ ଶକ୍ତି ଶିରୁ

ଖସିଲା କିମ୍ଫାଇଁ ? । ୬୮ ।

ପ୍ରାଣ ସେହି କାଳୁଁ

ହେଉଛି ବ୍ୟାକୁଳ

ପରେ କିବା ଦେବେ

ପ୍ରଭୁ ଆଦିମୂଳ’ । ୬୯ ।

ପ୍ରଶ୍ନ ଶୁଣି ଗୁରୁ

ହୋଇଲେ ଭାବିତ

ପ୍ରସଙ୍ଗ ଅବଶ୍ୟ

ରହସ୍ୟ ମିଶ୍ରିତ । ୭୦ ।

ପକ୍ଷୀ ବସିବାକୁ

ପଡ଼ିଗଲା ତାଳ

ପାଇଲା ଆନନ୍ଦ

ଭାବି ସେ ବିଶାଳ । ୭୧ ।

ପ୍ରଭୁ ସେହିପରି

କୁସୁମ ପତନ

ପ୍ରସଙ୍ଗ ନିଜର

ଭାବିଲେଣି ମନ ।୭୨।

ପୂର୍ଣ୍ଣ ବିଶ୍ୱାସର

ହୋଇ ବଶବର୍ତ୍ତୀ,

ପଚାରିଲେ ପ୍ରଶ୍ନ

ଯିବା ଲାଗି ବର୍ତ୍ତି । ୭୩ ।

ପରିତୃପ୍ତ ଯେବେ

ନ କରିବି ନୃପେ,

ପରିଣତ ହେବ

ବିଶ୍ୱାସ ବିଦ୍ରୂପେ । ୭୪ ।

ପରିଣାମ କହି

କରାଇବି ତୋଷ

ପରେ ଯେଉଁପରି

ନ ଲାଗଇ ଦୋଷ । ୭୫ ।

ପ୍ରକୃତି ଶ୍ରୀଅଙ୍ଗୁ

ପଡ଼ିଛି ସୁମନ

ପ୍ରକୃତିଜା ପାଟ–

ରାଣୀଙ୍କର ମନ ।୭୬।

ପ୍ରସନ୍ନ କି ଅବା

ହେବ ବିଷାଦିତ,

ପ୍ରଫୁଲ୍ଲ ହେବାହିଁ

ସମ୍ଭବ ନିଶ୍ଚିତ । ୭୭ ।

ପ୍ରଭାବତୀ ରଖି–

ଥାନ୍ତି ଦୃଢ଼ ଭକ୍ତି,

ପାର୍ବତୀ ନିକଟେ

କହି ‘ଜୟ ଶକ୍ତି’ । ୭୮ ।

ପୁତ୍ର-ଲାଭ ହେବ

ବିଶ୍ୱାସ ଅଚିରେ

ପ୍ରଭୁ ମଧ୍ୟ ତୁଷ୍ଟ

ହେବେ ଏ ଉକ୍ତିରେ । ୭୯ ।

ପଣ୍ଡିତ-ରତନ

ଦ୍ୱିଜ ରାଜଗୁରୁ

ପକ୍ଷ୍ମ ସହିତରେ

ଟେକି ବେନି ଭୂରୁ ।୮୦।

ପ୍ରଭୁ ପାଶେ ଧୀରେ

ଭାବି ଏହିପରି

ପଦେ ବଖାଣିଲେ

“ଚଳନ୍ତା ଶ୍ରୀହରି !. ।୮୧।

ପ୍ରଭାବତୀ ଗର୍ଭୁ

ହେବ ଜାତ ସୁତ

ପୁଷ୍ପ ଦୁର୍ଗା ଶିରୁଁ

ପ୍ରାପ୍ତ ଅଦଭୁତ । ୮୨ ।

ପ୍ରଥମ ଗରଭ

କରାଇ ବିନାଶ

ପ୍ରଭୁ ହୋଇଛନ୍ତି

ପ୍ରଥମୁଁ ନିରାଶ ।୮୩।

ପୁତ୍ର ଦେବେ ଦୁର୍ଗା

ଏଥର ନିଶ୍ଚୟ

ପଦେ ତାଙ୍କ ତବ

ରଖିବାକୁ ଲୟ । ୮୪ ।

ପରମ ଭକତି

ଅରପିଲେ ଛାମୁ

ପୁତ୍ର ଅର୍ପି ଦୁର୍ଗା

ତାରିବେ ଏ ଧାମୁଁ” । ୮୫ ।

 

ଦ୍ୱାଦଶ ସର୍ଗ

ପ୍ରବେଶି ଚୁଡ଼ଙ୍ଗ

ଶୟନ ମନ୍ଦିରେ

ପତ୍ନୀକି ଭାଷିଲେ

ହସି ହସି ଧୀରେ ।୧।

“ପ୍ରାଣେଶ୍ୱରି ! ପ୍ରଭା

ଶ୍ରୀଅଙ୍ଗୁ ପ୍ରସାଦ

ପ୍ରପଦେ ପଡ଼ନ୍ତେ

ଲଭି ଆହାଲାଦ ।୨।

ପଣ୍ଡା ଦେଲା ମୋତେ

ଦରଶନ ବେଳେ,

ପୁତ୍ର ଆଶା ତେଣୁ

ହୃଦ-ରାଜ୍ୟେ ଖେଳେ । ୩ ।

ପାଇଛନ୍ତି ଯାହା

ନିଅ ଗୋ ସୁନ୍ଦରି !

ପାର୍ବତୀ ମହିମା

ହୃଦୟେ ସୁମରି” । ୪ ।

“ପାରିବି କି କଳି

ପ୍ରଭୁ ! ହୋଇ ନାରୀ

ପାର୍ବତୀ କିପରି

ପାରଇ ଉଦ୍ଧାରି । ୫ ।

ପରମ ଭକତି

ଢାଳି ତାଙ୍କ ପଦେ

ପ୍ରସାଦ ରଖୁଛି

ମାତ୍ର ମୁଁ ଆନନ୍ଦେ” । ୬ ।

ପ୍ରଭାବତୀ ଏହା

କହି ଭକ୍ତିଭରେ

ପ୍ରାଣେଶ୍ୱର କରୁଁ

ପୁଷ୍ପ ନେଲେ ଖରେ । ୭ ।

ପାଞ୍ଚିଲେ ହୃଦୟେ

ପ୍ରବେଶ ସୁଯୋଗ,

ପୂଜିବି ବିମଳା

ଦେଇ ବଳି ଭୋଗ । ୮ ।

ପହୁଡ଼ି ନରେଶ

ମାତଙ୍ଗ-ଦଶନ–

ପଲଙ୍କେ ଭାଷିଲେ

“ଆସ ପ୍ରାଣଧନ । ୯ ।

ପାଳିବା ମଦନ

ଶାସନ-ପ୍ରଣାଳୀ

ପ୍ରାଣୀଗଣେ ଯେହୁ

କ୍ଷଣେ ପାରେ ଜାଳି । ୧୦ ।

ପଞ୍ଚଶର ବିନ୍ଧ

ସୁତୀକ୍ଷଣ ସାୟକ

ପିଣ୍ଡେ ଜନ୍ମାଉଛି

ଅଦ୍ଭୁତ ଚମକ । ୧୧ ।

ପ୍ରତିଶର ତାର

ନ କଲେ ସୁନ୍ଦରି !

ପଲକ ମଧ୍ୟରେ

ଦେବ ଧ୍ୱଂସ କରି” । ୧୨ ।

ପ୍ରଭାବତୀ ଜାଣି

ପ୍ରାଣେଶ ଅସ୍ଥିର

ପ୍ରଦ୍ୟୁମ୍ନ କମାଣେ,

ଗତି କରି ଧୀର ।୧୩।

ପଦ ପାର୍ଶ୍ୱେ ବସି

ସୁଧୀରେ ଘର୍ଷଣ

ପ୍ରଭୁଙ୍କର କଲେ

ମୋହିବା କାରଣ । ୧୪ ।

ପ୍ରାଣକୁ ନିଜର

କଲେ ସୁକଠୋର

ପାରିବାକୁ ସହି

କାମ ବାଣ ଘୋର । ୧୫ ।

ପକାଇବେ ଭାବି

ପ୍ରାଣେଶଙ୍କୁ ପାଶେ

ପାଦ ଘଷିଲେ ସେ

ବିଳମ୍ବ ସକାଶେ । ୧୬ ।

ପ୍ରଶ୍ନ କରିବାର

ଇଚ୍ଛା ଥିଲା ପରି

ପ୍ରକାଶିଲେ ଭାବ

ଅଙ୍ଗଭଙ୍ଗୀ କରି । ୧୭ ।

ପାରିଲେ ତା’ ଜାଣି

ପୁରୀ କ୍ଷେତ୍ରପତି

ପ୍ରିୟା ଯେଣୁ ଏଣେ

କରେ ମନ୍ଦ ଗତି । ୧୮ ।

ପୁଚ୍ଛିଲେ ସମ୍ବୋଧି

“ଜୀବନଈଶ୍ୱରି !

ପ୍ରାଣାଧିକାଧନ !

ପକ୍ୱବିମ୍ବାଧରି ! ।୧୯।

ପୁରାଇଛୁ ହୃଦେ

କେଉଁ ଭାବ ରାଶି ?

ପ୍ରକାଶ ନ କଲେ

ଯିବ ସିନା ଭାସି ।୨୦।

ପ୍ରାଣ ମୋର ମହା–

ଦୁଃଖ-ପାରାବାରେ,

ପରାଣସଜନି !

ରାଣ ତୋତେ ବାରେ । ୨୧ ।

ପୁତ୍ର ପ୍ରାପ୍ତ ଆଶା

ହେବାରୁ ଜାଗ୍ରତ

ପ୍ରଦ୍ୟୁମ୍ନ କିଙ୍କରେ

କରି କରଗତ ।୨୨।

ପକାଉଛି ଘୋର

କାମ-କାଳାନଳେ,

ପଦେ ସୁଧାବାଣୀ

ଭାଷିଲେ ଚଞ୍ଚଳେ ।୨୩।

ପ୍ରଶାନ୍ତି ଲଭିବ

ଅସ୍ଥିର ଜୀବନ,

ପ୍ରାଣ ଲୋଡ଼ା ହେଲେ

ଦେଇ ପାରେ ଧନ ! । ୨୪ ।

ପୟର ତୋହର

କୋୟର ସମାନ

ପାଣିରେ ଧରୁଛି

ଛାଡ଼ ଅଭିମାନ” । ୨୫ ।

ପୁରୀପତି ଭାଷି

ଏହିପରି ବାଣୀ

ପେଟେ ଶୁଆଇଲେ

ବଳେ ପତ୍ନୀ ଟାଣୀ । ୨୬ ।

ପ୍ରବୋଧିଲେ ବହୁ

ଚାଟୁ ଗୀରେ ବୀର

ପକାଇ ହୃଦୟେ

ପ୍ରାଣାଧିକା ଶିର । ୨୭ ।

ପଚାରିଲେ ମଧ୍ୟ

ପ୍ରଶ୍ନ ବାରବାର

“ପାଇଲୁ କି ଦୁଃଖ

କହ ଗଳାହାର” ! । ୨୮ ।

ପ୍ରାଣେଶ ପ୍ରବଳ

ଆଗ୍ରହ ନିରେଖି

ପ୍ରଭାବତୀ ଚିତ୍ତେ

ଆଶା-ଚିତ୍ର ଲେଖି ।୨୯।

ପ୍ରକାଶିଲେ ଧୀରେ

ହୃଦ ଫେଡ଼ି ଭାଷା,

“ପ୍ରଭୁ ପାଞ୍ଚିଅଛି

ଦାସୀ ଏକ ଆଶା । ୩୦ ।

ପିଲାଦିନୁଁ ସଦା

ପୂଜଇ ବିମଳା

ପାଦେ ପ୍ରାଣ-ପଦ୍ମ

ଅରପି ଅବଳା । ୩୧ ।

ପୁରୁଷୋତ୍ତମେ ତା’

ଅଛି ପୁଣ୍ୟ ଧାମ

ପାର୍ବଣେ ପୂଜିବି

ଏହି ମନସ୍କାମ ।।୩୨

ପୁରାଣ ଲିଖିତ

ବିଧାନେ ପ୍ରାଣେଶ !

ପଦେ ଆଜ୍ଞା ହେଉ,

ଏହି ଭିକ୍ଷା ଶେଷ । ୩୩ ।

ପଡ଼ି ନାହିଁ ବଳି

ଆଜି ଯାଏ ତହିଁ

ପ୍ରଜ୍ଜ୍ୱଳଇ ଜ୍ୟୋତି

ବିମଳାର ଯହିଁ । ୩୪ ।

ପାର୍ବଣ ଈଶ୍ୱରୀ

ସନ୍ତୋଷ ସମୟ

ପୂଜିବି ଆଦେଶ

ଦିଅ ଦୟାମୟ !” । ୩୫ ।

ପତ୍ନୀ ବାଣୀ ଶୁଣି

ଉତ୍କଳସମ୍ରାଟ

ପଶି ଚିନ୍ତା-ଗୃହେ

କିଳିଲେ କବାଟ । ୩୬ ।

ପରିଆଲୋଚନା

କଲେ ମନେ ମନେ

ପୁଣ୍ୟ ପୀଠେ ବଳି

ଦେବି ମୁଁ କେସନେ । ୩୭ ।

ପରାତ୍ପର ବିଷ୍ଣୁ

ପାଶେ ଜୀବ ହିଂସା

ପାରେ ସିନା କରି

ନର ଖାଇ ନିଶା । ୩୮ ।

ପାଳିଥିବ ଯେହୁ

ବିବେକ ଯତନେ

ପ୍ରାଣ-ମନ୍ଦିରରେ,

ଚଳି ତା’ବଚନେ, ।୩୯।

ପକ୍ଷେ ତା’ଶୋଭନ

ହେବ କି ଏ କର୍ମ୍ମ ?

ପ୍ରଚାରେ ଯେ ପୁଣି

ଭବେ ବିଷ୍ଣୁ ଧର୍ମ୍ମ । ୪୦ ।

ପ୍ରାଣୀହତ୍ୟା ନରେ

କରନାହିଁ କହି

ପକାଇବି ବଳି

ବିଷ୍ଣୁ ନାମ ବହି ।୪୧।

ପତ୍ନୀ ବଚନରେ

ଏ ତ ଅସମ୍ଭବ,

ପାରନ୍ତି ଯୋ କରି

କାର୍ଯ୍ୟ ଅଭିନବ । ୪୨ ।

ପୁଣି ବିଚାରନ୍ତି

ପାଇଛି ପ୍ରସାଦ

ପାର୍ବଣ ପ୍ରାରମ୍ଭେ

ଏହା ସୁ-ସଂବାଦ । ୪୩ ।

ପୁତ୍ର ଲାଭ ଆଶା

ପୋଷିଅଛି ମନେ

ପୂଜ୍ୟପାଦ ଗୁରୁ–

ଦେବଙ୍କ ବଚନେ । ୪୪ ।

ପୂଜା କଲେ ଅବା

ମିଳିପାରେ ଫଳ

ପୂର୍ବରୁ ଏ ପୁଷ୍ପ

ସୂଚନା କେବଳ । ୪୫ ।

ପୁନଶ୍ଚ ହୃଦୟେ

ବିଚାରନ୍ତି ନୃପ

ପକାଇବି ଗାର

ଧର୍ମ୍ମେ ମୁଁ କି ରୁପ ? ।୪୬।

ପଡ଼ି ଯିବ ଧର୍ମ୍ମ–

ପେଡ଼ି ଡାଲା ଏବେ

ପତ୍ନୀବଶ ବୋଲି

କହୁଥିବେ କେବେ । ୪୭ ।

ପଞ୍ଚଶର ଶରେ

ବିଦ୍ଧ ହୋଇ ମୁହିଁ

ପାପ ଅରଜିବି

ଲଭି ଚାନ୍ଦମୁହୀଁ । ୪୮ ।

ପ୍ରକୃତି ବଶେ ମୁଁ

ମଦନ ଅଧୀନ,

ପତ୍ନୀ ଅଭିମାନେ

ହେବି ସିନା ଦୀନ । ୪୯ ।

ପଞ୍ଚାନନ ଯୋଗୀ

ପରି କି ମାନବ

ପ୍ରାଣେଶ୍ୱରୀ ଛାଡ଼ି

ଦରାଣ୍ଡିବ ଶବ ? । ୫୦ ।

ପୁରାଣେ ଲିଖିତ

‘ପ୍ରିୟା ଅଭିମାନ’

‘ପ୍ରିୟ ଧର୍ମ ହାନି’

ଉଭୟେ ସମାନ । ୫୧ ।

ପତ୍ନୀ ପରିତୋଷ

ଯେବେ ନ କରିବି

ପର ଜନ୍ମେ ନିଶ୍ଚେ

ନରକେ ପଡ଼ିବି । ୫୨ ।

ପୁଣ୍ୟଧାମେ ମଧ୍ୟ

ପକାଇଲେ ବଳି

ପାପରାଶି ଜମା

ହେବ ତହୁଁ ବଳି । ୫୩ ।

ପ୍ରଭେଦ ମାତର

ଏତିକି ହୋଇବ

ପଞ୍ଚଶର କେବେ

ତୃପତ ନୋହିବ । ୫୪ ।

ପୁତ୍ର ଆଶା ପୁଣି

ହୋଇବ ପରୀକ୍ଷା

ପାର୍ବତୀ ପାଶରେ

ହେବ ପୁତ୍ର ଭିକ୍ଷା । ୫୫ ।

ପ୍ରାଣେଶ୍ୱରୀ ଲାଭ

କରିବ ସନ୍ତୋଷ

ପ୍ରକୃତି ପୂଜାରେ

ନାହିଁ ମଧ୍ୟ ଦୋଷ । ୫୬ ।

ପାଣ୍ଡ୍ୟ-ରାଜ-ସୁତା–

କୀର୍ତ୍ତି ବୋଲି ନରେ

ପରକାଳେ ମଧ୍ୟ

ଘୋଷିବେ ସୁସ୍ୱରେ । ୫୭ ।

ପ୍ରଚାରିତ ପୁଣି

ହେବ ଶାକ୍ତ-ଧର୍ମ

ପ୍ରତି ଭକ୍ତ ଉକ୍ତି

କରିବେ ସ୍ୱ କର୍ମ୧।୫୮।

ପ୍ରଥମେ ଭକତ

ବିମଳା ଦର୍ଶନ,

ପରେ ବିଷ୍ଣୁ ପଦେ

ଗୁହାରି ଗାୟନ ।୫୯।

‘ପ୍ରଭାବତୀ ଲାଗି’

ଘୋଷିବ ଜଗତ

ପରମାତ୍ମା ମୁହିଁ

ନୁହେଁ ତହିଁ ରତ ।୬୦ ।

ପ୍ରଥମେ ମୁଁ ଯିବି

ନିତ୍ୟ ନିତ୍ୟ-ଧାମେ

ପାର୍ବତୀ ମନ୍ଦିର

ରଖି ମୋର ବାମେ ।୬୧ ।

ପତିତ ନୋହିବ

ବିମଳା ଆସ୍ଥାନେ

ପ୍ରଥମେ ମୋ ଦୃଷ୍ଟି

ପ୍ରତିଜ୍ଞା ପ୍ରମାଣେ ।୬୨ ।

ପରେ ଯାଇ ଆଦି–

ମାତା ଦରଶନ

ପ୍ରତିଦିନ ହେବ,

ସ୍ଥିର ମୋ ବଚନ ।୬୩ ।

ପତ୍ନୀ ପରାମର୍ଶେ

ନୋହିବି ସମ୍ମତ

ପାରେ ଯଦି କରୁ

ତାର ଇଚ୍ଛାମତ ।୬୪।

ପୁରୀପତି ଚିନ୍ତା

କରି ଏହିପରି

ପ୍ରିୟାକୁ ଭାଷିଲେ

“ଶୁଣ, ପ୍ରାଣେଶ୍ୱରି ! ।୬୫।

ପାଞ୍ଚିଅଛୁ ଯାହା

ନିଜେ ସ୍ଥିର ମନେ

ପଥ ପରିଷ୍କାର

କର ତୁ ଆପଣେ ।୬୬।

ପଚାରିବା ମୋତେ

ନାହିଁ ଆବଶ୍ୟକ

ପୁରୀ ଗାଉ ତୋର

ନାମେ ତା’ କାଳକ” ।୬୭ ।

ପ୍ରାଣେଶ୍ୱର ବାଣୀ

ଶୁଣି ପ୍ରଭାବତୀ

ପଦେ ବଖାଣିଲେ

‘ଦାସୀ ଭାଗ୍ୟବତୀ’।୬୮।

ପୁରାଇଲେ ହୁଦେ

ଅମୀୟ ଆନନ୍ଦ

ପତି ସଙ୍ଗେ ପାନ

କଲେ ପ୍ରେମ-ମଦ ।୬୯।

ପ୍ରତି-ଫଳ ଦେଲେ

କାମେ ପାଟରାଣୀ

ପଦ୍ମନେତ୍ରେ ହାଣି

କଟାକ୍ଷ ଚାହାଣି ।୭୦ ।

ପୁରୁଷୋତ୍ତମେଶ

କନ୍ଦର୍ପ-ମନ୍ଦିରେ

ପ୍ରଦ୍ୟୁମ୍ନେ ପୂଜିଲେ

ଶାସ୍ତ୍ରୀୟ ବିଧିରେ । ୭୧ ।

ପାଇଗଲା ନିଶା

ନାନା ରସ ରଙ୍ଗେ

ପ୍ରଭାତେ ବାମାକୁ

ବସାଇ ଉତ୍ସଙ୍ଗେ ।୭୨।

ପୁରୁଷ-ଈଶ୍ୱର

ମାଗିଲେ ମେଲାଣି

ପତ୍ନୀ ପାଶେ ଭାଷି

ଶତ ମଧୁବାଣୀ । ୭୩ ।

ପୁର ତେଜି ଯାନ୍ତେ

ଉତ୍କଳ-ଈଶ୍ୱର

ପ୍ରବେଶି ସଖୀଏ

ମନ୍ଦିରେ ସତ୍ୱର, ।୭୪।

ପ୍ରଭାବତୀ ପାଶେ

ହୋଇ ହସ ହସ

ପ୍ରକାଶିଲେ ନାନା

ରଙ୍ଗେ ହାସ୍ୟରସ । ୭୫ ।

 

ତ୍ରୟୋଦଶ ସର୍ଗ

ପୂର୍ବ ରାତ୍ରୀ କଥା

ଉତ୍କଳ-ଈଶ୍ୱର

ପୁନରପି ସ୍ମରି

ହେଲେ ଚିନ୍ତାଭର । ୧ ।

ପତ୍ନୀ ଲାଗି ହେବ

କି ପାପ ସାଧନ

ପୁରୀଧାମ-ଶିରେ

ପଶୁର ଛେଦନ ! । ୨ ।

ପବିତ୍ରତା ଯିବ

ଉଭେଇ ସେ ସ୍ଥାନୁଁ

ପଶ୍ଚିମେ ଉଇଁବା–

ପରି ହେବ ଭାନୁ । ୩ ।

ପୁଣ୍ୟ ପୀଠେ ବଳି–

ଦାନ ସମ୍ଭବିବ

ପରିଣତ ହେବ

ନରକେ ତ୍ରିଦିବ । ୪ ।

ପାଳିବି କି ପାପ

ହୃଦେ ସୁଯତନେ

ପ୍ରତିଦାନେ ଦେଇ

ଧର୍ମ୍ମ ଏ ଜୀବନେ । ୫ ।

ପ୍ରଚାରିବୈଷ୍ଣବ

ଧର୍ମ୍ମ ଏ ସଂସାରେ

ପ୍ରାଣୀ ହତ୍ୟା ଚିତ୍ର

ଦେଖାଇବି ଦ୍ୱାରେ । ୬ ।

ପ୍ରତି ଯୁଗେ ଏଥି

ଜୀବ ହିଂସା ମନା,

ପ୍ରଥମେ ପ୍ରାଣକୁ

ଦେବି ମୁଁ ଯାତନା । ୭ ।

ପତ୍ନୀ ଲାଗି ଯେବେ

ଘୋଷିବ ଜଗତ

ପାପାନଳେ କିମ୍ପା

ନୋହିବି ତପତ ? । ୮ ।

ପଦ୍ମ ଫୁଟି ପାରେ

ପର୍ବତ ଶିଖରେ

ପାଷାଣ ହିଁ ଭାସି–

ପାରେ ଜଳ ପରେ ।୯।

ପ୍ରଭାତେ ପଶ୍ଚିମେ

ଉଇଁପାରେ ରବି,

ପାରେ ସୂର୍ଯ୍ୟ ଅଙ୍ଗୁ

ଦିବ୍ୟ ସୁଧା ସ୍ରବି, ।୧୦।

ପ୍ରସାରି ପାରଇ

ଚନ୍ଦ୍ର ମହାତାପ,

ପୁରୀପତି କିନ୍ତୁ

ନ ପାଳିବ ପାପ । ୧୧ ।

ପାଞ୍ଚି ଏହିପରି

ନରପାଳି ମନେ,

ପ୍ରବେଶିଲେ ଯାଇ

ସଭା-ନିକେତନେ । ୧୨ ।

ପ୍ରତି ସଭାସଦ

ଉଠି ସେହିକ୍ଷଣି

ପ୍ରଣମିଲେ ଭକ୍ତି–

ଭରେ ନରମଣି । ୧୩ ।

ପ୍ରଣମିଲେ ପୁଣି

ନିଜେ ନରପତି

ପଣ୍ଡିତ-ମଣ୍ଡଳେ

ଅଜାଡ଼ି ଭକତି । ୧୪ ।

ପବିତ୍ର ଶ୍ରୋତ୍ରୟ

ନୈଷ୍ଠିକ ବ୍ରାହ୍ମଣେ

ପୁରୀପତିପ୍ରତି

ଆଶିଷ-ବର୍ଷଣେ, ।୧୫।

ପଢ଼ି ପକାଇଲେ

ଦୀର୍ଘ ଶ୍ଲୋକାବଳି

ପାଣି ଯୋଡ଼ି ସ୍ୱଳ୍ପ

ସମ୍ମୁଖେ ଓହଳି । ୧୬ ।

ପ୍ରଥମେ ନୃମଣି

ବସି ସିଂହାସନେ

ପ୍ରତ୍ୟେକେ ଭାଷିଲେ

‘ବସନ୍ତୁ ଆସନେ’ । ୧୭ ।

ପାଳିତ ହୁଅନ୍ତେ

ରାଜନ-ଆଦେଶ

ପତ୍ନୀ ଅଭିଳାଷ

ଭାଷିଲେ ନରଶେ । ୧୮ ।

ପାଞ୍ଚିଅଛି ବଳି

ଦେଇ ପ୍ରାଣେଶ୍ୱରୀ

ପାର୍ବଣେ ପୂଜିବ

ବିଧନେ ଈଶ୍ୱରୀ ।୧୯।

ପରମାତ୍ମା ପାଶେ

ବିମଳା ଆସ୍ଥାନେ

ପରିଆଲୋଚନା

କର ନିଜ ଜ୍ଞାନେ । ୨୦ ।

ପଣ୍ଡିତପ୍ରବର

ତର୍କପଞ୍ଚାନନ

ପ୍ରସ୍ତାବନା ଶୁଣି

ହୋଇଲେ ଉଚ୍ଛନ୍ନ । ୨୧ ।

ପକାଇଲେ କହି

ଅତି ଅସମ୍ଭାଳେ

‘ପଶୁଦାନ ଅନୁ–

ଚିତ ପୁଣ୍ୟ-ଶାଳେ’ । ୨୨ ।

ପ୍ରତିଭା କୁମର

ଶକ୍ତି ଉପାସକ

ପ୍ରକୃତି-ଭକତ

କବିତା-ରଚକ ।୨୩।

ପ୍ରକାଶିଲେ ଯୁକ୍ତି

‘ବିମଳା ପୂଜନ

ପାର୍ବଣେ କରିବା

ଅତି ପ୍ରୟୋଜନ ।୨୪।

ପଶୁ ବଳି ଦେଇ

ଆର୍ଯ୍ୟପୁତ୍ର ପ୍ରାଣେ

ପୁରାଣ ଲିଖିତ

ବିଧାନ ପ୍ରମାଣେ; ।୨୫।

ପ୍ରବୋଧନ ଯେହୁ

ନ କରେ ଶଙ୍କରୀ

ପୂର୍ବ ପ୍ରଥା କ୍ରମେ

ପଶୁ ଦାନ କରି ।୨୬।

ପ୍ରସନ୍ନା ନୁହନ୍ତି

ତା’ ପ୍ରତି ରୁଦ୍ରାଣୀ

ପ୍ରକୃତେ ଧରମ

ହୁଏ ତାର ହାନି’ । ୨୭ ।

ପ୍ରବୃଦ୍ଧ ବେଦାନ୍ତ–

ତୀର୍ଥ ସୁପଣ୍ଡିତ

ପୂରାଇ ନାସାରେ

ନଶ୍ୟ ସୁବାସିତ ।୨୮।

ପ୍ରତିଭା-ନନ୍ଦନ

ଯୁକ୍ତି ସମର୍ଥନ

ପଦେ ଶ୍ଲୋକ କହି

କଲେ ସେହିକ୍ଷଣ । ୨୯ ।

ପୁରୁଷୋତ୍ତମରେ

ପୁରୁଷାଦ୍ୟ ପାଶେ

ପ୍ରାଣୀ ହିଂସା ରୋଧ

କରିବା ସକାଶେ ।୩୦।

ପୁନର୍ବାର ଶାସ୍ତ୍ର

ଦେଖାଇ ତାର୍କିକ

ପ୍ରକାଶିଲେ ‘କର୍ତ୍ତା

ନୋହିବ ଧାର୍ମିକ’ । ୩୧ ।

ପ୍ରଗାଢ଼ ଭାବନା

କରି ରାଜଗୁରୁ

ପୁରୀପତି ପ୍ରତି

ଚାହିଁ ଟେକି ଭୁରୁ ।୩୨।

‘ପ୍ରୟୋଜନ ବେଳେ

ପାର୍ବଣ ପୂଜନ

ପ୍ରାକୃତିକ ଅଟେ’

ଭାଷିଲେ ବଚନ । ୩୩ ।

‘ପୋଷିଥିଲେ ରାଣୀ

ହୃଦୟେ କାମନା,

ପାରନ୍ତି ସେ କରି

ନାହିଁ ତାଙ୍କୁ ମନା । ୩୪ ।

ପୁଣ୍ୟ ପୀଠେ କିନ୍ତୁ

ବଳି ଅସମ୍ଭବ,

ପ୍ରାଚୀର ବାହାରେ

କରାନ୍ତୁ ଉସ୍ରବ’ । ୩୫ ।

ପ୍ରତିଭା-ତୁମର

ଶୁଣି ଗୁରୁବାଣୀ

ପ୍ରକାଶିଲେ ‘ପାର

ଯେବେ ପଶୁ ହାଣି ।୩୬।

ପ୍ରାଚୀର ବାହାରେ

ପାର୍ବଣେ ଦ୍ୱିଜେନ୍ଦ୍ର !

ପୁରୀକ୍ଷେତ୍ର ସେ ତ

ପୃଥିବୀର କେନ୍ଦ୍ର । ୩୭ ।

ପରାତ୍ପର ପ୍ରଭୁ

ଜଗତର ନାଥ

ପୁରିଅଛନ୍ତି ତ

ସର୍ବତ୍ର ଶ୍ରୀନାଥ । ୩୮ ।

ପ୍ରାଚୀର ବାହାରେ

କିବା ସିଂହାସନେ

ପାରାବାର-ବକ୍ଷ

ଭୀଷଣ-କାନନେ ।୩୯।

ପ୍ରତିସ୍ଥାନେ ପ୍ରଭୁ

ସଦା ବିରାଜିତ

ପ୍ରତିକାର୍ଯ୍ୟ ତାଙ୍କୁ

ଅଟଇ ବିଦିତ । ୪୦

ପ୍ତାଚୀର ବାହାରେ

ପକାଇଲେ ବଳି

ପ୍ରଭୁଙ୍କ ଦୃଷ୍ଟିରୁ

ଯିବ କି ସେ ବଳି ? । ୪୧ ।

ପଡ଼ିଲେ ପଡ଼ିବ

ବିମଳା ଆସ୍ଥାନେ

ପ୍ରକୃତିର ପୀଠ

ଅଛି ଯେଉଁ ସ୍ଥାନେ । ୪୨ ।

ପ୍ରାଚୀର ବାହାର

ନୁହେଁ ଯୋଗ୍ୟସ୍ଥଳ

ପରାମର୍ଶେ ତବ

ଅଛି କେଉଁ ଫଳ’? । ୪୩ ।

ପ୍ରକୋପିଲେ ଶୁଣି

ତର୍କ-ଶିରୋମଣି

ପ୍ରତିଭା-କୁମର

ବାଣୀ କଟୁ ମଣି, ।୪୪।

ପ୍ରକାଶିଲେ ଗୁରୁ–

ସମ୍ମାନ ରକ୍ଷଣେ

‘ପାପୀ ଦିଏ ବଳି

ପ୍ରକୃତି ପୂଜନେ । ୪୫ ।

ପୁରାଣ କହିଛି

ପାର୍ବଣ ପୂଜନ

ପାରେ କରି ଶକ୍ତି–

ଉପାସକ ଜନ । ୪୬ ।

ପୋତି ସୁକାମନା

ଲାଞ୍ଚ ଦିଏ କାମୀ

ପ୍ରଭା ପାଶେ ଏଡ଼ି

ବାଣୀ ଅନ୍ତର୍ଯ୍ୟାମୀ । ୪୭!

ପାଟମହାଦେବୀ

ମାନସ ପୂରଣ

ପରିବର୍ତ୍ତେ ଲାଞ୍ଚ

ପ୍ରାଣ ସମର୍ପଣ ।୪୮।

ପ୍ରାଣୀ ଗୋଟାକର

ବିମଳାଙ୍କ ପ୍ରତି

ପାପ ମହାଘୋର

ମଧ୍ୟରେ ଗଣତି’ । ୪୯ ।

ପ୍ରଭାବତୀ ପ୍ରତି

କରୁଣା ପ୍ରକାଶି

ପ୍ରାଚୀର ବାହାର

କଥା ଥିଲେ ଭାଷି ।୫୦।

ପୁରୀରାଜଗୁରୁ

ପ୍ରଥମ ପ୍ରସ୍ତାବେ

ପଦଦ୍ୱୟ ଦେଇ

ଦୁଇଗୋଟି ନାବେ । ୫୧ ।

ପାଇ ଏବେ ଉପ–

ଯୁକ୍ତ ପରାଭବ

ପ୍ରକାଶିଲେ କେବେ

ନୋହିବ ସମ୍ଭବ ।୫୨।

ପଶୁଦାନ ପୁଣ୍ୟ

ନୀଳାଚଳ ଧାମେ

ପରମାତ୍ମା ଜାଣି

ବିମଳାଙ୍କ ନାମେ । ୫୩ ।

ପୁରୀପତି ଦେଖି

ବାଦ ପ୍ରତିବାଦ

ପରିଣତ ହେଲା

ଭୀଷଣ ବିବାଦ, ।୫୪।

ପଣ୍ଡିତ-ବରଗ

ଯୁକତି ମେଣ୍ଟନେ

ପ୍ରତିଜ୍ଞା ନିଜର

ଭାଷିଲେ ବଚନେ । ୫୫ ।

‘ପ୍ରିୟଗଣ ! ମୋର

ଶୁଣ ଦୃଢ଼ପଣ

ପରମାତ୍ମା ପାଶେ

ପରାଣ ହରଣ ।୫୬।

ପାରିବି ନାହିଁ ମୁଁ

କରି କେଉଁ କାଳେ;

ପୁଣ୍ୟ ତେଜି ଦୁରେ,

କଳୁଷ କେ ପାଳେ ?” । ୫୬ ।

ପ୍ରବୋଧନ ଉଠି

ଭାଷଲେ ବଚନ

‘ପ୍ରଭାବତୀ ଯେବେ

କାମନା ପୋଷଣ ।୫୮।

ପବିତ୍ର ହୃଦୟ–

ବାସେ କରିଥିବେ

ପ୍ରତିଜ୍ଞା ଶ୍ରବଣେ

ତାପ ତ ଲଭିବେ’ । ୫୯ ।

ପୁନରପି ଉତ୍ତ–

ରିଲେ ନରପତି

”ପତ୍ନୀ ପାଞ୍ଚେ ସଦା

ସୁଖେ ଥାଉ ପତି । ୬୦ ।

ପତି ତାର ସ୍ୱର୍ଗ

ପତି ତାର ଧର୍ମ

ପତି କାର୍ଯ୍ୟ ବିନା

ନାହିଁ ଅନ୍ୟ କର୍ମ । ୬୧ ।

ପତ୍ନୀ ପୂଜ୍ୟ ଦେବ

ଜୀବନ-ଈଶ୍ୱର

ପୂଜିଲେ ଅପରେ

ହୁଏ ହତାଦର । ୬୨ ।

ପ୍ରଭାବତୀ ମୋତେ

ନ ପୂଜି କିପାଇଁ

ପଶୁ ବଳି ଦେବ

ବିମଳାଙ୍କ ପାଇଁ ? । ୬୩ ।

ପ୍ରଥମେ ତ ଏହା

ନୁହେଁ ଶୋଭନୀୟ

ପରେ ପ୍ରାଣୀ-ବଧ

କାର୍ଯ୍ୟ ନାରକୀୟ ।୬୪ ।

ପାରିବେ ନାହିଁ ସେ

ତେଣୁ କେଉଁ କାଳେ

ପଶୁ ଦାନ କରି

ଏହି ପୁଣ୍ୟ ଶାଳେ” । ୬୫ ।

 

ଚତୁର୍ଦ୍ଦଶ ସର୍ଗ

ପରିଚାରୀ ଧାଇଁ

ଯାଇ ରାଣୀ ପାଶେ

‘ପାଟମହାଦେବି’

ସମ୍ବୋଧନେ ଭାଷେ । ୧ ।

“ପଛ ପଟେ ରହି

ଦେଖୁଥିଲି ସଭା,

ପଡ଼ିଥିଲା ଯହିଁ

ପ୍ରଭାମୟୀ ପ୍ରଭା ।୨।

ପାରୁଶେ ପାର୍ବଣେ

ବଳି ଦାନ କଥା,

ପଣ୍ଡିତେ ଘୁରାଉ–

ଥିଲେ ନିଜ ମଥା । ୩ ।

ପହରକ ଯାଏଁ

କଲେ ଗୋଳମାଳ

ପଛେ ମେଣ୍ଟାଇଲେ

କଳି ନରପାଳ । ୪ ।

ପଶୁଦାନ ହେବ–

ନାହିଁ ପୁରୀ ଧାମେ

ପ୍ରଭୁ ବଖାଣିଲେ

ବିମଳାଙ୍କ ନାମେ । ୫ ।

ପଡ଼ିଗଲା ଯେତେ–

ବେଳେ ମୋର କାନେ

ପୁରୀପତି ପଣ

ଫେରିଲି ଏ ସ୍ଥାନେ” । ୬ ।

ପ୍ରଭାବତୀ ଶୁଣି

ପରିଚାରୀ ଭାଷା

ପରିତ୍ୟାଗ କଲେ

ଆଦ୍ୟେ ବଳି ଆଶା । ୭ ।

ପୁଣି ବିଚାରିଲେ

ସତେ ନରପତି

ପାସୋରିଲେ ରାତ୍ର–

ପ୍ରସଙ୍ଗ ତଡ଼ତି ? ।୮।

ପଣ୍ଡିତଙ୍କ ବାକ୍ୟେ

କେଉଁଭାବେ ବୁଡ଼ି

ପ୍ରକୃତି-ପୂଜନ–

ଧର୍ମ୍ମ-ପଥ ହୁଡ଼ି । ୯ ।

ପୁତ୍ର ଆଶା ପୋଷି

ବିମଳା ମସ୍ତକ–

ପୁଷ୍ପ ପତନରୁ

ଲଭିଣ ପୁଲକ ।୧୦।

ପ୍ରେମ-କାମ-ମିଶା

ରତିରଙ୍ଗ ଆଶେ

ପକାଇଲେ କହି

କର ତୋ ସକାଶେ, ।୧୧।

ପଚାରିବା ମୋତେ

ନାହିଁ ଦରକାର

ପାଲଟିଲେ ଆଜି

ଅପର ପ୍ରକାର ।୧୨।

ପଶୁଦାନ ଏବେ

କରିବି କିପରି ?

ପ୍ରାଣେଶ୍ୱର ଦେଲେ

ପଣ ଦୃଢ଼ କରି ।୧୩।

ପଚାରିଲେ ପାଟ

ରାଣୀ ପୁନରପି

ପରିଚାରୀପ୍ରତି

‘ସତେ କି ଲୋ ଅପି ।୧୪।

ପ୍ରଥମ ପ୍ରତିଜ୍ଞା

ପରି ନରପାଳ

ପାଳିବେ ଏ ପଣ

ଧରିଣ କଟାଳ ?’।୧୫।

ପ୍ରତି-ଉତ୍ତର ସେ

ଦାସୀ ଦେଲା ପୁଣି

“ପାଳିବେ କି ନାହିଁ

ଆସିଲି ତ ଶୁଣି”।୧୬।

ପ୍ରକୃତ ଉତ୍ତର

ଲଭି ପ୍ରଭାବତୀ

ପ୍ରହାର ପାଇଲେ

ହୃଦୟେ ତଡ଼ିତ ।୧୭।

ପ୍ରଶ୍ୱାସ ତେଜିଲେ

ଖେରେ ଏକଥର

ପ୍ରକାଶନ ସେ କି

ଖେଦ ହୃଦୟର ? ।୧୮।

ପଡ଼ିଲେ ବିଷମ

ସଂକଟେ ସୁନ୍ଦରୀ

ପ୍ରତିଜ୍ଞା ନିଜର

ହୃଦୟେ ସୁମରି ।୧୯।

ପୂରିଲା ବରଷେ

ପୂଜନ୍ତା ବିମଳା

ପତି ବାଣୀ କାହୁଁ

ଏଡ଼ିବ ଅବଳା ।୨୦ ।

ପ୍ରସବ ସମୟେ

ପାଉଥିଲେ କ୍ଲେଶ

ପ୍ରଭା ବସି ରଥେ

ଦେଲେ ସୁସନ୍ଦେଶ ।୨୧ ।

‘ପ୍ରସରିବ ଧାମେ

ବିମଳା ମହିମା”

ପ୍ରଥମୁଁ ତ ଘୋଟି

ଗଲାଣି କାଳିମା ।୨୨।

ପଥ କିପରି ବା

ଫିଟିବ ସେ ଭାବି

ପକାଇଲେ କର-

ତବ୍ୟ ହାରେ ଚାବି ।୨୩ ।

ପହରକ ଯାଏଁ

ଚିନ୍ତା-ପାରାବାରେ

ପାଟରାଣୀ ବୁଡ଼ି

ରହିଲେ, ମଥାରେ ।୨୪।

ପାଣି୧ ଦେଇ ସ୍ଥିର-

ଶରୀର ନୀରବେ

ପ୍ରତ୍ୟେକ ଯେପରି

ରହନ୍ତି ଏ ଭବେ ।୨୫ ।

ପରଶିଲେ ଚିନ୍ତା

ମାନବ ହୃହୟ

ପାର୍ଥିବ ଦରବ

ହୁଏ ବିଷମୟ ।୨୬।

ପୋଡ଼ିଯାଏ ସୁଖ-

ରାଶି ଚିନ୍ତାନଳେ

ପୋଡ଼େ ସଙ୍ଗେ ପଞ୍ଚ-

ଇନ୍ଦ୍ରୟଙ୍କୁ ବଳେ ।୨୭ ।

ପ୍ରସରି ପୁନଶ୍ଚ

ଜାଳେ ଷଡ଼ରିପୁ

ପୋଡ଼େ ଯଥା ସର୍ବ

ଅଗ୍ନି ଉଠି ଦୀପୁଁ ।୨୮ ।

ପଳାଏ ବିକଳେ

ଅତୀତ ଭାବନା

ପରକାଳ ମଧ୍ୟ

ଲଭଇ ଯାତନା ।୨୯ ।

ପାଏ ଘୋର କ୍ଲେଶ

ବର୍ତ୍ତମାନ –କାଳ

ପାଗଳ ହୁଅନ୍ତ

ଚିତ୍ତ-ଚର-ମାଳା୨।୩୦ ।

ପଥ ରୁଦ୍ଧ ହୁଏ

ଚିନ୍ତା-ଅନ୍ଧକାରେ,

ପକାଏ ବୋବାଳି

ନର ହାହାକାରେ ।୩୧।

ପ୍ରକାର ଭେଦରେ

ଚିନ୍ତା ବେନି ବିଧ,

ପ୍ରକୃତି ଚିନ୍ତାରେ

ଚିତ୍ତ ହୁଏ ସିଦ୍ଧ ।୩୨।

ପାର୍ଥିବ ଭାବନା

ଜାଳି ଦିଏ ମନ,

ପରକୀୟ ଏକ,

ଅପର ଭୀଷଣ ।୩୩ ।

ପ୍ରଥମ ପ୍ରକାର

ତପସ୍ୟା-ସାଧନ,

ପାରେ ମାତ୍ର ସାଧି

ତାହା ସାଧୁ ଜନ ।୩୪।

ପଞ୍ଚେନ୍ଦ୍ରିୟ-ଷଡ଼-

ରିପୁ-ବଶ ନରେ

ପୋଡ଼ିଯାନ୍ତି ଅନ୍ୟ

ଚିନ୍ତା-ବୈଶ୍ୱାନରେ ।୩୫।

ପରିବାର-ପଙ୍କେ

ମଗନ ମାନବ-

ପକ୍ଷେ ପରକୀୟ

ଚିନ୍ତା ଅସମ୍ଭବ ।୩୬।

ପାଟମହାଦେବୀ

କୁଟୁମ୍ବ ଜମ୍ବାଳେ

ପତିତା ହେତୁରୁ

ଦୁର୍ଭାବନା ଭାଳେ ।୩୭।

ପାଞ୍ଚେ କେସନେ ମୁଁ

ପୂଜିବି ବିମଳା

ପୁତ୍ରୀ-ପ୍ରାଣ-ଦାତ୍ରୀ

ବିଦ୍ୟୁତ-ଚଞ୍ଚଳା ।୩୮।

ପାରି କରିଛନ୍ତି

ଭୀଷଣ କଷଣୁଁ

ପୂଜା-ବିନା ଦୁଃଖ

ଯିବ ନାହିଁ ମନୁଁ ।୩୯।

ପ୍ରାଣେଶ୍ୱର ହେଲେ

ପ୍ରତିଜ୍ଞା ଅଧୀନ,

ପ୍ରବେଶିଲା ଭାଗ୍ୟେ

ମୋହର ଦୁର୍ଦ୍ଦିନ ।୪୦।

ପରିଣୟ କଲି

ପରମାତ୍ମା ସଙ୍ଗେ

ପବିତ୍ରତା-ସ୍ରୋତେ

ଭାସିବାକୁ ରଙ୍ଗେ । ୪୧।

ପ୍ରଥମେ କରାଉ-

ଥିଲେ ପାପାର୍ଜ୍ଜନ,

ପ୍ରଭା ସିନା ଆସି

କଲେ ତା’ଖଣ୍ଡନ ।୪୨ ।

ପୁନରପି ତହିଁ

ପକାଇଲେ ପତି

ପୂଜି ନ ପାରିବି

କହି ଭଗବତୀ ।୪୩।

ପୃଥିବୀରେ ନାହିଁ

ମୋ ପରି ଦୁଃଖିନୀ

ପତି ଆଦେଶରେ

ଦୁହିତା-ନାଶିନୀ ।୪୪ ।

ପ୍ରତି ନାରୀ ପୂଜେ

ପାର୍ବଣେ ଶଙ୍କରୀ

ପ୍ରଭାବତୀ ତାହା

ନ ପାରିବ କରି ।୪୫।

ପ୍ରାଣକୁ ମୋ ଧିକ,

ଧିକ ରାଣୀ ପଦ

ପୋଡ଼ିଯାନ୍ତା ହେଲେ

ଜୀବନ-ସମ୍ପଦ ।୪୬ ।

ପଳାଇ ଏ ଭବୁଁ

ଲଭନ୍ତି ସୁଶାନ୍ତି,

ପତି ଯୋଗେ ସିନା

ପାଉଛି ଅଶାନ୍ତି ।୪୭ ।

ପତି ଅଟେ ନାରୀ-

ମଙ୍ଗଳାଭିଳାଷୀ,

ପ୍ରଭୁ ମୋ ମଙ୍ଗଳ

ଦେଉଛନ୍ତି ନାଶି ।୪୮।

ପ୍ରତିକ୍ଷଣେ ମୋର

ଭାଗ୍ୟ ବିପରୀତ

ପତି ଯୋଗେ ଫଳ

ହୁଅଇ ଫଳିତ ।୪୯।

ପ୍ରକାଶିବ କାହା

ଆଗେ ଏ ବେଦନା,

ପ୍ରାଣ ଇଶ୍ୱର ତ

ଦିଅନ୍ତି ଯାତନା । ୫୦ ।

ପରମ କରୁଣା-

ମୟୀ ମା ଅମ୍ବିକା-

ପଦେ ପିଲାଦିନୁଁ

ପ୍ରାଣ ମୋର ବିକା ।୫୧।

ପାରିଲେ ପାରେ ସେ

ପାର କରି କ୍ଲେଶୁଁ

ପାଇଛି ଆଶ୍ୱାସ-

ବାଣୀ ତା’ସନ୍ଦେଶୁଁ’ । ୫୨ ।

ପାଟ ମହାଦେବୀ

ଭାବି ଏହିପରି

ପଡ଼ିଲେ ଧରାରେ

ଭାଗ୍ୟକୁ ଆଦରି ।୫୩।

ପ୍ରବେଶି ସେ କାଳେ

ତହିଁ ପ୍ରାଣପ୍ରିୟା

ପ୍ରବୋଧନେ କଲେ

ମିତ୍ରୋଚିତ କ୍ରିୟା ।୫୪।

ପଲଙ୍କକୁ ନେଇ

ଶୁଆଇ ସୁଧୀରେ,

ପ୍ରାଣପ୍ରିୟା ସେ କି

ସତେ ଧରଣୀରେ ? ।୫୫ ।

 

ପଞ୍ଚଦଶ ସର୍ଗ

ପ୍ରକୋଷ୍ଠେ ମାତଙ୍ଗ-

ଦଶନ-ପଲଙ୍କ

ପ୍ରଭାବତୀ ଯୋଗେ

ଲଭିଛି ପୁଲକ ।୧ ।

ପ୍ରକୁଳେ ଖଞ୍ଜାଇ

ରତନ-ଆବଳି

ପ୍ରକାଶେ ସୁଶୋଭା

ଆଲୋକରେ ଝଳି ।୨ ।

ପବନେ ଦୋହଲି

ଇତର ଦରବ

ପ୍ରତିଫଳ ତହିଁ

ଦୃଶ୍ୟ ଅଭିନବ ।୩।

ପ୍ରକଟାଏ ଯଥା

ପଦାର୍ଥ ସକଳ

ପ୍ରବେଶି ଲାବଣ୍ୟେ

ଦିଶନ୍ତି ଉଜ୍ଜଳ ।୪।

ପୋତା ହୋଇଅଛି

ମଶାରି ବନ୍ଧନେ

ପ୍ରତିକୋଣେ ଖମ୍ବ

ନିର୍ମିତ କାଞ୍ଚନେ ।୫।

ପଡ଼ିଅଛି ତାହା

ପରେ ସୁନାବତା

ପୋଲ ବୋଲି ନର

କରେ ସମ୍ବବ ତା’ ।୬।

ପଟ୍ଟ-ସୁତ୍ରେ ଗୁନ୍ଥା

ମୌକ୍ତିକ ଝାଲର

ପାର୍ଶ୍ୱ ଚାରି ଘେରି

ଦିଶେ ଚାରୁତର ।୭ ।

ପୁଷ୍ପ ପେଣ୍ଡା କେହି

ରସିକା ଝାଲର-

ପ୍ରାନ୍ତେ ଖଞ୍ଜି କରି-

ଅଛି ମନୋହର ।୮ ।

ପରମ ସୁନ୍ଦର

ବିତିତ୍ର ଚାନ୍ଦୁଆ

ପରଶି ଝାଲର-

ପ୍ରାନ୍ତ ଉଦ୍ଧ୍ୱେ ଥୁଆ ।୯ ।

ପଡ଼ିଛି ଓଲଟି

ମଶାରି ତା’ପରେ

ପେଟ ପଟୁ ତେଣୁ

କ୍ଷଣେ ମନ ହରେ ।୧୦ ।

ପ୍ରତି-ପାର୍ଶ୍ୱ-ବାଡ଼େ

ଶିଳ୍ପ-ନିପୁଣତା

ପ୍ରକାଶେ ଶିଳ୍ପୀର

ଦିବ୍ୟ ଏକାଗ୍ରତା ।୧୧।

ପଲଙ୍କ ବତାରେ

ପଦ୍ମ-ହଂସ-ପନ୍ତି

ପଲକ-ବିହୀନ

ନୟନ କରନ୍ତି ।୧୨ ।

ପଡ଼ିଛି ତା’ପରେ

ସୁକୋମଳ ତଲ୍ପ-

ପରେ ଶୋଭମାନ

ଉପଧାନ ଅଳ୍ପ ।୧୩ ।

ପାନବଟା, ରମ୍ୟ

ମଶଲା-ଥାଳିଆ

ପ୍ରଭା ପ୍ରସାରଣେ

ଲଗାନ୍ତି କଜିଆ ।୧୪।

ପ୍ରଭାବତୀ ଶଯ୍ୟା

ଉପରେ ଶାୟିତା

ପ୍ରଭା ଯାର ସ୍ୱାଭା-

ବିକ ଜଗଜ୍ଜିତା ।୧୫।

ପରମ ରୂପସୀ

ବୀଣାଭାଷୀ ପାଶେ

ପଦ୍ମ ପାଶେ ଯଥା

କୁମୁଦ ବିକାଶେ, ।୧୬।

ପ୍ରାଣପ୍ରିୟା ତଥା

ବସି କରତଳ

ପାଟରାଣୀ ଅଙ୍ଗେ

ବୁଲାଇ କେବଳ ।୧୭।

ପ୍ରବୋଧନ୍ତି କେତେ

ରଙ୍ଗେ କେତେ ବାଣୀ

ପୁରୀପତି ପନ୍ତ୍ରୀ

ମନେଭାବ ଜାଣି ।୧୮।

ପାର୍ଶ୍ୱେ ଘେରିଛନ୍ତି

ପରିଚାରୀଗଣ

ପୀତାମ୍ବରୀ ଶାଢ଼ୀ

ଶରୀରାବରଣ ।୧୯ ।

ପଡ଼ିଛି ଧଡ଼ିରେ

କୁମ୍ବ ଜରୀରଚା

ପୁଣି ବ୍ରହ୍ମପୁର

ଧୋବା ହାତ କଚା ।୨୦ ।

ପୀତ-ଜରୀ ଗୁନ୍ଥା

ଆଲଟ କେ ଚାଳି

ପ୍ରଦାନ କରଇ

ମନ୍ଦବାତ ବାଳୀ ।୨୧।

ପୂରିଥାଏ ପଙ୍ଖା

ପେଟେ ବେଣା-ଚେର

ପକାଏ ପ୍ରକୋଷ୍ଠେ

ବାସ ତେଣୁ ଘେର ।୨୨।

ପ୍ରକୃତିକୁ ନର

ଖଟାଏ ଏପରି

ପାର୍ଥିବ ପଦାର୍ଥେ

ନିଜ କରେ ଧରି ।୨୩ ।

ପଟୀର ଲେପେ କେ

ପବିତ୍ର-ଶ୍ରୀଅଙ୍ଗେ

ପୂତ କରିବାକୁ

ପଦ୍ମବାସ ସଙ୍ଗେ ।୨୪ ।

ପ୍ରସୂନ କେ ଖଞ୍ଜେ

ମଶହରୀ ବାଡ଼େ

ପେଣ୍ଡା ହେତୁ ଯାହା

ସୌନ୍ଦର୍ଯ୍ୟ ଅଜାଡ଼େ ।୨୫ ।

ପ୍ରତିଫଳେ ପୁଣି

ରତନ ଭୂଷଣେ

ପାର ହେବ ଭାବି

ମହତ ଶରଣେ ।୨୬ ।

ପୂଗ କତୁରି କେ

ଚତୁରୀ ଯତନେ

ପ୍ରସ୍ଫୁଟିତ ପୁଷ୍ପ

ପରାୟ ସୁ-ମନେ ।୨୭।

ପାତ୍ରେ ସଜାଡ଼ଇ

ଖରଡ଼ରେ ବସି,

ପାନ ଭାଙ୍ଗେ ଆନ

ମନ୍ଦେ ମନ୍ଦେ ହସି ।୨୮।

ପରିପାଟୀ କରି

କେବା କୋମଳାଙ୍ଗୀ

ପୁଷ୍ପ ଗୁନ୍ଥେ ତୋଷି-

ବାକୁ ଚଳାପାଙ୍ଗୀ ।୨୯।

ପକାଏ କେ ଅଙ୍ଗେ

ଶ୍ରୀକର୍ପୁର ଗୁଣ୍ଡ,

ପ୍ରତ୍ୟେକ ସଜନୀ

ହୋଇଛନ୍ତି ରୁଣ୍ଡ ।୩୦ ।

ପାଟି ତୁଣ୍ଡ କିଛି

ନ କରନ୍ତି କେହି

ପାଇଥିବା ହେତୁ

ଦୁଃଖ ଦିବ୍ୟଦେହୀ ।୩୧।

ପ୍ରତ୍ୟେକଙ୍କ କର

କର୍ମେ ନିୟୋଜିତ,

ପ୍ରବୋଧନ-ବାକ୍ୟେ

ଶ୍ରବଣ ଅର୍ପିତି ।୩୨।

ପ୍ରାଣପ୍ରିୟା ବାଣୀ

ସ୍ୱଭାବେ ମଧୂର

ପ୍ରଭାବତୀ ଚିନ୍ତା

କରେ ପୁଣି ଦୂର, ।୩୩।

ପରିଚାରୀଗଣ

ଶ୍ରବଣ କି ଲାଗି

ପ୍ରୀତି ନ ଢାଳିବ

ହୋଇ ଅନୁରାଗୀ ?।୩୪।

ପ୍ରାଣପ୍ରିୟା ଏକା

ସୁଧୀରେ ବଚନ

‘ପ୍ରଭାବତି !’ ଡାକି

କରେ ଉଚ୍ଚାରଣ ।୩୫।

‘ପରିତାପ ତେଜ’

ଭାଷନ୍ତି ମନ୍ତ୍ରିଣୀ

ପୁରୀପତି-ପତ୍ନୀ

ବିଷାଦ-ହାରଣୀ ।୩୬ ।

‘ପାଷଣ ପତନ

ସହିଥାଏ ନର

ପୃଥିବୀରେ ଯେବେ

କରିଥାଏ ଘର ।୩୭।

ପଡ଼ିଲେ ବିପଦ

ନ ଧରିଲେ ଦମ୍ଭ

ପ୍ରଥମରୁ ହୁଏ

ବିନାଶ ଆରମ୍ଭ ।୩୮।

ପରିହରେ ଯେହୁ

ଧଇର୍ଯ୍ୟ ବିପଦେ

ପାଏ ଘୋର କ୍ଲେଶ

ସେହି ପଦେ ପଦେ ।୩୯।

ପରୀକ୍ଷାର ଯନ୍ତ୍ର

ଅଟେ ସିନା ଦୁଃଖ

ପ୍ରାଣୀ ଧୌର୍ଯ୍ୟ ମାପେ

କରାଇ ବିମୁଖ । ୪୦ ।

ପିନ୍ଧାଇ ନରକୁ

ବିପଦ-ଶୃଙ୍ଖଳ

ପରୀକ୍ଷା କରେ ସେ

ନଇତିକ ବଳ ।୪୧ ।

ପ୍ରବେଶୁଁ ବିପଦ

ଧୈର୍ଯ୍ୟ ନ ଧରେ ଯେ

ପ୍ରାଣ ଥିବା ଯାଏ

ଫଳତା’ର ହେଜେ ।୪୨।

ପରାତ୍ପରା ମାତା

ପରୀକ୍ଷା କରଣେ

ପକାନ୍ତି ମାନବେ

କ୍ଲେଶେ ଅକାରଣେ ।୪୩।

ପାରି ହେବା ଲାଗି

ନ ଦେଇ ସୁବିଧା

ପାଶ୍ଚାତେ ମାରନ୍ତି

ଆନ ବାଧା-ବିଧା ।୪୪।

ପରିଶେଷେ ଦେଖି

ନର ଧୈର୍ଯ୍ୟ ରାଶି

ପ୍ରଫୁଲ୍ଲ ଅନ୍ତରେ

ଉଦ୍ଧାରନ୍ତି ଆସି ।୪୫।

ପାଟ-ମହାଦେବି !

ଜାଣି ଶୁଣି ଏହା

ପ୍ରାଣେ ପ୍ରାସ ଲଭ

ସୁକୋମଳଦେହା ।୪୬।

ପ୍ରାଣପତି ଯେବେ

କଲେ ଏଡ଼େ ପଣ

ପ୍ରତିକାର ତା’ର

କରିବା ରଚନା ।୪୭।

ପଣ୍ଡିତଙ୍କ ବାକ୍ୟେ

ହୋଇ ସେ ବାତୁଳ

ପଶୁବଳି ଦାନେ

ହେଲେ ପ୍ରତିକୂଳ ।୪୮।

ପାଲଟିଯିବେ ସେ

ଆପେ ମହାଦେବି!

ପାର୍ବିତୀଙ୍କୁ ଯେବେ

ଦୃଢ଼େ ଥିବା ସେବି ।୪୯।

ପ୍ରଗାଢ଼ ଭକତି

ରଖିଥିଲେ କାଳୀ

ପାରୁଥିବେ ଜାଣି

‘ଭାଳୁଅଛି ବାଳୀ’ ।୫୦ ।

ପ୍ରତ୍ୟେକ ପ୍ରସଙ୍ଗ

ତାହାଙ୍କୁ ଗୋଚର

ପତ୍ନୀ ସ୍ୱାମୀବଶା,

ଅବଳା ଆବର ।୫୧।

ପ୍ରତିଜ୍ଞା ପାଳନ

ପାରୁନାହିଁ କରି

ପ୍ରଭାବତୀ ପ୍ରାଣ-

ବଲ୍ଲଭଙ୍କୁ ଡରି ।୫୨।

ପାର୍ବିତୀ ତ ଜାଣୁ-

ଥିବେ ପାଟରାଣି

ପ୍ରାଣେ କିପାଁ ଚିନ୍ତା-

ମାଡ଼ି ଦିଅ ଜାଣି ।୫୩।

ପ୍ରତ୍ୟେକ ବରଷେ

ପହୁଞ୍ଚେ ପାର୍ବିଣ

ପ୍ରଥମରୁ କିପାଁ

ଲଭୁଛ କଷଣ ? । ୫୪ ।

ପ୍ରତିବର୍ଷ କରୁ-

ଥିଲେ ଉଦ୍‍ଯୋଗ

ପଡ଼ିବ ଅବଶ୍ୟ

ବରଷେ ସୁଯୋଗ ।୫୫।

ପୂଜିବ ଯାହାଙ୍କୁ

ସେହି ହେବେ ସାହା

ପଥ ଦେଖାଇବେ

ଖୋଜୁଅଛି ଯାହା ।୫୬।

ପାର୍ବିଣ ପୂଜନ

ପ୍ରସଙ୍ଗେ ଦୁଃଖିତା

ପ୍ରଭୁ ଜାଣିଲେ ଗୋ

ନୋହିବା ଜୀବିତା; ।୫୭।

ପଡ଼ି ସେ ସନ୍ଦେହ—

ସାଗରେ ଭାବିବେ

ପରମ କୌଶଳେ

ସକଳ ଜାଣିବେ ।୫୮।

ପରାଭବ ଦେବେ

ପ୍ରତ୍ୟେକଙ୍କ ପ୍ରତି

ପ୍ରାଣ ନେବାବୁ ହିଁ

ଉଠିବେ ତଡ଼ତି ।୫୯।

ପରାଣସଜନି

ରାଣ ବାରେ ମୋର

ପରିତ୍ୟାଗ କରି

ଚିତ୍ତୁଁ ଚିନ୍ତା ଘୋର ।୬୦ ।

ପିଲାଟିର କଥା

କର ଗଣ୍ଠିଧନ,

ପରେ କରାଯିବ

ପ୍ରତିଜ୍ଞା ପାଳନ ।୬୧ ।

ପାଞ୍ଚ ଦଶ ବର୍ଷ

ନ ହେଉଁ ବୟସ

ପଦୀନନୀ ପ୍ରାଣ

ହେବା ପୂର୍ବ ଧ୍ୱଂସ ।୬୨।

ପକାଇବ ବଳି

ଭାବ ଗୋ କିପରି ?

ପ୍ରତିଜ୍ଞା ପାଳିବା

ଏଡ଼େ ବେଗ କରି ।୬୩ ।

ପହୁଞ୍ଚି ନ ପାରୁଁ

ସ୍ରୋତସ୍ୱିନୀ ତୀରେ

ପକାଉଛ ଖୋଲି

ବାସ ଯା’ଶରୀରେ ।୬୪ ।

ପଶିନାହିଁ ଘରେ

ଶିରେ ବାଜେ ଚାଳ

ପ୍ରଥମରୁ କିପାଁ

ଏଡ଼େ ଅସମ୍ବାଳ ? ।୬୫।

ପିଲାଟିକି ଆଗେ

ଦେଖ ଦିନାକେତେ

ପରେ ପାଳିବ ଗୋ

ପଣ ଅଛି ଯେତେ ।୬୬।

ପ୍ରାଣେଶ୍ୱର ସିନା

ରାଗିଛନ୍ତି ଏବେ

ପ୍ରକୋପ ଅବଶ୍ୟ

ଶାନ୍ତ ହେବ କେବେ ।୬୭।

ପତ୍ନୀବାକ୍ୟେ ଥରେ

ମୃଦିବେ ନୟନ

ପୃଣ୍ୟପୀଠେ ହେବ

ପାର୍ବଣ ପୂଜନ ।୬୮।

ପରମ ଭକତି

ଢାଳି କାଳୀ ପଦେ

ପ୍ରତି ମୃହୂର୍ତ୍ତରେ

ଚଳିଲେ ଆନନ୍ଦେ ।୬୯।

ପୂଜନ ତାଙ୍କର

ହେବ ଅନାୟାସେ

ପାଞ୍ଚଅଛି ଯାହା

ନନ୍ଦିନୀ ସକାଶେ”।୭୦ ।

ପ୍ରାଣପ୍ରିୟା ବାଣୀ

ଶୁଣି ପ୍ରଭାବତୀ

ପରିହାର କଲେ

ସନ୍ତାପ ତଡ଼ତି ।୭୧।

ପଦେ ଗଦଗଦେ

ଭାଷିଲେ ବଚନ

‘ପ୍ରାୟପ୍ରିୟେ ସ୍ଥିର

ହେଉନାହିଁ ମନ ।୭୨।

ପ୍ରତିକ୍ଷଣେ ହୃଦେ

ଦମ୍ଭ ଧରେଁ ଯେତେ

ପଶ୍ଚାତେ ସନ୍ଦେହ

ଭାଙ୍ଗିଦିଏ ସେତେ ।୭୩।

ପଣ କରିଛନ୍ତି

ଯାହା ପ୍ରାଣେଶ୍ୱର

ପାରିବ ଭଙ୍ଗାଇ

ଅଛି କିଏ ନର ? ।୭୪।

ପରାଣସଜନି

ଦେଲା ବେଳୁଁ ରାଣ

ପାର୍ବିତୀଙ୍କ ସ୍ମରି

ଦମ୍ଭ ଧରେ ପ୍ରାଣ’ ।୭୫।

 

ଷୋଡ଼ଶ ସର୍ଗ

ପ୍ରଥମ ଦ୍ୱିତୀୟ

ତୃତୀୟ ବରଷେ

ପଦାର୍ପଣ କଲା

ନନ୍ଧନୀ କ୍ରମଶେ ।୧।

ପଞ୍ଚମ ବରଷ

ଯହୁଁ ପ୍ରବେଶିଲା

ପାଠ ପ୍ରାଣପ୍ରିୟା

ପାଶରୁ ପଡ଼ିଲା ।୨।

ପ୍ରାଣପ୍ରିୟା ଭାବେ

ପ୍ରତିଜ୍ଞା-ବଞ୍ଚତା

ପ୍ରତିଜ୍ଞା ନାମରେ

ହୋଇବ ବିଦିତା ।୩ ।

ପୁରୀପତି ଜାଣି

ଅଛନ୍ତି ମନ୍ତ୍ରିଜା

ପ୍ରତିଜ୍ଞା ପାଳନ

ବେଳେ ପ୍ରସୃତା ଯା’ ।୪।

ପ୍ରତିଜ୍ଞା-ନାମିନୀ

ତେଣୁ ଭାବିବେ ସେ,

ପ୍ରଭାବତୀ-ସୂତା

ନ ଜାଣିବେ ଲେଶେ ।୫।

ପ୍ରତିଜ୍ଞା ପ୍ରତିଜ୍ଞା

ବୋଲନ୍ତେ ସୁନ୍ଦରୀ

ପ୍ରତ୍ୟେକେ ଡାକିଲେ

ସେହି ନାମ ଧରି ।୬।

ପ୍ରବୋଧନ ପିତା

ମାତା ପ୍ରାଣପ୍ରିୟା

ପ୍ରଥମରୁ ଜାଣେ

ପଞ୍ଚମବର୍ଷୀୟା ।୭।

ପରିବରଧିତ୧

ହେଉଁ ତା ବୟସ

ପାଠ ମଧ୍ୟ ବହୁ

କଲା କ୍ରମେ ବଶ ।୮।

ପୋଥିଧରା ପଢ଼ା

ସାରିଲା ସେ ଯହୁଁ

ପାଟୀଗଣିତରେ

ମନ ଦେଲା ତହୁଁ ।୯।

ପରି ଆଲୋଚନା

କରୁଥାଏ ମୁଖେ

ପ୍ରତିକ୍ଷଣେ ଯାହା

ସଙ୍ଗେ ମହାସୁଖେ ।୧୦।

ପୁରୁଣା କାହାଣୀ

ଶୁଣି କେବେ କେବେ

ପୁରାଣ କା’ଠାରୁ

ଶୁଣିପାରେ ଯେବେ ।୧୧।

ପବିତ୍ର ପ୍ରସଙ୍ଗ

ଶିଖି ମହାନନ୍ଦେ

ପୋଲା କଥା ଯାକ

ଠେଲଇ ନିର୍ଦ୍ୱନ୍ଦେ ।୧୨।

ପବନ ଗମନ

ପ୍ରାୟ ତାର ବୁଦ୍ଧି

ପରଶି ପୁରାଣେ

କଲା ଚିତ୍ତ ଶୁଦ୍ଧି ।୧୩ ।

ପଦ୍ମଠାରୁ ଶୁଭ୍ର

କଲା ତା’ହୃଦୟ

ପଇଟାଇ ମୁଖେ

ଧର୍ମଗ୍ରନ୍ଥ ଚୟ ।୧୪।

ପୁରାଇଲା ଜ୍ଞାନ-

ରତନ ଅନ୍ତରେ

ପ୍ରତ୍ୟେୟ ନ ଯିବେ

ଯା’ଶୁଣି ଅମରେ ।୧୫।

ପରିର୍ଦଶକେ ତ

ଛାର ନରଜାତି

ପ୍ରତ୍ୟକେ ଗାଇଲେ

ପ୍ରତିଜ୍ଞା ସୁଖ୍ୟାତି ।୧୬।

ପଦ୍ୟ ଘୋଷେ ମୁଖେ

ଶ୍ରବଣରେ ଶୁଣି

ପଦ୍ୟ-ସାର-ବୀଜ

ସ୍ମୃତି-କ୍ଷେତ୍ରେ ବୁଣି ।୧୭।

ପାର୍ବତି-ଜଣାଣ,

ମୋହ-ମୁଦଗର,

ପଞ୍ଚଦେବ-ସ୍ତୁତି

ଆଦି ଖରତର ।୧୮।

ପଇଟାଇ ବୋଲେ

ଦଉଡ଼ି ଅଡ଼ଙ୍ଗେ;

ପରିଚର ଗଣେ

ନେଇ ନିତ୍ୟ ସଙ୍ଗେ ।୧୯।

ପାରାବାର ତଟେ

ଧାଏଁ ଗାଇ ଗୀତ

ପୂର୍ବେ ରବି ଯେବେ

ହୁଅନ୍ତି ଉଦିତ ।୨୦ ।

ପ୍ରତିଦିନ କରି

ଧାବନ ଅଭ୍ୟାସ

ପ୍ରତିଜ୍ଞା ଲଭଇ

ଅମୂଲ୍ୟ ଉଲ୍ଲାସ ।୨୧ ।

ପାର୍ଶ୍ୱେ ରଖିଥାଏ

ସଜନୀ ଚାରୋଟି

ପଣ କରି ଧାଏଁ

ଘେନି ଗୋଟି ଗୋଟି ।୨୨।

ପ୍ରତ୍ୟେକଙ୍କୁ ଜଣେ

ପ୍ରତ୍ୟେକ ଦଉଡ଼େ,

ପରାବାରେ କେବେ

ସଖୀ ସଙ୍ଗେ ବୁଡ଼େ ।୨୩।

ପରିଧାନ କରି

ନର ପରି ବାସ,

ପାଇକଛା ମାରି

ହେବାକୁ ଉଶ୍ୱାସ, ।୨୪।

ପରମ ଆନନ୍ଦେ

ସର୍ବେ ଉଠି ପଡ଼ି,

ପାଞ୍ଚ ସାତ ଗୋଟୋ

ଭାଙ୍ଗନ୍ତି ଲହଡ଼ି ।୨୫ ।

ପଞ୍ଚ ସଜନୀଏ

ପ୍ରତ୍ୟେହ ଏପରି

ପାରାବାରେ ବୁଡ଼ି

ସୈକତେ ସଞ୍ଚରି ।୨୬।

ପ୍ରକୃତିରେ ପାଲ-

ଟାଇଲେ ଅଭ୍ୟାସ

ପଣ ରଖି ନିନ୍ଦା

ଅଥବା ସାବାସ ।୨୭ ।

ପୋତି ହୋଇଗଲେ

ସୈକତେ ଚରଣ

ପୀଡ଼ା ନ ଲଭନ୍ତି

ଅଭ୍ୟାସ କାରଣ ।୨୮ ।

ପ୍ରତିଦିନ ଯେଉଁ

କର୍ମ ଆଚରିବ

ପରେ ଅନାୟାସେ

ସାଧି ତା’ପାରିବ ।୨୯ ।

ପର ପ୍ରତି ତାହା

ହୋଇବ ଅସାଧ୍ୟ,

ପ୍ରତିଜ୍ଞା-ପାଳକ

ବିଧାନେ ଆରାଧ୍ୟ ।୩୦ ।

ପଞ୍ଚ ସଜନୀଙ୍କ

ଧାବନ ଏପରି

ପୁରୀବାସୀଙ୍କର

ଚିତ୍ତ କ୍ରମେ ହରି ।୩୧।

ପ୍ରତି ପ୍ରଭାତରେ

ଜନ୍ମାଇ ଜନତା

ପ୍ରଶଂସା ଶୁଣାଏ

‘କେବା ପାରିବ ତ ‘?।୩୨।

ପ୍ରାଚୀ ଦିଗଙ୍ଗନା

ଜ୍ୟେତିର୍ମ୍ମୟ ବେଶେ

ପାରବାର ବକ୍ଷ

ନିବିଡ଼ ଆଶ୍ଲେଷେ ।୩୩।

ପ୍ରଭା ବିସ୍ତାରଇ

ଦୂରେ ଯେତେବେଳେ

ପ୍ରତିଜ୍ଞା ସେ କାଳେ

ତୀର-ଦେଶେ ଖେଳେ ।୩୪ ।

ପଟ୍ଟବସ୍ତ୍ର-ପରି-

ହିତା ବାଳାମଣି

ପବନ, ବିଶିଖ

ଗତି ହୀନ ମଣି ।୩୫।

ପ୍ରବିପ୍ରସୂ ପରି

ବେଳା ଭୂମେ ଧାଇଁ

ଫୁସପ୍ରାଣ କ୍ଷଣେ

ଦିଏ ଚମକାଇଁ ।୩୬ ।

ପୁରୁଷେ ଭାବନ୍ତି

ଧନ୍ୟ ଏ ମନ୍ତ୍ରିଜା

ପ୍ରଶଂସିବେ କାନ୍ତି

ଦେଖିଲେ ଗିରିଜା ।୩୭।

ପ୍ରବୋଧନ ଅଂଶେ

ଲଭିଛି ଜନମ

ପିଲା ହୋଇ ସାଧେ

ଅସାଧ୍ୟ କରମ ।୩୮।

ପ୍ରଖର ହୋଇଲେ

ନଭେ ଭାନୁ କର

ପୁରେ ମହାନନ୍ଦେ

ଫେରି ଖରତର ।୩୯।

ପାରେ କରି କାଳେ

ଲବଣାକ୍ତ ବାରି

ପ୍ରକୁଳର କ୍ଷତି

ବାଳୀଏ ବିଚାରି ।୪୦।

ପ୍ରଲେପି ଶ୍ରୀଅଙ୍ଗେ

ତୈଳ ହରିଦ୍ରାଦି

ପରିଶୁଷ୍କ ବାସ

ସୋପାନେ ସମ୍ପାଦି ।୪୧।

ପ୍ରାଚୀର ମଧ୍ୟସ୍ଥ

ପୁଷ୍କରିଣୀ ଜଳେ

ପୁନରପି ସ୍ନାନ

କରନ୍ତି ସଦଳେ ।୪୨ ।

ପୋଛି ହୋଇ ଅଙ୍ଗ

ଗାତ୍ରପୋଛା ଧରି

ପିନ୍ଧି ପରିଧେୟ

ବାଳିକାଙ୍କ ପରି ।୪୩।

ପୁରେ ପ୍ରବେଶନ୍ତି

ପବିତ୍ର-ହୃଦୟେ

ପ୍ରତ୍ୟେକେ ସୁମରି

ପ୍ରଭୁ ଦୟାମୟେ ।୪୪।

ପ୍ରାଣପ୍ରିୟା ପାଶୁଁ

ଦେଖି ଚଞ୍ଚଳାକ୍ଷୀ

ପନ୍ଦର ପ୍ରକାର

ଦେବୀ ବିଶାଳାକ୍ଷୀ ।୪୫।

ପାରକଈଶ୍ୱରୀ

ଗୋବର-ଚଞ୍ଚଳା

ପଙ୍କ-ଧନେଶ୍ୱରୀ

ବାଲୁକା-ମଙ୍ଗଳା ।୪୬।

ପାର୍ବତୀ ପାର୍ଥିବୀ

ସାତ୍ତ୍ୱିକୀ୧ ଭାରତୀ

ପଦ୍ମା ତାରା କୁନ୍ତୀ

ମନ୍ଦୋଦରୀ ସତୀ ।୪୭।

ପାଞ୍ଚାଳୀ ସାବିତ୍ରୀ

ଅହଲ୍ୟା ପ୍ରଭୃତି

ପୂଜା କରୁଥାଏ

ହେବାରୁ ପ୍ରବୃତ୍ତି ।୪୮ ।

ପଞ୍ଚବର୍ଣ୍ଣୀ ମୂର୍ଜେ

ପଦ୍ମ ପଦ୍ମାପଦ

ପହଣ୍ଡରେ ଲେଖେ

ବର୍ଦ୍ଧନେ ସମ୍ପଦ ।୪୯।

ପର୍ବ ପୂର୍ବ ଦିନ

ଶର୍ବରୀରୁ ଉଠି

ପୁଷ୍ପ ସର୍ବବିଧ

ତୋଳି ଦୂର୍ବାମୁଠି ।୫୦।

ପୁଷ୍ପ-କରଣ୍ଡକେ୨

ଉଦ୍ୟାନରୁ ଆଣେ

ପୂଜା କାର୍ଯ୍ୟେ ଲୋଡ଼ା

ହେବ ଯେଣୁ ଜାଣେ ।୫୧ ।

ପ୍ରଶ୍ନ କରି ବୁଝେ

ଓଷା ବାର ବ୍ରତ

ପ୍ରାଣପ୍ରିୟା ଠାରୁ

ବିଧାନ ନିରତ ।୫୨।

ପାଳଇ ପ୍ରତ୍ୟେକ

ବ୍ରତ ଉପବାସ

ପୁରାଣରେ ତାର

ଥିବାରୁ ବିଶ୍ୱାସ ।୫୩।

ପଗାଢ଼ ଭକତି

ରଖି ଦେବୀ ପଦେ

ପ୍ରତି କାର୍ଯ୍ୟ କରେ

ପରମ ଆନନ୍ଦେ ।୫୪।

ପ୍ରତିକ୍ଷଣେ ତାଙ୍କ

ନାମ ଉଚ୍ଚାରଇ

ପରାପରା ଯେଣୁ

ସର୍ବତ୍ର ତାରଇ ।୫୫।

 

 

୧ । ବ୍ରାହ୍ମୀ – ସାତିକେଳ, ବଳଭଦ୍ରପୁର ଶାସନରେ ପୁଜିତା ହୁଅନ୍ତି ।

୨ । ଫୁଲଚାଙ୍ଗୁଡ଼ି

 

ସପ୍ତଦଶ ସର୍ଗ

ପ୍ରଖର ନିଦାଘେ

ହେଲା ରବିକର

ପ୍ରଜ୍ଜ୍ୱଳିତ ଯଥା

ଘୃତେ ବୈଶ୍ୱାନର।୧।

ପଳାଇଲେ ଶାନ୍ତ

ଦେବୀ ଛାଡ଼ି ଧାରା

ପ୍ରାଣୀଙ୍କି ପୋଡିଲା

ଚିତା ପରି ଖରା।୨।

ପ୍ରାଶାନ୍ତ କରଣେ

ନ ମିଳିଲା ପାଣୀ

ପୃଥିବୀ ପୃଷ୍ଠରୁ

ସୂର ନେଲେ ଟାଣି ।୩।

ପ୍ରତ୍ୟେକ ଖୋଜିଲେ

କାହିଁ ସେ ଜୀବନ

ପାଇଲେ ଉତ୍ତରେ

‘ନଭେ ଜାତ ଘନ’ ।୪।

ପଦ୍ମନୀ ମୃମୂର୍ଷୁ

ଦଶା ଲଭି ସରେ

ପ୍ରାଣେଶ ପ୍ରଦତ୍ତ

କ୍ଲେଶ ଚିତ୍ତେ ସ୍ମରେ।୫।

ପ୍ରିୟା ପ୍ରତି ଯାର

ଦୟା ନାହିଁ ତିଳେ

ପରକୁ ତା’ଠାରୁ

ସ୍ନେହ କାହୁଁ ମିଳେ।୬।

ପାବକ ପରାୟ

ତାପନ୍ତେ ତପନ

ପାରେ ନାହିଁ ସହି

ମହୀ ଅପଘନ ।୭।

ପ୍ରାଣହୀନ ପରି

ଦିଶେ ଶ୍ୱେତକାୟ

ପାଏ ନାହିଁ ଶାନ୍ତି

ଲାଭର ଉପାୟ ।୮।

ପରିତପ୍ତ ବାୟୁ-

ମଣ୍ଡଳ ଏକାଳେ

ପୀଡ଼କ ଆଦେଶ

ବିଧିମତେ ପାଳେ ।୯।

ପାଣୀ, ଧୂଳି-କଣା

ଉଡ଼ାଇ ସତ୍ୱର

ପୃଥିବୀ ପ୍ରତି ସେ

ହୁଏ କ୍ଲେଶକର ।୧୦।

ପବନ ଭାବଇ

ହେଲେ ରବି-ଦାସ

ପ୍ରଭାତ, ପ୍ରଦୋଷେ

ମାରିବ ନିଃଶ୍ୱାସ ।୧୧।

ପରି ଚିନ୍ତା ଛାଡ଼ି

ସାଧେ ସ୍ୱାର୍ଥସିଦ୍ଧି,

ପାଳନ୍ତି ପ୍ରତ୍ୟେକେ

ଜଗତେ ଏ ବିଧି ।୧୨।

ପୂର୍ଣ୍ଣକରେ ପେଟେ

ବ୍ୟୋମ ତେଣୁ-କଣା

ପକ୍ଷୀଗଣ ତେଣୁ

ହୋଇ ବାଟ ବଣା ।୧୩।

ପତ୍ର ତଳେ ଲୁଚି

ରବି କରେ ଡରି

ପଡ଼ନ୍ତି ଘୁମାଇ

ମଧୁକାଳ ସୁରି । ୧୪।

ପର ପରି ଉଡ଼ି

ନଭେ ମେଘମାଳ

ପୂରାଇ ଉଦରେ

ଭାନୁକରଜାଳ ।୧୫।

ପ୍ରଭାତ ପ୍ରଦୋଷ

ଅବା ମଧ୍ୟ କାଳେ

ପରଉପକାରୀ

ପବନକୁ ଭାଳେ ।୧୬।

ପରବତେ ବୀତି-

ହୋତ୍ର ଦୂରେ ରହି

ପାର୍ବତୀୟ ପ୍ରାଣୀ,

ତରୁ, ଲତା ଦହି ।୧୭।

ପ୍ରଭଞ୍ଜନ କରେ

ପଠାଇ ଉତ୍ତାପ

ପୁରବାସୀ ପ୍ରତି

ଦିଏ ଘୋର ତାପ ।୧୮।

ପରିଶୁଷ୍କ ଏବେ

ପୁଷ୍କରିଣୀ ନୀର,

ପାରେ ନାହିଁ ଦେଖି

ନଦୀ ବେନି ତୀର ।୧୯।

ପାର୍ବତ୍ୟ ତଟିନୀ

ଲୁଚେ ଧରା ତଳେ

ପାନୀୟ ଯୋଗାଇ

ବାଲି-ଚୂଆ ଛଳେ ।୨୦।

ପ୍ରବଦ୍ଧ ହୁଅଇ

ପାଷାଣେ ଝରଣା,

ପ୍ରାଣାନ୍ତକ ବେଳେ

ବଳ ବୁଦ୍ଧି ବଣା ।୨୧।

ପାଣୀ-ମନ୍ଦେ କାହିଁ

ଥିଲେ ଦଣ୍ଡା ଯୋଡ଼େ

ପକାଏ ଚକଟି

ମହିଷ ତା’ଗୋଡ଼େ ।୨୨।

ପଙ୍କ ଉଠିଯାଏ

ସଲିଳ ଉପର

ପ୍ରାଣ ବିସର୍ଜନ୍ତି

ପ୍ରାଣୀ ଜଳଚର ।୨୩।

ପୂର୍ବ ଦିଗବଳୟ

ଛାଡ଼ନ୍ତେ ମିହର

ପୋଡ଼େ ମହୀ ପେଷି

ଅଗ୍ନିମୟ ତୀର ।୨୪।

ପଥ ତେଜି ପାନ୍ଥ

ବସେ ତରୁ ତଳେ,

ପଶୁପଲ ବାସେ

ଫେରନ୍ତି ବିକଳେ।୨୫।

ପ୍ରହରେ ସମୟ

ନ ହେଉଁ କୃଷକ

ପଖାଳେ ଶମଇ

ଜଠର-ପାବକ ।୨୬।

ପୂର୍ବାର୍ଦ୍ଧ ସରଣୀ

ଗମି ଅଂଶୁମାଳୀ

ପ୍ରକୋପି ପ୍ରାଣୀଙ୍କି

କ୍ଷଣେ ଦିଏ ଜାଳି ।୨୭।

ପ୍ରତ୍ୟେକେ ଭାବନ୍ତି

ରହିବ କି ଯିବ

ପ୍ରଖର ଉତ୍ତାପେ

ଏ ଅମୂଲ୍ୟ ଜୀବ ? ।୨୮।

ପରଅନ୍ନ-ଭୋଜୀ,

ରାଜରାଜେଶ୍ୱର,

ପଲ୍ଲୀବାସୀ ଅବା

ପୂରବାସୀ ନର ।୨୯।

ପାନ କରି ବାରି

ଅବା ସରବତ

ପ୍ରଶମିଲେ ତପ୍ତ

ଜୀବନ ସତତ ।୩୦।

ପଟୀର କର୍ପୂର

ଲେପଇ ଶରୀରେ

ପ୍ରଭୁ ପାର୍ଶ୍ୱେ ବସି

ପରିକର ଧୀରେ ।୩୧।

ପ୍ରଭୁ ପଦ ଯାର

ଭାଗ୍ୟେ ଘଟି ନାହିଁ

ପଟୀର ଲେପନ

ପାଇବ ସେ କାହିଁ ? ।୩୨।

ପାଣୀରେ ବୁଡ଼ାଇ

ଗାତ୍ରପୋଛା ଖଣ୍ଡେ

ପକାଏ ଅଙ୍ଗେ ସେ

ଥଣ୍ଡା ଲାଗି ଦଣ୍ଡେ ।୩୩।

ପଟ୍ଟି ବା ପଲଙ୍କେ

ବିଶ୍ରାମିଲେ ନରେ

ପଙ୍ଖା ଧରି ଅବା

ଧରାଇ କା’ କରେ ।୩୪।

ପଙ୍ଖା ଏକା ଏବେ

ନ ଲଭେ ବିଶ୍ରାମ,

ପ୍ରତିକ୍ଷଣେ ଘୁରି

ବୋଲେ ରାମ ରାମ ।୩୫।

ପ୍ରବଳ ଗ୍ରୀଷମ

ସହି ନ ପାରିଣ

ପଡ଼ିଥାଏ କାଢ଼ି

ରସନା ହରିଣ ।୩୬।

ପଥିକ ଅଥୟେ

ଧାଇଁ ତୃଷ୍ଣାତୁରେ

ପ୍ରାନ୍ତରେ ଦେଖଇ

ମୃଗତୃଷା ଦୂରେ ।୩୭।

ପରିଭ୍ରମି ଜାଣି

ଏହା ନୁହେଁ ଜଳ

ପରକାଳ ଶିକ୍ଷା

ଲଭଇ କେବଳ ।୩୮।

ପଶ୍ଚିମ ଦିଗନ୍ତେ

ବୁଡ଼ନ୍ତେ ମିହିର

ପୁଷ୍କରିଣୀ ନଦୀ

ଥଣ୍ଡା ନୁହେଁ ନୀର ।୩୯।

ପ୍ରଥମ ପ୍ରହର

ଗତ ହେବାଯାଏ

ପୂର୍ଣ୍ଣଭାବେ ତହିଁ

ସେ ଉଷ୍ଣତା ଥାଏ ।୪୦।

ପୁରୁଷ ରମଣୀ

ହେଉଥାନ୍ତି ବ୍ୟସ୍ତ

ପାଣୀ ମନ୍ଦେ ଥଣ୍ଡା

ନ ପାଇ ସମସ୍ତ ।୪୧।

ପହୁଡ଼ିଲେ ରାତ୍ରେ

ଶୀତଳ ବିଛଣା

ପାଣୀ ପରି ବହେ

ଅଙ୍ଗୁ ଘର୍ମ-କଣା ।୪୨।

ପକାଏ ଉଠାଏ

କରେ ନାହିଁ ଥୟ,

ପ୍ରକୃତରେ ଗ୍ରୀଷ୍ମ

ଅତ୍ୟନ୍ତ ନିର୍ଦ୍ଦୟ ।୪୩।

ପ୍ରବୋଧନ ଆଜି

ତା’କବଳେ ପଡ଼ି

ପଲଙ୍କେ ଦିଅନ୍ତ

କକ୍ଷେ ଗଡ଼ାଗଡ଼ି ।୪୪।

ପ୍ରାଣପ୍ରିୟା ତହିଁ

ପ୍ରବେଶିଲେ ଆସି

ପଦ୍ମପତ୍ରୋଦରୀ

ପଦୁନୀ ସୁହାସୀ ।୪୫।

ପଡ଼ିଲେ ବସି ସେ

ପତି ପଦତଳେ

ପଟୀର ଲେପନେ

ଶରୀର ମଣ୍ଡଳେ ।୪୬।

ପଙ୍ଖା ଖଣ୍ଡେ ଧରି

ବାଲ୍ୟ ସହଚରୀ

ପୁଷ୍ପଡାଲା ସହ

ଅପରା ସୁନ୍ଦରୀ, ।୪୭।

ପହୁଞ୍ଚଲେ ଦୁହେଁ

ସଚିବ ସମୀପ,

ପୁଲକିତ ଯଥା

ପ୍ରାବୃଟରେ ମାପ ।୪୮।

ପରମ ଆନନ୍ଦ

ଲଭି ମନ୍ତ୍ରି ବର

ପତ୍ନୀକି ଭାଷିଲେ

ସାହସ୍ୟେ ସତ୍ୱର ।୪୯।

‘ପ୍ରାଣପ୍ରିୟେ ମୁହିଁ

ଭାବୁଥିଲି ଯାହା

ପ୍ରଭୁ କରୁଣାରୁ

ଆଣିଦେଲ ତାହା ।୫୦।

ପ୍ରକୁଳ ଏବେ ମୋ

ହେବ ସୁଶୀତଳ

ପୁହାଇବି ନିଶା

ଅବାଧେ ଚଞ୍ଚଳ’ ।୫୧।

ପ୍ରାଣେଶ୍ୱର ବାଣୀ

ଶୁଣି ରାମାବର

ପ୍ରକାଶିଲେ ନର-

ଜାତି ସ୍ୱାର୍ଥପର ।୫୨।

ପର କଥା ତିଳେ

ନ ଭାବନ୍ତି ଚିତ୍ତେ

ପରଭୃତ ଯଥା

ନ ଥାଏ କା ହିତେ ।୫୩।

ପ୍ରବୋଧନ ମହା-

ମତି ଗୌର ଅଙ୍ଗ

ପୁଚ୍ଛିଲେ ‘କି ହେତୁ

ନ ଭାଷି ପ୍ରସଙ୍ଗ ।୫୪।

ପୁରୁଷ ଜାତିକି

କର ଦୋଷାରୋପ

ପ୍ରଥମ ଦର୍ଶନେ

ଫୁଟେ ଯଥା ତୋପ’ ।୫୫।

ପ୍ରକାଶିଲେ ମୃଦୁ-

ହାସ୍ୟେ ବିମ୍ବାଧରୀ

‘ପ୍ରାଣେଶ୍ୱର ମନେ

ନ ପଡ଼େ କିପରି ।୫୬।

ପ୍ରତିଜ୍ଞାର ଭାବୀ

ବିବାହ ବିଷୟ ?

ପାଳି ପାରିବ କି

ଅଧିକ ସମୟ ? ।୫୭।

ପୁଷ୍ପବତୀ ହେଲା

ଆଦ୍ୟ ଫାଲଗୃନେ

ପଡ଼ିଛ ଘୁମାଇ

କାନ ତା’ ନ ଶୁଣେ ।୫୮।

ପହୁଞ୍ଚିବ ଏବେ

ଭୀଷଣ ବରଷା

ପ୍ରତିକ୍ଷଣେ ନିଜେ

ଚମକିବେ ରସା ।୫୯।

ପୂର୍ବରୁ ନନ୍ଦିନୀ

ନ ଲଭିଲେ ପତି

ପାରିବ କି ବଞ୍ଚି

ନବୀନା-ଯୁବତୀ ? ।୬୦।

ପ୍ରକୃତି-ବଶା ସେ

ମଜ୍ଜି ତିନ୍ତା-ସରେ

ପାଇବ ଯନ୍ତ୍ରଣା

ବୃଥା ପିତୃ ଘରେ ।୬୧।

ପ୍ରଭାବତୀ ପୁଣି

ବିଚାରିବ ମନେ

ପର ବୋଲି ସିନା

ରଖନ୍ତି ଏସନେ ।୬୨।

ପ୍ରସବିଥିଲେ କି

ବାସେ ଥାନ୍ତେ ପାଳି

ପଦୁ-ନେତ୍ରୁ ନୀର

ଅବିରତ ଢାଳି ।”।୬୩।

ପ୍ରଜ୍ଞାବାନ ମନ୍ତ୍ରୀ

ଭାଷିଲେ ଭାରତୀ

“ପ୍ରାଣଧନ ଲାଗି

ଅନ୍ୱେଷିବା ପତି

ପଚାରିବା ପରେ

ତାର ଅଭିଳାଷ

ପ୍ରାଣେଶ୍ୱରି ଆଉ

କର୍କଶେ ନ ଭାଷ”।୬୫।

 

ଅଷ୍ଟାଦଶ ସର୍ଗ

ପ୍ରସୂନ ଉଦ୍ୟାନେ

ଯୁବତୀ ନବୀନା

ପୁଷ୍ପ ବିଭୂଷଣ-

କରେ ଧରି ବୀଣା ।୧।

ପ୍ରଶସ୍ତ ମସୃଣ

ମଣ୍ଡପରେ ବସି

ପାବଚ୍ଛେଲମ୍ବାଇ

ପଦ ମଦାଳସୀ ।୨।

ପାର୍ଶ୍ୱେ ରମ୍ୟ କାଶ-

ପୁଷ୍ପ କରଣ୍ଡକ

ପ୍ରକାଶଇ ଶୋଭା

ଦିଶି ଚକ ଚକ ।୩।

ପୂରିଅଛି ତହିଁ

ବିବିଧ କୁସୁମ

ପରଶିଛନ୍ତି ଯା’

ପ୍ରେମେ ଲତା ଦ୍ରୁମ ।୪।

ପରିପାଟୀ କରି

ଖଞ୍ଜେ ଖଞ୍ଜନାକ୍ଷୀ

ପ୍ରତି ତାର ପ୍ରାନ୍ତେ

ପେନ୍ଥା ଯୋଖିଯାଖି ।୫।

ପୁନରପି ଖଞ୍ଜେ

ବୀଣା ଚାରି ଧାରେ

ପବିତ୍ର-ହୃଦୟା

ଦିବ୍ୟ ମାଳାକାରେ ।୬।

ପ୍ରଯ଼ତ୍ନେ ଖଚଇ

ଦୃଡ଼ଚିତ୍ତେ ବାଳୀ

ପାରିଜାତ ପାଶେ

ପାଟଳୀ ନିଆଳୀ ।୭।

ପ୍ରସାରିତ ଦୁଏ

ଯହିଁ ଦକ୍ଷ କର

ପକାଏ ମୀନାକ୍ଷୀ

ଅକ୍ଷି ତା’ଉପର ।୮।

ପୂର୍ଣ୍ଣେନ୍ଦୁ-ବଦନେ

ଚାନ୍ଦକଳା ବିନ୍ଦୁ

ପୁଷ୍ପଲିହ ପ୍ରାୟ

ନେତ୍ର ଅରବିନ୍ଦୁ ।୯।

ପାର୍ଶ୍ୱେ ମକରନ୍ଦ

ପାନ ଅଭିଳାଷେ

ପ୍ରେମ ଭୂରୁ-ପକ୍ଷେ

ଉଡ଼ାନ୍ତି ଉଲ୍ଲାସେ ।୧୦।

ପ୍ରତାରନ୍ତି ସେହି

ଅଳିକି ନୟନେ

ପାଣିତଳ ବାଳ-

ରବି ଦରଶନେ ।୧୧।

ପବନାନ୍ଦୋଳିତ

ପଦୁପୃଷ୍ପ ପରି,

ପତିବ୍ରତା ନାରୀ

ଯାଏ ଯଥା ଡରି ।୧୨।

ପ୍ରଜ୍ୱଳି କନକ-

ଅଳକା କପାଳେ

ପର୍ଣ୍ଣପତ୍ରାକୃତି

ମୃକ୍ତାଜାଳ ଝାଳେ ।୧୩।

ପରମ-ସୁନ୍ଦର

ସିମନ୍ତିନୀ-ମଣି

ପ୍ରତିକ୍ଷଣେ ବାଙ୍କ-

ଚାହାଣୀଙ୍କ ଗଣି ।୧୪।

ପ୍ରଶସ୍ତ ଲଲାଟ

ମଧ୍ୟେ ଆପେ ଦୋଳେ

ପଦକ ଆକାର

ରମ୍ୟ ସ୍ୱର୍ଣ୍ଣ-ଖୋଳେ ।୧୫।

ପାର୍ଶ୍ୱଦ୍ୱୟ ବେଢ଼ି

ସୁବଳିତ ବେଣୀ

ପ୍ରକଟାଇ ଅଙ୍ଗେ

ପଦ୍ମ ତାରା ଶ୍ରେଣୀ ।୧୬।

ପୃଷ୍ଠଭାଗେ ଯାଇ

ଦୀର୍ଘ ବେଣା ଦେହେ

ପାସୋରିଛ ମିଶି

ନିଜତ୍ୱ ତା’ସ୍ନେହେ ।୧୭।

ପାରାବାରେ ଯଥା

ଭୁଲଇ ସରିତ

ପ୍ରେମେ ମିଶି ନିଜ

ଗୁଣ ଅଗଣିତ ।୧୮।

ପ୍ରଭୁଙ୍କର ଏହା

ସୁନ୍ଦର ବିଧାନ

ପାସୋରେ ପରମେ

କ୍ଷୁଦ୍ର ତା’ସମ୍ମାନ ।୧୯।

ପାଶ୍ଚାତେ ଲମ୍ବିତ

ସୁବର୍ଣ୍ଣ ଖଚିତ

ପୃଷ୍ଠଦେଶେ ଖେଳି

କୁସୁମ-ଭୂଷିତ ।୨୦।

ପବନରେ ଦୋଳେ

ବେଣୀ-କୃଷ୍ଣ-ଫଣୀ

ପାଟପୁଷ୍ପ-ଫଣା-

ଶିରେ ଜାଳି ମଣି ।୨୧।

ପୁଷ୍ପ କେତେ ବାର

ନିଏ ନବବାଳୀ

ପରିମାଣ କରେ

କି ସେ ଦୃଷ୍ଟି ଝାଳେ ? ।୨୨।

ପ୍ରଭୁ କାର୍ଯ୍ୟେ ଭୃତ୍ୟ

ସଦା ନିୟୋଜିତ

ପ୍ରକୃତର ଏହା

ବିଧାନ ଉଚିତ ।୨୩।

ପିନ୍ଧଛି ବନ୍ଧୁକ-

ଅଧରା ସୁନ୍ଦରୀ

ପଟ୍ଟ-କଳା ମେଘୀ-

ଶାଟୀ ଅଙ୍ଗେ ଭରି ।୨୪।

ପୀତ ଧଟୀ ସ୍କନ୍ଧୁ

କ୍ଷୀଣକଟୀ ଧରି

ପଦ୍ମପାଦ ଯାଏ

ଶମ୍ପା-ରେଖା ପରି

ପ୍ରାବୃଟ-କାଳୀନ

କୃଷ୍ଣ ଘନ କୋଳେ

ପଡ଼ିଛ ଘୁମାଇ

ଚିରକାଳ ଭୋଳେ ।୨୬।

ପ୍ରଫୁଲ୍ଲ କେତକୀ-

କନକ-ବରଣା

ପଦ୍ମବାସେ କରେ

ପ୍ରକୃତି କି ବଣା ।୨୭।

ପୁଷ୍ପ ତେଜି ତେଣୁ

ଆସି ଅଳିଗଣ

ପାଶେ ଉଡ଼ି ବାସ

କରନ୍ତି ଗ୍ରହଣ ।୨୮।

ପରିତ୍ୟାଗ କରି

ମଳୟ-ଶିଖରୀ

ପଦ୍ମିନୀ ସମୀପେ

କୋୟରଙ୍କ ପରି ।୩୦।

ପରମ ମୃଦୁଳେ

ବହି ଗନ୍ଧବହ

ପରଶେ ଅପରେ

ବାସ ଅହରହ ।୩୦।

ପାର୍ଶ୍ୱସ୍ଥିତ ଲତା

ଦ୍ରୁମ ଗୁଳ୍ମ ରାଜି

ପୁଷ୍ପ-ନେତ୍ରେ ମାତ୍ର

ଚାହିଁଛନ୍ତି ରାଜି ।୩୧।

ପାରୁଥିଲେ ଚଳି

ଆସନ୍ତେ ପଳାଇ

ପାଗଳ ପରାୟ

ଦିଅନ୍ତି ଜଣାଇ ।୩୨।

ପକ୍ଷୀଗଣ ଏଣେ

ତେଣେ ବିଚରିଣ

ପୁରୀପତିସୁତା

ସୁବାସ ହରିଣ ।୩୩।

ପରିତୃପ୍ତି ଲଭି,

ଦିବ୍ୟ କଳରବ

ପାସୋରି ଅଛନ୍ତି

ନିଜସ୍ୱ ସରବ ।୩୪।

ପର ମହାଗୁଣ

ଦରଶନେ ପ୍ରାଣୀ

ପାରେ ନାହିଁ କହି

ଆପଣା କାହାଣୀ ।୩୫।

ପ୍ରତିଜ୍ଞା ସୁଗନ୍ଧେ

ଅନ୍ଧ ମଧୁକର

ପରିଧେୟ ପରେ

ହୋଇ ଥରଥର ।୩୬।

ପୁଷ୍ପମଧୁ ପାନ

ଅତି ତୁଚ୍ଛ ମଣେ

ପ୍ରକାଶଇ ମଧ୍ୟ

ଗୁଣୁ ଗୁଣୁ ସ୍ୱନେ ।୩୭।

ପ୍ରବେଶିଲା ଏହି

କାଳେ ଦାସୀ ଏକ

ପାରେ ଯେ ଦେଖାଇ

ରହସ୍ୟ ଅନେକ ।୩୮।

ପ୍ରୌଢ଼ା ଶ୍ୟାମଳାଙ୍ଗୀ

ହସ୍ତିନୀ ନାୟିକା

ପୃଥଳ-ଶରୀରା

ସଚିବ-ପାଚିକା ।୩୯।

ପିନ୍ଧିଛି ବସନ

ହାଣ୍ଡିକଳା-ବୋଳା

ପିଚା ଯେହ୍ନେ ଚୁଆ-

ବୋଳିତ ହାଣ୍ଡୋଳା ।୪୦।

ପୋଛିଛି ହଳଦି-

ହାତ ପରିଧାନେ

ପରିବାଦି କଷ

ସଙ୍ଗେ ସ୍ଥାନେ ସ୍ଥାନେ ।୪୧।

ପୂରିଛି ତା’କଳେ

ଗାଲ ଠେଲି ପାନ,

ପିକ ଯୋଗେ ଓଷ୍ଠ

ପ୍ରବାଳ ସମାନ ।୪୨।

ପଣତ କାନିକି

ଘରମ ସିଂହାଣି

ପକାଇଛି ଓଦା-

କରି ମିଶି ପାଣି ।୪୩।

ପୁଷ୍କରିଣୀ ଦିଗେ

କରେ ରାମା ଗତି,

ପୀତବସ୍ତ୍ର ଖଣ୍ଡେ

ଅଛି ତାର କତି ।୪୪।

ପଡୁଅଛି ଜଣା

ଏଥୁଁ ଏହିକ୍ଷଣି

ପାଚନ ସାରିଣ

ଆସଇ ରମଣୀ ।୪୫।

ପରିଷ୍କୃତା ହେବ

ସରସୀ ସଲିଳେ,

ପ୍ରଶମିବ ପୁଣି

କ୍ଲାନ୍ତି ମନ୍ଦାନିଳେ ।୪୬।

ପଡ଼ିଲା ସୁଯୋଗ

ରହସ୍ୟ କରଣେ,

ପ୍ରେମାଳାପ ଲାଗି

ମିଳିଗଲା ଜଣେ ।୪୭।

ପଦେ ଭାଷି ଦେଲା

ହସି ହସି ଦାସୀ

ପାନ ରସେ ପକ୍ୱ

ଦଶନ ପ୍ରକାଶି ।୪୮।

“ପରାମର୍ଶ ଶୁଣି

ବିଭୂଷିଲ ବୀଣା,

ପରେ କି କରିବ

ହେଲେ କା’ରେ କୀଣା”? ।୪୯।

ପ୍ରତିଜ୍ଞା ଉତ୍ତରେ

“କି ପରାମରଶ?

ପ୍ରମିଳା ଭଷ ଗୋ

କା’ର ହେବି ବଶ ।୫୦।

ପ୍ରତିଦିନ ମୁଁ ତ

କରଇ ଏପରି

ପଦେ କେହି କେବେ

ନାହିଁ ଥଟା କରି, ।୫୧।

ପାଇଲି କି ଲାଗି

ଶୁଣିବାକୁ ଆଜି

ପ୍ରତିଭାଷ ଦିଅ

ମୋ ସନ୍ଦେହ ମାଜି” ।୫୨।

ପୁଣି ଭାଷେ ଦାସୀ

କରି ମୂଖଭଙ୍ଗୀ

“ପାଇବ ନ ଜାଣ

ପ୍ରାଣ ଚିର ସଙ୍ଗୀ ? ।୫୩।

ପାରିଲେଣି ଶୁଣି

ନଗର ବାସୀଏ,

ପଦ୍ମମୃଖୀ ଆଗେ

ନ କହିଲା କିଏ ? ।୫୪।

ପରତେ ଆସଇ

ଏ କତା ମୋହର

ପ୍ରଥମୁଁ ଲୁଚାଅ

ଲଜ୍ଜାରେ ଖବର”।୫୫।

ପଚାରଇ ପୁଣି

ସବିମ୍ମୟେ ବାଳା

“ପାରିବ କେ ସେହି

ତୋ ରହସ୍ୟ ଜ୍ୱାଳା ? ।୫୬।

ପ୍ରକୃତେ ମୁଁ କିଛି

କାହୁଁ ଶୁଣି ନାହିଁ

ପକାଉଛି ରାଣ

ତୋର ମୁଖ ଚାହିଁ”।୫୭।

“ପାତ୍ରେ ଅନ୍ୱେଷଣ

କରୁଛନ୍ତି ପରା

ପାଳକ ତୁମ୍ଭର

ପଠାଇ ଡଗାରା ।୫୮।

ପୁରୀପତି କୁଳେ

ଲଭିଛ ଜନମ

ପ୍ରକାଶ ନକରି

ଦିବ୍ୟ ମନୋରମ ।୫୯।

ପୁଣ୍ୟବାନ ମହା-

ବୀର ରାଜସୁତ

ପରାତ୍ପର-ଅଂଶୀ

ସୁ-କୁଳ-ପ୍ରସୃତ ।୬୦।

ପରମ କୌଶଳେ

ବରି ମନ୍ତ୍ରିବର

ପଦେ ତାଙ୍କ ଦେବେ

ତୁମ୍ବଙ୍କୁ ସତ୍ୱର”।୬୧।

ପ୍ରମିଳା ଏସନ

ଭାଷନ୍ତେ ସରଳା

ପଚାରିଲେ “ତୁମ୍ଭେ

ଅଟ କି ପାଗଳ ? ।୬୨।

ପୂର୍ଣ୍ଣ ଅସମ୍ବବ

ପ୍ରସଙ୍ଗ କିପରି

ପକାଉଛ କହି

ଡଗ ଡଗ କରି ? ।୬୩।

ପ୍ରସବ ଲଭିଛି

ଯେହୁ ମନ୍ତ୍ରୀ କୁଳେ

ପାସଙ୍ଗ ହେବ କି

ଯୁବରାଜ ତୁଳେ?” ।୬୪।

“ପ୍ରଭାବତୀ ପରା

ତୁମ୍ଭର ପ୍ରସୁତି

ପ୍ରାଣରକ୍ଷା ଲାଗି

କେତେ ଅନୁଭୂତି ।୬୫।

ପ୍ରସବ ସମୟଁ

କରି, ମନ୍ତ୍ରୀ କୋଳେ

ପ୍ରଦାନିଲେ ମାତ୍ର

ଦେଖିବାକୁ ଡୋଳେ” ।୬୬।

ପ୍ରମିଳା ବଚନ

ଶୁଣି ବାଳାମାଣି

ପଡ଼ିଲେ ବିସ୍ମୟ-

ସାଗରେ ସେକ୍ଷଣି ।୬୭।

ପ୍ରଶ୍ନକଲେ“ତୁ କି

ସତେ ପାଗଳିନୀ

ପ୍ରତିଜ୍ଞାକୁ କହୁ

ନରେଶ-ନନ୍ଦିନୀ ? ୬୮।

ପାରେ ନାହିଁ କରି

ଯେହୁ ଦରଶନ

ପୁରୀପତିଙ୍କର

କମଳ-ଚରଣ ।୬୯।

ପୁତ୍ରୀସେ ତାଙ୍କର

ଅଟଇ କିପରି ?

ପ୍ରାଣପ୍ରିୟା ପାଳେ

କିମ୍ପାଁ କୋଳେ ଧରି ?” ।୭୦।

ପୁନରପି ଜନ-

ମାଇ ସେ ବିଶ୍ୱାସ

ପୁରୀପତି ପଣ,

ସୂତା ଗର୍ଭବାସ ।୭୧।

ପ୍ରସବ-କାଳୀନ

ଘଟନା-ଆବଳି

ପଣ୍ଡିତଙ୍କ ଯୁକ୍ତି

ବିମଳାଙ୍କ ବଳି, ।୭୨।

ପ୍ରତ୍ୟେକ ବିଷୟ

କହି ଧୀର ସ୍ୱରେ,

ପ୍ରକାଶନେ ମନା

କଲା ଭୟଭରେ ।୭୩।

ପିତୁଳା ପରାୟ

ରହିଲା ତରୁଣୀ

ପରିଚାରୀଠାରୁ

ଇତିବୃତ୍ତ ଶୁଣି ।୭୪।

ପ୍ରମିଳା ତା’ ଦଶା

କରି ଦରଶନ

ପୁଷ୍କରିଣୀ ଦିଗେ

ଚାଳିଲା ଚରଣ ।୭୫।

 

Unknown

ଊନବିଂଶ ସର୍ଗ

ପ୍ରତ୍ୟହ ଶ୍ରାବଣେ

ବରଷାର ଧାରା

ପତନେ ପଙ୍କିଳ

ଧରାତଳ ସାରା ।୧।

ପରିପୂର୍ଣ୍ଣ ବିଲ,

ବାଡ଼ି, ଯୋଡ଼ା ଜଳେ;

ପ୍ରଧାବନ୍ତି ଗର୍ବେ

ତଟିନୀ ସକଳେ ।୨।

ପ୍ରତିକ୍ଷଣେ ଭୀମ

ଜଳଦ ଗର୍ଜ୍ଜନ

ପ୍ରାଣୀଗଣ ଧୈର୍ଯ୍ୟ

କରଇ ଖଣ୍ଡନ ।୩।

ପୂର୍ବରୁ ଦେଖାଇ

ବିଜୁଳି ସଂକେତ

ପ୍ରକାଶଇ ଆମ୍ଭେ

ଦୁହେଁ ସମବେତ ।୪।

ପ୍ରବଳ ପ୍ରତପୀ

ପର ପୀଡ଼ନକ

ପୂର୍ବରୁ ତ ଭାଷେ

‘ହୁଅ ସତରକ’ ।୫।

ପ୍ରାପ୍ତ ନୋହିବାକୁ

ଦୋଷ ଭାବି ମନେ

ପାପ-ଶୂନ୍ୟ ଜୀବ

ଜୀବନ ନିଧନେ ।୬।

ପ୍ରଭଞ୍ଜନ କେବେ

ବହି ଘୋରତର

ପ୍ରଥମେ ଶୁଣାଇ

ଦୁରୁଁ ଘୁ ଘୁ ସ୍ୱର ।୭।

ପିଟି ହୋଇ ଡେଙ୍ଗା

ତରୁବର ଅଙ୍ଗେ

ପକାଏ ଭୂତଳେ

ଭାଙ୍ଗି ତା’ଭ୍ରୁ ଭଙ୍ଗେ ।୮।

ପାଟ ପ୍ରାୟ ଦିଶେ

ଗହୀର ସକଳ,

ପ୍ରେମ-ମଦେ-ତହିଁ

ଶ୍ୟାମ-ଶସ୍ୟ-ଦଳ ।୯।

ପବନ-ଚଳିତ

ବାରି-ରାଶି-ପରେ

ପ୍ରକାଶନ୍ତି କ୍ରୀଡ଼ା

ମହା ହର୍ଷଭରେ ।୧୦।

ପ୍ରାନ୍ତର ଶୋଭନ

ତୃଣାବଳି ଦଳେ

ପରିବର୍ଦ୍ଧିତ ଯା’

ଦିନୁଁ ଦିନ ଜଳେ ।୧୧।

ପୃଥିବୀ ତା’ଯୋଗେ

ଦିଶେ ଶ୍ୟାମାମ୍ବରା,

ପ୍ରକୃତିର ସେ କି

ହରିତ-ପସରା ?।୧୨।

ପ୍ରଚୁର ଲତିକା

ଆରଣ୍ୟ ଉଭିଦ

ପରିତ୍ୟାଗ କରି

ଦିବା ରାତ୍ରି ନିଦ ।୧୩।

ପୁଷ୍ଟିଲାଭ ଲାଗି

ପରିଶ୍ରମେ ରତ

ପଦା ଅବା କର

ବିସ୍ତାରି ନିରତ ।୧୪।

ପୀତ ପୃଷ୍ପେ ଅଙ୍ଗ-

ଭୂଷିତା ଲତିକା

ପର ପାଶେ ଯେହୁ

ଆଜୀବନ ବିକା ।୧୫।

ପ୍ରାଣେଶ୍ୱର ପାଶେ

ଜୀବେଶ୍ୱରୀ ପ୍ରାୟ,

ପ୍ରସାରନ୍ତି ଏବେ

ପରାଶ୍ରତ କାୟ ।୧୬।

ପାଣୀ ବାନ୍ଧି ଦୃଢ଼—

ହିଡ଼େ ଚାଷୀଗଣ

ପରମ ଆନନ୍ଦେ

ରୁଆ ବେଉଷଣ ।୧୭।

ପକାଇ ଚହଳ

କରନ୍ତି ଏକାଳେ

ପଦାଠାରୁ ଶିର

ଧୋଇ ଜଳ, ଝାଳେ ।୧୮।

ପାଳିବାରୁ ବିଲେ

ପୁରୁଷେ କମଳା

ପୂଜିଲେ ପ୍ରତିମା

ଆଳୟେ ଅବଳା ।୧୯।

ପ୍ରତି ଗୁରୁବାରେ

ବସାଇ ଆସନେ

ପବିତ୍ର ନିର୍ମଳ

ପୁଲକିତ ମନେ ।୨୦।

ପ୍ରତ୍ୟେହ ପୂଜଇ

ତାହାଙ୍କୁ ମନ୍ତ୍ରିଣୀ,

ପରବେ କିମ୍ପାଇଁ

ନୋହିବ ସେବିନୀ ?।୨୧।

ପୁରେ ଲଗାଇଛି

ଆଜି ମହୋତ୍ସବ

ପଦ୍ମା ପୂଜି ଲଭି

ଆନନ୍ଦ ବିଭବ ।୨୨।

 

* ଲକ୍ଷ୍ମୀ, ଧାନ୍ୟାଦି ଶସ୍ୟକୁ ହିନ୍ଦୁମାନେ ମହାଲକ୍ଷ୍ମୀ ବୋଲି ପୂଜା କରନ୍ତି ;

ବର୍ଷାକାଳୀନ ଏହି ପୂଜା ସର୍ବତ୍ର ପ୍ରଚଳିତ ।

 

ପରିଚାରୀଗଣ

କର୍ମେ ନିୟୋଜିତା

ପହଣ୍ଡେ କେ ଲେଖେ

ପଦ୍ମପାଦ ଚିତା ।୨୩।

ପଦ୍ମ ପରେ କେହୁ

ବସାଏ ଗୋବର,

ପୁଷ୍ପ ଖଞ୍ଜେ ଆନ

ତା’ଶିରେ ସତ୍ୱର ।୨୪।

ପ୍ରସୂନେ କେ ନାରୀ

ପୁରାଇ ଅକ୍ଷତ

ପ୍ରଯନ୍ତେ ତା’ ଯୋଗେ

ବାନ୍ଧେ ଦୂର୍ବା ଶତ ।୨୫।

ପୃଥକ କେ କରେ

ବିବିଧ କୁସୁମ,

ପାତ୍ରେ ସଜାଡ଼ି କେ

ହରିଦ୍ରା କୁଙ୍କୁମ ।୨୬।

ପ୍ରଲେପି ଇନ୍ଦିରା

ଶ୍ରୀମୂର୍ତ୍ତି ଶରୀରେ

ପକାଏ ଗାଧୋଇ

ଗନ୍ଧପୂତ ନାରୀ ।୨୭।

ପତନୀ ଶାଢ଼ୀ କେ

କୁଞ୍ଚି ସଯତନେ

ପିନ୍ଧାଏ କ୍ଷୀରବଧି-

ସୁତା ଅପଘନେ ।୨୮।

ପଟ୍ଟବାସେ କେ ବା

ଖଟୁଳି ମଣ୍ଡନ

ପଚାରଇ କରି

‘ହେଲା କି ଶୋଭନ ?’ ।୨୯।

ପିଲିସଜେ ଆନ

ଜାଳି ଘୃତଦୀପ

ପୂର୍ଣ୍ଣକୁମ୍ଭ ସ୍ଥାପେ

ଆସ୍ଥାନ ସମୀପ ।୩୦।

ପ୍ରାଣପ୍ରିୟା କରି

ମନ୍ତ୍ର ଉଚ୍ଚାରଣ

ପଦ୍ମାଙ୍କୁ ଅର୍ପିଲେ

ବିଧାନେ ଆସନ ।୩୧।

ପଟୀର ସିନ୍ଦୁରେ

ଚିତ୍ରୀ ଉତ୍ତମାଙ୍ଗ

ପୁଷ୍ପେ ବିଭୂଷିଲେ

ଶ୍ରୀଦେବୀ ସର୍ବାଙ୍ଗ ।୩୨।

ପାଦ୍ୟ, ଅର୍ଘ୍ୟ, ଧୁପ,

ଦୀପ, ଆଚମନ

ପରେ ପୂଜାଦ୍ରବ୍ୟ

କଲେ ସମର୍ପଣ ।୩୩।

ପରିଶେଷେ ଅର୍ପି

କର୍ପୁର ଆରତୀ

ପ୍ରଣମିଲେ ଦେବୀ

ପଦତଳେ ସତୀ ।୩୪।

ପ୍ରାର୍ଥନା କଲେ ସେ

ଏକମାତ୍ର ବର

‘ପ୍ରତିଜ୍ଞାକୁ ମା ଗୋ

ଦିଅ ଯୋଗ୍ୟ ବର’ ।୩୫।

ପାଶେ ଥାଇ ଶୁଣୁ—

ଥିଲା ନବବାଳୀ

ପରିହାସ କଲେ

ମିଳି କେତେ ଆଳୀ ।୩୬।

“ପଦ୍ମାଳୟା ପାଶେ

କରୁଥାଅ ଅଳି

ପାଇବ ଗୋ ପ୍ରାଣ-

ଈଶ୍ୱର କି ଭଳି”।୩୭।

ପଦେ ହସି ହସି

ଭାଷିଲେ ସରଳା

ପତି ବାଛିବେ କି

ମୋ ଲାଗି ଚପଳା ? ।୩୮।

ପାରିବେ ଯେ ଜିଣି

ପ୍ରଥମ ଧାବନେ

ପାରେ ସେ ବସାଇ

ଏକା ଅଙ୍କାସନେ ।୩୯।

ପାରବୀର ତୀର

ହେବ କ୍ରୀଡ଼ାସ୍ଥଳ

ପରାଭୂତ ବ୍ୟକ୍ତି

ପିନ୍ଧବ ଶୃଙ୍ଖଳା”।୪୦।

ପ୍ରାଣପ୍ରିୟା ଶୁଣି

ତନୟା ଭାରତୀ

ପ୍ରାଣେଶ୍ୱର ପାଶେ

ମିଳିଲେ ତଡ଼ତି ।୪୧।

ପ୍ରଣମି ଶ୍ରୀପଦେ

ସୂତା ଅଭିଳାଷ

ପ୍ରକାଶି ଭାଷିଲେ

“ରାଜସୁତ ପାଶ ।୪୨।

ପତ୍ର ଦିଅ ବେଗେ

ଡଗରାଙ୍କ କରେ,

ପୁରୀଧାମେ ସର୍ବେି

ମିଳନ୍ତୁ ସତ୍ୱରେ ।୪୩।

ପରିଣୟ ହେବ

ଆଦ୍ୟ ମାର୍ଗଶିରେ,

ପୂର୍ବରୁ ପ୍ରତ୍ୟେକେ

ମହୋଦଧିତୀରେ ।୪୪।

ପ୍ରତିଜ୍ଞା ପ୍ରତିଜ୍ଞା

ଅନୁକ୍ରମେ ଧାଇଁ

ପରାକ୍ରମ ଥରେ

ଦିଅନ୍ତୁ ଦେଖାଇ” ।୪୫।

 

ବିଂଶ ସର୍ଗ

ପଞ୍ଚାଳେଶ-ସୁତ

ପାଶେ ବିପ୍ରବର

ପ୍ରବେଶିଲେ ଦେଖି

ଅସଂଖ୍ୟ ନବର ।୧।

ପାତ୍ର ମିତ୍ର କେତେ

ବସି ବେତ୍ରାସନେ

ପକାଇଲେ ଦୃଷ୍ଟି

ଦ୍ୱିଜ ଅପଘନେ ।୨।

ପ୍ରଣମିଲେ ଧୀରେ

ନରେଶ-ନନ୍ଦନ

ପରିଲକ୍ଷି ଯଜ୍ଞୋ-

ପବୀତ, ଚନ୍ଦନ ।୩।

ପ୍ରତ୍ୟଭିବାଦନେ

ଦୀର୍ଘ ଶ୍ଲୋକାବଳି

ପଢ଼ିଲେ ବ୍ରାହ୍ମଣ

ପ୍ରସାରି ଅଞ୍ଜଳି ।୪।

“ପୁରେ ଅଚଞ୍ଚଳେ

ବସନ୍ତୁ ଚଞ୍ଚଳା

ପ୍ରବେଶନ୍ତୁ ଭୁଜେ

ଚଣ୍ଡୀ ବୈରୀଦଳା ।୫।

ପ୍ରତିକ୍ଷଣେ କଣ୍ଠେ

ନାଚନ୍ତୁ ଭାରତୀ,

ପରାତ୍ପର ପଦେ

ରହୁ ତବ ମତି ।୬।

ପଦ୍ମିମୀ ନାୟିକା

ହେଉ ପ୍ରାଣେଶ୍ୱରୀ,

ପ୍ରଳୟ ପର୍ଯ୍ୟନ୍ତ

ରହ ଭୋଗ କରି ।୭।

ପ୍ରାପ୍ତ ହେଉ ପୁତ୍ର

ପୌତ୍ତ୍ର ଗୁଣବାନ,

ପ୍ରତିଦେଶେ ଶୋଭୁ

କାର୍ତ୍ତିମାଳାମାନ ।୮।

ପୁଣ୍ୟଶ୍ଲୋକ କହୁ

ତୁମ୍ଭଙ୍କୁ ଜଗତ

ପ୍ରାଣୀ ମାତ୍ରେ ଦୟା

ଢାଳ ହେ ସତତ ।”।୯।

ପୁଛିଲେ କୁମାର

“ଭୋ ହି ଜଶେଖର ।

ପରିଚୟ ତବ

ଦେବ କି ଗୋଚର ? ।୧୦।

ପଗଡ଼ି ବନ୍ଧନୁ

ଜଣାଯାଅ ଦୁତ

ପୁଣି ଗାଳିଲାଣି

ପାଣ୍ଡିତ୍ୟ ଅଭୁତ ।୧୧।

ପ୍ରତ୍ୟୟ ହେଉଛ

ଶୁଣି ଆଶୀର୍ବିାଦ

ପ୍ରଦାନ କରିବ

ନିଶ୍ଚେ ସୁସଂବାଦ ।୧୨।

ପୁଣ୍ୟବାନ ନୃପ

ତୁମ୍ଭର ପ୍ରେରକ

ପ୍ରକାଶେ ଦ୍ୱାଦଶ,

ଶ୍ରୀରାମ-ତିଳକ ।୧୩।

ପୂତ ହେଲା ତେବେ

କେବଣ ନଗରୀ

ପୁତ୍ର ରୂପେ ଲଭି

ବିପ୍ର ତବ ସରି ? ।୧୪।

ପାଳନ୍ତି ସେ ଦେଶ

କେଉଁ ନରେଶ୍ୱର,

ପହୁଞ୍ଚିଲ ଏଥି

ଆଣ କି ଖବର ? ।୧୫।

ପତ୍ୟେକ ବିଷୟ

କରିଲେ ବର୍ଣ୍ଣନ

ପ୍ରୀୟମାଣ ହେବ

ସନ୍ଦିହାନ ମନ” ।୧୬।

ପ୍ରଦାନିଲେ ଧୀରେ

ପ୍ରିୟବାଦୀ ଦାସ

ପାଞ୍ଚାଳେଶ-ସୁତ-

ପ୍ରତି ପ୍ରତିଭାଷ ।୧୭।

“ପୁରୀ ଧାମେ ଅଟେ

ମୋହର ଜନମ,

ପୁରାଣ ପଠନ

ପ୍ରଧାନ କରମ ।୧୮।

ପଡ଼ିଲେ ସମୟ

ବୁଲେ ଦୂତରୂପେ

ପୁରୀପତିଙ୍କର

ଆଜ୍ଞା ଅନୁରୂପେ ।୧୯।

ପ୍ରବୋଧନ ତାଙ୍କ

ପ୍ରଧାନ ସଚିବ

ପଦେ ଯାଙ୍କ ଆର୍ଯ୍ୟ-

ଜାତି ପ୍ରଣମିବ ।୨୦।

ପଠାଇଲେ ମୋତେ

କରିବି ପ୍ରଚାର

ପୁତ୍ରୀପଣ ତାଙ୍କ

ଭ୍ରମି ଏ ସଂସାର ।୨୧।

ପ୍ରତିଜ୍ଞାନାମିନୀ

ଅଟେ ସେ ସୁନ୍ଦରୀ

ପ୍ରତିଜ୍ଞା କରିଛି

ନିଜ ନାମ ସ୍ମରି ।୨୨।

ପ୍ରଥମ ଧାବନେ

ପାରିବ ଯେ ଜଣି

ପତି ରୂପେ ତାର

ହୃଦ ନେବ କିଣି ।୨୩।

ପାରାବାର-ତୀର

ହେବ କ୍ରୀଡାସ୍ଥଳ

ପରାଭୂତ ବ୍ୟକ୍ତି

ପିନ୍ଧିବ ଶୃଙ୍ଖଳ”।୨୪।

ପୁନରପି ସୁତ

ପ୍ରଶ୍ନ କଲେ ଧୀରେ

“ପଡ଼ିଲି ତଥାପି

ସନ୍ଦେହ-ତିମିରେ ।୨୫।

ପଣକାରିଣୀର

ରୂପ ଗୁଣରାଶି

ପ୍ରକାଶ ନ କରି

ଏତେ କଥା ଭାଷି ।୨୬।

ପାରିବ କି ଠୂଳ

କରି ରାଜଗଣେ

ପ୍ରଲୋଭନ ବିନା

ପରୀକ୍ଷା କରଣେ ?’’ ।୨୭।

ପୁନିଶ୍ଚ ସେ ଦୂତ

ଦିଅନ୍ତି ଉତ୍ତର

ପଚାତିଲେ ଯାହା

ଶୁଣନ୍ତୁ ସୁନ୍ଦର ।୨୮।

ପଦ ଦେଖି ଯାର

ଭାବିବେ ଅମରୀ

ପଦଘଷା-ଶିଳା

ସଙ୍ଗେ ନୋହୁଁ ସରି, ।୨୯।

ପାଶେ ନ ପଶିବେ

ପଙ୍କଜ-ବାସିନୀ

ପାଟି ମୁଦି ଦେଇ

ଦେଖି ଯେ ନନ୍ଦିନୀ ।୩୦।

ପଳାଇବେ ଶୀଘ୍ର

ହତାଶେ କବିଏ

ପକାଇ ଲେଖନ

ପୋଥି କାହିଁ କିଏ ।୩୧।

ପରିହାର କରି

ଶୋଭା ଦେଖି ଯାର

ପଦ-ଗଡ଼ା-କର୍ମ

ଭବେ ଯାହା ସାର, ।୩୨।

ପୃଥିବୀ କହଇ

ନ ଦେଖିଛି ମୁହିଁ

ପଦ୍ମିନୀ ପରାୟ

କେବେ କାହାକୁହିଁ, ।୩୩।

ପ୍ରକୃତ ପ୍ରଣଂସା

କଲେ ଯାର ଜନେ

ପ୍ରକାଶିବେ ବକ୍ତା

ବାହୁଲ୍ୟ ବର୍ଣ୍ଣନେ ।୩୪।

ପ୍ରସିଦ୍ଧ ଅଟଇ

ଧରଣୀମଣ୍ଡଳେ,

ପାରିବି ମୁଁ ବର୍ଣ୍ଣି

କେଉଁ ବୁଦ୍ଧିବଳେ ?।୩୫।

ପଦେ ଅଧେ ଅବା

ବଖାଣିବି ଗୁଣ

ପରସ୍ପରେ ଯାହା

ଶୁଣିଛି ତା’ଶୁଣ ।୩୬।

ପିଲାଦିନୁଁ ସର୍ବ

ଶାସ୍ତ୍ର ସେ ଉଦରେ

ପୁରାଇଛି କେଉଁ

ଦେବୀଙ୍କର ବରେ ।୩୭।

ପୂଜଇ ପ୍ରତ୍ୟହ

ଦେବୀ ବହୁବିଧ,

ପଣ୍ଡିତଙ୍କ ସଙ୍ଗେ

ତା’ଯୁକ୍ତି ପ୍ରସିଦ୍ଧ ।୩୮।

ପ୍ରଧାବଇ ନିତ୍ୟ

ଜିଣି ଶମ୍ପା-ଗତି

ପ୍ରତିକାର୍ଯ୍ୟୁଁ କିଛି

ଜାଣେ ପୁଣ୍ୟବତୀ ।୩୯।

ପ୍ରେମାଳାପ କରି

ହରଇ ବିଷାଦ,

ପ୍ରତ୍ୟେକେ ଦିଅନ୍ତି

ତାକୁ ଧନ୍ୟବାଦ” ।୪୦।

ପ୍ରିୟବାଦୀ ଦାସେ

ସମ୍ବୋଧି କୁମାର

ପ୍ରଶ୍ନ କଲେ“ତୁମେ

ଦେଇ କି ହେ ! ପାର ? ।୪୧।

ପ୍ରବୋଧନଙ୍କର

ପୂର୍ଣ୍ଣ ପରିଚୟ,

ପୂର୍ବ ବଂଶାବଳି,

ମାତୁଳ ନିଳୟ, ।୪୨।

ପୁରୁଷୋତ୍ତମେଶ

ସହ ସମ୍ପରକ

ପରଭୃତ ପ୍ରାଣ-

ଈଶ୍ୱରୀ-ଜନକ”।୪୩।

ପୌରାଣିକ ଦାସେ

ସସ୍ମିତ ବଦନେ

ପ୍ରକାଶିଲେ “ଛାମୁ

ସନ୍ଦିହାନ ମନେ ।୪୪।

ପଚାରିଲେ ଯେଉଁ

ପ୍ରଶ୍ନ ଯେଉଁ ଲକ୍ଷ୍ୟେ

ପୁଛିବାର ନୁହେଁ

କେବେ ତାଙ୍କ ପକ୍ଷେ ।୪୫।

ପିତୃଷ୍ୱସା-ପୃତ୍ର

ଚୋରଗଙ୍ଗର ସେ

ପନ୍ଦର ବରଷ

ଜ୍ୟେଷ୍ଠ ହିଁ ବୟସେ ।୪୬।

ପିତାଙ୍କର ଥିଲେ

କନିଷ୍ଠ ନନ୍ଦନ

ପ୍ରଭୁ ପାଶେ ହେଲେ

ବନ୍ଧା ଆଜୀବନ ।୪୭।

ପିତୃରାଜ୍ୟୁ ହୋଇ

ବିଧାନେ ବଞ୍ଚିତ

ପରିତ୍ୟାଗ କରି

ବୃତ୍ତି ଯଥୋଚିତ ।୪୮।

ପୁଣ୍ୟଧାମେ ନିଜ

ଅଭିଳାଷ ମତେ

ପ୍ରବାସ କରଣେ

ବିଚାରି ସନ୍ତତେ ।୪୯।

ପବିତ୍ରା କାବେରୀ

ତୀର କରନାଟ

ପ୍ରଦେଶର ତାଙ୍କ

ଜନ୍ମଦାତା ରାଟ ।୫୦।

ପରିଣୀତ ଚୋର

ରାଜଜେମା ସଙ୍ଗେ

ପୂଜ୍ୟପୁତ୍ର ସେହି

ଭାରତ ଉତ୍ସଙ୍ଗେ ।” ।୫୧।

ପରିତୋଶ ଲଭି

ନୃପତି-ନନ୍ଦନ

ପୁରେ ରଖାଇଲେ

ସେଦିନ ବ୍ରାହ୍ମଣ ।୫୨।

ପରଦିନ ପ୍ରାତେ

ଅର୍ପି ରତ୍ନହାର

ପ୍ରଣମି ସଙ୍ଗତେ

ଦେଇ ପରିଚାର ।୫୩।

ପଥ ପ୍ରଦର୍ଶନେ

ଗଡ଼ ପ୍ରାନ୍ତ ଯାଏ,

ପ୍ରେମେ ଭାଷି ‘ଯେହ୍ନେ

ଶୁଭଦୃଷ୍ଟି ଥାଏ’ ।୫୪।

ପରିବର୍ତ୍ତେ କରି

କଲ୍ୟାଣ ଆଦାୟ

ପ୍ରଦାନିଲେ ଦାସେ

ଆନନ୍ଦେ ବିଦାୟ ।୫୫।

 

ଏକବିଂଶ ସର୍ଗ

ପାରାବାର ତୀରେ

ଶୋଭେ ବସ୍ତ୍ରାବାସ

ପୀରାମିଡ଼ ଯଥା

ମିଶରେ ପ୍ରକାଶ ।୧।

ପତାକା ଉଡ଼ଇ

ନଭଶ୍ଚୁମ୍ବୀ ଚୂଳେ

ପ୍ରକୁଳ ମୃଦୂଳେ

ହଲାଇ ମଞ୍ଜୁଳେ ।୨।

ପୂରିଛନ୍ତି ତହିଁ

ପରିଚାର ସହ

ପୃଥିବୀଶ-ସୁତେ

ଆସି ଅହରହ ।୩।

ପ୍ରତିକ୍ଷଣେ ଉଠି

ସୁସଙ୍ଗୀତ ତାନ

ପ୍ରେମାମୃତ ଢାଳେ

ପଥଚାରୀ କାନ ।୪।

ପରିଦରଶକେ

କାହିଁ ତମ୍ବୁ କତି

ପରିଭ୍ରମ ରାଜ-

କୁମାରେ ଦେଖନ୍ତି ।୫।

ପଲ ଦାସେରକ

ଟେକି ଲମ୍ବ ଗ୍ରୀବା

ପୁଲକିତ ଅଶ୍ୱ

ମାତଙ୍ଗ କାହିଁ ବା ।୬।

ପରବତ-ମାଳା

ପରାୟ ତରଙ୍ଗ

ପତନ ଉତଥାନ

ଦେଖି ଚଙ୍ଗ ଚଙ୍ଗ ।୭।

ପକାଇ ଆସନ

କାହିଁ ସଇକତେ

ପଞ୍ଚାଏ କୁମାର

ଗଳ୍ପନ୍ତି ଗୁପତେ ।୮।

ପୁଝାରୀ ଚାକର

କୌତୁକେ କେଉଁଠି

ପଡ଼ାପଡ଼ି ଧରା-

ଧରି ମୁଠାମୁଠି ।୯।

ପ୍ରଭୁଭକ୍ତ ଅଙ୍ଗ-

ରକ୍ଷକେ ଶସ୍ତ୍ରାଦି

ପରିଷ୍କାର କରି

ରଖନ୍ତି ସମ୍ପାଦ ।୧୦।

ପାଞ୍ଚ ସାତ ଜଣ

କାହିଁ ଅଶ୍ୱପାଳ

ପାଣୀ-ହାଣ୍ଡି ତଳେ

ଜାଳୁଥାନ୍ତି ଜାଳ ।୧୧।

ପାଚନ କରଣେ

ବୁଣ୍ଟ ଆଦି ଦାନା,

ପକାଏ କେ ଖୋଷି

ଗାଡ଼ିପରେ ବାନା ।୧୨।

ପୁଡ଼ା ବାନ୍ଧି କାହିଁ

ମାହୁନ୍ତାଦି ଧାନ

ପକାନ୍ତି ମାତଙ୍ଗ-

ସମ୍ମୁଖେ ସେମାନ ।୧୩।

ପଡ଼ିଛି କାହିଁ ବା

ବହୁ କାଷ୍ଠାସନ

ପିଲାଏ ତା’ପରେ

କରନ୍ତି କ୍ରୀଡ଼ନ ।୧୪।

ପଶା ଗଞ୍ଜପାଦି

ତାସ ବାଘ ଛେଳି

ପୁଞ୍ଜା ପୁଞ୍ଜା ହୋଇ

ହର୍ଷେ ବାନ୍ଧି ମେଳି ।୧୫।

ପ୍ରତିସ୍ଥାନେ ଗୋଳ

ଲାଗିଛ ଏପରି

ପିଟି ହୋଇ ତଟେ

ନିରେଖେ ଲହରୀ ।୧୬।

ପାର୍ଶ୍ୱେ ବିରାଜଇ

ବାଲୁକା ପ୍ରାନ୍ତର

ପୂରେ ଶୋଭା ଦେଖି

ଉଲ୍ଲାସେ ଅନ୍ତର ।୧୭।

ପ୍ରତି ପଞ୍ଚଗୁଣ

ଦୀର୍ଘ ଅଟେ ତାର

ପାର୍ଶ୍ୱ-ଦ୍ୱୟେ ରାଜେ

ରମ୍ୟ ଚାରମାର ।୧୮।

ପଞ୍ଚଦଶ ହସ୍ତ

ଊର୍ଦ୍ଧ୍ୱେ ଚନ୍ଦ୍ରାତପ

ପ୍ରତିହତ ଦୁଏ

ଯା ଯୋଗେ ଆତପ ।୧୯।

ପାହାଣିଆ ଛଣ-

ଛାତ ତଥିପରେ

ପ୍ରଥମରୁ ବାଧା

ଦିଏ ରବିକରେ ।୨୦।

ପ୍ରୋଥିତ କନକ-

ସ୍ତମ୍ବ ଆଦ୍ୟପ୍ରାନ୍ତ

ପ୍ରକାଶନ୍ତି କ୍ରୀଡା—

ପ୍ରାଙ୍ଗଣ ସୀମାନ୍ତ ।୨୧।

ପ୍ରଧାବନ-ପଥ

ଚନ୍ଦ୍ରାତପ-ତଳେ

ପ୍ରାନ୍ତ ଯାଏ ଆଦ୍ୟୁଁ

ଶୋଭେ ସୁସରଳେ ।୨୨।

ପଥ ବେନି ପାର୍ଶ୍ୱେ

ପାଞ୍ଚ ପାଞ୍ଚ ଧାଡ଼ି

ପଡ଼ିଛି ଆସନ

ଅଳ୍ପ ଅଳ୍ପ ଛାଡ଼ି ।୨୩।

ପ୍ରଭାତ ବ୍ୟତୀତ

ଅପର ସମୟ

ପ୍ରହରୀଏ ଭ୍ରମି

ଜନମାନ୍ତି ଭୟ ।୨୪।

ପ୍ରତ୍ୟେହ ସକାଳେ

ଦ୍ୱାର ଅବାରିତ

ପ୍ରବେଶନ୍ତି ଦର-

ଶକେ ଅଗଣିତ ।୨୫।

ପୋଷାକ ତୁଳନେ

ଦର୍ଶକ ଆସନ

ପ୍ରଭୁ କାଷ୍ଠାସନେ

ମଞ୍ଚେ ଭୃତ୍ୟଜନ ।୨୬।

ପ୍ରତିଦିନ ଏକ

ନରେଶ-ନନ୍ଦନ

ପ୍ରତିଜ୍ଞା ସଙ୍ଗତେ

କରେ ପ୍ରଧାବନ ।୨୭।

ପ୍ରଥମ ସ୍ତମ୍ଭରୁ

ଶେଷ ସ୍ତମ୍ଭ ଯାଏ,

ପଣ ଥାଏ କିଏ

ଆଦ୍ୟେ ପ୍ରାନ୍ତ ପାଏ ।୨୮।

ପ୍ରାତେ ପ୍ରବୋଧନ

ନିତ୍ୟକର୍ମ ସାରି

ପହୁଞ୍ଚନ୍ତି ତହିଁ

ସ୍ୱଜନେ ହକାରି ।୨୯।

ପରିଚାରୀବର୍ଗ

ସଙ୍ଗେ ବାଳାମଣି

ପ୍ରଣମି ଜନନୀ-

ଚରଣେ, ସରାଣି ।୩୦।

ପାର ହୋଇ ଦିବ୍ୟ

ସବାରୀ ଆରୋହି,

ପ୍ରବେଶି, ସରବ

ଚିତ୍ତ ଦିଏ ମୋହ ।୩୧।

ପରିଦରଶକ

ସହିତ କୁମାରେ

ପନ୍ଦ୍ମିନୀ ବସନ୍ତେ

ସୁରମ୍ୟ ମଞ୍ଚାରେ ।୩୨।

ପଡ଼ନ୍ତି ଚମକି

ଦେଖି ତାର କାନ୍ତି

ପଞ୍ଚଶର-ଅସ୍ତ୍ର

ଭାବି ଲଭି ଭ୍ରାନ୍ତି ।୩୩।

ପଷ୍ମଳାକ୍ଷୀ ଯେବେ

ଢାଲଇ କଟାକ୍ଷ

ପଡ଼ଇ ସୁଯୋଗ,

ହୁଏ ଚତୁରାକ୍ଷ ।୩୪।

ପ୍ରତ୍ୟେକ ସୁତର

ସୁକେଶିନୀ ସଙ୍ଗେ;

ପୁଲକ ଲଭନ୍ତି

ସର୍ବେ ନିଜ ଅଙ୍ଗେ ।୩୫।

ପ୍ରମଜ୍ମନ କ୍ଷଣେ

କରନ୍ତି ସେ କାଳେ

ପ୍ରେମାବେଶେ ଭାବ-

ସ୍ରୋତେ ଅସମ୍ଭାଳେ ।୩୬।

‘ପ୍ରଥମରୁ ଯେବେ

ଆସିଥାନ୍ତି ମୁହିଁ

ପାଇଥାନ୍ତି ପତ୍ନୀ

ରୂପେ ଏହାକୁହିଁ ।୩୭।

ପଛକୁ ରହିଣ

ଅଳସୁଆ ପଣେ

ପଡ଼ିଲି ନୈରାଶ୍ୟ—

ସରେ ଅକାରଣେ ।୩୮।

ପରାସ୍ତ କଲେ କେ

ପୂର୍ବିାଗତ ବୀର

ପଦ୍ମିନୀ ପ୍ରତି ତ

ହେବ ସେ ମିହିର ।୩୯।

ପ୍ରତ୍ୟାବୃତ୍ତ ସିନା

ହେବି ହତଆଶେ

ପଦେ ଥାଉଁ ଶକ୍ତି

ଧାବନ ସକାଶେ’।୪୦।

ପାଞ୍ଚେ ମାତ୍ର ଯାର

ସେହି ଦିନ ପାଳି

“ପାଇବି କି ଯଶ

ବୋଳିବ ବା କାଳି ?।୪୧।

ପୂର୍ବରୁ ତ କେତେ

ନୃପତି କୁମାର

ପିନ୍ଧିଲେଣି ବେଡ଼ି

ଦୃଢ଼ ବାକ୍ୟେ ତାର ।୪୨।

ପୁଣ୍ୟରାଶି ମୋର

ଭାଗ୍ୟେ ଘଟିବ କି

ପୁରୋଭାଗେ ଏକା

ଦେଖୁଥିବ ଛକି ।୪୩।

ପାରିବି ତା କାହୁଁ

ଜାଣି ମୁଁ ମାନବ

ପରେଷ୍ଟିର ସେ ତ

ବିଧି ଅଭିନବ”।୪୪।

ପ୍ରବୋଧନ ଉଠି

ନିର୍ଦ୍ଦିଷ୍ଟ ସମୟେ

ପରାତ୍ପରେ ସ୍ମରି

ନିର୍ମଳ ହୃଦୟେ ।୪୫।

ପୃତ୍ରୀପ୍ରତି ଧୀରେ

ଅଙ୍ଗୁଳି ନିର୍ଦ୍ଦେଶି

ପରୀକ୍ଷାର୍ଥୀଠାରେ

ସୁଦୃଷ୍ଟି ନିବେଶି ।୪୬।

ପ୍ରମୃଦିତ ଚିତ୍ତେ

ଭାଷନ୍ତି ବଚନ

“ପ୍ରତିଜ୍ଞା ଏ ମୋର

କରିଅଛ ପଣ ।୪୭।

ପ୍ରଥମ ଧାବନେ

ଜିଣି ଯୁବରାଜ

ପଦଦାସୀ କର

ନନ୍ଦିନୀକି ଆଜ ।୪୮।

ପରାଭୂତ ହୋଇ

ନ ପିନ୍ଧ ଶୃଙ୍ଖଳା

ପ୍ରଭୁ ପାଶେ ଏହି

ପ୍ରାର୍ଥନା କେବଳ ।୪୯।

ପୁଷ୍ପଦ୍ୱୟ ଏ ଯେ

ଆଦ୍ୟ ସ୍ତମ୍ଭ କତି

ପକାଇଲି,ତହିଁ

ବେନିଏ ତଡ଼ତି ।୫୦।

ପଦେ ହୋଇ ଠିଆ

ସମ୍ମୁଖେ ଅନାଅ

ପର୍ଶୁରାମ ଘଣ୍ଚା-

ଧ୍ୱନି ଶୁଣି ଧାଅଁ ।୫୧।

ପ୍ରଥମ ଶବଦେ

ହୋଇବ ପ୍ରସ୍ତୁତ

ପର ନାଦେ ଗତି

କରି ଦେବ ଦ୍ରୁତ ।୫୨।

ପହୁଞ୍ଚି କେ ଆଗେ

ପ୍ରାନ୍ତ ଉତ୍ତମ୍ବନ

ପରଶି ପାରିବ

ଦେଖି ସର୍ବଜନ ।୫୩।

ପରାଜୟ ଜୟ

ହେଲା ଆଜି କାର

ପ୍ରକାଶିବେ,ଏବେ

ଆସନ୍ତୁ କୁମାର” ।୫୪।

ପରିଶେଷେ ମନ୍ତ୍ରୀ

ଆଜ୍ଞା ଅନୁସାରେ

ପ୍ରତିଦିନ ହୁଏ

ଦଉଡ଼ି ସେଠାରେ ।୫୫।

ପ୍ରତ୍ୟେକେ ହାରନ୍ତି

ପ୍ରତିଜ୍ଞା ନିକଟେ

ପ୍ରଧାବନେ ନାନା-

ରୂପେ ସିନ୍ଧୁ ତଟେ ।୫୬।

ପଦ ଲଭେ କ୍ଲେଶ

ବାଲୁକାରେ କାର,

ପଡ଼େ ବା ଆଣ୍ଠୋଇ

କେହି ବାରମ୍ବାର ।୫୭।

ପୋତି ହୋଇ ଯାଏ

କାହା ଶ୍ରୀଚରଣ,

ପଥେ ଅବା କେହି

ବସଇ ତକ୍ଷଣ ।୫୮।

ପରିଣାମେ ପିନ୍ଧି

ବେଡ଼ି, ବନ୍ଦୀବାସେ

ପ୍ରହରୀଙ୍କ-ଦ୍ୱାରା

ଗମନ୍ତି ହତାଶେ ।୫୯।

ପହୁଞ୍ଚି ସେ ସ୍ଥାନେ

ସୁତଦଳ ସହ

ପରାମର୍ଶ କେତେ

କରନ୍ତି ପ୍ରତ୍ୟହ ।୬୦।

ପ୍ରଶଂସନ୍ତି କେତେ

କୁମାରୀ ଗତିକି

ପୁଣି ରୂପରାଶି

ଉଜ୍ଜ୍ୱଳ ଜ୍ୟୋତିକି ।୬୧।

ପଦୁଁ ଶିରଯାଏ

କରନ୍ତି ବର୍ଣ୍ଣନ

ପରିତୋଷ ଦେବ

ଭାବି ତା’ସ୍ମରଣ ।୬୨।

ପୁରୀପତି-ସୁତା

ଏଣେ ରଣସ୍ଥଳୁଁ

ପାଇଣ ମୃକତି

ଏକର କବଳୁ ।୬୩।

ପରମ ଉଲ୍ଲାସେ

ଫେରି ସ୍ୱନବର

ପ୍ରଚାରି ସେଦିନ

କାହାଣୀ ସତ୍ୱର ।୬୪।

ପାର୍ବିତୀଙ୍କି ସ୍ମରି

କହେ “ମା ଅମ୍ବିକେ ।

ପ୍ରତିଜ୍ଞାକୁ ଯେହ୍ନେ

ନ ପାରେ ଜଣି କେ” ।୬୫।

 

ଦ୍ୱାବିଂଶ ସର୍ଗ

ପ୍ରାସାଦ ଶିଖରେ

ବସି କୃଶୋଦରୀ

ପାଞ୍ଚେ ସ୍ଥିର ଚିତ୍ତେ

ପୂର୍ବକଥା ସ୍ମରି ।୧।

ପରିଣୟୁଁ କ୍ଷାନ୍ତ

ହେଲି ପଣ ଛଳେ

ପିତୃ ସତ୍ୟ ରକ୍ଷା—

କରଣେ କୌଶଳେ ।୨।

ପକାଇବେ ବଳି

ଜନନୀ କିପରି ?

ପାର୍ବଣେ ପ୍ରପୂଜି

ବିଧାନେ ଶଙ୍କରୀ ।୩।

ପୁରୀପତିଙ୍କର

ଥାଇ ଅଙ୍ଗୀକାର

ପୁଣି ବେଢା ମଧ୍ୟେ

ପ୍ରଭୁ ନିରାକାର ।୪।

ପଣ୍ଡିତ ସଭା ହିଁ

ଦେଇ ଅନୁମତି

ପର-ପୁରୁଷକୁ

ରହି ସେ କୀରତି ।୫।

ପୂର୍ଣ୍ଣ ଅସମ୍ଭବ

ଏ କାର୍ଯ୍ୟ ସାଧନ

ପଣ୍ଡିତଙ୍କ ଯୁକ୍ତି

ନ କଲେ ଖଣ୍ଡନ ।୬।

ପରମ ବୈଷ୍ଣବ

ଅଟନ୍ତି ଏମାନେ

ପରିରତ ଏକା

ବିଷ୍ଣୁ ନାମ ଧ୍ୟାନେ ।୭।

ପରିବରତନ

କରି ମୋର ବେଶ

ପ୍ରଚାରି ପୂର୍ବରୁ

ଭ୍ରମି ନାନା ଦେଶ ।୮।

ପଡ଼ାଇବି ଯେବେ

ବ୍ରାହ୍ମଣ୍ୟ ଧରମ

ପାରିବ ତୁଟାଇ

ଅବା ଏହି ଭ୍ରମ ।୯।

ପଳାଇବା ତେବେ

ଅଟେ ଶ୍ରେୟସ୍କର

ପ୍ରକାଶ ନ କରି

ଏ ସ୍ଥାନୁଁ ସତ୍ୱର ।୧୦।

ପ୍ରତିଜ୍ଞା ଏପରି

ସ୍ଥିର କରି ମନେ

ପ୍ରାସାଦୁଁ ଓହ୍ଲାଇ

ଗମିଲା ଚରଣେ ।୧୧।

ପ୍ରଣମିଲା ହାରେ

ସୁମରି ବିମଳା

ପାଇବାକୁ ତାଙ୍କ

ସହାୟ ଅବଳା ।୧୨।

ପୂର୍ବୋତ୍ତର ଦିଗେ

ଦ୍ରୁତେ କଲା ଗତି

ପହୁଞ୍ଚିବ ଭାବି

ମହୋଦଧି କତି ।୧୩।

ପ୍ରହରୀଏ ନିଶା

ଅର୍ଦ୍ଧ ହେବା ପରେ

ପଡ଼ିଥିଲେ ଶୋଇ

ନିଦ୍ରା-ଦେବୀ ଡରେ ।୧୪।

ପ୍ରଭାତକୁ କାଳେ

ଦେବେ ଭାବି କ୍ଲେଶ,

ପାଇ ପୁଣି ତାଙ୍କ

ନିବିଡ ଆଶ୍ଲେଷ ।୧୫।

ପ୍ରହରକ ଯାଏଁ

ଭ୍ରମି ବିହାୟସେ

ପଳାଇ ଶଶାଙ୍କ

ଭାଗ୍ୟ-ଚକ୍ର-ବଶେ ।୧୬।

ପ୍ରତୀତ-ଲଳନା-

କୋଳେ ଥିଲେ ଶୋଇ,

ପୃଥିବୀକୁ ଭୀମ-

ତମ-ଗର୍ଭେ ଥୋଇ ।୧୭।

ପଥେ ନ ଦିଶଇ

ଥିଲେ କିଛି କାହିଁ

ପଡ଼େ ମାତ୍ର ଜଣା

ରହିଲେ ତା’ ଚାହିଁ ।୧୮।

ପିଣ୍ଡାପରେ ନିଦ୍ରା—

ଅଭିଭୂତ ଶ୍ୱାନେ

ପରିରତ ପ୍ରଭୁ

ଗୃହ-ରକ୍ଷା-ଧ୍ୟାନେ ।୧୯।

ପ୍ରଦର୍ଶାଇ ସୁପ୍ତ

ଜାଗ୍ରତ ଅବସ୍ଥା

ପଡ଼ାନ୍ତି ଅଧ୍ୟାୟୀ-

ବରଗେ ବ୍ୟବସ୍ଥା ।୨୦।

ପହୁଞ୍ଚଲେ କେହି

ଭୁକି ସେହିକ୍ଷଣି

ପଛରେ ଗୋଡ଼ାନ୍ତି

ଚୋର ଖଣ୍ଟ ମଣି ।୨୧।

ପାରି ହେଲେ ତାଙ୍କ

ବାସ ପାର୍ଶ୍ୱ ଜନ

ପ୍ରତ୍ୟାଗତ ହୋଇ

କରନ୍ତି ଶୟନ ।୨୨।

ପାକୁଳଇ କାହିଁ

ଶୟାନ ବୃଷଭ

ପୁଚ୍ଛେ ପିଟି ଭାଙ୍ଗି

ପତୁକାଦି ଦମ୍ଭ ।୨୩।

ପ୍ରକଟାନ୍ତି ଜ୍ୟୋତି

ଖଦ୍ୟୋତସକଳ

ପଥ ପ୍ରଦର୍ଶନେ

ନିକଟେ ଭୂତଳ ।୨୪।

ପ୍ରତିଘ ନ ଲଭି

ଲଙ୍ଘି ସେ ନଗରୀ

ପ୍ରବେଶିଲା ସିନ୍ଧୁ-

ତୀରେ ବିମ୍ବାଧରୀ ।୨୫।

ପ୍ରଣମିଲା ଲକ୍ଷି

କ୍ଷୀର-ପାରାବାର

ପକାଇ ଭୂତଳେ

ଜାନୁ ବାରମ୍ବାର, ।୨୬।

ପ୍ରାର୍ଥନା ବହୁତ

କଲା କେତେ କହି

ପାରି ନାହିଁ ଶୁଣି

ତୁନୀ ହେତୁ ମହୀ ।୨୭।

ପ୍ରସାର କିପରି

ହେବ ଅବା ତାର ?

ପୂର୍ଣ୍ଣ ମିଥ୍ୟା କେବା

କରିବ ଉଦଗାର ?।୨୮।

ପ୍ରକାଶିଥିଲେ ବା

ଉଚ୍ଚସ୍ୱରେ ଧନୀ

ପାରିଥାନ୍ତା ଲେଖି

କଳ୍ପନା ଲେଖନୀ ।୨୯।

ପଦ ବନ୍ଦି ଚନ୍ଦ୍ର-

ବଦନୀ ଚଞ୍ଚଳେ

ପଶ୍ଚିମାଶା ମୁଖେ

ତୀରେ ତୀରେ ଚଳେ ।୩୦।

ପ୍ରଶସ୍ତ ବାଲୁକା-

ମୟ ଉପକୂଳ ।

ପ୍ରଧାବିନୀ ପ୍ରତି

ହୁଏ ଅନୁକୂଳ ।୩୧।

ପରିଷ୍କୃତ ଦିଶେ

ଲଭି ମନ୍ଦାଲୋକ

ପ୍ରତି ଗ୍ରହ ରୁକ୍ଷ,

ଛାୟାପଥୁଁ ସ୍ତୋକ ।୩୨।

ପାର୍ଶ୍ୱେ ଥିଲେ ଅବା

ତରୁବର ଦ୍ୱାରା

ପଥ ହୋଇଥାନ୍ତା

ତମିସ୍ରର କାରା ।୩୩।

ପାରାବାରେ ଥିଲେ

ସୁମଧୁର ଜଳ

ପାନ କରିବାକୁ

ଆସି ଦଳ ଦଳ ।୩୪।

ପାର୍ବତୀୟ ରାତ୍ରୀ

ଚର ପ୍ରାଣୀ ଦୂରୁଁ

ପଥେ ଅବା କରୁ

ଥାନ୍ତେ ହୁରୁଜରୁ ।୩୫।

ପ୍ରଭାତ ନୋହୁଣୁଁ

କନକ-ବରଣା

ପ୍ରବେଶିଲା ଏକ

ଅଚିହ୍ନା ଅଜଣା ।୩୬।

ପ୍ରଶସ୍ତା ତଟିନୀ

ମୃହାଣ ନିକଟେ

ପରତଟେ ନଳ-

ବନ ଯା’ ପ୍ରକଟେ ।୩୭।

ପଡ଼ିଗଲା ମନେ

ଚିଲିକାର କଥା

ପୋତାଶ୍ରୟ ବୋଲି

ବିଦିତ ସର୍ବଥା ।୩୮।

ପ୍ରସାରି ପୟର

ପଶ୍ଚିମ ଉତ୍ତରେ

ପଲ୍ଲୀ, ତୋଟା, ମାଳ

ଅତିକ୍ରମି ଖରେ ।୩୯।

ପହୁଞ୍ଚିଲା ସୁତା

ପ୍ରଦୋଷେ ସୁରମ୍ୟ

ପରବତେ, ଯାର

ଶିଖର ଅଗମ୍ୟ ।୪୦।

ପୁହାଇଲା ନିଶା

ଉଠି ତା ଉପରେ

ପ୍ରଶସ୍ତ-ବିହୀନ

ବନ୍ଧୁର କନ୍ଦରେ ।୪୧।

ପ୍ରାତଃକାଳେ କ୍ଷୁଦ୍ର

ପ୍ରସ୍ରବଣ ଜଳ

ପକ୍ଷୁଳାକ୍ଷୀ ଅଙ୍ଗ

କଲା ସୁଶୀତଳ ।୪୨।

ପାର୍ବତୀୟ ଫଳ

ହରିଲା ତା’କ୍ଷୁଧା,

ପତ୍ର-ଶଯ୍ୟା ଦେଲା

ଭୂଧର ବହୁଧା ।୪୩।

ପ୍ରତି କ୍ଷଣେ ଦୁର୍ଗା

ନାମ ଉଚ୍ଚାରଣ

ପ୍ରକାଶେ ପ୍ରତିଜ୍ଞା

ରସନା ନର୍ତ୍ତନ ।୪୪।

ପ୍ରମାଣ ଦିଅଇ

ନିଶ୍ଚଳ ନୟନ

ପ୍ରଗାଢ଼-ଭାବନା—

ଅଧୀନ ତା’ ମନ ।୪୫।

ପ୍ରତ୍ୟହ ଏପରି

ନବୀନା କାମିନୀ

ପର୍ବତେ କାଟଇ

ଦିବସ ଯାମିନୀ ।୪୬।

ପ୍ରକାଶନ ଡରେ

ନ ଛାଡ଼ି ଅଚଳ

ପାସୋରଇ କ୍ରମେ

ସଂସାର ଶୃଙ୍ଖଳ ।୪୭।

ପର୍ଯ୍ୟାୟ —କ୍ରମେ ସେ

ଆର୍ଯ୍ୟାପତି ସୁତା

ପ୍ରତ୍ୟେକ ରିପୁକୁ

ଦମି, ହେଲା ପୁତା ।୪୮।

ପାଲଟିଲେ ତାର

ଜଟେ କେଶାବଳି

ପାନ କରି ସଦା

ଧରାତଳୁଁ ମଳୀ ।୪୯।

ପରିଦୃଷ୍ଟ ହେଲା

ତପସ୍ୱିନୀ ପ୍ରାୟ

ପର୍ଯ୍ୟଟନ ପାଇଁ

ଦଶିଲା ଉପାୟ ।୫୦।

ପାଞ୍ଚିଲା ସେ ମନେ

ଦ୍ୱାଦଶ ବରଷ

ପୂରିଲା, ଭ୍ରମିବି

ଭାରତ ବରଷ ।୫୧।

ପୂଣ୍ୟ ପୀଠ ସର୍ବ

କରିବି ଦର୍ଶନ

ପବିତ୍ର ହେବ ଏ

ତପିନୀ ନୟନ ।୫୨।

ପ୍ରଭାତୁଁ ଏକଦା

ଧରୁଁ ଅବତରି

ପ୍ରୟାଣ କଲା ସେ

ବିମଳା ସୁମରି ।୫୩।

ପ୍ରତ୍ୟହ ହେଲା ତା’

କାର୍ଯ୍ୟ ପର୍ଯ୍ୟଟନ

ପୁର, ଗ୍ରାମ, ନଦୀ,

କାନନ ଦର୍ଶନ ।୫୪।

ପର୍ଯ୍ୟାନ୍ତ-କ୍ରମେ ସେ

ଦେଖିଲା ଯେତେକ

ପ୍ରଧାନ ପ୍ରଧାନ

ତହିଁରୁ କେତେକ ।୫୫।

ପ୍ରକାଶନ କରି

ଥିବାରୁ କୁମାରୀ

ପାଠକଙ୍କ ପ୍ରତି

ଦେଲି ତା’ଉଦ୍ଧାର ।୫୬।

ପୋତାଳି-ମରାଳ-

ମାଳ-ବିଭୂଷିତା

ପୂତ-ଜଳ-ସ୍ନାତ-

ଅଚଳ-ଶୋଭିତା ।୫୬।

ପ୍ରକୃତି-ସୁରମ୍ୟ-

ନ୍ତ୍ରୀଡ଼ନ-ମନ୍ଦିର

ପକ୍ଷୀରବ-ଝଙ୍କା-

ରିତା ଚିଲ୍‍କା ତୀର ।୫୮।

ପବିତ୍ର-ସଲିଳା

ଗଞ୍ଜାମ-ମେଖଳ ।

ପ୍ରାକୃତ-ଉଜ୍ଜଳ-

ପଦ୍ମପାଦ-ବଳା ।୫୯।

ପ୍ରଖର-ପ୍ରବାହା

ପୂରୁବ ବାହିନୀ

ପୁଣ୍ୟତୀର ଋଷି-

କୁଲ୍ୟା ସ୍ରୋତସ୍ୱିନୀ ।୬୦।

ପୁରାଣ-ପ୍ରସିଦ୍ଧା

ଶିବ-ଶାପଗ୍ରସ୍ତା

ପୂତା ବାରବର୍ଷେ

ବ.ରେ * ସୁପ୍ରଶସ୍ତା ।୬୧।

ପାଷାଣ-ବନ୍ଧୁର-

ଶଯ୍ୟା ଗୋଦାବରୀ

ପାର୍ଥିବୀ ଶ୍ରୀଅଙ୍ଗ-

ସ୍ୱର୍ଶନେ ସୁନ୍ଦରୀ ।୬୨।

ପୁଣ୍ୟତୋୟା କୃଷ୍ଣା

କୁଟିଳ ଗାମିନୀ

ପ୍ରପାତ-ବହୁଳା

କାବେରୀ ତଟିନୀ ।୬୩।

ପୁରୁବ-ପଶ୍ଚିମ-

ଘାଟ ଧରାଧର,

ପର୍ବତେ ପ୍ରସ୍ତୁତ

ସେତୁ ରାମେଶ୍ୱର ।୬୪।

ପାଣ୍ଡବ-ଆଶ୍ରମ

ସହ୍ୟାଦ୍ରି ଶିଖର,

ପର୍ବତ ପ୍ରଧାନ

ବିନ୍ଧ୍ୟ ମହୀଧର ।୬୫।

ପଶ୍ଚି ମାଶାମୁଖୀ

ନର୍ମଦା ତପତୀ,

ପଞ୍ଚନଦ-ସଖା

ସିନ୍ଧୁ ସ୍ରୋତାସ୍ୱତୀ ।୬୬।

ପାରବାରଦ୍ୱାର

ଦ୍ୱାରକ ଭୂବନ,

ପୁଷ୍କର ନିର୍ଜ୍ଜଳ-

ସୈକତେ ଶୋଭନ ।୬୭।

ପରମ-ସୁରମ୍ୟ-

ଉଦ୍ୟାନ କାଶ୍ମୀର,

ପର୍ବତ-ବେଷ୍ଟିତ

ଉନ୍ନତ ପାମୀର ।୬୮।

ପୁରାଣ-ପ୍ରସିଦ୍ଧ

ଧାମ ଦରିଦ୍ୱାର,

ପବିତ୍ର ଅଯୋଧ୍ୟା

ସରଯ-ପ୍ରକାର ।୬୯।

 

*ଗୋଦାବରୀ ଶିବଙ୍କର ଅଭିଶାପ ହେତୁ ଦ୍ୱାଦଶବର୍ଷ ନିମିତ୍ତ ଅପବିତ୍ର ରହି ଏକବର୍ଷ ନିମିତ୍ତ ପବିତ୍ର ହେବା ବିଷୟ ପୁରାଣରେ ଅନୁସନ୍ଧେୟ ।

 

ପ୍ରୟୋଗ ଜାହ୍ନବୀ-

ଯମୁନା-ମିଳନ,

ପୁଣ୍ୟ ବାରଣାସୀ

ହର-ନିକେତନ ।୭୦।

ପାଷାଣ-ମାଧବ-

ପ୍ରଚୁରା୧ ଗଣ୍ଡକୀ,

ପିଣ୍ଡପୂତା ଗୟା

ପାପ-ବିଘାତକୀ ।୭୧।

ପ୍ରେତ, ଭୂତ ଆତ୍ମା

ପବିତ୍ର-କାରିଣୀ

ପୋତପଥ ଭାଗୀ

ରଥୀ ସ୍ରୋତସ୍ୱିନୀ ।୭୨।

ପବିପ୍ରସୂ ରଙ୍ଗା-

ଙ୍ଗନ ମେଘାସନ,

ପ୍ରୋତ କପିଳାସ

ଦୁର୍ଗେଶ-ଆସନ ।୭୩।

ପୀଠ-ଶ୍ରେଷ୍ଠ ଯାଜ-

ପୁର, ବୈତରଣୀ,

ପରମେଷ୍ଠୀ-ମନ୍ତ୍ର-

ପ୍ରସୂତାବ୍ରାହ୍ମଣୀ ।୭୪।

ପ୍ରଶସ୍ତ-ପ୍ରବାହା

ଦେଖି ଚିତ୍ରୋତ୍ପଳା

ପ୍ରବେଶିଲା ପୁଣି

ପୁରୀରେ ଚଞ୍ଚଳ ।୭୫।

୧ । ଗଣ୍ଡକୀ ନଦୀରେ ବହୁତ ଶାଳଗ୍ରାମ ଅଛନ୍ତି । 

 

ତ୍ରିୟୋବିଂଶ ସର୍ଗ

ପୃରୁଷୋତ୍ତମେଶ

ସାରି ଦେବାର୍ଚ୍ଚନ

ପ୍ରବେଶି ଭୂଷିଲେ

ରାଜ-ସିଂହାସନ ।୧।

ପଡ଼ିଗଲା କୋଳା-

ହଳ ଯାତ୍ରୀଦଳେ

ପଦ ବନ୍ଦନାଶେ

ପଶିଲେ ସକଳେ ।୨।

ପଲ ପଲ ହୋଇ

ସିଂହଦ୍ୱାର ଦେଇ

ପୁଜା ଦ୍ରବ୍ୟ ଯେଝା

ଶକ୍ତମତେ ନେଇ ।୩।

ପ୍ରତ୍ୟେକେ ସମ୍ପାଦି

ନୀରାଜନା ବିଧି

ପାଞ୍ଚିଲେ ଲଭିଲୁଁ

କୋଟି ଦିବ୍ୟ ନିଧି ।୪।

ପରିଶେଷ ଏକ

ଜଟାଜୁଟଧରା

ପ୍ରକାଣ୍ଡ-ଦଣ୍ଡିନୀ

ଗୈରିକ-ଅମ୍ବରା ।୫।

ପୃଥୁଳ-ପ୍ରକୁଳା

ବିଭୂତି ଭୂଷିତା

ପଞ୍ଚାସ୍ୟ-ରୁଦ୍ରାକ୍ଷ-

ମାଳା ସୁଶୋଭିତା ।୬।

ପ୍ରଶସ୍ତ-ଭୁଜିନୀ

ପ୍ରୌଢ଼ା ସନ୍ନ୍ୟାସିନୀ

ପହୁଞ୍ଚଲେ ନୃପ

ସମୀପେ ଜ୍ଞାନିମୀ ।୭।

ପ୍ରଣମିଲେ ତାଙ୍କୁ

ଉଜ୍ଜଳ-ଈଶ୍ୱର

ପାତ୍ର ମିତ୍ର ସହ

ଯୋଡ଼ି ବେନି କର ।୮।

ପ୍ରକାଶିଲେ ସାଧ୍ୱୀ

ଦଣ୍ଡ ଉତ୍ତୋଳନେ

ପ୍ରଦାନିଲେ ବୋଲି

କଲ୍ୟାଣ ରାଜନେ ।୯।

ପ୍ରାପ୍ତ ହେଲେ ଭୂପ

ସମ୍ମୁଖେ ଆସନ

ପଣ୍ଡା ଆସି କଲା

ଚରଣ ଧାବନ ।୧୦।

ପ୍ରୀତ ମନେ ତହୁଁ

ଭାଷିଲେ ନୃପତି

“ପଦ ତବ ପଡ଼ି

ପୂର ପୂତ ଅତି ।୧୧।

ପୁନଶ୍ଚ ପବିତ୍ର

ହେଲା ମୋ ନୟନ

ପରିତୃପ୍ତ ହେଉ

ବାଣୀ ଶୁଣି ମନ”।୧୨।

ପ୍ରତିବଚନ ସେ

ଭାଷିଲେ ଏପରି

ପିତୃ ଦରଶନେ

ହୃଦେ ପ୍ରେମ ଭରି ।୧୩।

“ପରିତୁଷ୍ଟ ପ୍ରଭୋ

ଏକା ହୋଇ ନହାଁ,

ପରବ୍ରାଜିକା ହିଁ

ପୁଲକିତା ଚାହିଁ” ।୧୪।

ପଦେ ପଦେ କରୁଁ

ଆଦ୍ୟ ସମ୍ଭାଷଣ

ପଡ଼ିଗଲା କେତେ

ପ୍ରକାରେ ଭାଷଣ ।୧୫।

ପଚାରିଲେ ଧୀରେ

ତପସ୍ୱିନୀ ଶେଷେ

ପ୍ରଚାରିତ କେଉଁ

ଧର୍ମ ତବ ଦେଶେ? ୧୬।

ପ୍ରଜାବର୍ଗ କା’ର

ଅର୍ଚ୍ଚନ, ବନ୍ଦନ

ପୂଜନ ପ୍ରଭୁତି

କରନ୍ତି ରାଜନ ?।୧୭।

ପରାତ୍ପର ବିଷ୍ଣୁ—

ମନ୍ଦିର ନିକଟେ

ପୀଠ କେଉଁ ଦେବେ

ଦେବୀଙ୍କ ପ୍ରକଟେ ?।୧୮।

ପୂଜା ଖଞ୍ଜା କିଛି

ଅଛି କି ଅଲଗା

ପ୍ରସାଦ ବା ଯାଇ

ହୁଏ ତାଙ୍କୁ ଲଗା ? ୧୯।

ପଡ଼ିଥାନ୍ତି ଅବା

ଉପବାସେ ତହିଁ

ପରଂବ୍ରହ୍ମେ ଜପି

କ୍ଷୁଧା ତୃଷ୍ଣା ସହି ?” ୨୦।

“ପ୍ରଚାରେ ବୈଷ୍ଣବ

ଧର୍ମ ମୁଁ ଏ ସ୍ଥଳେ ।

ପୂଜନ୍ତି ବିଷ୍ଣୁଙ୍କୁ

ମୋ ପ୍ରଜା ସକଳେ ।୨୧।

ପାର୍ଶ୍ୱ-ଦେବୀ ଏଥି

ଅଛନ୍ତି ପ୍ରଚୁର

ପ୍ରସାଦ ସେବନେ

ସର୍ବ କରି ଦୂର ।୨୨।

ପ୍ରତ୍ୟେକେ ମୃକତି-

କାମେ ଧ୍ୟାନରତା

ପ୍ରାଧାନ୍ୟ-ବିହୀନା

ପରକରାୟତ୍ତା, ।୨୩।

ପୂଜା ବା ସ୍ୱତନ୍ତ୍ର

ଖଞ୍ଜି ବି କିପାଁଇ

ପ୍ରୀତା କରାଉଛି

କୈବଲ୍ୟ ଭୂଞ୍ଜାଇ ।୨୪।

ପଶୁପତି ଅବା

ଗଣେଶ ପ୍ରଭୁତି

ପୁରୁଷ ଦେବତା

ବିବିଧ ଆକୃତି ।୨୫।

ପାର୍ଶ୍ୱେ ମନ୍ଦିରର

ଅଛନ୍ତି ଯେତେକ,

ପ୍ରଭାତେ କେବଳ

ହୁଅ ଅଭିଷେକ, ।୨୬।

ପରିରତ ସର୍ବେ

ବିଷ୍ଣୁ ନାମ ଧ୍ୟାନେ

ପ୍ରୀତା କରାଯାଉଛି

କୈବଲ୍ୟ ଭୂଞ୍ଜାଇ ?।୨୭।

ପାଇଛନ୍ତି ସ୍ଥାନ

ବୈକୁଣ୍ଠ ଭୁବନେ

ପରମ ସନ୍ତୁଷ୍ଟ

ଥିବେ ତେଣୁ ମନେ ।୨୮।

ପରମାତ୍ମା ପାଶେ

ପ୍ରାଧାନ୍ୟ କାହାରି

ପ୍ରକାଶିତ ହେବା

ଅବିଧି ବିଚାର ।୨୯।

ପରିହାର କଲି

ପୂଜନ ତାଙ୍କର”

ପୁରୀପତି ଧୀରେ

ଦେଲେ ଏ ଉତ୍ତର ।୩୦।

ପୁରରପି ପ୍ରଶ୍ନ

କଲେ ସନ୍ନ୍ୟାସିନୀ

“ପରାତ୍ପରା ପରା

ସର୍ବିପ୍ରସବିନୀ ?।୩୧।

ପ୍ରସାଦରୁ ତାଙ୍କ

ସମ୍ବତ ସଂସାର

ପ୍ରାଧାନ୍ୟ କିପରି

ନ କଲେ ପ୍ରସାର ? ।୩୨।

ପୂରଣ କରଣେ

ସଂସାରୀ କାମନା

ପୂଜ୍ୟା ପରା ଶକ୍ତି

ଗୋରୀ ତ୍ରିଲୋଚନ ?।୩୩।

ପ୍ରତିମୂର୍ତ୍ତି ରଖି

ମନ୍ଦିରେ ତାଙ୍କର

ପୂଜା ନ କରିବା

ଅଟେ କି ସୁନ୍ଦର ?।୩୪।

ପାଳିବେ ପରା ହେ

ଆର୍ଯ୍ୟ ଆର୍ଯ୍ୟଧର୍ମ୍ମ

ପୁରୀଧାମୁଁ ଦେଖି

ଯାବତୀୟ କର୍ମ ।୩୫।

ପୁରୀପତି ତେବେ

ବିଷ୍ଣୁଙ୍କୁ କେବଳ

ପୁରବା ତ ଦେଖି

ଶିଖି ହିନ୍ଦୁଦଳ ।୩୬।

ପାଶୋରିବେ ସିନା

ଶକ୍ତି ନୀରାଜନ

ପୁଣ୍ୟ ଭାରତୀୟ

ଧର୍ମ୍ମ ସନାତନ ?”।୩୭।

ପଣ୍ଡିତବରଗ

ବସିଥିଲେ ତହିଁ

ପୋତିଥିଲେ ମୁଣ୍ଡ

କିଛିହିଁ ନକହି ।୩୮।

ପ୍ରଭୁଠାରେ ସାଧ୍ୱୀ

ଅର୍ପିବାରୁ ଦୋଷ

ପୁରିଗଲା ହୃଦେ

କ୍ଷଣେ ମହାରୋଷ ।୩୯।

ପ୍ରବୀଣ ତାର୍କିକ

ତର୍କଶିରୋମଣି

ପ୍ରକାଶିଲେ “ଶୁଣ

ନରେଶ କରଣୀ୧।୪୦।

ପୂଜିବା ଉଚିତ

ଭାବି ନାରାୟଣ

ପ୍ରଣୀ ମୋକ୍ଷ-ଦାତା

ଯେଣୁ ଜନାର୍ଦ୍ଦନ ।୪୧।

ପ୍ରଚାରିଲେ ତାଙ୍କ

ଅର୍ଚ୍ଚନ ଉକଳେ

ପ୍ରସାର ଲଭିବ

କ୍ରମେ ସର୍ବାଞ୍ଚଳେ ।୪୨।

ପୂଜନ ଅନ୍ୟର

ନୁହେଁ ଆବଶ୍ୟକ

ପରଂବ୍ରହ୍ମ ଏକା

ସଂସାରତାରକ ।୪୩।

ପାର୍ବତୀ ପୂଜନେ

ପୁର୍ଣ୍ଣ ହୁଏ କାମ,

ପ୍ରାପ୍ତ ନୁହେଁ କେବେ

ଆତ୍ମା ସ୍ୱର୍ଗ ଧାମ ।୪୪।

ପୋଷେ ଯେ କାମନା

ନୁହେଁ ସେ ଉଦ୍ଧାର,

ପ୍ରଣୀର ଉଚିତ

ଇଚ୍ଛା ପରିହାର ।୪୫।

‘ପରିତ୍ୟାଗ କଲେ

କାମନା ମାନବ

ପରାତ୍ପର ପଦେ

ବିଲୀନ ସମ୍ଭବ’ ।୪୬।

ପ୍ରଚାରି ଅଛନ୍ତି

ପ୍ରଭୁ ଶାକ୍ୟସିଂହ

ପୂଜିବା ଉଚିତ

ତେଣୁ ହେ ନୃସିଂହ”।୪୭।

ପ୍ରତିଭା-ନନ୍ଦନ

ଭାଷିଲେ ବଚନ

“ପୋଷେ ନାହିଁ କାମ

ଅଛି କେ ଏସନ ? ।୪୮।

ପରମାତ୍ମା ପଦୁଁ

ଛିନ୍ନ ହୋଇ ଆସି

ପ୍ରଣୀ ନାମ ଧରି

ଭବ-ସୋତେ ଭାସି ।୪୯।

ପରଂବ୍ରହ୍ମ ପଦେ

ରଖେ ଯେବା ଧ୍ୟାନ

ପରିହରି ସର୍ବ

ଜିଣି ରିପୁମାନ ।୫୦।

ପୋଷି ନ ଥାଏ କି

ମୃକତି କାମନା ?

ପାରେ କି ବିବେକ

କରି ତାହା ମନା”?।୫୧।

ପୁରୀପତି ତହୁଁ

ଭାଷିଲେ ଗମ୍ବୀରେ

“ପଡ଼ିଥିବ ଯେବା

ସଂସାର ତିମିରେ ।୫୨।

ପୂଜିବ ସେ ଇଛା

ପୋଷି ସିନା ଶକ୍ତି

ପାଇବାକୁ ଫଳ

ଢାଳି ଦୃଢ଼ ଭକ୍ତି ।୫୩।

ପ୍ରଭୁ-ପଦ-ଲାଭ

ଇଚ୍ଛାକାରୀ ନର

ପୂଜା ବିଧି କିପାଁ

ଲୋଡ଼ିବ ତାଙ୍କର ?।୫୪।

ପୂଜିବ ସଦା ସେ

ଶ୍ରୀ ମଧୁସୁଦନ

ପ୍ରାଣନ୍ତେ ଲଭିବ

ବୈକୁଣ୍ଠଭୁବନେ”।୫୫।

ପ୍ରକାଶିଲେ ବ୍ରହ୍ମ-

ଚାରଣୀ “ନରେଶ !

ପ୍ରସବିଛି କେତେ

ସୂତ ତବ ଦେଶ ? ।୫୬।

ପୁଣ୍ୟବ୍ରତ ଭବ-

ଶୃଙ୍ଖଳ-ଛେଦକ

ପରମାର୍ଥ ତପୀ

ଆତ୍ମା-ଉଦ୍ଧାରକ ।୫୭।

ପରାତ୍ପର-ଦର୍ଶୀ

ଭଜନ୍ତି ଶ୍ରୀରାମ

ପରିହରି ସର୍ବ

ରିୟ ସଙ୍ଗେ କାମ ?।୫୮।

ପ୍ରାଣୀ ମାତ୍ରେ କେତେ

ଜନ୍ମ କରି ତପ

ପୂଜି ତୋଷି ଶକ୍ତି

ଅନେକ କଳପ ।୫୯।

ପୁର୍ଣ୍ଣକରି କ୍ରମେ

ଏକ ଏକ ଇଚ୍ଛା

ପରିଣାମେ ପର-

କାଶନ୍ତି ଅନିଚ୍ଛା ।୬୦।

ପରାତ୍ପରେ ତହୁଁ

ରଖି ଦୃଢ଼ ଲୟ

ପରିଶେଷେ ତହିଁ

ଭଜନ୍ତି ବିଲୟ ।୬୧।

ପ୍ରଭୁ ତମେ ସିନା

ମୁକ୍ତି-ତତ୍ତ୍ୱଦର୍ଶୀ

ପ୍ରଜାବର୍ଗେ କାମ

ଧରିଛି ଆକର୍ଷି ।୬୨।

ପୁରୀକ୍ଷେତ୍ର ନୁହେଁ

ଏକାକୀ ତୁମ୍ଭର,

ପୁଣ୍ୟପୀଠ ଏହା

ଭାରତବର୍ଷର ।୬୩।

ପ୍ରତି ଆର୍ଯ୍ୟ ଲାଗି

ଏ ଅଟେ ଆଦର୍ଶ,

ପୂଜିବା କର୍ତ୍ତବ୍ୟ

ତେଣୁ ପ୍ରତି ବର୍ଷ ।୬୪।

ପାର୍ବିଣେ ସୁଯୋଗ୍ୟ

କାମ୍ୟ-ପୂଜା କାଳ

ପର୍ବତ-ସୁତାଙ୍କୁ

ଏଥି ନରପାଳ ।୬୫।

ପୁନଶ୍ଚ ପୂଜିବା

ଅଟଇ ଉଚିତ

ପାଞ୍ଚ ଦେବତାଙ୍କୁ

ଶାସ୍ତ୍ରେ ଯା ବର୍ଣ୍ଣିତ ।୬୬।

ପ୍ରକୃଷ୍ଟ ସମୟ

ଯାର ଯେତେବେଳେ

ପ୍ରାଧାନ୍ୟ ରକ୍ଷଣେ

ଦେବ ଦେବୀମେଳେ”।୬୭।

ପ୍ରତିଜ୍ଞାର ଶୁଣି

ସୁଯୋଗ୍ୟ ଯୁକତି

ପୁରୀପତି ହେଲେ

ବିଚଳିତ ମତି ।୬୮।

ପହଁରିଲେ କ୍ଷଣେ

ଭାବ ପାରାବାରେ,

ପକାଇଲା ଅବା

ଯୁକ୍ତି ଚିନ୍ତା-କାରେ ।୬୯।

ପରିଶେଷେ ମନ

ମଧ୍ୟେ କଲେ ସ୍ଥର

‘ପଡ଼ିଯିବ ଭାଙ୍ଗି

ମୋ ଧର୍ମ୍ମ-ପ୍ରାଚୀର ।୭୦।

ପୂଜିବି ବିମଳା

ଯେବେ ମୁଁ ପାର୍ବଣେ,

ପତ୍ନୀକି ବାରଣ

କଲି ଯା’କରଣେ ।୭୧।

ପରିବ୍ରାଜିକାଙ୍କ

ନ ମାନିଲେ କଥା

ପ୍ରକାଶିବେ ସେ ତ

ଅଖ୍ୟାତି ସର୍ବଥା ।୭୨।

ପୁରୀ ଧାମର ହିଁ

ହେବ ଅନାଦର,

ପାର୍ବଣପୂଜନ

କର୍ତ୍ତବ୍ୟ ମୋହର ।୭୩।

ପ୍ରକୃତ ବିଷୟ

କହନ୍ତି ତପିନୀ,

ପାର୍ବତୀ ଅଟନ୍ତି

ସର୍ବ-ପ୍ରସବିନୀ ।୭୪।

ପୂରଣ କରନ୍ତି

ସଭିଙ୍କ କାମନା,

ପୁଣ୍ୟପୀଠେ ତାଙ୍କ

ଉଚିତ ଅର୍ଚ୍ଚନା’ ।୭୫।

ପ୍ରକାଶିଲେ ଏହା

ଭାବି ନରେଶ୍ୱର

“ପାର୍ବଣ ପୂଜନ

ହେଉ ଏ ବତ୍ସର ।୭୬।

ପଞ୍ଚ ଦେବଙ୍କର

ହେଉ ଆରାଧନା,

ପ୍ରୀତ କର କରି

ବିଧାନ ବର୍ଣ୍ଣନା”।୭୭।

ପ୍ରକାଶିଲେ ସାଧ୍ୱୀ

ହେବାରୁ ବିଜୟ

ପରମ ଆନନ୍ଦେ

ବିଧାନ ନିଚୟ ।୭୮।

“ପୂଜିବେ ଷୋଡ଼ଶ

ଦିବସ ଆଶ୍ୱନେ

ପକାଇବେ ବଳି

ମହାଷ୍ଟମୀ ଦିନେ ।୭୯।

ପ୍ରାନ୍ତ ରାତ୍ରତ୍ରୟେ

ଅର୍ପିବେ ଆମିଷ

ପୂଜା ଦ୍ରବ୍ୟ ଅନ୍ୟ

ଦିନେ ନିରାମିଷ ।୮୦।

ପରମ ବୈଷ୍ଣବୀ

ବିମଳାଙ୍କ ମନ୍ତ୍ରେ

ପଶୁଦାନ ନୋହି,

ବାମେ ଏକ ଯନ୍ତ୍ରେ ।୮୧।

ପରାତ୍ପରା ଦୁର୍ଗା-

ବୀଜ ଲେଖି ଏକ

ପୂଜା ହେବ ତାଙ୍କ

ଲାଗି ଅତିରେକ ।୮୨।

ପୂଜକ ହୋଇବେ

ସାମନ୍ତ ବ୍ରାହ୍ମଣେ,

ପଢ଼ି ଶୁଣାଇବ

ଚଣ୍ଡୀ ହିଜ ଜଣେ ।୮୩।

ପ୍ରଥମ ବରଷେ

ଉପସ୍ଥିତା ଥାଇ

ପୂଜନ-ବିଧାନ

ଦେବୀ ମୁଁ ବତାଇ ।୮୪।

ପରିଶେଷେ ସାରି

ବିଜୟା ଉତ୍ସବ

ପ୍ରଚାରିବି ଏହି

କର୍ମ ଅଭିନବ”।୮୫।

 

ଚତୁର୍ବିଂଶ ସର୍ଗ

ପ୍ରବୋଧନ,ପ୍ରାଣ-

ପିୟା, ପ୍ରଭାବତୀ

ପ୍ରଭାତେ ନ ଦେଖି

ଶୋକାକୂଳ ଅତି ।୧।

ପ୍ରସାଦ, ଉଦ୍ୟାନ,

ତଡ଼ାଗେ ନନ୍ଦିନୀ

ପାଞ୍ଚଥିଲେ ହେଲା

ଆତ୍ମ ବିନାଶିନୀ ।୨।

ପ୍ରାପ୍ତ ନ ହେବାରୁ

ପଣଯୋଗ୍ୟ ବର

ପର କାଳ ଯଶା

ଜାଣି ଜୀବନର ।୩।

ପୁରୀ ଧାମେ ଏବେ

ଦେଖି ସନ୍ନ୍ୟାସିନୀ

ପ୍ରତ୍ୟେକେ ଭାବନ୍ତି

‘ଏହି ସେ ମାନିନୀ ।୪।

ପ୍ରତିଜ୍ଞା ପରାୟ

ଦିଶେ ଅବିକଳ

ପ୍ରତି ଅଙ୍ଗେ ଶୋଭେ

ଲକ୍ଷଣ ସକଳ ।୫।

ପାଲଟିଛନ୍ତି ତା’

ଜଟେ କେଶାବଳି

ପରାବିଦ୍ୟା-ବିମ୍ବେ

ନିତ୍ୟ ପ୍ରତିଫଳ ।୬।

ପାରିଲା କରାଇ

ସ୍ଥିର ଦରବାରେ

ପାର୍ବଣ ପୂଜନ

ହେବ କି ପ୍ରକାରେ ।୭।

ପୃରୁଷୋତ୍ତମେଶ

କଲେ ଅଙ୍ଗୀକାର,

ପ୍ରକୃତରେ ତାହା

ଲୋଡ଼ଇ ସଂସାର ।୮।

ପ୍ରଭାବତୀଙ୍କର

ଥିଲା ଯାହା ପଣ

ପାଳନ କରାଏ

ମନାଇ ରାଜନ ।୯।

ପଡ଼ୁଅଛି ଜଣା

ଏଣୁ ସେ ତନୁଜା

ପାଳିବ ଜନନୀ

ପଣ କରି ପୂଜା ।୧୦।

ପୁଛିବାକୁ ଇଚ୍ଛା

ହୁଏ ପରିଚୟ

ପଚାରିଲେ କିନ୍ତୁ

ନ ଯିବ ସଂଶୟ ।୧୧।

ପହୁଞ୍ଚିଲାଣି ତ

ନିକଟେ ପାର୍ବଣ

ପୂଜା କାଳେ ଜଣା

ଯିବ ବିବରଣ’ ।୧୨।

ପ୍ରତ୍ୟହ ତିନିହେଁ

ଭାବନ୍ତି ଏପରି

ପିରତିଜ୍ଞା ପ୍ରସଙ୍ଗ

ପ୍ରକାଶ ନ କରି ।୧୩।

ପ୍ରବେଶିଲା ତାଙ୍କ

ମାନସ ପୁରଣେ

ପ୍ରକୃତି ଆଶ୍ୱିନେ

ଅମ୍ବିକା ପୂଜନେ ।୧୪।

ପିଆଇଲେ ପିତୃ

ପିତାମେହ ଜଳ

ପ୍ରେତ ଆତ୍ମା ସ୍ମରି

ବ୍ରାହ୍ମଣସକଳ ।୧୫।

ପାତ୍ରୀ କୁଶ ତିଳ,

ତଣ୍ଡୁଳ ସାହାଯ୍ୟେ

ପ୍ରାଣ ମନ ଢାଳି

ଅନାମୟ ରାଜ୍ୟେ ।୧୬।

ପଡ଼ିଲା ସର୍ବତ୍ର

ତର୍ପଣ ଚହଳ,

ପିଣ୍ଡଦାନେ କେବା

ଗଲେ ଗୟାଞ୍ଚଳ ।୧୭।

ପହୁଞ୍ଚିଲା ଯେବେ

କୃଷ୍ଣପକ୍ଷାଷ୍ଟମୀ

ପୀଠମାନଙ୍କରେ

କାତ୍ୟାୟନୀ ଭ୍ରମି ।୧୮।

ପ୍ରତିମା ଶ୍ରୀଅଙ୍ଗେ

ପ୍ରବେଶି ଗୋପନେ

ପୂରାଇଲେ ଗର୍ଭ

ସୁବାସ ସେବନେ ।୧୯।

ପ୍ରତ୍ୟହ ତ୍ରିଧୂପ

ଶ୍ରୀଚଣ୍ଡୀ ପଠନ,

ପୁଷ୍ପ ହାର ଭକ୍ତ-

କରୁଁ ସମର୍ପଣ, ।୨୦।

ପୂଜାକାଳେ ନାନା-

ବିଧ ବାଦ୍ୟ ଧ୍ୱନି

ପ୍ରତି ଦୁର୍ଗା ପୀଠେ

କରାଏ ଅବନୀ ।୨୧।

ପନ୍ତି ଭୋଗ କାହିଁ

ଭ୍ରମି ଲୋକାଳୟ

ପାଇଲେ ଭବାନୀ

ପ୍ରଦାନି ଅଭୟ ।୨୨।

ପ୍ରସାଦ ବଣ୍ଟାଇ

ଭକ୍ତେ ପଣ୍ଡାକରେ,

ପୃଥିବୀ କମ୍ପାଇ

ଯୋଡ଼ି ଘଣ୍ଚା ସ୍ୱରେ ।୨୩।

ପନ୍ତି ଭୋଗ ବିଧି

ନାହିଁ ଯେଉଁସ୍ଥାନେ

ପ୍ରେରନ୍ତି ସକାଳେ

ସାମଗ୍ରୀ ଆସ୍ଥାନେ ।୨୪।

ପୂଜା ପରେ ନେଇ

କରନ୍ତି ଗ୍ରହଣ

ପ୍ରସାଦ ଈଶ୍ୱରୀ

ବନ୍ଦି ଶ୍ରୀଚରଣ ।୨୫।

ପୁରୀଧାମେ ଏବେ

ଲାଗିଛି ଉତ୍ସବ

ପାର୍ଶ୍ୱ ଶକ୍ତି ପୀଠେ

ଦିବ୍ୟ ଅଭିନବ ।୨୬।

ପ୍ରଣମନ୍ତି ଆସି

ପ୍ରତ୍ୟହ ଭକତେ

ପଦେ ଭେଟି ଧନ-

ରତ୍ନ ଶକ୍ତି ମତେ ।୨୭।

ପୁଷ୍ପହାର ଲାଗି-

କରାଏ କେ ନର,

ପଢ଼ି କେବା ସ୍ତବ

କହେ ‘ଦୁଃଖହର’ ।୨୮।

ପ୍ରପୂଜିତା ଦେବୀ

ଷୋଡ଼ଶୋପଚାରେ

ପ୍ରତିଜ୍ଞା ବର୍ଣ୍ଣିତ

ବିଧି ଅନୁସାରେ ।୨୯।

ପ୍ରବେଶନ୍ତେ ମହା-

ଅଷ୍ଟମୀ ରାଜନ

ପୁଛିଲେ “ତପନି

ପଶୁ ଆନୟନ ।୩୦।

ପ୍ରଭୁ ଯାତାୟତ-

ପଥ ଚାରିଦ୍ୱାରେ

ପାର କି କରାଇ

ତାଙ୍କ ଜ୍ଞାତସାରେ ?”।୩୧।

ପ୍ରତିଜ୍ଞା ଉତ୍ତର

ଦେଲେ ‘ନରପାଳ’

ପ୍ରାଚୀର ଲଙ୍ଘିଲେ

ତୁଟିଲା ଜଞ୍ଜାଳ ।୩୨।

ପଶ୍ଚିମ ଦକ୍ଷିଣ

କୋଣେ ଯଥାକାଳେ

ପ୍ରବେଶିବ ପଶୁ

ଦୃଷ୍ଟି ଅନ୍ତରାଳେ ।୩୩।

ପଡ଼ିବ ସେ ବଳି

ନୀଳାଚଳେଶ୍ୱର-

ପହୁଡ଼ ଉତ୍ତାରେ

ନ ଥାଇ ଗୋଚର” ।୩୪।

ପରାମର୍ଶ ସାରି

ଏହି ପରକାରେ

ପଶୁଦାନ କଲେ

ଅଷ୍ଟମୀ ନିଶାରେ ।୩୫।

ପରଦିନ ଦେଇ

ଦେବୀ ଶାନ୍ତି ଭୋଗ

ପରକାଳକୁ ଏ

ବିଧି କଲେ ଯୋଗ ।୩୪।

ପୂଜା ଶେଷେ ନୂପେ

ଭାଷିଲେ ତପିନୀ

ପାର୍ବିଣେ ପୂଜିତା

ମହିଷମର୍ଦ୍ଦିନୂ ।୩୫।

ପ୍ରତିମାରୁ କାଲି

ଯିବେ କଇଳାସେ

ପୂଜକର ଆଧି

ବ୍ୟାଧି କରି ନାଶ ।୩୮।

ପାଇଲେ ରଜନୀ

ବିମଳା ଆନନ

ପୂରିବ କାମନା

କଲେ ଦରଶନ ।୩୯।

ପ୍ରତି ନର ନାରୀ

ପ୍ରଣମିବେ ଆସି

ପଦେ ଦେବୀଙ୍କର

ମନସ୍କାମ ଭାଷି ।୪୦।

ପ୍ରଦୋଷେ ଶ୍ରୀଗୁମୁ

ଘେନି ପାଟରାଣୀ

ପହୁଞ୍ଚିବେ ପରି-

ଚାରୀବର୍ଗ ଆଣି ।୪୧।

ପଣ୍ଡିତ-ବରଗ,

ଆମାତ୍ୟ-ସକଳ

ପତ୍ନୀ ସହ ଆସି

ମିଳିବେ ଏ ସ୍ଥଳ ।୪୨।

ପଣେ ହାର ମନ୍ତ୍ରି

କନ୍ୟାଦ୍ୱାରା କରେ

ପଡ଼ିଛନ୍ତି ଦୁଃଖେ

ଶୁଣିଛି କୁମାରେ,

ପହୁଞ୍ଚାଇ ଦେବେ

ତାଙ୍କୁ ନରପତି

ପ୍ରହରୀ ଘେରାଇ

ଯତ୍ନେ ଚାରିକତି ।୪୪।

ପ୍ରତ୍ୟେକେ ସୁଦିନେ

ଦେବୀ ଦରଶନ

ପାଇବେ ଏ ମୋର

ମାଗୁଣି ରାଜନ ।”।୪୫।

 

ପଞ୍ଚବିଂଶ ସର୍ଗ

ପ୍ରଭାତୁଁ ପ୍ରଦୋଷ

ପର୍ଯ୍ୟନ୍ତ ଯାନ୍ତ୍ରୀଏ

ପ୍ରବେଶନ୍ତି ଘୃତ—

ଦୀପଟିଏ ଟିଏ ।୧।

ପାବଚ୍ଛ ପାଶରୁ

କୀଣି କରେ ଧରି

ପ୍ରୀତ ମନେ ଦେବୀ-

ମନ୍ଦିରେ ସୁମରି ।୨।

“ପାରିକର ମାଗୋ

ଏ ଭବ-ବନ୍ଧନୁଁ,

ପାଶୋରୁ ସନ୍ତାନ

ଦୁଃଖ ଶୋକ ମନୁଁ, ।୩।

ପୁରାଅ ମା ମୋର

ଚିର ନମସ୍କାର,

ପ୍ରାଣ କରୁ ଦିନେ

ଦର୍ଶନ ଶ୍ରୀରାମ”।୪।

ପ୍ରଣମନ୍ତି ସର୍ବେ

ବିମଳା ଚରଣେ

ପ୍ରାଣପୁଷ୍ପ ଅର୍ପି

ସୁନିର୍ମଳ ମନେ ।୫।

ପିଛାଡ଼ି ଫେରନ୍ତି

ଚାହିଁ ଶ୍ରୀବଦନ

ପ୍ରକାଶି “କଳୁଷ

କର ମା ଖଣ୍ତନ”।୬।

ପ୍ରବେଶିଲେ କ୍ରମେ

ଦିବସାବସାନେ

ପୁରୀରାଜସଭା

ସଭାସଦମାନେ, ।୭।

ପ୍ରଭାବତୀ ସହ

ଉତ୍କଳଈଶ୍ୱର,

ପ୍ରାଣପ୍ରିୟା କର

ଧରି ମନ୍ତ୍ରି ବର, ।୮।

ପ୍ରହରୀବେଷ୍ଟିତ

ବନ୍ଦୀ ରାଜସୂତେ,

ପରିଚାର ଭାଟ

ନାଟ୍ୟକାର ଦୂତେ, ।୯।

ପଣ୍ଡିତପତ୍ନୀଏ,

ନୃପଦାସୀଗଣ,

ପୁରୀବାସୀ କେତେ

କୁଳୀନ ବ୍ରାହ୍ମଣ ।୧୦।

ପାଦପଦ୍ମ ପାଶ

ପ୍ରାଙ୍ଗଣେ ସରବେ

ପ୍ରଣମି ଦେବୀଙ୍କି

ବସିଲେ ନୀରବେ ।୧୧।

ପରିଶେଷେ ଆସ୍ୟେ

ସୁଦୃଷ୍ଟି ନିବେଶି,

ପୁନରପି କ୍ଷଣେ

ଚାହିଁ ସର୍ବଜନ,

ପ୍ରଭାବତୀ ପାଶେ

ଘେନିଲେ ଆସନ ।୧୩।

ପ୍ରତିଭାନନ୍ଦନ

ଉଠି ସୁଗମ୍ବୀରେ

ପ୍ରକାଶିଲେ“ଏହି

ଉତ୍ସବ ମନ୍ଦିରେ ।୧୪।

ପ୍ରବର୍ତ୍ତାଇ ସାଧ୍ୱି

କଲ ସମାଧାନ,

ପାର୍ବତୀ କରନ୍ତୁ

ଆଶିଷ ପ୍ରଦାନ, ।୧୫।

ପ୍ରାର୍ଥନା ଏତିକି

ମୋର ତାଙ୍କ ପଦେ

ପ୍ରଚୁର ଏ ଧର୍ମ୍ମ

ଭାରତେ ଆନନ୍ଦେ”।୧୬।

ପ୍ରବୋଧନ ଉଠି

କଲେ ସମର୍ଥନ

ପ୍ରଥମ ବକ୍ତା ଯା’

ଭାଷିଲେ ବଚନ ।୧୭।

ପ୍ରତ୍ୟେକ ତା’ପରେ

ଦେଲେ କରତାଳି

ପ୍ରବୋଧନ ବାକ୍ୟେ

ଧଇଲେ କି ପାଳି ? ।୧୮।

ପ୍ରଶଂସା ଶ୍ରବଣେ

ଆତ୍ମ ପରିଚୟ

ପ୍ରଦାନିଲେ ସାଧ୍ୱୀ

ସ୍ମରି ଦୟାମୟ; ।୧୯।

ପ୍ରୀତମନେ କରି

ଯୋଗ୍ୟ ସମ୍ବୋଧନ

“ପ୍ରିୟ ସହୋଦର

ସହୋଦରାଗଣ ।୨୦।

ପ୍ରସବ ମୋହର

ଉତ୍କଳେଶ ଅଂଶେ

ପ୍ରଭାବତୀ ଗର୍ଭୁ

ସୁଧାକର ବଂଶେ ।୨୧।

ପୂର୍ବ ପୁଣ୍ୟ ଫଳୁଁ

ପୂଜି କାତ୍ୟାୟନୀ

ପାଇଥିଲେ ମୋତେ

ଦୁଃଖିନୀ ଜନମୀ ।୨୨।

ପିତାକଲେ ପଣ

ଅତ୍ୟନ୍ତ ନିଷ୍ଠୁର

ପ୍ରାଣ ମୋ ଶରୀରୁ

କରିବାକୁ ଦୂର ।୨୩।

ପ୍ରସବ ,ସମୟେ

କ୍ରୁରା ପଦୀନାନୀ

ପ୍ରବେଶିଲା ମନ୍ତ୍ରୀ

ସହତି ଡାହାଣୀ ।୨୪।

ପାଳନେ ଜନକ

ନିର୍ଦ୍ଦୟ ଆଦେଶ,

ପାଇବ ବିଚାରି

ପ୍ରଶଂସା ଅଶେଷ ।୨୫।

ପ୍ରାଣପ୍ରିୟା ଦିବ୍ୟ

କୌଶଳ ପ୍ରୟୋଗେ

ପାଇଲି ଜୀବନ

ଦେବୀ କୃପା ଯୋଗେ ।୨୬।

ପାଳିଲେ ସଚିବ

ସେ ଦିନୁ ସ୍ୱବାସେ

ପ୍ରକାଶି ନିଜର

ସୁତା ପରପାଶେ ।୨୭।

ପ୍ରାପ୍ତ ହେଲି ଯେବେ

ଯୌବନ ଅବସ୍ଥା

ପରିଣୟ ପାଇଁ

କଲେ ସେ ବ୍ୟବସ୍ଥା ।୨୮।

ପାରିଲ ମୁଁ ଶୁଣି

ମୋ ଜନ୍ମ କାହାଣୀ

ପାଚିକା ନିକଟୁଁ

ପିତୃ ସତ୍ୟବାଣୀ ।୨୯।

‘ପୁତ୍ର ନୋହୁ ଅନ୍ୟ

ରାଜର ଶାଳକ’

ପ୍ରଭାବତୀ ପଣ

ଶକ୍ତି ଉଦ୍ଦୀପକ ।୩୦।

ପଶୁଦାନ ହେଉ

ବିମଳା ଆଳୟେ

ପାର୍ବଣେ ସକାମ-

ପୂଜନ ସମୟେ’।୩୧।

ପାଳିବାକୁ ସତ୍ୟ

ପିତାମାତାଙ୍କର

ପ୍ରତିଜ୍ଞା କଲି ମୁଁ

ନ କରି ଗୋଚର ।୩୨।

ପରିଣୟୁଁ କ୍ଷାନ୍ତ

ହେଲି ପଣଛଳେ

ପରାସ୍ତ କରାଇ

କୁମାର ସକଳେ ।୩୩।

ପଳାଇଲି ବ୍ରହ୍ମ-

ବିଦ୍ୟା ଅଧ୍ୟୟନେ,

ପର୍ଯ୍ୟଟନ କରି

ଭାରତ ଭୁବନେ, ।୩୪।

ପାଇଲ ଯା’ବ୍ରତ

ଧରି ଅବଶେଷେ

ପ୍ରଚାରୁଛି ଏବେ

ଭ୍ରମି ନାନାଦେଶେ ।୩୫।

ପ୍ରସିଦ୍ଧ ବ୍ରାହ୍ମଣ୍ୟ—

ଧର୍ମ୍ମ-ତତ୍ତ୍ୱ -ବେଳେ

ପକାଇଲି ପଶୁ-

ବଳି ନୀଳାଚଳେ ।୩୬।

ପିତୃଦେବ ମୋର

ଶୁଣ ନିବେଦନ

ପ୍ରଚାରିବ ଏହି

ଧର୍ମ୍ମ ସନାତନ ।୩୭।

ପ୍ରସବିଲେ କେବେ

ଏ କୁଳ ଦୁହିତା,

ପରିଣୟଁ ଆପେ

ହେବ ସେ ବଞ୍ଚିତା ।୩୮।

ପରସ୍ପରେ ଶୁଣି

ଇତିହାସ ମୋର,

ପୁତ୍ରୀ ପ୍ରାଣ ନେବା

ପାପ ସିନା ଘୋର ।୩୯।

ପ୍ରତିଜ୍ଞା ନିମନ୍ତେ

ହେ ରାଜକୁମାରେ

ପାଇଲଣି କେତେ

କ୍ଲେଶ କାରଗାରେ ।୪୦।

ପୁରିଲାଣି ତୁମ୍ବ

ବନ୍ଧନ ସମୟ,

ପ୍ରଚାର ଏଣିକି

ସ୍ମରି ଦୟାମୟ ।୪୧।

ପୃଣ୍ୟବ୍ରତ ଧରି

ବ୍ରାହ୍ମଣ୍ୟ ଧରମ

ପ୍ରତିତୀର୍ଥେ ଭ୍ରମି

ରଚାଇ ଆଶ୍ରମ ।୪୨।

ପ୍ରାଣପ୍ରିୟେ କ୍ଷମା

କର ମୋର ଦୋଷ

ପାରିନାହିଁ ଦିନେ

କରାଇ ସନ୍ତୋଷ ।୪୩।

ପ୍ରାଣ ଲଭି ତୁମ୍ଭ

କରୁଣା ବର୍ଷଣେ

ପଳାୟନ ଯାଏଁ

ଲାଳନ ପାଳନେ ।୪୪।

ପାରିଲି ମା ତୋର

ଚିର ଚିନ୍ତା ହରି

ପ୍ରଭୁ ପଦ ଧ୍ୟାୟି,

ଦୁର୍ଗାନାମ ସ୍ମରି”୪୫।

ପ୍ରତିଜ୍ଞା ଭାଷଣ

ନ ହେଉଣୁ ଶେଷ

ପ୍ରଭାବତୀ କରି

ନିବିଡେ ଆଶ୍ଲେଷ, ।୪୬।

ପ୍ରକାଶିଲେ ପ୍ରେମ-

ଗଦଗଦ-ସ୍ୱରେ

“ପିତୃ ମାତୃ ସତ୍ୟ

ପାଳି, ଚରାଚରେ ।୪୭।

ପ୍ରାଣଧନ ରଖି

ମହତ-କୀରତି,

ପ୍ରକାଶିଲେ ମୋତେ

ଭବେ ଭାଗ୍ୟବତୀ ।୪୮।

ପ୍ରାଣ ମୋର ଏଣୁ

ହୁଏ ବିସ୍ଫାରିତ,

ପିଅର ସହିତେ

ସକଳେ ଚକିତ ।୪୯।

ପ୍ରତିଜ୍ଞା ତୁ ଧନ୍ୟ,

ଧନ୍ୟ ତୋର ପଣ,

ପୃଥିବୀରେ ଧନ୍ୟ

ତୋ ଆବତରଣ ।” ୫୦।